ସ୍ପେନ୍ର କାନାରି ଦ୍ବୀପରେ କୃତ୍ରିମ ଉପାୟରେ ଏକ ସମୁଦ୍ର ଉପକୂଳ ତିଆରି କରାଯାଇଛି। ‘ପ୍ଲାୟା ଡି ଲାସ୍ ଟେରେସିଟାସ୍’ ନାମକ ଏହି ଲୋକପ୍ରିୟ ଉପକୂଳଟି ଅତୀତରେ ପଥରଖଣ୍ଡ ଓ କୃଷ୍ଣକାୟ ଆଗ୍ନେୟ ବାଲୁକାରେ ପରିପୂର୍ଣ୍ଣ ଥିଲା ଏବଂ ଏହାର ଜଳରାଶି ଆଜି ପରି ଶାନ୍ତ ନଥିଲା। ଢେଉଗୁଡ଼ିକ ତଟସ୍ଥ ପ୍ରସ୍ତରରେ ଭୀଷଣ ବେଗରେ ପିଟି ହେଉଥିବାରୁ ଏହା ଏକ ବିପଜ୍ଜନକ ଉପକୂଳ ହୋଇ ରହିଥିଲା। ନିର୍ମାଣକାର୍ଯ୍ୟ ପାଇଁ ଏହାର ଆଖପାଖରୁ ବାଲି ସବୁ ଉତ୍ତୋଳିତ ହୋଇଯିବା ସହ ସାଣ୍ଟାକ୍ରୁଜ ବନ୍ଦରର ସମ୍ପ୍ରସାରଣ ମଧ୍ୟ ଏହି ଉପକୂଳର କିଛି ଅଂଶ ମାଡ଼ି ବସିଲା। ତେଣୁ ୧୯୫୩ ମସିହାରେ ସାଣ୍ଟାକ୍ରୁଜ ନଗର ପରିଷଦ ଲାସ୍ ଟେରେସିଟାସ୍ରେ ଏକ କୃତ୍ରିମ ଉପକୂଳ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ଭୀଷଣ ଲହଡ଼ି ମାଡ଼ରୁ ଉପକୂଳକୁ ବଞ୍ଚାଇବା ପାଇଁ ସମୁଦ୍ର କୂଳଠାରୁ କିଛି ଦୂରରେ ପାଚେରି ସ୍ବରୂପ ଏକ ବିଶାଳ ଆଡ଼ିବନ୍ଧ ପକାଗଲା। ସେହିପରି ଉପକୂଳରୁ ବାଲି ସମୁଦ୍ର ଗର୍ଭକୁ ବୋହିହୋଇ ନଯିବା ଲାଗି ତାହାକୁ ପାହାଚ ପରି କଟାଗଲା। ତା’ପରେ ସାହାରା ମରୁଭୂମିରୁ ପାଖାପାଖି ୨,୭୦,୦୦୦ ଟନ୍ ଧଳା ବାଲି ବୁହା ହୋଇ ଆସି ସେଠାରେ ପକାଗଲା। ଏହା ଦ୍ବାରା ୧,୩୦୦ ମିଟର ଲମ୍ବ ଓ ୮୦ ମିଟର ଓସାରର ଏକ କୃତ୍ରିମ ଉପକୂଳ ନିର୍ମିତ ହୋଇଗଲା। ୧୯୭୩ ମସିହାରେ ଏହା ଲୋକାର୍ପିତ ହୋଇଥିଲା ଏବଂ ତାହା ପରଠାରୁ ଉକ୍ତ ଉପକୂଳ ସ୍ଥାନୀୟ ଅଧିବାସୀ ସମେତ ବହିରାଗତ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/f54h654f65fhfhhfhsf.jpg)