ଜାପାନର ଏକ ‘କ୍ୟାଣ୍ଡି’ ନିର୍ମାତା ଏକ ବିଶେଷ ଧରଣର ଅଠାଳିଆ ‘କ୍ୟାଣ୍ଡି’ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛି। ଉକ୍ତ ‘କ୍ୟାଣ୍ଡି’ର ସ୍ବାଦ ‘କିରାସ୍ପିକା ନୋ ମି’ ନାମକ ଏକ କାଳ୍ପନିକ ଫଳର ସ୍ବାଦ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବିଭିନ୍ନ କମ୍ପାନି ନାନା ଜାତି ଫଳ ସ୍ବାଦର ‘କ୍ୟାଣ୍ଡି’ ନିର୍ମାଣ କରିବା ସହ ମିଶ୍ରିତ ସ୍ବାଦର ମଧ୍ୟ ଲୋକପ୍ରିୟ ଉତ୍ପାଦ ପ୍ରସ୍ତୁତ କରିଥାନ୍ତି। ତେବେ କାନ୍ରୋ ନାମକ ଏହି କମ୍ପାନି ଏପରି ଏକ ଅଭିନବ ଚିନ୍ତାଧାରାକୁ ଫଳବତୀ କରିବାକୁ ଯାଇ ଏହି କାଳ୍ପନିକ ଫଳର ‘କ୍ୟାଣ୍ଡି’ ପ୍ରସ୍ତୁତ କରିଛି। କମ୍ପାନି ଏହି ଫଳ ସମ୍ପର୍କରେ ଏକ କାଳ୍ପନିକ କାହାଣୀ ମଧ୍ୟ ପ୍ରସ୍ତୁତ କରିଛି। ଏହା ଅନୁଯାୟୀ ତାରକା ଆକୃତିର କିରୋସ୍ପିକା ଫଳ ବ୍ଲୁ ନାଇଫ୍ ନାମକ ଏକ ପାର୍ବତ୍ୟାଞ୍ଚଳରେ ଫଳିଥାଏ ଯାହାର ତାପମାତ୍ରା ଶୀତଦିନେ ବିଯୁକ୍ତ ୫୦ ଡିଗ୍ରି ସେଲସିଅସ୍କୁ ଖସି ଆସିଥାଏ।
ଏ ଫଳକୁ ତୋଳିବା ଭାରି କଷ୍ଟକର, କାରଣ ଶୀତଦିନେ ଜହ୍ନରାତିରେ ତାହା ଆପେ ଫାଟି ଯାଇଥାଏ ଏବଂ ଫଳର ଟୁକୁରାଗୁଡ଼ିକ ୩୦୦ ମିଟର ପ୍ରତି ସେକେଣ୍ଡ୍ ପରି ଅତ୍ୟୁଚ୍ଚ ବେଗରେ ବିଛାଡ଼ି ହୋଇ ଯାଇଥା’ନ୍ତି। କାନ୍ରୋ କମ୍ପାନିର ଫଳ ପରୀକ୍ଷାଗାରରେ ବିଭିନ୍ନ ଫଳକୁ ମିଶାଇ ଏହି ଫଳର ସ୍ବାଦ ବାହାର କରାଯାଇଛି, ଯେଉଁ ସ୍ବାଦର ଅନ୍ୟ କାହା ସହ ଆଦୌ ସାମଞ୍ଜସ୍ୟ ନାହିଁ। ସୁତରାଂ, ତାହାକୁ ଏକ କାଳ୍ପନିକ ଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏହି ବିଶେଷ ଧରଣର ‘କ୍ୟାଣ୍ଡି’ର ରୂପରେଖ ପ୍ରସ୍ତୁତ କରିଥିବା ଡିଜାଇନରଙ୍କ କହିବାନୁସାରେ, କିରାସ୍ପିକା ସ୍ବାଦଯୁକ୍ତ ‘କ୍ୟାଣ୍ଡି’ଟି ପାଟିକୁ ମିଠାଳିଆ ଲାଗିବା ସହ ମଝିରେ ମଝିରେ ଟିକେ ଖଟାଳିଆ ଲାଗିଥାଏ। ତେବେ ସ୍ବାଦ ପରୀକ୍ଷାକାରୀମାନେ ତାହାର ସ୍ବାଦକୁ ଭିନ୍ନ ଭିନ୍ନ ପ୍ରକାରେ ବର୍ଣ୍ଣନା କରିଛନ୍ତି। କାହାର ପାଟିକୁ ତାହା ଶକ୍ତିବର୍ଦ୍ଧକ ପାନୀୟ ପରି ଲାଗୁଥିଲା ବେଳେ ଆଉ କାହାକୁ ଏକ ରାଗ ସେଓ ପରି ଲାଗୁଥିବାର ଜଣାପଡ଼ିଛି। ଏପରି ସ୍ବାଦ ବିବିଧତା ହିଁ ଉକ୍ତ ‘କ୍ୟାଣ୍ଡି’କୁ ଖୁବ୍ ଲୋକପ୍ରିୟ କରିଛି।