ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା। ହଠାତ୍ ଲକଡାଉନ୍ ଘୋଷଣା ହେବା ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିସହିତ ଅନେକ ବ୍ୟବସାୟ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ରର ଅହମ୍ମଦନଗରରେ କୃଷକଙ୍କ ଅବସ୍ଥା ମଧ୍ୟ କିଛି ଭିନ୍ନ ନଥିଲା। ମୁମ୍ବାଇ, ପୁଣେ ଏବଂ ଅନ୍ୟ ପଡୋଶୀ ସହରରେ ପନିପରିବା ଏବଂ ଫଳ ବିକ୍ରି କରୁଥିବା କୃଷକଙ୍କ ପାଖରେ ଲକଡାଉନ ହେତୁ ପନିପରିବା ଗଚ୍ଛିତ ହୋଇଯାଇଥିଲା। ଏହି ଗଚ୍ଛିତ ପରିବା ବିକ୍ରି କରିବା ପାଇଁ ସେମିତି ବଜାର ବି ନଥିଲା। ଏହାପରେ କିଛି କୃଷକ ଏକତ୍ରିତ ହୋଇ ‘ ଫାରମର ପ୍ରଡ୍ୟୁସର କମ୍ପାନି’ ଆରମ୍ଭ କରିଥିଲେ।
ଆସନ୍ତୁ ଜାଣିବା ଲକଡାଉନ ସମୟରେ ଏହି କୃଷକମାନଙ୍କ ସଂଘର୍ଷ କାହାଣୀ ବିଷୟରେ…
ଆଜି ଆମେ ଆପଣଙ୍କୁ ମହାରାଷ୍ଟ୍ରର ଅହମ୍ମଦନଗରର ଏପରି କିଛି କୃଷକଙ୍କ କାହାଣୀ କହିବୁ ଯେଉଁମାନେ ଏହି ଅସୁବିଧା ସମୟରେ କେବଳ ନୂତନ ଚିନ୍ତାଧାରାର ପରୀକ୍ଷଣ କରିନାହାନ୍ତି ବରଂ ସଙ୍କଟ ସମୟକୁ ସୁଯୋଗରେ ବଦଳାଇ ଦେଇଛନ୍ତି।
ହ୍ବାଟସ ଆପ୍ ମାଧ୍ୟମରେ ଏହି ଅଞ୍ଚଳର ପ୍ରାୟ ୧୧ଜଣ କୃଷକ ଯୋଡ଼ି ହୋଇ ଏକ ଯୋଜନା ଅଧୀନରେ ଏକାଠି ହୋଇଥିଲେ। ଏପ୍ରିଲ୍ ୨୦୨୦ରେ ଏହି ସମସ୍ତ କୃଷକ ପାରମ୍ପରିକ ମଧ୍ୟସ୍ଥି ଏବଂ କ୍ରେତାଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ଗ୍ରାହକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ଆରମ୍ଭ କଲେ। ସୋସିଆଲ୍ ମିଡିଆ ସହିତ ଯୋଡ଼ି ହୋଇ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କଲେ।
ପ୍ରାୟ ଏକ ବର୍ଷ ପରେ ଅର୍ଥାତ ୨୦୨୧ମସିହାରେ, ଏହି ୧୧ଜଣିଆ ଗୋଷ୍ଠୀ ୪୮୦ କୃଷକଙ୍କୁ ନେଇ ଏକ ବଡ଼ ଗୋଷ୍ଠୀ ଗଠନ କରିଛି। ଏହି କୃଷକମାନେ ମିଳିତ ଭାବରେ ‘କିସାନକନେକ୍ଟ’ ନାମକ ଏକ ଇ-କମର୍ସ କମ୍ପାନି ଗଠନ କରିଛନ୍ତି । ଏହି କମ୍ପାନି ମାଧ୍ୟମରେ ସେମାନେ ସେମାନଙ୍କର ଉତ୍ପାଦନକୁ ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଗ୍ରାହକଙ୍କ ସହିତ ସିଧାସଳଖ ସଂଯୋଗ କରି ଏକ ଲକ୍ଷ ବାକ୍ସ ପନିପରିବା ବିକ୍ରି କରିବା ସହିତ ୬.୬ କୋଟି ଟଙ୍କା ରୋଜଗାର କରି ପାରିଛନ୍ତି।