ହାତ ଓ ପାଦ ଥଣ୍ଡା ହୋଇ କୋଲ ମାରିବା ଖରାପ ରକ୍ତ ସଞ୍ଚାଳନର ଏକ ଲକ୍ଷଣ ହୋଇପାରେ। ରକ୍ତ ସଞ୍ଚାଳନ ହେଉଛି ହୃତ୍ପିଣ୍ଡରୁ ମାଂସପେଶୀ, ଚର୍ମ ଓ ଅଙ୍ଗଗୁଡ଼ିକୁ ଅମ୍ଳଜାନ ଓ ପୋଷକ ତତ୍ତ୍ୱ ବଣ୍ଟନ କରିବାର ଶାରୀରିକ ପ୍ରକ୍ରିୟା। ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେଲେ ହାତ ଓ ପାଦ ଝିମ୍ଝିମ୍ ହୁଏ। ଖରାପ ସଞ୍ଚାଳନର ସମୟୋଚିତ ଚିକିତ୍ସା କରା ନ ଗଲେ ତାହା ବିପଜ୍ଜନକ ହୋଇପାରେ। ଦୁର୍ବଳ ରକ୍ତ ସଂଚାଳନର କିଛି ଲକ୍ଷଣ ହେଲା ହାତ ଓ ପାଦ ଥଣ୍ଡା ପଡ଼ିଯିବା, ଛୁଞ୍ଚି ଫୋଡ଼ି ହେବା ପରି ଲାଗିବା, ଚର୍ମ ନୀଳ କିମ୍ବା ଫିକା ପଡ଼ିଯିବା, ପାଦ ବା ହାତ ଆଙ୍ଗୁଠି ନିସ୍ତେଜ ଲାଗିବା, ଶିରା ଫୁଲିଯିବା ବା ଭାରିକୋଜ୍ ଭେନ୍ ହେବା, ଚାଲିବା କିମ୍ବା ଠିଆ ହେବା ସମୟରେ ଗୋଡ଼ରେ ଯନ୍ତ୍ରଣା ହେବା।
ଖରାପ ରକ୍ତସଂଚାଳନ କାରଣଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଆଥେରାସ୍କ୍ଲେରୋସିସ୍(ଧମନୀ କାନ୍ଥରେ ଚର୍ବି ଜମା) ଯହିଁରେ ରକ୍ତନାଳୀଗୁଡ଼ିକ ସଂକୁଚିତ ହୋଇ ରକ୍ତ ପ୍ରବାହ କଷ୍ଟକର ହୋଇଯାଏ। ଏହା ଟିସୁଗୁଡ଼ିକୁ ଅମ୍ଳଜାନ ଯୋଗାଣ ହ୍ରାସ କରି ହୃଦ୍ଘାତ କିମ୍ବା ମସ୍ତିଷ୍କଘାତର ଆଶଙ୍କା ବଢ଼ାଇପାରେ। ଉଚ୍ଚ ରକ୍ତଚାପ ଧମନୀଗୁଡ଼ିକୁ କଠିନ ଏବଂ ପ୍ଲାକ୍ ଜମା ହେବାର ସମ୍ଭାବନା ବଢ଼ାଇଦିଏ, ଯାହା ହାତ ଓ ପାଦ ପରି ଶରୀରର ଦୂରତମ ଭାଗକୁ ରକ୍ତ ପ୍ରବାହ ଧୀର କରିଦିଏ। ରକ୍ତରେ ଅତ୍ୟଧିକ ଶର୍କରା ରହିଲେ ମଧ୍ୟ ଧମନୀ କଠିନ ହୋଇଯାଏ। ସେହିପରି ଅତ୍ୟଧିକ ଓଜନ ହୃତ୍ପିଣ୍ଡ ଉପରେ ଅତିରିକ୍ତ ଚାପ ପକାଇଥାଏ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ୍ ସମସ୍ୟାର ଆଶଙ୍କା ବଢ଼ାଇଥାଏ।
ଚାଲିବା, ପହଁରିବା, ବଗିଚାକାମ ଓ ଯୋଗ ଆଦି ରକ୍ତ ସଞ୍ଚାଳନକୁ ଉନ୍ନତ କରିବାର ଉତ୍କୃଷ୍ଟ ଉପାୟ। ପ୍ରତ୍ୟହ ଛଅରୁ ଆଠ ଗ୍ଲାସ ପାଣି ପିଇ ଶରୀରକୁ ଆର୍ଦ୍ର ରଖିବା ସହ ରକ୍ତ ପ୍ରବାହକୁ ସୁଗମ କରିହେବ। ସନ୍ତୁଳିତ ଆହାର ଧମନୀକୁ ସୁସ୍ଥ ରଖେ ଏବଂ ସଞ୍ଚାଳନରେ ସାହାଯ୍ୟ କରେ। ପ୍ରଚୁର ଫଳ, ପନିପରିବା, ସମ୍ପୂର୍ଣ୍ଣ ଶସ୍ୟ ଏବଂ ତୈଳାକ୍ତ ମାଛ ସହିତ ଏକ ସୁସ୍ଥ ଖାଦ୍ୟ ଯୋଜନା ପ୍ଲାକ୍ ହ୍ରାସ କରି ସଞ୍ଚାଳନକୁ ବୃଦ୍ଧି କରିପାରିବ। ଯଦି ବାରମ୍ବାର ହାତ କିମ୍ବା ପାଦ କୋଲ ମାରିବା ଅଥବା ରକ୍ତ ସଂଚାଳନ ସମସ୍ୟା ଲକ୍ଷ୍ୟ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଜରୁରି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/12/new-project-1-2025-11-12-08-02-33.jpg)