ଜ୍ୟେଷ୍ଠ ଶୁକ୍ଳ ତୃତୀୟା ‘ରମ୍ଭା ତୃତୀୟା’ ନାମରେ ଖ୍ୟାତ। ଏହା ଅପ୍‌ସରା ରମ୍ଭାଙ୍କ ନାମରେ ନାମିତ। ଏହିଦିନ ପାଳିତ ହେଉଥିବା ବ୍ରତର ନାମ ମଧ୍ୟ ‘ରମ୍ଭାତୃତୀୟା ବ୍ରତ’। ରମ୍ଭା, ମେନକା ଓ ଉର୍ବଶୀ ତିନି ଅପରୂପା ଅପ୍‌ସରୀ। ଏ ତିନି ଅପ୍‌ସରୀଙ୍କ ମଧ୍ୟରୁ ରମ୍ଭା ସବୁଠୁ ସୁନ୍ଦରୀ। ‘ଭବିଷ୍ୟ ପୁରାଣ’ ଅନୁସାରେ, ଦେବୀ ପାର୍ବତୀଙ୍କର ଆଗ୍ରହ ଫଳରେ ଲୋକକଲ୍ୟାଣ ନିମନ୍ତେ ଭଗବାନ ଶଙ୍କର ଏହି ବ୍ରତର ବିଧାନ କହିଥିଲେ। ଜ୍ୟେଷ୍ଠ ଶୁକ୍ଳ ତୃତୀୟା ପରି, ମାର୍ଗଶିର ଶୁକ୍ଳ ତୃତୀୟାରେ ଆରମ୍ଭ ହେଉଥିବା ଆଉ ଏକ ରମ୍ଭାତୃତୀୟା ବ୍ରତକଥା ମଧ୍ୟ ଅଛି। ଏହି ବ୍ରତ ସାରାବର୍ଷର ଶୁକ୍ଳ ତୃତୀୟାରେ କରାଯାଏ। ଏହା ଅନୁସାରେ, ଉଭୟ ସ୍ତ୍ରୀ ଓ ପୁରୁଷ ଏହି ବ୍ରତ କରିପାରିବେ। ସକାଳୁ ଉଠି ଭକ୍ତିପୂର୍ବକ ସାରାବର୍ଷ ଏହି ବ୍ରତ ପାଳନ ନିମନ୍ତେ ସଂକଳ୍ପ କରାଯାଏ। ପ୍ରାର୍ଥନା କରାଯାଏ- ହେ ଦେବୀ, ମୁଁ ବର୍ଷର ବାରଟିଯାକ ମାସର ଶୁକ୍ଳ ତୃତୀୟାରେ ଏହି ବ୍ରତ ପାଳନ କରିବି। ଶିବ-ପାର୍ବତୀ ଓ ଲକ୍ଷ୍ମୀ ଏହି ବ୍ରତର ଉପାସ୍ୟ।

Advertisment

ତେବେ, ଏହି ବ୍ରତର ଏକ ବିଶେଷତ୍ୱ ହେଉଛି- ଭିନ୍ନ ଭିନ୍ନ ମାସର ବ୍ରତପାଳନର ବିଧି ଭିନ୍ନ। ମାର୍ଗଶିର ମାସରେ ପାର୍ବତୀଙ୍କୁ ଏବଂ ପୌଷମାସରେ ଗୌରୀଶ୍ୱର (ଶିବ)ଙ୍କୁ ପୂଜା କରାଯିବା ପରେ, ମାଘ ମାସରୁ ବୈଶାଖ ମାସ ପର୍ଯ୍ୟନ୍ତ ଯଥାକ୍ରମେ ସୁଦେବୀ, ଗୌରୀ, ବିଶାଳାକ୍ଷୀ ଓ ଶ୍ରୀମୁଖୀ ନାମରେ ପାର୍ବତୀଙ୍କୁ ପୂଜା କରାଯାଏ। ସେହିପରି ଆଷାଢ଼ଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଯଥାକ୍ରମେ ମାଧବୀ, ଶ୍ରୀଦେବୀ, ହରକାଳୀ, ଶୈଳପୁତ୍ରୀ ଓ ପଦ୍ମୋଦ୍ଭବା ନାମରେ ଦେବୀଙ୍କୁ ପୂଜା କରାଯାଏ।
ଏହିପରି ଭାବରେ ସାରାବର୍ଷ ରମ୍ଭା ତୃତୀୟା ବ୍ରତପାଳନ କରି ଶେଷରେ ବ୍ରତ ଉଦ୍‌ଯାପନ କରାଯାଏ। ଏହା ଫଳରେ ଅନନ୍ତ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହେବା ସହିତ ଶିବ ସାଯୁଜ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ।