ଭାରତୀୟ ସଂସ୍କୃତିରେ ଚିତା କୁଟାଇବା ଏକ ପ୍ରାଚୀନ ପରମ୍ପରା ହୋଇ ରହି ଆସିଛି। ତେବେ ସମ୍ପ୍ରତି ଯୁବପିଢ଼ିଙ୍କ ଭିତରେ ଶରୀରର ତ୍ବଚା ଉପରେ ବିଭିନ୍ନ ଆକୃତିର ଚିତା କୁଟାଇବା ବା ଟାଟୁ ଆଙ୍କିବା ଏକ ଫେସନ ପାଲଟିଛି। ମାତ୍ର ନିଜ ତ୍ବଚାର କ୍ଷତ କରି ଟାଟୁ କରିବା କେତେ ଯେ ବିପଜ୍ଜନକ ହୋଇପାରେ, ତାହା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଉକ୍ତ ଅନୁଧ୍ୟାନ ଅନୁସାରେ ଯେଉଁମାନେ ନିଜ ଦେହରେ ଆଦୌ ଟାଟୁ କରିନାହାନ୍ତି, ସେମାନଙ୍କ ତୁଳନାରେ ଟାଟୁ କରିଥିବା ବ୍ୟକ୍ତିଙ୍କର ଚର୍ମ ଓ ଲସିକା ଗ୍ରନ୍ଥି ବା ଲିମ୍ଫ୍ ନୋଡ୍ସ କର୍କଟର ଆଶଙ୍କା ଅଧିକ ରହିଥାଏ। ଦକ୍ଷିଣ ଡେନମାର୍କ ବିଶ୍ବବିଦ୍ୟାଳୟର ଜନସ୍ବାସ୍ଥ୍ୟ ବିଭାଗ ଓ ନୈଦାନିକ ଗବେଷଣା ବିଭାଗର ଗବେଷକମାନଙ୍କ ସହିତ ହେଲସିଙ୍କି ବିଶ୍ବବିଦ୍ୟାଳୟର ଗବେଷକମାନେ ଟାଟୁରେ ବ୍ୟବହୃତ କାଳିର ସ୍ବାସ୍ଥ୍ୟଗତ ପରିଣାମକୁ ବିଶ୍ଳେଷଣ କରିଥିଲେ।
ସେମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଟାଟୁ ପାଇଁ ଚର୍ମ ଉପରେ ଯେଉଁ କାଳି ବା ରଙ୍ଗକୁ ଭେଦ କରାଯାଇଥାଏ, ତାହା କେବଳ ସେହି ସ୍ଥାନରେ ସ୍ଥିର ନରହି ଶରୀରର ବିଭିନ୍ନ ଅଂଶରେ ଥିବା ରୋଗପ୍ରତିରୋଧକ ପ୍ରଣାଳୀର ଲସିକା ଗ୍ରନ୍ଥିକୁ ସ୍ଥାନାନ୍ତରିତ ହୋଇ ସେଠାରେ ଜମା ହୋଇଥାଏ। ଫଳରେ ତାହା ଦୀର୍ଘକାଳୀନ ପ୍ରଦାହକୁ ଉତ୍ପ୍ରେରିତ କରି ସମୟକ୍ରମେ ଅସ୍ବାଭାବିକ କୋଷବୃଦ୍ଧି କରିବା ସହ କର୍କଟ ଆଶଙ୍କା ବଢ଼ାଇଥାଏ।
ଦକ୍ଷିଣ ଡେନମାର୍କ ବିଶ୍ବବିଦ୍ୟାଳୟର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଟାଟୁ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କର୍କଟ ଆଶଙ୍କା ୬୨% ଅଧିକ। ଟାଟୁର ଆକାର ବଢ଼ିବା ସହିତ କର୍କଟ ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ।
ଗବେଷକମାନେ ଦୁଇଟି ଅଧ୍ୟୟନର ତଥ୍ୟକୁ ବିଶ୍ଳେଷଣ କରି ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ସେଥି ମଧ୍ୟରୁ ଗୋଟିଏ ଅଧ୍ୟୟନ ୩୧୬ ଜଣ ଯମଜ ଶିଶୁଙ୍କ ଉପରେ ଏବଂ ଅନ୍ୟଟି ୧୯୬୦ରୁ ୧୯୯୬ ମସିହା ଭିତରେ ୨,୩୬୭ ଜଣ ଯମଜ ଶିଶୁଙ୍କ ଉପରେ ହୋଇଥିଲା। ଏଥି ସହିତ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବା ଆନୁବଂଶିକ ଓ ପରିବେଶଗତ କାରଣକୁ ମଧ୍ୟ ବିଶ୍ଳେଷଣ କରାଯାଇଥିଲା। ଯମଜ ଶିଶୁଙ୍କ ଏହି ଅଧ୍ୟୟନରୁ ଗବେଷକମାନେ କର୍କଟ ଆକ୍ରାନ୍ତଙ୍କ ଠାରେ ଟାଟୁ ପ୍ରଚଳନ ଅଧିକ ବୋଲି ଲକ୍ଷ୍ୟ କରିଛନ୍ତି। ଏଥି ସହିତ ଟାଟୁ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କର୍କଟ ଆଶଙ୍କା ୬୨ ପ୍ରତିଶତ ଅଧିକ ବୋଲି ସ୍ପଷ୍ଟ ହୋଇଛି। ସେହିପରି ଟାଟୁର ଆକାର ଯେତେ ବଡ଼, କର୍କଟ ଆଶଙ୍କା ସେତେ ଅଧିକ ବୋଲି ମଧ୍ୟ ସେମାନେ ଜାଣିବାକୁ ପାଇଛନ୍ତି। ଏହାର କାରଣ ହେଲା ଟାଟୁର ଆକାର ବଢ଼ିବା ସହିତ ଲସିକା ଗ୍ରନ୍ଥିରେ ଅଧିକ ଟାଟୁ କାଳି ଠୁଳ ହୁଏ ଏବଂ ତାହା ଅଧିକ କର୍କଟ ସୃଷ୍ଟି କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/12/coeHIoanLzB0NBUM4uG3.jpg)