ପରିବେଶ ପ୍ରଦୂଷିତ ହେବା ସହ ରୋଗୀ ସଂଖ୍ୟା ବଢ଼ିବାରେଲାଗିଛି। ସାଧାରଣତଃ, ଥିଲାବାଲାଙ୍କ କ୍ଷେତ୍ରରେ ଚିକିତ୍ସାରେ ସମସ୍ୟା ହୁଏନାହିଁ। ହେଲେ, ଗରିବମାନେ ମୁଖ୍ୟତଃ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭରଶୀଳ। ପୁଣି, ସରକାରୀ ଚିକିତ୍ସାଳୟକୁ ନେଇ ଅନେକ ଅସନ୍ତୋଷ। ଗରିବଙ୍କ ଚିକିତ୍ସା ଖର୍ଚ୍ଚ ଜନିତ ସମସ୍ୟା ଦୂର କରିବା ପାଇଁ ୨୦୧୧ରୁ କାର୍ଯ୍ୟ କରୁଛି ‘ଆରୋଗ୍ୟ ଫାଇନାନ୍ସ’। ଏହା ସ୍ୱଳ୍ପ ଆୟକାରୀଙ୍କୁ ଶୂନ୍ୟ ପ୍ରତିଶତ ଇଏମ୍ଆଇରେ ଚିକିତ୍ସା ଋଣ ଯୋଗାଉଛି। ନାଶିକର ବିଜୟ ଭାର୍ବେଙ୍କର ମାସିକ ରୋଜଗାର ପନ୍ଦର ହଜାର ଟଙ୍କା ମଧ୍ୟରେ ସୀମିତ। ପତ୍ନୀଙ୍କର ସ୍ତ୍ରୀ-ରୋଗ ସମସ୍ୟା ଥିଲା। ଅସ୍ତ୍ରୋପଚାର ପାଇଁ ଦରକାର ପଡ଼ୁଥିଲା ଅଶୀ ହଜାର ଟଙ୍କା। ଘରୋଇ ସୂତ୍ରରେ ଋଣ ଆଣିଥିଲେ ମାସିକ ପାଞ୍ଚରୁ ଦଶ ପ୍ରତିଶତ ହାରରେ ସୁଧ ଦେଇଥାଆନ୍ତେ। ବ୍ୟାଙ୍କ୍ରୁ ଏହି ସୁବିଧା ମିଳିବାର ସଂଭାବନା ନ ଥିଲା। ସ୍ୱାସ୍ଥ୍ୟ ବୀମା ନ ଥିଲା। ‘ଆରୋଗ୍ୟ ଫାଇନାନ୍ସ’ ମାଧ୍ୟମରେ ତାଙ୍କର ସମସ୍ୟା ଦୂର ହୋଇଥିଲା। ଅସ୍ତ୍ରୋପଚାର ପରେ ପତ୍ନୀ ସୁସ୍ଥ ହୋଇଥିଲେ। ଅଦ୍ୟାବଧି ପଚାଶ ହଜାରରୁ ଅଧିକ ସ୍ୱଳ୍ପ ଆୟକାରୀ ଏହି ସଂସ୍ଥା ଦ୍ଵାରା ଉପକୃତ ହେଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
‘ଆରୋଗ୍ୟ ଫାଇନାନ୍ସ’ ଅଦ୍ୟାବଧି ଦଶ କୋଟିର ଚିକିତ୍ସା ଋଣ ଯୋଗାଇସାରିଲାଣି। ଏହା ସିଧାସଳଖ ଚିକିତ୍ସାଳୟକୁ ଚିକିତ୍ସା ବ୍ୟୟ ପ୍ରଦାନ କରୁଛି। ପାଣ୍ଠି ନିମନ୍ତେ ଏହି ସଂସ୍ଥା ଏକାଧିକ ସ୍ୱେଚ୍ଛାସେବୀ ସଂଗଠନ ଉପରେ ନିର୍ଭରଶୀଳ। ଏହାକୁ ଚଳାଉଛନ୍ତି, ଜୋସ୍ ପିଟର୍। ଏକଦା ସେ ‘ଟାଟା ମୋଟସ୍ର୍ ଫାଇନାନ୍ସ’ରେ ବିତ୍ତୀୟ ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ଗରିବଙ୍କୁ ଚିକିତ୍ସା ଋଣ ଯୋଗାଇବା ଲକ୍ଷ୍ୟରେ ଚାକିରି ଛାଡ଼ିଥିଲେ। ଚଉଦଟି ରାଜ୍ୟର ଚଉରାଅଶୀଟି ସହରରେ ତାଙ୍କ ସଂସ୍ଥା କାମ କରୁଛି। ତାଙ୍କ ସଂସ୍ଥା ସହ ୪୮୦ଟି ଚିକିତ୍ସାଳୟ(ନେଟ୍ଓ୍ଵାକ୍ର୍ ହସ୍ପିଟାଲ୍) ସଂପୃକ୍ତ।