ଏଆଇ ଏବେ ବିଶ୍ୱସ୍ତରରେ ଶିରୋନାମା ମଣ୍ଡନ କରୁଛି। ଏହାର ଅଭିବୃଦ୍ଧି ସହିତ ବିଭିନ୍ନ ପ୍ରକାର ଚାକିରିର ଭବିଷ୍ୟତ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏଆଇ ମଣିଷର ଭୂମିକା ଗ୍ରହଣ କରିବ ନା ଏହାର ଭୂମିକା ଲୋକଙ୍କୁ କାମରେ ସାହାଯ୍ୟ କରିବାରେ ସୀମିତ ରହିବ? ଏ ବାବଦରେ ବୈଷୟିକ ଜଗତର ବିଶେଷଜ୍ଞମାନଙ୍କ ଭିନ୍ନମତ ରହିଥିଲେ ହେଁ ସମସ୍ତେ ଗୋଟିଏ କଥା ନେଇ ଏକମତ ଯେ ଏଆଇ ବିଭିନ୍ନ ଶିଳ୍ପରେ ଲୋକଙ୍କ କାର୍ଯ୍ୟ କରିବାର ପଦ୍ଧତିକୁ ଗଭୀର ଭାବରେ ବଦଳାଇଦେବ।
କ’ଣ କହୁଛନ୍ତି ବିଶେଷଜ୍ଞ?
ଭାରତୀୟ-ଆମେରିକୀୟ ଭେଞ୍ଚର୍ କ୍ୟାପିଟାଲିଷ୍ଟ ବିନୋଦ ଖୋସ୍ଲା ଭାରତର ପାରମ୍ପରିକ ଟେକ୍ନୋଲୋଜି ଶିଳ୍ପ ପାଇଁ ଏଆଇର ସମ୍ଭାବ୍ୟ ବିପଦ ବିଷୟରେ ଚିନ୍ତା ପ୍ରକଟ କରିଆସୁଛନ୍ତି। ତାଙ୍କ କହିବା କଥା, ଲକ୍ଷ ଲକ୍ଷ ଭାରତୀୟଙ୍କୁ ନିଯୁକ୍ତି ଦେଉଥିବା ବିଜ୍ନେସ୍ ପ୍ରସେସ୍ ଆଉଟସୋର୍ସିଂ (ବିପିଓ)ର ବର୍ତ୍ତମାନର ଆକାର ଲୋପ ପାଇଯାଇପାରେ। ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ପାଲଟିଥିବା ସଫ୍ଟୱେର ଆଇଟି ସେବାଗୁଡ଼ିକ ପ୍ରାୟତଃ ଅଦୃଶ୍ୟ ହୋଇଯିବ। ତାଙ୍କ ମତାନୁସାରେ, ଏହି କମ୍ପାନିଗୁଡ଼ିକ କେତେ ଶୀଘ୍ର ଓ ଦକ୍ଷତାର ସହିତ ନିଜ ସ୍ବରୂପରେ ପରିବର୍ତ୍ତନ କରୁଛନ୍ତି ତାହା ଉପରେ ସେମାନଙ୍କ ତିଷ୍ଠି ରହିବା ନିର୍ଭର କରିବ। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମଣିଷ କରୁଥିବା କାମର ୮୦% ଏଆଇ କରିପାରିବ। ସୁତରାଂ ୨୦୪୦ ସୁଦ୍ଧା ଅଧିକାଂଶ ଲୋକ ଜୀବିକା ନିର୍ବାହ ଅପେକ୍ଷା କେବଳ ବ୍ୟକ୍ତିଗତ ସନ୍ତୋଷ ପାଇଁ କାମ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ସେ ଚେତାବନୀ ଦେଇଛନ୍ତି।
କୃତ୍ରିମ ବୁଦ୍ଧିମତ୍ତା ଯୋଗୁଁ ଲୋକଙ୍କ ଚାକିରି ଚାଲିଯିବ କି? ବିଶେଷଜ୍ଞମାନେ ଏହାକୁ ଆଂଶିକ ସ୍ବୀକାର କରୁଥିବା ବେଳେ ଏଆଇ ଅଧିକ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ ବୋଲି ଆଶାବାନ୍ ଅଛନ୍ତି
ଆଲଫାବେଟ୍ ଓ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ଏଆଇ ଉପକରଣଗୁଡ଼ିକ ପୂର୍ବରୁ ଗୁଗୁଲ୍ ଇଞ୍ଜିନିୟରମାନଙ୍କୁ କୋଡ୍ ଲେଖିବାରେ ସାହାଯ୍ୟ କରୁଛି। ଗୁଗୁଲ୍ରେ ପ୍ରାୟ ୩୦ ପ୍ରତିଶତ କୋଡ୍ ବର୍ତ୍ତମାନ କୌଣସି ନା କୌଣସି ଏଆଇ ସହାୟତା ବ୍ୟବହାର କରୁଛି। ତଥାପି ଏଆଇ ନିଯୁକ୍ତିକୁ ହ୍ରାସ କରିନାହିଁ। କାରଣ ଏଆଇ ସହଯୋଗ ଯୋଗୁଁ ସଫ୍ଟୱେର୍ ଇଞ୍ଜିନିଅର୍ମାନଙ୍କ କାର୍ଯ୍ୟର ପରିସର ବଢ଼ୁଥିବାରୁ ଗୁଗୁଲ୍ ଅଧିକ ଇଞ୍ଜିନିଅର୍ଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। କାର୍ଯ୍ୟର ପୁନରାବୃତ୍ତି ହେଉଥିବା ଅଂଶଗୁଡ଼ିକୁ ଏଆଇ ପରିଚାଳନା କରୁଥିବାରୁ ଇଞ୍ଜିନିଅର୍ମାନେ ବର୍ତ୍ତମାନ ଅଧିକ ସ୍ୱାଧୀନତା ଉପଭୋଗ କରୁଛନ୍ତି। ସୁତରାଂ ସେମାନଙ୍କୁ ସମସ୍ୟା ସମାଧାନ ଓ ଡିଜାଇନ୍ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ସୁଯୋଗ ମିଳୁଛି।
ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡ଼େଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଆଇ ଉପକରଣଗୁଡ଼ିକ ଦ୍ରୁତ ଗତିରେ ଉନ୍ନତ ହେଲା ବେଳେ ବଡ଼ ଆହ୍ବାନ ହେଉଛି ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ପ୍ରକ୍ରିୟାକୁ ଅନୁକୂଳ କରିବାରେ ସାହାଯ୍ୟ କରିବା। ଲୋକମାନେ ଏଆଇ ପ୍ରଣାଳୀକୁ ଏଜେଣ୍ଟ ଭଳି ବ୍ୟବହାର କରି କାମ କରିବା ଆରମ୍ଭ କଲେ କାର୍ଯ୍ୟ କରିବାର ଶୈଳୀ ବଦଳିବା ଅନିବାର୍ଯ୍ୟ। ଏଆଇ ଅଧିକ ନିୟମିତ କାର୍ଯ୍ୟ ସମ୍ପାଦନ କରିବା ଫଳରେ କର୍ମଚାରୀମାନଙ୍କ ଭୂମିକା ଓ ଦାୟିତ୍ୱର ପ୍ରକୃତି ବିକଶିତ ହେବ ବୋଲି ସେ ମତ ରଖିଛନ୍ତି। ଏନ୍ଭିଡିଆର ସିଇଓ ଜେନସେନ୍ ହୁଆଙ୍ଗ ଏକ ବାସ୍ତବ କିନ୍ତୁ ଆଶାବାଦୀ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି। ଏଆଇର ବିକାଶ ଦ୍ବାରା ଅନେକ ଚାକିରି ପ୍ରଭାବିତ ହେବ ଏବଂ କିଛି ଚାକିରି ଲୋପ ହୋଇପାରେ ବୋଲି ସେ ସ୍ବୀକାର କରିଛନ୍ତି। ତେବେ ଏଆଇ ମଧ୍ୟ ନୂତନ ନିଯୁକ୍ତି ସୃଷ୍ଟି କରିବ। ଏଆଇ ଅନେକ କାର୍ଯ୍ୟକୁ ଦ୍ରୁତ ଓ ଶସ୍ତା କରିବ, ଯାହା କିଛି କର୍ମଚାରୀଙ୍କ ଆବଶ୍ୟକତାକୁ ହ୍ରାସ କରିପାରେ, କିନ୍ତୁ ଏଆଇ ବିକାଶ, ଡାଟା ବିଜ୍ଞାନ ଓ ଉଚ୍ଚସ୍ତରୀୟ ଇଞ୍ଜିନିୟରିଂ ଭଳି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇବ। ସର୍ବୋପରି ଏଆଇ-ନେତୃତ୍ୱାଧୀନ ଅଭିବୃଦ୍ଧି ଅର୍ଥନୀତିକୁ ଯେଉଁ ଲାଭ ପହଞ୍ଚାଇବ ତାହା ସମାଜର ସବୁ ବର୍ଗଙ୍କୁ ଲାଭାନ୍ବିତ କରିବ ବୋଲି ସେ କହିଛନ୍ତି।