ପନିର୍ ହେଉଛି ଭାରତୀୟ ଖାଦ୍ୟର ଏକ ମୁଖ୍ୟ ଅଂଶ। ଏହାକୁ ନେଇ ‘ଆପେଟାଇଜର୍’ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ତେବେ ଆମେ ଖାଉଥିବା ପନିର୍ ଅସଲି କି ନୁହେଁ ସେ ନେଇ ଅନେକ ସମୟରେ ସନ୍ଦେହ ପ୍ରକାଶ ପାଇ ଆସିଛି। ଗତବର୍ଷ ଅକ୍ଟୋବରରେ ଖାଦ୍ୟ ବିତରଣକାରୀ କମ୍ପାନି ‘ଜମାଟୋ’ ଭେଜିଟେବଲ୍ ତେଲରୁ ତିଆରି ‘ନକଲି ପନିର୍’ ଯୋଗାଇଥିଲା ବୋଲି ଗୁରୁଗ୍ରାମର ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏ ବାବଦରେ ଇଣ୍ଟର୍ନେଟ୍ ବିତର୍କ ଆରମ୍ଭ ହୋଇଥିଲା। ‘ଜମାଟୋ’ ପ୍ଲାଟଫର୍ମରେ ତାଲିକାଭୁକ୍ତ ରିପୋର୍ଟ ଅନୁଯାୟୀ ଉକ୍ତ ଉତ୍ପାଦଟିକୁ ‘ଆନାଲଗ୍ ପନିର୍’ ବୋଲି କୁହାଯାଇଥିଲା, ଯାହା ଟିକ୍କା ଓ ମସଲାଯୁକ୍ତ ଖାଦ୍ୟ ପାଇଁ ଉପଯୁକ୍ତ ବୋଲି ପ୍ରସାରିତ ହୋଇଥିଲା। ଏହି ପନିର୍ ବିକଳ୍ପର ସ୍ୱାସ୍ଥ୍ୟଗତ ପ୍ରଭାବ ନେଇ ଅନେକ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଆସିଛନ୍ତି।
ସମାନ ସ୍ୱାଦ ଓ ଗଠନ ବଜାୟ ରଖି କ୍ଷୀର-ଆଧାରିତ ପନିର୍ର ପ୍ରାୟ ଅଧା ମୂଲ୍ୟରେ ଆନାଲଗ୍ ପନିର୍ ମିଳୁଥିବାରୁ ଏହାର ବିକ୍ରି ବଢ଼ିଚାଲିଛି। କିନ୍ତୁ କ୍ଷୀରରୁ ମିଳୁଥିବା ଜରୁରୀ ପୁଷ୍ଟି ଏଥିରେ ନଥାଏ
ଆମ ଦେଶରେ ଆନାଲଗ୍ ପନିର୍ ବିକ୍ରୟ ଆଇନଗତ ହୋଇଥିଲେ ହେଁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଗ୍ରାହକଙ୍କ ସହ ଠକେଇକୁ ରୋକିବା ପାଇଁ ଏହାକୁ ସ୍ପଷ୍ଟ ଭାବରେ ‘ଅଣଦୁଗ୍ଧ’ ଦର୍ଶାଇବାକୁ ବାଧ୍ୟତାମୂଳକ କରିଛି, ଯାହାର ଅନୁପାଳନ ନ କରିବା ଏକ ଦଣ୍ଡନୀୟ ଅପରାଧ। ଏଫ୍ଏସ୍ଏସ୍ଏଆଇ ନିୟମ ଅନୁଯାୟୀ, କ୍ଷୀର ବଦଳରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଅଣଦୁଗ୍ଧ ଉପାଦାନରେ ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟକୁ ‘ଆନାଲଗ’ ଉତ୍ପାଦ କୁହାଯାଇଥାଏ। ତେବେ ସେହି ଦ୍ରବ୍ୟଟି ପାରମ୍ପରିକ କ୍ଷୀର ଉତ୍ପାଦ ପରି ଦିଶିବା ଓ ଅନୁଭୂତ ହେବା ଜରୁରି। କୃତ୍ରିମ କିମ୍ବା ନକଲି ପନିର୍ ଭାବରେ ଜଣାଶୁଣା ଏହି ଆନାଲଗ୍ ପନିର୍ ସମାନ ସ୍ୱାଦ ଓ ଗଠନ ବଜାୟ ରଖି କ୍ଷୀର-ଆଧାରିତ ପନିର୍ ତୁଳନାରେ ପ୍ରାୟ ଅଧା ମୂଲ୍ୟରେ ମିଳୁଥିବାରୁ ଏହା ଲୋକପ୍ରିୟତା ହାସଲ କରିଚାଲିଛି। ଏମ୍ଲସିଫାୟର, ଷ୍ଟାର୍ଚ ଓ ନିମ୍ନ-ଗୁଣବତ୍ତାର ଭେଜିଟେବଲ୍ ତେଲରେ ଏହି ଆନାଲଗ୍ ପନିର୍ ପ୍ରସ୍ତୁତ ହୋଇଥାଏ। ଏଥିରେ କ୍ଷୀରରୁ ମିଳୁଥିବା ଜରୁରୀ ପୁଷ୍ଟିର ଅଭାବ ଥିବାରୁ ଏହା ଅନେକ ସ୍ୱାସ୍ଥ୍ୟ ଆଶଙ୍କା ସୃଷ୍ଟି କରୁଛି। ପ୍ରାଥମିକ ଚିନ୍ତା ହେଉଛି ଏହାର ଉଚ୍ଚ ଟ୍ରାନ୍ସ ଫ୍ୟାଟ୍ ପରିମାଣ, ଯାହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ। ଟ୍ରାନ୍ସ ଫ୍ୟାଟ୍ ଯୋଗୁଁ ଦୀର୍ଘକାଳୀନ ପ୍ରଦାହ, ମଧୁମେହ, କର୍କଟ ଓ ହୃଦ୍ରୋଗ ସାଙ୍ଗକୁ ଶରୀର ଫୁଲିବା, ବଦହଜମି, ବାନ୍ତି ଓ ଡାଇରିଆ ହୋଇପାରେ।
ଚିହ୍ନିବେ କେମିତି?
ବଜାରରେ ଆନାଲଗ୍ ପନିର୍ର ବିକ୍ରି ବଢ଼ିଚାଲିଥିବା ବେଳେ ଏହାକୁ ପ୍ରକୃତ ପନିର୍ଠାରୁ କିପରି ପାର୍ଥକ୍ୟ କରିବେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଏହାର କେତେକ ସରଳ ଉପାୟ ଅଛି। ପନିର୍କୁ ପାଣିରେ ଫୁଟାଇ ଥଣ୍ଡା କରି ସେଥିରେ କିଛି ବୁନ୍ଦା ଆୟୋଡିନ୍ ମିଶାଇଲେ ଯଦି ଏହା ନୀଳ ରଙ୍ଗର ହୋଇଯାଏ, ତେବେ ଏହା ଷ୍ଟାର୍ଚର ଉପସ୍ଥିତିକୁ ସୂଚାଇଥାଏ, ଅର୍ଥାତ୍ ପନିର୍ଟି ସିନ୍ଥେଟିକ୍ ବା ଆନାଲୋଗ୍ ପନିର୍। ପନିର୍କୁ ଫୁଟାଇ ଥଣ୍ଡା କରି ସେଥିରେ କିଛି ହରଡ଼ ଡାଲି ଗୁଣ୍ଡ ବା ସୋୟାବିନ୍ ଗୁଣ୍ଡ ମିଶାଇଲେ ତାହା ଯଦି ହାଲୁକା ଲାଲ ରଙ୍ଗର ହୋଇଯାଏ, ତେବେ ତାହା କ୍ଷତିକାରକ ରାସାୟନିକ ପଦାର୍ଥର ଉପସ୍ଥିତିକୁ ସୂଚାଇଥାଏ। ସେହିପରି ଗରମ କଲେ, ପ୍ରକୃତ ପନିର୍ ମାଟିଆ କିମ୍ବା ସାମାନ୍ୟ ଭାଙ୍ଗିଯାଉଥିବା ବେଳେ ନକଲି ପନିର୍ ତରଳିଯାଏ କିମ୍ବା ସେଥିରୁ ପାଣି ବାହାରିଥାଏ।