ଆଜି ବିଶ୍ବରେ ଭାରତୀୟ ସିନେମାର ଗୋଟିଏ ସମ୍ମାନଜନକ ସ୍ଥାନ ରହିଛି। ଭାରତୀୟ ପ୍ରାନ୍ତୀୟ ଭାଷାରେ ତିଆରି ହେଉଥିବା ଅସଂଖ୍ୟ ଫିଲ୍ମକୁ ବାଦ୍ ଦେଲେ ବି କେବଳ ବଲିଉଡ୍ ହିଁ ହଲିଉଡ୍ର ସମକକ୍ଷ ବୋଲି ବିଚାର କରାଯାଉଛି। ଭାରତୀୟ ସମାଜରେ ନାରୀ ତୁଳନାରେ ପୁରୁଷକୁ ଅଧିକ ପ୍ରାଧାନ୍ୟ ଦିଆଯାଏ ବୋଲି କୁହାଗଲେ ହେଁ ଭାରତୀୟ ସିନେମାରେ ବି ଅନେକ ନିର୍ଦ୍ଦେଶିକା ସଫଳତା ଅର୍ଜନ କରିଛନ୍ତି।
ଏ ପରଂପରା ଆରମ୍ଭ ହୋଇଥିଲା ଫାତିମା ବେଗମ୍ଙ୍କଠାରୁ, ଯିଏ ଅତୁଳନୀୟ ସାହସ ଓ ଆତ୍ମବିଶ୍ବାସର ସହିତ ପୁରୁଷଙ୍କ ଦ୍ବାରା ‘କବଳିତ’ ସିନେ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ, ଯାହାଙ୍କୁ ଭାରତୀୟ ସିନେମାର ପ୍ରଥମ ନିର୍ଦ୍ଦେଶିକା ବୋଲି ସ୍ବୀକାର କରାଯାଏ। କେବଳ ପ୍ରଥମ ନିର୍ଦ୍ଦେଶିକା ନୁହେଁ, ସେ ହେଉଛନ୍ତି ଭାରତୀୟ ସିନେମାର ପ୍ରଥମ ପ୍ରଯୋଜିକା ଓ ଲେଖିକା ମଧ୍ୟ। ତାଙ୍କର ଅନ୍ୟ ପରିଚୟ ହେଉଛି, ସେ ପ୍ରଥମ ଭାରତୀୟ ସବାକ୍ ଫିଲ୍ମ ‘ଆଲମ୍ ଆରା’ର ନାୟିକା ଜୁବେଇଦାଙ୍କ ମାଆ ତଥା ଅଭିନେତ୍ରୀ-ମଡେଲ୍ ରେୟା ପିଲାଇଙ୍କ ଆଈ।
୧୮୯୨ରେ ଜନ୍ମିତା ଫାତିମାଙ୍କର ବାହାଘର ସାଚେନର ନବାବ ସିଦି ଇବ୍ରାହିମ ମହମ୍ମଦ ୟାକୁତ ଖାଁ-ତୃତୀୟଙ୍କ ସହିତ ହୋଇଥିଲା। ତେବେ ସେ ବାହାଘର ସମୟରେ କୌଣସି ଲିଖିତ ଦସ୍ତାବିଜ ତିଆରି କରାଯାଇ ନଥିଲା। ତେଣୁ ପରେ ନବାବ ସାହେବ ସେ ବାହାଘରକୁ ସ୍ବୀକୃତି ଦେଇ ନଥିଲେ, ଫାତିମାଙ୍କର ସନ୍ତାନମାନଙ୍କୁ ମଧ୍ୟ ନିଜର ଉତ୍ତରାଧିକାରୀ ଭାବେ ସ୍ବୀକାର କରି ନଥିଲେ।
/sambad/media/post_attachments/wp-content/uploads/2023/06/fatima-ffff.jpg)
ଉର୍ଦ୍ଦୁ ନାଟକରୁ, ଅର୍ଥାତ୍ ମଞ୍ଚରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିବା ଫାତିମା ପରବର୍ତୀ ସମୟରେ ଫିଲ୍ମକୁ ଆସିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ଆର୍ଦେସିର ଇରାନୀଙ୍କ ନିର୍ଦ୍ଦେିଶିତ ମୂକ ଫିଲ୍ମ ‘ବୀର ଅଭିମନ୍ୟୁ’ (୧୯୨୨)। ସେତେବେଳର ସାମାଜିକ ସ୍ଥିତି ଏମିତି ଥିଲା ଯେ ଭାରତରେ ତିଆରି ହେଉଥିବା ଅଧିକାଂଶ ଫିଲ୍ମରେ ନାୟିକା ଭୂମିକାରେ ବି ମହିଳାମାନେ ଅଭିନୟ କରୁ ନଥିଲେ, ପୁରୁଷ କଳାକାର ମହିଳା ସାଜୁଥିଲେ। ଅଭିନୟରେ ଖୁବ୍ କମ୍ ମହିଳା ଥିବାରୁ ଫାତିମା ଅଳ୍ପ ସମୟ ଭିତରେ ବଡ଼ ତାରକା ପାଲଟି ଯାଇଥିଲେ। ଅଭିନୟ ପରେ ଫାତିମା ୧୯୨୬ରେ ନିଜର ପ୍ରଯୋଜନା ସଂସ୍ଥା ‘ଫାତିମା ଫିଲ୍ମସ’ ଆରମ୍ଭ କରିଥିଲେ, ଯାହା ପରେ ହୋଇଥିଲା ‘ଭିକ୍ଟୋରିଆ-ଫାତିମା ଫିଲ୍ମସ’। ସେ ଅନ୍ୟ ପ୍ରଯୋଜକଙ୍କ ଫିଲ୍ମରେ ଅଭିନୟ କରିବା ଅବଶ୍ୟ ଛାଡ଼ି ନଥିଲେ।
କମ୍ପାନି ଆରମ୍ଭ କରିବାର ପ୍ରଥମ ବର୍ଷ ହିଁ ସେ ନିର୍ଦ୍ଦେଶନାରେ ପ୍ରବେଶ କରିଥିଲେ। ନିର୍ଦ୍ଦେଶିକା ଭାବେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ବୁଲ୍ବୁଲ୍-ଇ-ପରିସ୍ତାଁ’ (୧୯୨୬)। ଏବେ ସେ ଫିଲ୍ମର ପ୍ରିଣ୍ଟ ମିଳୁନାହିଁ, କିନ୍ତୁ ତାହା ଏକ ବଡ଼ ବଜେଟ୍ର ଫାଣ୍ଟାସି ଫିଲ୍ମ ଥିଲା, ଯେଉଁଥିରେ ସେ ସମୟର ଅନେକ ବଡ଼ ତାରକା ଅଭିନୟ କରିଥିଲେ ଓ ସେ ସମୟରେ ଉପଲବ୍ଧ ବହୁ ସ୍ପେଶାଲ ଇଫେକ୍ଟ ବ୍ୟବହାର କରାଯାଇଥିଲା। ସେହି ଫିଲ୍ମ ଯୋଗୁଁ ବିଶ୍ବ ସିନେ ଇତିହାସର ଆଦ୍ୟ ଫାଣ୍ଟାସି ନିର୍ଦ୍ଦେଶକମାନଙ୍କ ଭିତରେ ଫାତିମାଙ୍କର ନାଁ ରହିଛି। ଏ ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ତା’କୁ ସେ ପ୍ରଯୋଜନା ବି କରିଥିଲେ। ଖାଲି ସେତିକି ନୁହେଁ, ତା’ର କାହାଣୀ ଓ ସଂଳାପ ମଧ୍ୟ ସେ ଲେଖିଥିଲେ। ତେଣୁ ଭାରତୀୟ ସିନେମାରେ ସେ ପ୍ରଥମ ନିର୍ଦ୍ଦେଶକା ହେବା ସହିତ ପ୍ରଥମ ପ୍ରଯୋଜିକା ଓ ଲେଖିକା ମଧ୍ୟ। ନିର୍ଦ୍ଦେଶିକା ଭାବେ ଫାତିମାଙ୍କର ଶେଷ ଫିଲ୍ମ ଥିଲା ‘ଗଡେସ୍ ଅଫ୍ ଲକ୍’ (୧୯୨୯)। ‘ଦୁନିଆ କ୍ୟା ହୈ’ (୧୯୩୮) ହେଉଛି ତାଙ୍କ ଅଭିନୟର ଶେଷ ଫିଲ୍ମ। ୧୯୮୩ରେ ୯୧ ବର୍ଷ ବୟସରେ ଫାତିମାଙ୍କର ପରଲୋକ ହୋଇଥିଲା।