ପଶ୍ଚିମ ବଙ୍ଗର ମେଦିନପୁର, ୨୪ ପ୍ରଗଣା, ଝାଡ଼ଖଣ୍ଡର ସିଂହଭୂମି ଅଞ୍ଚଳ, ଛତିଶଗଡ଼ର ମହାସମୁନ୍ଦ, ବସନା ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ସମାନତା ରହିଛି। ଯାହା ଆମର ବିଜ୍ଞ ପାଠକମାନଙ୍କୁ ଜ୍ଞାତ। ୬୦/୭୦ ବର୍ଷ ପୂର୍ବରୁ ଏସବୁ ଅଞ୍ଚଳ ଥିଲା ଓଡ଼ିଆ ଭାଷାଭାଷୀ ତଥା ଓଡ଼ିଆ ବହୁଳ। ଆଜି ଓଡ଼ିଆମାନେ ସେଠାରେ ସଂଖ୍ୟାଲଘୁରେ ପରିଣତ ହୋଇସାରିଛନ୍ତି। ଏହାର କାରଣ ସେ ସ୍ଥାନରେ ଥିବା ଓଡ଼ିଆ ଲୋକମାନଙ୍କ ପଳାୟନ ନୁହେଁ, ବରଂ ଭାଷାନ୍ତର ହିଁ ଦାୟୀ।
ଉପରୋକ୍ତ ଜିଲ୍ଲା ବା ଅଞ୍ଚଳଗୁଡ଼ିକ ଅଣଓଡ଼ିଆ ରାଜ୍ୟରେ ରହିଯିବାରୁ ସେମାନଙ୍କ ସରକାରୀ ବିଦ୍ୟାଳୟରୁ ଆରମ୍ଭ କରି ସରକାରୀ ଚାକିରି ପାଇଁ ପରୀକ୍ଷା ତଥା ସରକାରୀ କାର୍ଯ୍ୟ ପର୍ଯ୍ୟନ୍ତ ସବୁଠାରେ ଆଉ ଓଡ଼ିଆ ଭାଷାର ଆବଶ୍ୟକତା ରହିଲା ନାହିଁ। ସେସବୁ ସ୍ଥାନରେ ସେ ରାଜ୍ୟର ଭାଷା ଖୋଜା ପଡ଼ିଲା। ଫଳରେ ସେଠାକାର ଓଡ଼ିଆ ଲୋକମାନେ ନିଜ ପିଲାଙ୍କୁ ଓଡ଼ିଆ ନ ପଢ଼ାଇ ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ପଢ଼ାଇଲେ ଆଉ ଶିଖାଇଲେ। ଓଡ଼ିଆ ଜାଣିଥିବା ପୁରୁଣା ଲୋକମାନେ ଧୀରେ ଧୀରେ ସଂସାରରୁ ବିଦାୟ ନେଲା ପରେ ଓଡ଼ିଆ ପଢ଼ିପାରୁଥିବା, ଲେଖିପାରୁଥିବା ଓ କହିପାରୁଥିବା ଲୋକମାନଙ୍କ ସଂଖ୍ୟା କମି କମି କ୍ରମେ ସଂଖ୍ୟାଲଘୁରେ ପରିଣତ ହେଲାଣି। ଆମର ଏହି ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଯେଉଁ ଏକ ସଂକ୍ଷିପ୍ତ ଅଥଚ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ମିଳେ, ତାହା ହେଉଛି- “ଯେ କୌଣସି ଭାଷାର ବ୍ୟବହାର ଦୈନନ୍ଦିନ ଜୀବନରୁ କମିଗଲେ ସେ ଭାଷାର କ୍ରମଶଃ ଅପମୃତ୍ୟୁ ହୋଇଥାଏ।’’ ବଙ୍ଗଳା ଲୋକଙ୍କ ମାତୃଭାଷା ପ୍ରେମ ତ ବିଶ୍ୱବିଦିତ ଯାହାଙ୍କ ପାଇଁ ବିଶ୍ୱ ମାତୃଭାଷା ଦିବସ ପୃଥିବୀ ବ୍ୟାପୀ ପାଳନ କରାଯାଉଛି। ତେଲୁଗୁ ଲୋକମାନେ ମଧ୍ୟ ଏ କ୍ଷେତ୍ରରେ କିଛି କମ୍ ନୁହଁନ୍ତି। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟର ସିଂହଭାଗ ହିନ୍ଦୀରେ ହୁଏ। ଓଡ଼ିଶାରେ କିନ୍ତୁ ଓଲଟା ହୁଏ। ଏଠି ମାତୃଭାଷା ଓଡ଼ିଆକୁ ଖୁବ୍ ହତାଦାର କରାଯାଏ। ଓଡ଼ିଶାରେ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ ହେବ ବୋଲି “ଦ ଓଡ଼ିଶା ଅଫିସିଆଲ ଲାଙ୍ଗୁଏଜ୍ ଆକ୍ଟ ୧୯୫୪” ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା ଯାହାର ସମୟକ୍ରମେ ୧୯୮୫ରେ, ୨୦୧୬ରେ ଏବଂ ୨୦୧୮ରେ ସଂଶୋଧନ କରାଯାଇଛି। ମାତ୍ର ଓଡ଼ିଆ ବ୍ୟବହାର କରିବା ପାଇଁ ସ୍ବୟଂ ଓଡ଼ିଆମାନେ ହିଁ ଆଗ୍ରହୀ ନୁହଁନ୍ତି। ଘରୋଇ କ୍ଷେତ୍ରରେ ମଧ୍ୟ ସମାବସ୍ଥା। ନଥିପତ୍ର କାର୍ଯ୍ୟ, ନିର୍ଦ୍ଦେଶନାମା, ରାଜପତ୍ର, ନିୟମାବଳୀ ତ ଦୂରର କଥା, ସାମାନ୍ୟ ଛୁଟି ଦରଖାସ୍ତଟିଏ ମଧ୍ୟ ଓଡ଼ିଆରେ ଲେଖାଯିବା ବିରଳ ହେଲାଣି। ଏପରି କି ଇଂରେଜୀ ଜାଣିନଥିବା କର୍ମଚାରୀମାନେ ୟାକୁ ତାକୁ ଅନୁରୋଧ କରି ଇଂରେଜୀରେ ଦରଖାସ୍ତଟିଏ ଲେଖେଇ ଆଣିବେ ବରଂ ନିଜେ ଓଡ଼ିଆରେ ଦୁଇପଦ ଲେଖିବେ ନାହିଁ।
ଏଥିସହିତ ଆଜିକାଲି ଓଡ଼ିଆ ନିମନ୍ତ୍ରଣପତ୍ର ବିରଳ ହେବାକୁ ବସିଲାଣି। ନିଜ ପରିବାରର ବହୁ ସଦସ୍ୟ ଇଂରେଜୀ ନିମନ୍ତ୍ରଣ ପତ୍ରକୁ ବୁଝି ପାରୁନଥିଲେ ମଧ୍ୟ ବିବାହ, ବ୍ରତଘର ଆଦିର ନିମନ୍ତ୍ରଣପତ୍ର ଓଡ଼ିଆରେ ହେଉନି। ‘ବ୍ରତଘର’ ବା ‘ବ୍ରତୋପନୟନ’ ଭଳି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଶବ୍ଦ ସ୍ଥାନରେ ‘ଥ୍ରେଡ୍ ସେରିମନି’ ଭଳି ହାଲୁକା ଶବ୍ଦ ସ୍ଥାନ ନେଲାଣି। ଓଡ଼ିଶା ଭିତରେ ଓଡ଼ିଆଙ୍କ ଦ୍ବାରା ଗଢ଼ିଉଠୁଥିବା ଘରଗୁଡ଼ିକର ନାମ ଏବଂ ଗୃହକର୍ତ୍ତାଙ୍କ ନାମଫଳକ ଘରସାମ୍ନାରେ ଇଂରେଜୀରେ ଲେଖାହେଉଛି। ସହରାଞ୍ଚଳରେ ଯେଉଁସବୁ ବହୁତଳ ପ୍ରାସାଦ ବା ଆପାର୍ଟମେଣ୍ଟ ତିଆରି ହେଉଛି ସେସବୁର ନାମ ସୁଦୃଶ୍ୟ ଇଂରେଜୀ ଅକ୍ଷରରେ ଲେଖାଯାଉଛି। ବ୍ୟାବସାୟିକ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆରେ ଲେଖାଯିବା ପାଇଁ “ଓଡ଼ିଶା ସପ୍ସ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ-୧୯୫୬ର ୨୦୧୮ (ସଂଶୋଧନ)ରେ ଉଲ୍ଲେଖ ରହିଛି, ଯାହାର ଅନୁପାଳନ ନହେଲେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ତଥାପି ଆଜି ହାଟବଜାର ଯୁଆଡ଼େ ଗଲେ ସର୍ବତ୍ର କେବଳ ଇଂରେଜୀ ନାମଫଳକ ଦୃଶ୍ୟମାନ ହେଉଛି। ମହାନ୍ତି ପାନ ଦୋକାନ ସ୍ଥାନରେ ‘ମହାନ୍ତି ବିଟେଲ ସପ୍’ ଦେଖିବାକୁ ମିଳୁଛି। ସତେ ଯେମିତି ଆମ ଘର ଆଉ ଦୋକାନଗୁଡ଼ିକୁ ଖୋଜିବା ପାଇଁ କେବଳ ଇଂଲଣ୍ଡ, ଆମେରିକାରୁ ଲୋକମାନେ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ପଢ଼ିନପାରି ଆମ ଘରକୁ ଖୋଜି ପାଇବେ ନାହିଁ। କ’ଣ ପ୍ରକୃତରେ ଏସବୁ ସ୍ଥାନରେ ଓଡ଼ିଆ ଲେଖାଯାଇ ପାରିବ ନାହିଁ? ସମସ୍ତେ ଥରେ ଭାବିବା ଉଚିତ। ଓଡ଼ିଆ ଚଳଚ୍ଚିତ୍ରର ଇଂରେଜୀ ନାମ ଦିଆଯାଉଛି। ଚଳଚ୍ଚିତ୍ର ସଙ୍ଗୀତରେ ବହୁ ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦ ଓ ବାକ୍ୟର ଅନାବଶ୍ୟକ ବ୍ୟବହାର ହେଉଛି। ଇଂରେଜୀ ଖବରକାଗଜରେ ଓଡ଼ିଆ ଶବ୍ଦ ବ୍ୟବହାର ହେଉନି। ଓଡ଼ିଆ ଖବରକାଗଜରେ ଅଣଓଡ଼ିଆ ଶବ୍ଦର ବହୁଳ ବ୍ୟବହାର ହେଉଛି। ସମ୍ୱାଦ ପାଠ କଲାବେଳେ ତଥା କୌଣସି ପ୍ରସଙ୍ଗ ଉପସ୍ଥାପନ କଲାବେଳେ ଟିଭି ଉପସ୍ଥାପକମାନଙ୍କ ଓଡ଼ିଆ ଚ୍ୟାନେଲ୍ରେ ମାତ୍ରାଧିକ ଇଂରେଜୀ ବ୍ୟବହାର ଇଂରେଜୀ ଚ୍ୟାନେଲ୍ର ଭ୍ରମ ସୃଷ୍ଟି କରୁଛି। ଇଂରେଜୀ ଭାଷାଜ୍ଞାନ ବୃଦ୍ଧି ପାଇଁ ଇଂରେଜୀ କାଗଜ ଓ ଇଂରେଜୀ ସମ୍ୱାଦ ଶୁଣିବାକୁ ପରାମର୍ଶ ଦିଆଯାଏ। ସେହିଭଳି ଓଡ଼ିଆ ଭାଷାଜ୍ଞାନ ବୃଦ୍ଧି ପାଇଁ କ’ଣ ଓଡ଼ିଆ କାଗଜ ଓ ଓଡ଼ିଆ ସମ୍ୱାଦ ଶୁଣାଯାଇପାରିବ? ଅବଶ୍ୟ ଦୈନିକ ‘ସମ୍ୱାଦ’ର ସମ୍ପାଦକୀୟ ଆଲେଖ୍ୟଗୁଡ଼ିକ ଏହାର ବ୍ୟତିକ୍ରମ।
ଆଜି ଆମ ରାଜ୍ୟ ପ୍ରତିଷ୍ଠା ଦିବସ। ଇଂରେଜ ଶାସିତ ଅବିଭକ୍ତ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେଉଛି ଆମ ଓଡ଼ିଶା। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ କଲିକତା, ମାନ୍ଦ୍ରାଜ, ଭୋପାଳ ଭଳି ଭିନ୍ନ ଭିନ୍ନ ଶାସନାଧୀନରେ ରହିବାରୁ ପ୍ରଶାସନରେ ତଥା ନ୍ୟାୟାଳୟ ଆଦିରେ ଓଡ଼ିଆ ଭାଷାର ବ୍ୟବହାର ନହେବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇ ଉତ୍କଳ ସମ୍ମିଳନୀ ଧ୍ୱଜା ତଳେ ଏକତ୍ର ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ କରିବାରେ ସକ୍ଷମ ହୋଇଥିଲେ। ଉଦ୍ଦେଶ୍ୟ ଥିଲା ସାଧାରଣ ଜନତାଙ୍କ ସୁବିଧା ପାଇଁ ଶାସନ, ଆମ ଓଡ଼ିଆ ଭାଷାରେ ଚାଲିବ। ହେଲେ ୮୫ ବର୍ଷ ପରେ ମାତ୍ର କେଇ ଦଶନ୍ଧି ମଧ୍ୟରେ ଆମର ପୂର୍ବଜଙ୍କ ଅକ୍ଳାନ୍ତ ପରିଶ୍ରମର କ’ଣ ମୂଲ୍ୟ ଆମେ ଦେଇଛେ? ଓଡ଼ିଶା ଭିତରେ ଓଡ଼ିଆ ଭାଷା ଓଡ଼ିଆଙ୍କ ଦ୍ୱାରା ସଙ୍କଟାପନ୍ନ ସ୍ଥିତିରେ ଅଛି। ଏ କଥାକୁ ଉପଲବ୍ଧି କରି ଆମ ମାତୃଭାଷାର ସୁରକ୍ଷା ଆମେ ଯଦି ନିଜେ ନକରିବା, ତେବେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିର ଭବିଷ୍ୟତ କ’ଣ ହେବ, ସେକଥା ଲେଖିବାକୁ କଲମ ଆଉ ଆଗକୁ ବଢ଼ିପାରୁନାହିଁ।
ସତ୍ୟଜିତ୍ ନାୟକ
ମୋ- ୯୪୩୭୬୫୩୨୬୦
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/article.jpg)