ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ୍ଙ୍କ ବିବାହ ସରିଛି। କିନ୍ତୁ, ଆମନ୍ତ୍ରିତ ଅତିଥି ହଲିଉଡ୍ ଗାୟକ ଜଷ୍ଟିନ୍ ବିବର୍ଙ୍କ ସହିତ ରାଧିକା ଓ ଅନନ୍ତ ଉଠାଇଥିବା ଫଟୋକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଫଟୋରେ ରାଧିକା ମନୀଷ ମାଲହୋତ୍ରାଙ୍କ ଦ୍ବାରା ପ୍ରସ୍ତୁତ ଚେନ୍ମେଲ୍ ଶାଢ଼ି ଓ ଅନନ୍ତ ଏକ ଲାଲ୍ ଚମଡ଼ା ଜ୍ୟାକେଟ୍ ପିନ୍ଧିଥିବା ଦେଖାଯାଉଛି। ସେ ଜ୍ୟାକେଟ୍ କୁମ୍ଭୀର ଚମଡ଼ାରେ ତିଆରି ଓ ତା’ର ମୂଲ୍ୟ ୩୬ ଲକ୍ଷ ଟଙ୍କା ବୋଲି ପ୍ରଚାର ହେବା ପରେ ପ୍ରାଣୀପ୍ରେମୀ ନକାରାତ୍ମକ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
କିନ୍ତୁ, ଅନନ୍ତ ପରିଧାନ କରିଥିବା ଲାଲ୍ ଜ୍ୟାକେଟ୍ଟି ଯେ, ବାସ୍ତବରେ କୁମ୍ଭୀର ଚମଡ଼ାରେ ତିଆରି କିଂବା ସେପରି ଦିଶୁଥିବା ଅନ୍ୟ କୌଣସି ପଦାର୍ଥରୁ ତିଆରି ତାହା ଜଣାପଡ଼ିନାହିଁ। ସେ ଯାହାହେଉ, ସମ୍ପ୍ରତି ଚମଡ଼ାର ଅନେକ ବିକଳ୍ପ ବାହାରିଲାଣି। ସେସବୁ ମଧ୍ୟରେ ପ୍ରଧାନ ହେଉଛି ଆଖୁରୁ ତିଆରି ଚମଡ଼ା। ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଇଣ୍ଟର୍ଡିସିପ୍ଲିନାରି ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି ସଙ୍ଗେ ଭାଗୀଦାର ହୋଇ ‘ପିଏ ଫୁଟ୍ୱେର୍ ପି ଲିମିଟେଡ୍’ ଆଖୁରୁ ପ୍ରସ୍ତୁତ କରିଛି ନିରାମିଷ ଚମଡ଼ା। ଏହା ‘ପେଟା-ଆପ୍ରୋଭ୍ଡ୍ ଭେଗାନ୍’ ସାର୍ଟିଫିକେଟ୍ ବି ହାସଲ କରିଛି। ‘ପେଟା ଇଣ୍ଡିଆ’ର ଚିଫ୍ କର୍ପୋରେଟ୍ ଲିଆସନ୍ ଅଧିକାରୀ ଅସୀମା କୁକ୍ରେଜା କହିଛନ୍ତି,‘‘ଫ୍ୟାସନ୍ ଜଗତ୍ରେ ଚମଡ଼ା ଓ ପଶମ ସବୁଠୁ ଅଧିକ ପ୍ରଦୂଷଣକାରୀ ଉପାଦାନ ହୋଇଥିବାରୁ ସେମାନେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସଙ୍କଟରୁ ବର୍ତ୍ତିବା ପାଇଁ ଜୈବ ଓ ପ୍ରାଣୀ ଅନୁକୂଳ ନିରାମିଷ ଚମଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରନ୍ତୁ।’’ ବାସ୍ତବିକ, ପ୍ରାଣୀ ଚମଡ଼ାରେ ପୋଷାକ ତିଆରି ଲାଗି ବିପୁଳ ଶକ୍ତି ଓ ପରିବେଶ ନଷ୍ଟ କରୁଥିବା ବିପଜ୍ଜନକ ରାସାୟନିକ ପଦାର୍ଥ ଆବଶ୍ୟକ ହୋଇଥାଏ। ସେଥିଲାଗି ଆଖୁ ସମେତ ଅନ୍ୟାନ୍ୟ ଉପାଦାନରୁ ପ୍ରସ୍ତୁତ ବିକଳ୍ପ ଚମଡ଼ା ବ୍ୟବହାର ଉପରେ ଗୁରୁତ୍ବ ଦେବା ଜରୁରି।
ଛତୁ ଚମଡ଼ା ‘ମାଇଲୋ’
ଛତୁ ଚେରର ଢାଞ୍ଚା ‘ମାଇଲେସିୟମ୍’ରୁ ‘ମାଇଲୋ’ ଶବ୍ଦ ସୃଷ୍ଟ। ଚମଡ଼ା ଭଳି ପ୍ରତୀୟମାନ ହେଉଥିବା ‘ମାଇଲୋ’ ଖୁବ୍ ମଜଭୁତ ଏବଂ ଫିଙ୍ଗି ଦେଲେ ତାହା ଅନାୟାସରେ ଅଣୁଜୀବଙ୍କଦ୍ବାରା ନଷ୍ଟ ହୋଇଯାଏ।
ସେଓ ଚମଡ଼ା
ସେଓ କାରଖାନାରୁ ନିର୍ଗତ ବର୍ଜ୍ୟ ସମାଗ୍ରୀରୁ ମଧ୍ୟ ନରମ, ମଜଭୁତ ଏବଂ ପରିବେଶ ଅନୁକୂଳ ଚମଡ଼ା ତିଆରି କରାଯାଉଛି।
ସିଝୁ ଚମଡ଼ା ‘ଡେଜର୍ଟୋ’
ସପ୍ତଫେଣୀ ସିଝୁରୁ ତିଆରି ନିରାମିଷ ଚମଡ଼ା ଡେଜର୍ଟୋ ମଧ୍ୟ କୋମଳତା, ନମନୀୟତା ଓ ମଜଭୁତି ପାଇଁ ଲୋକପ୍ରିୟ ହେଉଛି।
ପଲିୟୁରେଥାନ୍ ଚମଡ଼ା
ଫ୍ୟାସନ୍ ଏବଂ ଆସବାବ୍ପତ୍ର ଗଦିରେ ବ୍ୟବହୃତ ପଲିୟୁରେଥାନ୍ ବା ପିୟୁ ଚମଡ଼ା ମଧ୍ୟ ବାସ୍ତବ ଚମଡ଼ା ପରି ଦିଶୁଥିବା ଏକ ଜାତୀୟ କୃତ୍ରିମ ପଦାର୍ଥ।
ପଲିଭିନାଇଲ୍ କ୍ଲୋରାଇଡ୍ ଚମଡ଼ା କୃତ୍ରିମ ଚମଡ଼ାର ଆଉ ଗୋଟାଏ ବିକଳ୍ପ ହେଉଛି, ପଲିଭିନାଇଲ୍ କ୍ଲୋରାଇଡ୍ ବା ପିଭିସି ଚମଡ଼ା। ପିୟୁ ଚମଡ଼ା ତୁଳନାରେ ଏହା ବିଶେଷ ପରିବେଶ ଅନୁକୂଳ ନ ହେଲେ ବି ମଜଭୁତ ଏବଂ ସଫା କରିବାକୁ ସହଜ।
ରିସାଇକ୍ଲଡ୍ ପ୍ଲାଷ୍ଟିକ୍ ଚମଡ଼ା
ରିସାଇକ୍ଲଡ୍ ‘ପେଟ୍’ ବୋତଲ କିଂବା ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଆବର୍ଜନାରୁ ବି କୃତ୍ରିମ ଚମଡ଼ା ତିଆରି କରାଯାଉଛି। କିଛି ନ ହେଲେ ବି ଏହା ଅନେକାଂଶରେ ପରିବେଶକୁ ପ୍ଲାଷ୍ଟିକ୍ ଆବର୍ଜନା କୁପ୍ରଭାବରୁ ମୁକ୍ତ ରଖୁଛି।
ରିସାଇକ୍ଲଡ୍ ରବର ଚମଡ଼ା
ବର୍ଜ୍ୟ ରବର ସାମଗ୍ରୀରୁ ଏ ବିକଳ୍ପ ଚମଡ଼ା ପ୍ରସ୍ତୁତ କରାଯାଉଛି। ଏ କୃତ୍ରିମ ଚମଡ଼ା ମଜଭୁତ ଓ ଜଳନିରୋଧକ।
ଲ୍ୟାବ୍ ତିଆରି ଚମଡ଼ା
ଲାବ୍ରୋଟରିରେ ପ୍ରାଣୀ ଜୀବକୋଷ କଲ୍ଚର୍ କରାଯାଇ ଏ ଚମଡ଼ା ସୃଷ୍ଟି କରାଯାଉଛି। ଜୀବ ନିଷ୍ଠୁରତା-ମୁକ୍ତ ଏ ଚମଡ଼ା ଓ ପ୍ରାକୃତିକ ପ୍ରାଣୀ ଚମଡ଼ା ମଧ୍ୟରେ ସାଦୃଶ ରହୁଛି।
ପୁଷ୍ପ ଚମଡ଼ା ‘ଫ୍ଲୋରା ଫାଇବର୍’
ଶୁଖିଲା ଫୁଲ ଓ ଉଦ୍ଭିଦରୁ ପ୍ରସ୍ତୁତ ଚମଡ଼ା ‘ଫ୍ଲୋରା ଫାଇବର୍’ ଅପେକ୍ଷାକୃତ ହାଲୁକା ଓ ପରିବେଶ ଅନୁକୂଳ। ଏ ଅଭିନବ ଚମଡ଼ା ପ୍ରାକୃତିକ ପରିବେଶରେ ଆପେ ବିଘଟିତ ହୋଇଯାଏ।
ମଦ ଚମଡ଼ା ‘ଭିଗି’
ମଦ କାରଖାନାରୁ ସଂଗୃହୀତ ଅଙ୍ଗୁର ଚୋପା, ଶସ୍ୟ କେଣ୍ଡା ଓ ମଞ୍ଜି ପିଡ଼ିଆରୁ ତିଆରି କୃତ୍ରିମ ଚମଡ଼ା ‘ଭିଗି’ ଖୁବ୍ ଟାଣୁଆ ଓ ପୁରୁଣା ହୋଇଗଲେ ପ୍ରାକୃତିକ ପରିବେଶରେ ଅାପେ ନଷ୍ଟ ହୋଇଯାଏ। ରୂପ ଓ ସୌନ୍ଦର୍ଯ୍ୟରେ ବି ଏହା ଅତୁଳନୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/sfhsfhfshf.jpg)