 ଆଗୁଆ ଟିକେଟ୍‌ ବୁକ୍‌ କରନ୍ତୁ:
ଆପଣ କୌଣସି ଯାତ୍ରା ଆରମ୍ଭ କରିବା ପୂର୍ବରୁ ପୂର୍ବପ୍ରସ୍ତୁତି ଓ ନିର୍ଦ୍ଦିଷ୍ଟ ଯୋଜନା ଆପଣାନ୍ତୁ। ଟ୍ରେନ୍‌ରେ ଯାତ୍ରା କରୁଥିଲା ସମୟରେ କନ୍‌ଫର୍ମ ଟିକେଟ୍‌ ନିଜ ପାଖରେ ରଖନ୍ତୁ। ଆପଣଙ୍କର ସିଟ୍‌ ବୁକ୍‌ କରିବା ପାଇଁ ସର୍ବଦା ଆଇଆର୍‌ସିଟିସି (IRCTC) ୱେବ୍‌ସାଇଟ୍‌ କିମ୍ବା ସରକାରୀ ଯାତ୍ରା ଆପ୍‌ ଭଳି ଯାଞ୍ଚ ହୋଇଥିବା ସାଇଟ୍‌ ବ୍ୟବହାର କରନ୍ତୁ। 
 ଅପରିଚିତ ଷ୍ଟେସନ୍‌ରେ ଓହ୍ଲାଇବା ଏଡ଼ାନ୍ତୁ:
ବିଳମ୍ବିତ ରାତିରେ କୌଣସି ଅପରିଚିତ ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାନ୍ତୁ ନାହିଁ। ଆପଣ ଏପରି ଟ୍ରେନ୍‌ ବାଛନ୍ତୁ ଯାହା ଦିନରେ ଆପଣଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁଥିବ। ଯଦି ଆପଣଙ୍କୁ ରାତିରେ ପହଞ୍ଚିବାକୁ ପଡ଼ିବ, ତେବେ ପୂର୍ବରୁ ଏକ ଭରସାଯୋଗ୍ୟ ଗାଡ଼ି ବ୍ୟବସ୍ଥା କରନ୍ତୁ।
 ପରିବାର ଓ ବନ୍ଧୁମାନଙ୍କ ସହିତ ଆପଣଙ୍କର ଯାତ୍ରା ବିବରଣୀ ସେୟାର କରନ୍ତୁ:
ଆପଣଙ୍କ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ସିଟ୍‌ ନମ୍ବର, କୋଚ୍‌, ଟ୍ରେନ୍‌ ନାମ ଓ ପହଞ୍ଚିବା ସମୟ ପରିବାରର ସଦସ୍ୟ କିମ୍ବା ନିକଟତମ ବନ୍ଧୁଙ୍କ ସହ ସେୟାର କରନ୍ତୁ। ଯଦି ଆପଣଙ୍କ ଟ୍ରେନ୍‌ ବିଳମ୍ବ ହେଉଛି କିମ୍ବା ରାସ୍ତା ପରିବର୍ତ୍ତନ ହେଉଛି ତେବେ ସେମାନଙ୍କୁ ଜଣାନ୍ତୁ। 
 ବ୍ୟକ୍ତିଗତ ସୂଚନା ସେୟାର କରନ୍ତୁ ନାହିଁ:
ଏକାକୀ ଯାତ୍ରା କରୁଥିଲା ସମୟରେ ବ୍ୟକ୍ତିଗତ ବିବରଣୀ ଅଚିହ୍ନା ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ। ଆପଣଙ୍କ ଘର ଠିକଣା, ଆପଣ କେଉଁଠିକି ଯାଉଛନ୍ତି କିମ୍ବା ଆପଣ ଏକା ଯାତ୍ରା କରୁଛନ୍ତି ତାହା ପ୍ରକାଶ କରନ୍ତୁ ନାହିଁ। 
 ସୁରକ୍ଷିତ ରହିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରନ୍ତୁ:
ଯାତ୍ରା କରିବା ପୂର୍ବରୁ ସରକାରୀ ରେଳ ସୁରକ୍ଷା ଆପ୍‌ ‘ରେଳ ମଦଦ୍‌’ ଡାଉନ୍‌ଲୋଡ୍‌ କରନ୍ତୁ। କୌଣସି ସମସ୍ୟା ଉପୁଜିଲେ ଆପଣ ଏହି ଆପ୍‌ ମାଧ୍ୟମରେ ରେଳ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରନ୍ତୁ। ଏହାସହ ପରିବାର ସଦସ୍ୟଙ୍କୁ ଆପଣଙ୍କ ଗତିବିଧି ଜଣାଇବା ପାଇଁ ଆପଣଙ୍କ ଫୋନ୍‌ର ଲାଇଭ୍‌ ଲୋକେସନ୍‌ ତାଙ୍କ ସହ ସେୟାର କରନ୍ତୁ। 
 ଜରୁରୀକାଳୀନ ହେଲ୍‌ପଲାଇନ୍‌ ନମ୍ବରଗୁଡ଼ିକୁ ସେଭ୍‌ କରନ୍ତୁ:
ଭାରତୀୟ ରେଳବାଇ ଜରୁରୀକାଳୀନ ହେଲ୍‌ପଲାଇନ୍‌ ନମ୍ବର ୧୮୨ ରହିଛି। ମହିଳା ଯାତ୍ରୀମାନଙ୍କୁ  ଯାତ୍ରା କରିବା ସମୟରେ ସହାୟତା କରିବା ପାଇଁ ଭାରତୀୟ ରେଳବାଇ ତରଫରୁ ‘ମେରି ‌ସହେଲି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ‘ମେରି ସହେଲି’ ଦଳର ସଦସ୍ୟ ପ୍ରମୁଖ ରୁଟ୍‌ଗୁଡ଼ିକରେ ନିୟୋଜିତ ହୋଇଛନ୍ତି। ମହିଳାମାନଙ୍କ ସଙ୍କଟକାଳୀନ କଲ୍‌ଗୁଡ଼ିକର ପ୍ରତିକ୍ରିୟା ଦେବାପାଇଁ ଆର୍‌ପିଏଫ୍‌ ସହିତ ସେମାନେ ସିଧାସଳଖ ଯୋଡ଼ି ହୋଇଛନ୍ତି। ଖାଲି ସେତିକି ନୁହେଁ ଆପଣ ଟ୍ରେନ୍‌ରେ ଯାତ୍ରା ସମୟରେ ତୁରନ୍ତ ଟଏଲେଟ୍‌ ସଫା ପାଇଁ ମଧ୍ୟ ସହାୟତା ନେଇପାରିବେ। ମୋବାଇଲ୍‌ରେ CLEAN ଟାଇପ୍‌ କରି ୧୦ ଡିଜିଟ୍‌ ପିଏନ୍‌ଆର୍‌ ନମ୍ବର ସହିତ ୫୮୮୮୮କୁ ଏସ୍‌ଏମ୍‌ଏସ୍‌ ପଠାଇଦେଲେ ଏହି ସୁବିଧା ପାଇପାରିବେ। 
 ଟ୍ରେନ୍‌ରେ ଖାଦ୍ୟ ଅର୍ଡର କରିପାରିବେ:
ଟ୍ରେନ୍‌ରେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବାକୁ, ଆପଣଙ୍କୁ ପ୍ରଥମେ www.ecatering.irctc.co.in ପରିଦର୍ଶନ କରିବାକୁ ପଡ଼ିବ। ତା’ ପରେ, ଆପଣଙ୍କର ଟ୍ରେନ୍‌ ନମ୍ବର ଓ ବୋର୍ଡିଂ ତାରିଖ ପ୍ରବେଶ କରି ଆପଣଙ୍କର ‌ଷ୍ଟେସନ୍‌ ଚୟନ କରନ୍ତୁ। ଏହାପରେ ଖାଦ୍ୟ ଓ ରେଷ୍ଟୁରାଣ୍ଟ ଚୟନ କରିବା ପରେ ଆପଣଙ୍କର ପିଏନ୍‌ଆର୍‌ ନମ୍ବର ପ୍ରବେଶ କରିପାରିବେ ଏବଂ ଆପଣଙ୍କର ଖାଦ୍ୟ ଅର୍ଡର କରିପାରିବେ। ଏହା ସହିତ ସ୍ବିଗି, ଜୋମାଟୋ ଓ ଅନ୍ୟାନ୍ୟ ଖାଦ୍ୟ ବିତରଣ କମ୍ପାନିଗୁଡ଼ିକ ଯାତ୍ରୀମାନଙ୍କୁ ଅନ୍‌ଲାଇନ୍‌ରେ ଖାଦ୍ୟ ପହଞ୍ଚାଇବା ପାଇଁ ଆଇଆର୍‌ସିଟିସି ସହିତ କାମ କରୁଛନ୍ତି।

Advertisment