କାର୍ଯ୍ୟବ୍ୟସ୍ତତା ହେତୁ ଆମ ଭିତରୁ ଅନେକଙ୍କର ତରବର ହୋଇ ଖାଇବା ସ୍ୱଭାବ ପାଲଟିଛି। ମାତ୍ର ଖାଦ୍ୟକୁ ଠିକ୍‌ରେ ଚୋବାଇ ନଖାଇ ତରବରରେ ଗିଳିଦେବା ଗମ୍ଭୀର ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିଥାଏ।  ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେକୌଣସି ଖାଦ୍ୟକୁ ଧୀରେ ଧୀରେ ଖାଇବା ଦ୍ବାରା ତାହା ଆମ ପାଚନ ପ୍ରକ୍ରିୟାକୁ ସୁରକ୍ଷା ଦେବାସହ ଓଜନକୁ ନିୟନ୍ତ୍ରଣରେ ରଖେ। ଏହାସହ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଏଡ଼ାଇବାରେ ସାହାଯ୍ୟ କରେ। ଭଲରେ ଚୋବାଯାଇ ନଥିବା ଖାଦ୍ୟ ବଡ଼ବଡ଼ ଖଣ୍ଡରେ ପାକସ୍ଥଳୀରେ ପହଞ୍ଚେ।

Advertisment

ତେଣୁ ପାଚନତନ୍ତ୍ରକୁ ଅଧିକ କାମ କରିବାକୁ ପଡ଼ିଥାଏ। ଯାହାଦ୍ବାରା ପେଟ ଫୁଲିବା, ଅସ୍ୱସ୍ତି ଲାଗିବା ସହ ଲଗାତାର ଗ୍ୟାସ୍‌ ସୃଷ୍ଟି ହୁଏ। ସେହିପରି ଖାଦ୍ୟକୁ ତରବର ହୋଇ ଗିଳିବା ଦ୍ବାରା ଏସିଡ୍‌ ରିଫ୍ଲକ୍ସ ଓ ବୁକୁପୋଡ଼ା ହୋଇଥାଏ।  ଶୀଘ୍ର ଖାଇବା ଦ୍ବାରା ଗଳାରେ ଖାଦ୍ୟ ଜମା ହେବାର ସମ୍ଭାବନା ବଢ଼ିଯାଏ। ଏହା ଏକ ବିପଜ୍ଜନକ ପରିସ୍ଥିତି, ଯାହା ଶ୍ୱାସକ୍ରିୟାକୁ ଅବରୋଧ କରିପାରେ। ତେବେ ପରିଣାମ କେବଳ ବଦହଜମିରେ ସୀମିତ ରହେନାହିଁ। ଅନେକ ଦିନ ଧରି ଶୀଘ୍ର ଖାଇବାର ଏକ ଧାରା ନିରବରେ ଆମ ସମଗ୍ର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଏଥିସହିତ ଯେଉଁମାନେ ଶୀଘ୍ର ଖାଆନ୍ତି ସେମାନେ ଓଜନ ବୃଦ୍ଧି ଓ ମେଦବହୁଳତାର ଶିକାର ହୁଅନ୍ତି। ନିୟମିତ ତରବର ହୋଇ ଖାଇବା ଦ୍ବାରା ଇନ୍‌ସୁଲିନ୍‌ ପ୍ରତିରୋଧ, ଉଚ୍ଚ ରକ୍ତଚାପ ଓ ଖରାପ କୋଲେଷ୍ଟ୍ରଲ୍‌ର ସ୍ତର ବୃଦ୍ଧିପାଏ। ଏହି ପରିବର୍ତ୍ତନଗୁଡ଼ିକ ଯୁବ ବୟସ୍କମାନଙ୍କ ମଧ୍ୟରେ ଟାଇପ୍୨ ମଧୁମେହ, ହୃଦ୍‌ରୋଗ ଓ ମେଟାବୋଲିକ୍‌ ସିଣ୍ଡ୍ରୋମ୍‌ ଆଶଙ୍କା ବଢ଼ାଏ।