କୋହିନୁର ର କଳା ଇତିହାସ

ତପନ ମହାରଣା

କୋହିନୁର ବିଶ୍ବର ସବୁଠୁ ବଡ଼ କି, ସବୁଠୁ ସୁନ୍ଦର ହୀରା ନୁହେଁ। କିନ୍ତୁ, ଦୁର୍ବାର ତା’ର ଆକର୍ଷଣ। ତା’ଯୋଗୁଁ ଘଟିଛି ଅନେକ ଯୁଦ୍ଧ ଓ ରକ୍ତପାତ। କୋହିନୁରର ମୂଲ୍ୟାଙ୍କନ ହୋଇଥିଲେ ହେଁ କେହି କେବେ ତାହାକୁ କିଣିପାରି ନାହାନ୍ତି। ଇତିହାସର ପୃଷ୍ଠା ଆଡ଼େଇଲେ ଜଣାପଡ଼େ, ଏହାକୁ କେବଳ ବଳରେ କିମ୍ବା ଛଳରେ ହାସଲ କରାଯାଇଛି। ପୁଣି ଦେଖାଯାଇଛି, କୋହିନୁର ହାସଲ କରିଥିବା ବ୍ୟକ୍ତିମାନେ ଏହାର ଐଶ୍ବର୍ଯ୍ୟକୁ ବେଶି ଦିନ ଭୋଗ କରିପାରିନାହାନ୍ତି, ଘଟଣାଚକ୍ରରେ
ଦୁର୍ଦ୍ଦିନ ଓ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି।

୧୮୫୦ ମସିହା। ବମ୍ବେ ବନ୍ଦରରୁ (ଆଜିର ମୁମ୍ବାଇ) ଏକ ଜାହାଜ ଇଂଲଣ୍ଡ ଅଭିମୁଖେ ଯାତ୍ରାରମ୍ଭ କଲା। ‘ଏଚ୍‌ଏମ୍‌ଏସ୍ ମିଡିଆ’ ନାମକ ଏହି ଜାହାଜରେ ଏକ ରହସ୍ୟମୟ ଚିଜ ଯାଉଥିଲା। ସେ ସମ୍ପର୍କରେ ଜାହାଜରେ ଥିବା ଲୋକମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ଜାଣିଥିଲେ। ଏହି ଦୀର୍ଘ ଜଳଯାତ୍ରାର ପ୍ରଥମ କେତେ ଦିନ ବେଶ୍‌ ସୁରୁଖୁରୁରେ କଟିଗଲା। ତା’ପରେ ଜାହାଜରେ କେତେକ ଯାତ୍ରୀ ଅସୁସ୍ଥ ହୋଇପଡ଼ିଲେ। ପୁଣି କିଛି ଦିନ ପରେ ଆଉ କିଛି ଯାତ୍ରୀ ଅସୁସ୍ଥ ହେଲେ। ଶେଷକୁ ଜାହାଜରେ ହଇଜା ବ୍ୟାପିଗଲା ଓ ଯାତ୍ରୀମାନେ ଅସହାୟ ଭାବେ ମଲେ। ଜାହାଜର କପ୍ତାନ୍‌ଙ୍କ ଆଶା ଥିଲା ଯେ, ମରିସସ୍‌ରେ ପହଞ୍ଚିଗଲେ ସହାୟତା ଓ ଔଷଧ ମିଳିବ। କିନ୍ତୁ ଏହି ରୋଗ ବିଷୟରେ ଜାଣିବା ପରେ ସେଠାକାର ସରକାର ସେ ଜାହାଜକୁ ପ୍ରବେଶ ଅନୁମତି ବି ଦେଲେନାହିଁ। ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରି ଜାହାଜ ଆଗକୁ ବଢ଼ିଲା। ମାତ୍ର ଦୁର୍ଭାଗ୍ୟ ଜାହାଜର ପିଛା ଛାଡ଼ିଲା ନାହିଁ। ଜାହାଜ ଆଟଲାଣ୍ଟିକ୍‌ ମହାସାଗରରେ ପ୍ରବେଶ କରିବା ପରେ ଅତି ଭୟଙ୍କର ଝଡ଼ କବଳରେ ପଡ଼ି ବୁଡୁ ବୁଡୁ ବର୍ତ୍ତିଗଲା। ‌କୌଣସିମତେ ଇଂଲଣ୍ଡ୍‌ରେ ପହଞ୍ଚିବା ପରେ ଜଣାପଡ଼ିଲା ଯେ ଜାହାଜରେ ଆସିଥିବା ରହସ୍ୟମୟ ଚିଜଟି ହେଉଛି କୋହିନୁର ହୀରା। ସେଠାରୁ ଏ ବହୁଚର୍ଚ୍ଚିତ ହୀରାର କାହାଣୀ ସାରା ବିଶ୍ବରେ ବ୍ୟାପିଗଲା। ଏହି ବିଶ୍ବବିଦିତ ହୀରାର ଇତିହାସ କିନ୍ତୁ ବେଶ୍‌ ରୋଚକ!

ଉତ୍ପତ୍ତି କାହାଣୀ: କୋହିନୁର ଉତ୍ପତ୍ତି ସମ୍ପର୍କରେ ଭିନ୍ନ ଭିନ୍ନ କାହାଣୀ ପ୍ରଚଳିତ। କୁହାଯାଏ, ପ୍ରାୟ ୫୦୦୦ ବର୍ଷ ତଳେ ଏହାକୁ ଗୋଲକୁଣ୍ଡା ଖଣିରୁ ଉତ୍ତୋଳନ କରାଯାଇଥିଲା। ଇତିହାସ କହେ, ପ୍ରାରମ୍ଭରେ ଏହି ହୀରା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଅଂଚଳରେ ରାଜୁତି କରୁଥିବା ଚାଲୁକ୍ୟ ବଂଶ ପାଖରେ ଥିଲା। ରାଜବଂଶର ଇଷ୍ଟଦେବୀ ଭଦ୍ରକାଳୀଙ୍କ ବାମଚକ୍ଷୁରେ ଏହାକୁ ଖଞ୍ଜାଯାଇଥିଲା। ଦ୍ବାଦଶ ଶତାବ୍ଦୀରେ କାକତୀୟ ରାଜବଂଶର ଅଭ୍ୟୁଦୟ ଘଟିଲା ଓ ଚାଲୁକ୍ୟ ବଂଶର ପତନ ହେଲା। ‘ଟାଇମ୍ସ ଅଫ୍‌ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସମ୍ଭବତଃ କଳିଙ୍ଗର ଗଙ୍ଗବଂଶଠାରୁ କାକତୀୟ ରାଜବଂଶ ଏହାକୁ ହାସଲ କରିଥିଲେ। ତେବେ ୧୩୦୬ ମସିହାର ଏକ ପ୍ରାଚୀନ ସଂସ୍କୃତ ପୋଥିରେ ଗୋଟିଏ ରହସ୍ୟମୟ ହୀରା ସଂପର୍କରେ ଉଲ୍ଲେଖ ଦୃଷ୍ଟିଗୋଚର ହୁଏ। ସେଥିରେ ଉଲ୍ଲେଖ ଥିଲା,‘‘ଏହି ହୀରାକୁ ଯିଏ ହାସଲ କରିବ ସେ ସମଗ୍ର ଜଗତ ଉପରେ ବିଜୟ ହାସଲ କରିବ, କିନ୍ତୁ ଏହା ସହିତ ମାଡ଼ିଆସିବ ସାରା ଜଗତର ଦୁର୍ଭାଗ୍ୟ। କେବଳ ଦେବତା କିମ୍ବା ନାରୀ ଏହାକୁ ଧାରଣ କରିପାରିବେ।’’ ଏହା କୋହିନୁର ସଂପର୍କରେ କହାଯାଇଥିବା ମନେହୁଏ।

ଦକ୍ଷିଣରୁ ଦିଲ୍ଲୀ: ୧୩୦୭ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସୁଲତାନ ଆଲ୍ଲାଉଦ୍ଦିନ୍ ଖିଲିଜିଙ୍କ ଲୋଲୁପଦୃଷ୍ଟି ତାଙ୍କର ବଶତା ସ୍ବୀକାର କରୁନଥିବା କାକତୀୟ ସାମ୍ରାଜ୍ୟ ଉପରେ ପଡ଼େ। ଖିଲିଜିଙ୍କ ଦୁର୍ଦ୍ଧର୍ଷ ସେନାପତି ମଲିକ କଫୁର ସମଗ୍ର କାକତୀୟ ରାଜ୍ୟରେ ଆକ୍ରମଣ କରି ରାଜଧାନୀ ୱାରାଙ୍ଗଲ୍‌କୁ ସଂପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ କରିଦିଏ। ଧନସଂପତ୍ତି ଲୁଟ୍‌ ହେବା ସହ ଭଦ୍ରକାଳୀଙ୍କ ଆଖିରୁ କୋହିନୁର ତାଡ଼ି ନିଆଯାଏ। ୧୩୧୦ ଜୁନ୍‌ ୧୩ରେ ସେନାପତି ଗଫର ଆଲାଉଦ୍ଦିନ୍ ଖିଲିଜିଙ୍କୁ କୋହିନୁର ପ୍ରଦାନ କରନ୍ତି। ଭାରତର ଦାକ୍ଷିଣାତ୍ୟରୁ କୋହିନୁର ଚାଲିଯାଏ ଦିଲ୍ଲୀ। ସେତେବେଳେ ତାହାର ଓଜନ ଥିଲା ୭୯୩ କ୍ୟାରେଟ୍ ବା ୧୫୮ ଗ୍ରାମ୍‌।

ଦିଲ୍ଲୀରେ ରକ୍ତପାତ: ହୀରାଟି ଦିଲ୍ଲୀ ମୁସଲମାନ୍‌ ଶାସକଙ୍କ ହାତକୁ ଯିବାପରେ ସେଠାରେ ବି ରକ୍ତପାତ ଆରମ୍ଭ ହୋଇଯାଏ। ୧୩୦୬ରୁ ନେଇ ୧୫୨୬ରେ ମୋଗଲଙ୍କ ହାତକୁ ଯିବା ପର୍ଯ୍ୟନ୍ତ ଏହି ହୀରା ବେଶ୍‌ କେତୋଟି ସୁଲ୍‌ତାନଙ୍କ ଉତ୍ଥାନ ଓ ପତନ ଦେଖେ। ଖିଲିଜି ବଂଶର ପତନ ପରେ ଦିଲ୍ଲୀରେ ଶାସନ କରନ୍ତି ତୋଗଲକ ବଂଶ, ସୟଦ ବଂଶ ଓ ଲୋଦି ବଂଶ। ‘ବାବରନାମା’ ଅନୁସାରେ, ୧୫୨୬ରେ ହୋଇଥିବା ପ୍ରଥମ ପାନିପତ୍ ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କ ମୃତ୍ୟୁହେଲା। ତା’ପରେ ବାବରଙ୍କ ସୈନ୍ୟମାନେ ତାଙ୍କ ପୁଅ ହୁମାୟୁନ୍‌ଙ୍କ ନେତୃତ୍ବରେ ଆଗ୍ରାରେ ଥିବା କୋଷାଗାର ଲୁଟ୍ କରି କୋହିନୁର ହାସଲ କରିଥିଲେ। ଏହିପରି ଭାବେ କୋହିନୁର ମୋଗଲମାନଙ୍କ ହାତକୁ ଆସିଥିଲା।

ହୁମାୟୁନଙ୍କ ଦୁର୍ଦ୍ଦିନ: ହୁମାୟୁନ୍ କୋହିନୁର ନେଇ ପିତା ବାବରଙ୍କୁ ସମର୍ପି ଦେଇଥିଲେ। କିନ୍ତୁ ବାବର ପୁଣି ଏହାକୁ ଉପହାର ଭାବେ ହୁମାୟୁନ୍‌ଙ୍କୁ ପ୍ରଦାନ କରିଥିଲେ। ହୀରାର ଅଧିକାରୀ ହେବାପରେ ହୁମାୟୁନ୍‌ ବେଶୀ ଦିନ ଶାନ୍ତିରେ ରହିପାରିଲେ ନାହିଁ। ଶେର୍‌ଶାହା ସୁରୀଙ୍କଠାରୁ ପରାଜିତ ହେବା ପରେ ରାଜ୍ୟ ହରାଇଲେ। ପ୍ରାଣ ଭୟରେ ପରିବାର ସହ ଅତ୍ୟନ୍ତ ଦୟନୀୟ ଭାବେ ପ୍ରାୟ ୧୫ ବର୍ଷ ଏଣେତେଣେ ବୁଲିବା ପରେ ସେ ଭାରତରୁ ଯାଇ ଇରାନର ଶାହା ତମାସପ୍‌ଙ୍କ ଶରଣରେ ରହିଲେ। ଏହିଠାରେ କୃତଜ୍ଞତାସ୍ବରୂପ ସେ କୋହିନୁରକୁ ଇରାନ ଶାସକଙ୍କୁ ପ୍ରଦାନ କରିଥିଲେ। ପରବର୍ତ୍ତୀ କାଳରେ ମୋଗଲ ସମ୍ରାଟ୍ ଶାହାଜାହାନ୍‌ଙ୍କ ସମୟରେ କୋହିନୁର ପୁଣି ଦିଲ୍ଲୀକୁ ଫେରି ଆସିଥିଲା। ଶାହାଜାହାନ୍‌ ନିଜର ପ୍ରସିଦ୍ଧ ମୟୂର ସିଂହାସନରେ

ଏହାକୁ ଲଗାଇଥିଲେ। ତାଙ୍କ ପରେ ଔରଙ୍ଗଜେବ୍‌ଙ୍କ ହାତକୁ ଗଲା ହୀରା।

ନାଦିର ଶାହର ନରସଂହାର: ମୋଗଲମାନଙ୍କ ପାଖରେ ପ୍ରାୟ ଦୁଇଶହ ବର୍ଷ ରହିଥିଲା କୋହିନୁର। କିନ୍ତୁ ୧୭୩୯ରେ ଇରାନର ଶାସକ ନାଦିର ଶାହା ଦିଲ୍ଲୀ ଉପରେ ଆକ୍ରମଣ କରି ସାଧାରଣ ନାଗରିକଙ୍କୁ ହଜାର ହଜାର ସଂଖ୍ୟାରେ ହତ୍ୟା କରିବା ସହ ଚଳାଇଲା ଲୁଟ୍‌ତରାଜ। ତତ୍‌କାଳୀନ ମୋଗଲ ଶାସକ ମହମ୍ମଦ ଶାହା ରଙ୍ଗିଲା ବିପୁଳ ଧନରତ୍ନ ଦେଇ ନାଦିର ଶାହଙ୍କୁ ତୁଷ୍ଟ କଲେ। କିନ୍ତୁ କୋହିନୁରକୁ ସମର୍ପଣ ନ କରି ନିଜ ମୁକୁଟରେ ଲୁଚାଇ ରଖିଥିଲେ। ପରେ ଧୂର୍ତ୍ତ ନାଦିର ଶାହା ଏହା ଜାଣିପାରି ଅଚାନକ୍‌ ‘ମୁକୁଟ ବଦଳ’ କରାଇ କୋହିନୁର ନିଜ ପାଖକୁ ନେଇଯାଇଥିଲେ। ଏହି ହୀରାର ନାମକରଣ କରିଥିଲେ ନାଦିର। ଫଳରେ ପୁଣି ଥରେ କୋହିନୁର ଇରାନ ଚାଲିଗଲା। ଶାହ ବଂଶର ସର୍ବନାଶ: ନାଦିର ଶାହ ସିନା କୋହିନୁର ନେଇଗଲେ, କିନ୍ତୁ ତା’ ପ୍ରକୋପରୁ ବର୍ତ୍ତି ପାରିଲେ ନାହିଁ। ୧୭୪୭ରେ ତାଙ୍କୁ ଅଙ୍ଗରକ୍ଷୀମାନେ ହତ୍ୟାକଲେ। ତା’ପରେ ନାଦିର ଶାହାଙ୍କ ପରିବାରରେ ଆରମ୍ଭ ହେଲା ରକ୍ତପାତ। ନାଦିରଙ୍କ ପରେ ତାଙ୍କ ପୁତୁରା ଅଲ୍ଲି କୁଲି ଖାଁ ରାଜା ହେବା ସହ କୋହିନୁରକୁ କରାୟତ କଲେ। କିନ୍ତୁ, ନାଦିରଙ୍କ ନାତି ଶାହରୁଖ୍‌ ମିର୍ଜା ଅଲ୍ଲି କୁଲି ଖାଁଙ୍କ ମୁଣ୍ଡକାଟ କରି କୋହିନୁର ନେଇ ଆଫଗାନ ସେନାପତି ଅହମ୍ମଦ ଶାହା ଦୁରାନୀଙ୍କୁ ଦେଇଦେଲେ। ଦୁରାନୀଙ୍କ ମୃତ୍ୟୁ ପରେ କୋହିନୁର୍‌ ପାଇଁ ତାଙ୍କ ପରିବାରରେ ବି ରକ୍ତପାତ ଚାଲିଲା। ଶେଷରେ ତାହା ଅହମ୍ମଦ ଶାହଙ୍କ ନାତି ଶାହା ସୁଜାଙ୍କ ହାତକୁ ଗଲା। ସେତେବେଳକୁ କିନ୍ତୁ ଶାହା ସୁଜାଙ୍କ ଦୁର୍ଭାଗ୍ୟ ଆରମ୍ଭ ହୋଇଯାଇଥିଲା। ଭାଇମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଭାରତ ଆସି କଶ୍ମୀରରେ ବନ୍ଦୀ ହେଲେ। ତାଙ୍କ ପତ୍ନୀଙ୍କ ଅନୁରୋଧ କ୍ରମେ ପଞ୍ଜାବର ମହାରାଜା ରଣଜିତ ସିଂ ସୁଜାଙ୍କୁ ମୁକୁଳାଇବା ସହ ସର୍ତ୍ତ ମୁତାବକ କୋହିନୁର ହାସଲ କଲେ। ପୁଣି ଭାରତକୁ ଫେରିଆସିଲା ହୀରା।

ରଣଜିତ ସିଂଙ୍କ ସର୍ବନାଶ: ମହାରାଜା ରଣଜିତ ସିଂ କୋହିନୁରକୁ ବାହୁରେ ପିନ୍ଧୁଥିଲେ। ୧୮୩୯, ଜୁନ୍‌ ୨୭ରେ ତାଙ୍କର ମୃତ୍ୟୁ ହେଲା। ତା’ପୂର୍ବରୁ ଶେଷଇଚ୍ଛାସ୍ବରୂପ ସେ ତାହାକୁ ଜଗନ୍ନାଥ ମହାପ୍ରଭୁଙ୍କୁ ଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାଙ୍କ ପୁଅମାନେ ତାହା ଅମାନ୍ୟ କରି କୋହିନୁରକୁ ପାଖରେ ରଖିଲେ (ବକ୍ସ ଦ୍ରଷ୍ଟବ୍ୟ)। ରଣଜିତଙ୍କ ମୃତ୍ୟୁପରେ ପୁଅ ଖଡ଼କ୍ ସିଂ ରାଜା ହେଲେ। ମାତ୍ର ବର୍ଷେ ଭିତରେ ରହସ୍ୟଜନକ ଭାବେ ତାଙ୍କର ମୃତ୍ୟୁ ହେଲା। ତାଙ୍କ ପରେ ନୌନିହାଲ ସିଂଙ୍କ ରାଜ୍ୟାଭିଷେକ ହେବାର ଥିଲା, କିନ୍ତୁ ଲାହୋର ଦୁର୍ଗର ଗୋଟାଏ ତୋରଣ ଖସିପଡ଼ିବାରୁ ସେ ମୃତ୍ୟୁବରଣ କଲେ। ସେହିପରି ମହାରାଜାଙ୍କ ଆଉ ଜଣେ ପୁତ୍ର ଶେର୍ ସିଂ ବି ରହସ୍ୟଜନକ ଭାବେ ମୃତ୍ୟୁବରଣ କଲେ। ତାଙ୍କ ପରେ ମାତ୍ର ୫ ବର୍ଷ ବୟସରେ ଦୁଲିପ୍ ସିଂ ମହାରାଜା ହେଲେ।
ଆଙ୍ଗ୍ଲୋ-ଶିଖ୍‌ ଯୁଦ୍ଧରେ ବ୍ରିଟିଶ୍‌ ଇଷ୍ଟ୍‌ ଇଣ୍ଡିଆ କମ୍ପାନି ବିଜୟୀ ହେଲାରୁ ଲାହୋର ଚୁକ୍ତି ସ୍ବାକ୍ଷରିତ ହେଲା। ଚୁକ୍ତି ଅନୁସାରେ ଶିଖ୍‌ ସାମ୍ରାଜ୍ୟର ଅନେକ ସଂପତ୍ତି ସହ କୋହିନୁର ବ୍ରିଟିଶମାନଙ୍କ ହାତକୁ ଚାଲିଗଲା। କମ୍ପାନି ଦୁଲୀପ ସିଂଙ୍କ ମା’ ମହାରାଣୀ ଜିନ୍ଦନ କୌର୍‌ଙ୍କୁ ଗୃହବନ୍ଦୀ କରିବା ସହ ବାଳକ ଦୁଲିପଙ୍କୁ ଇଂଲଣ୍ଡ ନେଇଗଲା। ପରେ ଯୁବାବସ୍ଥାରେ ସେ ରାଜ୍ୟ ଫେରି ପାଇବାକୁ ଉଦ୍ୟମ କରିଥିଲେ ବି ୧୮୯୩ରେ ପ୍ୟାରିସ୍‌ର ଏକ ଲଜ୍‌ରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଇଂରେଜମାନେ ଦାବି କରନ୍ତି ଯେ ନିଜେ ମହାରାଜା ଦୁଲିପ ସିଂ ମହାରାଣୀ ଭିକ୍ଟୋରିଆଙ୍କୁ କୋହିନୁର ଉପହାର ଦେଇଥିଲେ। ଅନ୍ୟ ପକ୍ଷରେ ତତ୍କାଳୀନ ରାଣୀ ଭିକ୍ଟୋରିଆଙ୍କ ମୁକୁଟରେ ଖଚିତ ହୋଇ ବ୍ରିଟେନ୍‌ ରାଜବଂଶର ସଂପତ୍ତିରେ ପରିଣତ ହେଲା କୋହିନୁର। ବଂଶ ପରମ୍ପରା କ୍ରମେ ଇଂଲଣ୍ଡର ରାଣୀମାନେ ଏହାର ମାଲିକାଣୀ ରହି ଆସିଛନ୍ତି। ପ୍ଲାଟିନମ୍‌ ନିର୍ମିତ ରାଜମୁକୁଟରେ ଖଚିତ ହୋଇଥିବା କୋହିନୁର ବର୍ତ୍ତମାନ ଟାୱାର୍ ଅଫ୍‌ ଲଣ୍ଡନରେ ଦର୍ଶନୀୟ ସାମଗ୍ରୀ ଭାବେ ପ୍ରଦର୍ଶିତ ହେଉଛି। ଶେଷରେ ଏତିକି କହାଯାଇପାରେ, କୋହିନୁର ହାସଲ ପରେ ବ୍ରିଟିଶ୍‌ ରାଜବଂଶର ପ୍ରଭାବ-ପ୍ରତିପତ୍ତି କମିଛି ସିନା ବଢ଼ିନାହିଁ।

କୋହିନୁରର ଯାତ୍ରା
ଖ୍ରୀଷ୍ଟାବ୍ଦ ୬୩୬-୭୪୦: ୫୦୦୦ ବର୍ଷ ପୂର୍ବେ ଅଧୁନା ଆନ୍ଧ୍ର-ତେଲେଙ୍ଗାନାର ଗୋଲ୍‌କୁଣ୍ଡା ଅଞ୍ଚଳରୁ ଆବିଷ୍କୃତ କୋହିନୁର ହୀରା ଚାଲୁକ୍ୟ ବଂଶୀୟ ରାଜାଙ୍କ ଅଧୀନରେ ଥିଲା। ସେମାନେ ଏହାକୁ ୱାରାଙ୍ଗଲ୍‌ର ଭଦ୍ରକାଳୀ ମନ୍ଦିରକୁ ଅର୍ପଣ କରିଥିଲେ ଓ କୋହିନୁର ମା’ ଭଦ୍ରକାଳୀଙ୍କ ବାମ ଚକ୍ଷୁରେ ଶୋଭା ପାଉଥିଲା।
୧୩୧୦: ଚାଲୁକ୍ୟଙ୍କ ପରେ ଦାକ୍ଷିଣାତ୍ୟର ଶାସନ କାକତୀୟ ବଂଶ ହାତକୁ ଯାଇଥିଲା। ଦିଲ୍ଲୀ ସୁଲତାନ୍ ଆଲ୍ଲାଉଦ୍ଦିନ୍ ଖିଲିଜିଙ୍କ ନିର୍ଦ୍ଦେଶରେ ତାଙ୍କ ସେନାପତି ମଲିକ କଫୁର କାକତୀୟଙ୍କୁ ପରାସ୍ତ କରି ଭଦ୍ରକାଳୀ ମନ୍ଦିରରୁ କୋହିନୁର ଲୁଟିନେଇ ଜୁନ୍ ୧୩ରେ ଖିଲିଜିଙ୍କୁ ପ୍ରଦାନ କରିଥିଲା।

୧୩୧୦-୧୫୨୫: ଦିଲ୍ଲୀର ମୁସଲମାନ ଶାସକଙ୍କ ହାତକୁ ଆସିବା ପରେ କୋହିନୁର ସମୟ କ୍ରମେ ଖିଲିଜି ବଂଶ, ତୁଗଲକ୍ ବଂଶ, ସୟଦ୍‌ ଓ ଲୋଦି ବଂଶର ଶାସକଙ୍କ ନିକଟରେ ରହିଥିଲା।
୧୫୨୬: ଦିଲ୍ଲୀ ସୁଲତାନ୍‌ ଇବ୍ରାହିମ୍ ଲୋଦିଙ୍କୁ ଯୁଦ୍ଧରେ ପରାସ୍ତ କରି କ୍ଷମତାରେ ବସିଲେ ଆଫଗାନ୍‌ ଯୋଦ୍ଧା ବାବର। ଆଗ୍ରାରେ ଥିବା କୋଷାଗାରରୁ କୋହିନୁର ନେଇ ପିତାଙ୍କୁ ଉପହାର ଦେଇଥିଲେ ହୁମାୟୁନ୍। ମାତ୍ର ପୁତ୍ରକୁ ତାହା ଫେରାଇ ଦେଇଥିଲେ ବାବର।
୧୫୪୦: ଶେର୍‌ ଶାହ ସୁରିଙ୍କଠାରୁ ପରାସ୍ତ ହୋଇ ରାଜ୍ୟହରା ହୁମାୟୁନ୍‌ ଇରାନ୍‌ର ଶାସକଙ୍କଠାରୁ ସହାୟତା ପ୍ରତିବଦଳରେ ଉପହାର ଦେଲେ କୋହିନୁର। କିଛି ବର୍ଷ ପରେ ଇରାନ୍‌ର ଶାହ ଭାରତର ଶାସକ ନିଜାମ୍ ଶାହଙ୍କ ନିକଟକୁ ହୀରାକୁ ପଠାଇ ଦେଇଥିଲେ। ଏହି ଘଟଣାର ୧୦୦ ବର୍ଷ ପର୍ଯ୍ୟନ୍ତ କୋହିନୁରର ଅବସ୍ଥିତି ନେଇ ଇତିହାସ ନିରବ।
୧୬୩୫: ସମୟ ସ୍ରୋତରେ ଦିଲ୍ଲୀ ସମ୍ରାଟ ଶାହାଜାହାନ୍‌ଙ୍କ ପାଖରେ ପହଞ୍ଚିଲା କୋହିନୁର। ପ୍ରସିଦ୍ଧ ମୟୂର ସିଂହାସନରେ ଥିବା ସ୍ବର୍ଣ୍ଣମୟୂରର ବାମ ଆଖିରେ ଏହାକୁ ଖଞ୍ଜାଗଲା।
୧୬୫୮: ଏହାପରେ ଔରଙ୍ଗଜେବ୍‌ଙ୍କ ହାତକୁ ଗଲା କୋହିନୁର। ଏହାକୁ ଅଧିକ ସୁନ୍ଦର ରୂପ ଦେବାକୁ ସେ ଜଣେ ଜହୁରିଙ୍କୁ ଦାୟିତ୍ବ ଦେବା ପରେ କୋହିନୁରର ଆକାର କଟାକଟି ପରେ କ୍ଷୁଦ୍ର ହୋଇଗଲା।
୧୭୧୯: ଦିଲ୍ଲୀର ଶେଷ ବାଦ୍‌ଶାହ ଭାବେ କୋହିନୁରକୁ ପାଖରେ ରଖିବାକୁ ସକ୍ଷମ ହୋଇଥିଲେ ମହମ୍ମଦ ଶାହ ରଙ୍ଗିଲା।
୧୭୩୯: ପାରସ୍ୟ ସମ୍ରାଟ ନାଦିର ଶାହ ଭାରତ ଆକ୍ରମଣ କରି ପ୍ରଚୁର ଧନସଂପତ୍ତି ଲୁଟିବା ସହ କୋହିନୁର ହୀରା ହାସଲ କଲେ। କୋହିନୁରକୁ ପାଇବା ପରେ ଏହାର ଔଜ୍ଜ୍ବଲ୍ୟରେ ଅଭିଭୂତ ହୋଇ ସେ ଏହାକୁ ‘କୋହ-ଏ-ନୁର୍’ ଅର୍ଥାତ୍‌ ଆଲୋକର ପର୍ବତ ଭାବେ ନାମକରଣ କରିଥିଲେ।
୧୭୪୭: ନାଦିର ଶାହଙ୍କ ହତ୍ୟା ପରେ ତାଙ୍କ ବଂଶଧରଙ୍କ ହାତକୁ ଗଲା କୋହିନୁର। ନାଦିରଙ୍କ ନାତି ଆଫଗାନିସ୍ତାନ ଶାସକ ଅହମ୍ମଦ ଶାହ ଅଦ୍ଦାଲୀଙ୍କୁ ହୀରା ହସ୍ତାନ୍ତର କ‌ରିଦେଲେ।
୧୮୧୩: ଅଦ୍ଦାଲୀଙ୍କ ବଂଶଧର ଶାହା ସୁଜା ନିଜର ସୁରକ୍ଷା ବଦଳରେ ପଞ୍ଜାବର ମହାରାଜା ରଣଜିତ୍ ସିଂହଙ୍କୁ କୋହିନୁର ଅର୍ପଣ କରିଥିଲେ।
୧୮୩୯: ମୃତ୍ୟୁ ପୂର୍ବରୁ କୋହିନୁର ହୀରାକୁ ପୁରୀ ଜଗନ୍ନାଥ ମନ୍ଦିରକୁ ଅର୍ପଣ କରିବା ଲାଗି ରଣଜିତ୍ ସିଂହଙ୍କ ଶେଷଇଚ୍ଛା ପ୍ରକାଶ।
୧୮୪୯: ଇଂରେଜ-ଶିଖ୍ ଯୁଦ୍ଧରେ ପରାଜୟ ପରେ ଇଷ୍ଟ୍ ଇଣ୍ଡିଆ କଂପାନି ହାତକୁ ଗଲା କୋହିନୁର।
୧୮୫୦ରୁ ଏପର୍ଯ୍ୟନ୍ତ: ସେଠାରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନି ରାଣୀ ଭିକ୍ଟୋରିଆଙ୍କୁ ପ୍ରଦାନ କଲା କୋହିନୁର। ଇଂଲଣ୍ଡ ରାଣୀଙ୍କ ମୁକୁଟରେ ଖଚିତ ହୋଇ ବ୍ରିଟିଶ୍ ରାଜବଂଶର ସଂପତ୍ତି ଭାବେ ରହିଆସିଛି କୋହିନୁର।

ଶ୍ରୀକୃଷ୍ଣଙ୍କ ସ୍ୟମନ୍ତକ ମଣି, ଶ୍ରୀଜଗନ୍ନାଥଙ୍କ କୋହିନୁର!

ପ୍ରସିଦ୍ଧ ହୀରା କୋହିନୁର ଉପରେ ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ସମେତ ଆହୁରି କେତେକ ଦେଶ ନିଜର ଅଧିକାର ଜାହିର କରୁଛନ୍ତି। କିନ୍ତୁ ଆଇନଗତଭାବେ ଏହା କାହାର? ଆମେ ଯଦି ଐତିହାସିକ ନଥିପତ୍ରକୁ ନିରପେକ୍ଷ ଭାବେ ଅନୁଧ୍ୟାନ କରିବା, ତେବେ ଦେଖିବା ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଏହାର ପ୍ରକୃତ ମାଲିକ। କାରଣ ଇଂରେଜମାନଙ୍କ ହାତକୁ ଯିବା ପୂର୍ବରୁ କୋହିନୁର ପଞ୍ଜାବର ମହାରାଜା ରଣଜିତ ସିଂଙ୍କ ନିକଟରେ ଥିଲା ଏବଂ ସେ ଏହାକୁ ତାଙ୍କ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ମୃତ୍ୟୁଶଯ୍ୟାରେ ଥାଇ ହିଁ ସେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ। ମହାରାଜାଙ୍କ ଶେଷଇଚ୍ଛାକୁ ଯଦି ତାଙ୍କ ପରିବାର ଓ ବିଶ୍ୱସ୍ତ ଅନୁଗାମୀ ସମ୍ମାନ ଦେଇଥାନ୍ତେ, ତେବେ କୋହିନୁର ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଶୋଭା ପାଉଥାଆନ୍ତା ଅଥବା ରତ୍ନଭଣ୍ଡାରରେ ସଂରକ୍ଷିତ ଥାଆନ୍ତା। ଇତିହାସ କହେ, ୧୮୧୩ ମସିହା ଜୁନ୍ ପହିଲାରେ କୋହିନୁର ମହାରାଜା ରଣଜିତ ସିଂହଙ୍କ ନିୟନ୍ତ୍ରଣକୁ ଆସିଥିଲା। କଶ୍ମୀରର ଶାସକ ଅତା ମୁହମ୍ମୁଦଙ୍କ ଦ୍ବାରା ବନ୍ଦୀ ଥିବା ଆଫଗାନିସ୍ତାନ ଶାସକ ଶାହ ସୁଜାଙ୍କୁ ମୁକୁଳାଇବା ପରେ ତାଙ୍କଠାରୁ ସର୍ତ୍ତ ମୁତାବକ ସେ ହୀରା ହାସଲ କରିଥିଲେ। ୧୮୧୩ରୁ ପରବର୍ତ୍ତୀ ୩୬ ବର୍ଷ ପର୍ଯ୍ୟନ୍ତ ଏହି ହୀରା ଶିଖ୍ ସାମ୍ରାଜ୍ୟର ସାମର୍ଥ୍ୟର ପ୍ରତୀକ ପାଲଟିଥିଲା। ମହାରାଜା କୋହିନୁରକୁ ନିଜ ବାହୁରେ ପିନ୍ଧୁଥିଲେ। ତେବେ ଏହି ଶାପଗ୍ରସ୍ତ ହୀରାର ଇତିହାସ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ଥିଲେ ରଣଜିତ୍‌ ସିଂହ। ସେ ଜାଣିଥିଲେ ଯେ କୌଣସି ରାଜା କିମ୍ବା ସୁଲତାନ ଏହି ହୀରାକୁ ଅଧିକ ଦିନ ଧରି ରଖିପାରି ନାହାନ୍ତି। ଏହି ଆଶଙ୍କା ସମ୍ପର୍କରେ ସେ ନିଜର ବିଶ୍ବସ୍ତ ଅନୁଚର ଗୋବିନ୍ଦରାମଙ୍କୁ ଜଣାଇଥିଲେ।

୧୮୩୯ ମସିହା ଜୁନ୍ ମାସରେ ପକ୍ଷାଘାତରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଗଲେ ମହାରାଜା। ତାଙ୍କର ଶେଷ ସମୟ ପାଖେଇ ଆସୁଥିବା ଜାଣିପାରି ମହାରାଜା ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ବିପୁଳ ପରିମାଣର ଅର୍ଥ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଅମୃତସରରେ ଥିବା ଶିଖମାନଙ୍କ ପବିତ୍ରପୀଠ ସ୍ୱର୍ଣ୍ଣ ମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର ସମେତ ବିଭିନ୍ନ ହିନ୍ଦୁ ଧାର୍ମିକ ଅନୁଷ୍ଠାନକୁ ସେ ବିପୁଳ ପରିମାଣର ଅର୍ଥ ଦାନ କରିଥିଲେ। କିନ୍ତୁ ମହାରାଜା ତାଙ୍କର ସବୁଠାରୁ ପ୍ରିୟ ମୂଲ୍ୟବାନ୍ ହୀରା କୋହିନୁରକୁ କାହାକୁ ଦାନ କରିବେ ତାହା ଜାଣିବାକୁ ସମସ୍ତେ ଉତ୍ସୁକ ଥିଲେ। ମହାରାଜାଙ୍କ ଦରବାର ରେକର୍ଡ ‘ଉମାଦତ୍-ଉତ୍‌-ତଵାରିଖ’ରେ ଲିଖିତ ବିବରଣୀ (ପୃଷ୍ଠା ୬୯୪) ଅନୁଯାୟୀ, ମହାରାଜାଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୮୩୯ ମସିହା ଜୁନ୍ ୨୬ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍ ଖରାପ ହୋଇଯାଇଥିଲା ଏବଂ ସେ ନିଜର ବାକ୍‌ଶକ୍ତି ହରାଇଥିଲେ। ମୃତ୍ୟୁ ପାଖେଇ ଆସୁଥିବା ଜାଣି ମହାରାଜା ହାତର ସଂକେତ ଦ୍ବାରା ପୁରୀର ଶ୍ରୀଜଗନ୍ନାଥଙ୍କୁ କୋହିନୁର ହୀରା ଦାନ କରିବାକୁ ଆଦେଶ ଦେଲେ। ତାଙ୍କ ଦରବାରର ମୁଖ୍ୟ ବ୍ରାହ୍ମଣ ପୂଜକ ଭାଇ ଗୋବିନ୍ଦ ରାମଙ୍କ ପରାମର୍ଶକ୍ରମେ ସେ ଏହି ନିଷ୍ପତ୍ତି ନେଇଥିଲେ। “ଏହି ଦାନ ପାଇଁ ଏକ ସଂକଳ୍ପ କରିବାକୁ ସରକାର (ମହାରାଜା) ସଂକେତ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ।’’ ଐତିହାସିକ ୱିଲିୟମ୍‌ ଡାର୍‌ଲିମ୍ପଲ୍‌ ନିଜ ପୁସ୍ତକ ‘କୋହିନୁର : ଦି ହିଷ୍ଟ୍ରି ଅଫ ଦି ୱାର୍ଲଡସ୍ ମୋଷ୍ଟ ଇନଫେମସ୍ ଡାଇମଣ୍ଡ୍’ରେ ‌େଲଖିଛନ୍ତି “ବ୍ରାହ୍ମଣ ପଣ୍ଡିତମାନେ ମହାରାଜାଙ୍କୁ ବୁଝାଇଥିଲେ ଯେ କୋହିନୁର କୌଣସି ସାଧାରଣ ହୀରା ନୁହେଁ, ଏହା ପୁରାଣର ପ୍ରସିଦ୍ଧ ସ୍ୟମନ୍ତକ ମଣି। ଭାଗବତର ବର୍ଣ୍ଣନା ଅନୁଯାୟୀ, ଏହା ଭାଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଥିଲା ଏବଂ ଶ୍ରୀଜଗନ୍ନାଥ ସ୍ବୟଂ ନାରାୟଣ ହୋଇଥିବାରୁ ତାଙ୍କ ହୀରା ତାଙ୍କୁ ଫେରାଇ ଦେଲେ ମଙ୍ଗଳକର ହେବ।’’

ମହାରାଜାଙ୍କ ଆଦେଶକ୍ରମେ ବଡ଼ପୁଅ ତଥା ରାଜକୁମାର ଖଡ଼କ୍ ସିଂହଙ୍କୁ ଏହି ହୀରା ଶ୍ରୀଜଗନ୍ନାଥଙ୍କୁ ଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ହୀରା କୋଷାଧ୍ୟକ୍ଷ ବେଲି ରାମଙ୍କ ପାଖରେ ଥିବା କହି ପିତାଙ୍କ ଆଦେଶକୁ ପାଳନ କରି ନ ଥିଲେ। ଯେତେବେଳେ ବେଲି ରାମଙ୍କୁ ଏ ସମ୍ପର୍କରେ ପଚରାଗଲା, ସେ ମଧ୍ୟ ଏହାକୁ ଟାଳିଦେଇଥିଲେ। ପରଦିନ ମହାରାଜାଙ୍କ ମୃତ୍ୟୁ ହେବା ପରେ ବେଲି ରାମ କୋହିନୁରକୁ ପୁରୀ ପଠାଇବାକୁ ସ୍ପଷ୍ଟ ମନା କରିଦେଇଥିଲେ। ତାଙ୍କର ଉତ୍ତର ଥିଲା, କୋହିନୁର ସମଗ୍ର ପଞ୍ଜାବ ରାଜ୍ୟର ସମ୍ପତ୍ତି, ମହାରାଜାଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ତେଣୁ ହୀରାକୁ ପୁରୀ ପଠାଯିବ ନାହିଁ। ଏହିପରିଭାବେ ମହାରାଜା ରଣଜିତ ସିଂହଙ୍କ ଶେଷଇଚ୍ଛାକୁ ତାଙ୍କ ପୁତ୍ର ଓ ଘନିଷ୍ଠ ରାଜକର୍ମଚାରୀମାନେ ପାଳନ କରି ନ ଥିଲେ। ପରେ ଇଂରେଜମାନେ ଚଞ୍ଚକତା କରି କୋହିନୁରକୁ ଲଣ୍ଡନ ନେଇଯାଇଥିଲେ।

ସମ୍ବନ୍ଧିତ ଖବର