ବିଗତ ଏକ ଦଶନ୍ଧି ଧରି କାନାଡାର ଟରଣ୍ଟୋରେ ଅବସ୍ଥାପିତ ଚିତ୍ରଶିଳ୍ପୀ ଆଭା ରଥ୍‌ ଏକ ନିଆରା ଢଙ୍ଗରେ ମହୁମାଛିଙ୍କ ସହାୟତାରେ ଚିତ୍ରକଳା ସୃଷ୍ଟି କରି ଆସୁଛନ୍ତି। ତାଙ୍କ ଚିତ୍ରକଳାର ବୈଶିଷ୍ଟ୍ୟ ହେଲା, ଏକ କାଠ ଛାଞ୍ଚ ଭିତରେ ସେ ଆଙ୍କିଥିବା ଏମ୍ବ୍ରଡୋରି ଓ କଲାଜ୍‌ର ଚିତ୍ର ଉପରେ ମହୁମାଛିମାନଙ୍କ ସୁନେଲି ମହୁଫେଣା ଶୋଭା ପାଇଥାଏ। ସେ ତାଙ୍କର କଳାକୃତି ପାଇଁ ସର୍ବଦା ପୋକଖିଆ କାଠ, ଗଛର ଛାଲି ଓ ଘୋଡ଼ା ଚୁଟି ପରି ଜୈବିକ ତଥା ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିଥା’ନ୍ତି।

Advertisment

publive-image Ava Roth

ସେ ପ୍ରଥମେ ବିଭିନ୍ନ ରଙ୍ଗର ଛୋଟ ଛୋଟ ଗୋଲାକାର ଏମ୍ବ୍ରଡୋରି କରି ମହମରେ ଛପାଇ ଦିଅନ୍ତି। ପରେ ତାହାକୁ ଏକ ନିର୍ଦ୍ଦିଷ୍ଟ ଆକୃତିର କାଠଛାଞ୍ଚରେ ସ୍ଥାନିତ କରନ୍ତି। ଶେଷରେ ଉକ୍ତ ଛାଞ୍ଚକୁ ମହୁମାଛି ଯେଉଁଠି ଫେଣା କରୁଥାନ୍ତି ସେଠାରେ ରଖିଦିଅନ୍ତି। ମହୁମାଛିଗୁଡ଼ିକ ଏହି କାଠ ଛାଞ୍ଚରେ ମଧ୍ୟ ଫେଣା କରିବା ଆରମ୍ଭ କରିଦିଅନ୍ତି। ଏପରି ଦୀର୍ଘ ଦିନର ଅଭିଜ୍ଞତା ପରେ ଆଭା ଗୋଲାକାର, ତ୍ରିଭୁଜାକାର ଓ ବିଚିତ୍ର ଆକାରର କାଠ ଛାଞ୍ଚରେ ମହୁମାଛିମାନଙ୍କ ଫେଣା ଯୋଡ଼ିବାରେ ସଫଳ ହୋଇଛନ୍ତି ଏବଂ ତାଙ୍କର କଳାକୃତି ତଦନୁସାରେ ଅତ୍ୟନ୍ତ ମନୋରମ ହୋଇଥାଏ। ଆଭାଙ୍କର ଏହି ଅଭିନବ ଚିତ୍ରକଳାଗୁଡ଼ିକ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଆଦୃତି ଲାଭ କରୁଛି।