ଚିର ଜିଜ୍ଞାସୁ ମଣିଷର ମାନସପଟରେ ଉଙ୍କିମାରେ ପୃଥିବୀପୃଷ୍ଠର ପର୍ଯ୍ୟବେକ୍ଷଣ ଓ ଅଧ୍ୟୟନ କରିବାର ପରିକଳ୍ପନା। ସମୟ ସ୍ରୋତରେ ଏହି ପରିକଳ୍ପନାକୁ ବାସ୍ତବ ରୂପ ମିଳେ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ, ଉଡ଼ନ୍ତା ବେଲୁନ୍‌ର ଉଦ୍ଭାବନ ସହ। ଏହା ପଛରେ ପ୍ରାଥମିକ ଭାବେ ସାମରିକ ଉଦ୍ଦେଶ୍ୟ ନିହିତ ଥିଲା, କିନ୍ତୁ ଏହି ପ୍ରୟାସରୁ ହିଁ ସୂତ୍ରପାତ ହୋଇଥିଲା ରିମୋଟ୍ ସେନ୍‌ସିଙ୍ଗ୍ ବା ଦୂରସମ୍ବେଦୀ ପ୍ରଯୁକ୍ତି। କ୍ୟାମେରାର ଉଦ୍ଭାବନ ପରେପରେ, ସାମରିକ ଗତିବିଧି ନିରୀକ୍ଷଣ ଓ ମାନଚିତ୍ର ଅଙ୍କନ ପାଇଁ ଆକାଶମାର୍ଗରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ ପ୍ରକ୍ରିୟା ବୃଦ୍ଧି ପାଇଲା। ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ ସହ ବଢ଼ିଚାଲିଲା ଆକାଶମାର୍ଗରୁ ଉତ୍ତୋଳିତ ଭୂ-ପୃଷ୍ଠର ପ୍ରତିଛବିର ଆବଶ୍ୟକତା ଓ ଉପଯୋଗିତା।

Advertisment

ମହାକାଶ ବିଜ୍ଞାନର ଅଗ୍ରଗତି ସହ କ୍ରମଶଃ କୃତ୍ରିମ ଉପଗ୍ରହ ମାଧ୍ୟମରେ ରିମୋଟ୍ ସେନ୍‌ସିଙ୍ଗ୍ ଆରମ୍ଭ ହୁଏ। କୌଣସି ବସ୍ତୁ ବା ପଦାର୍ଥ ସମ୍ବନ୍ଧରେ ଦୂରରୁ ତଥ୍ୟ ସଂଗ୍ରହ କରିବା ପ୍ରକ୍ରିୟାକୁ ରିମୋଟ୍ ସେନ୍ସିଙ୍ଗ୍ କୁହାଯାଏ। ପୃଥିବୀ ସମ୍ୱନ୍ଧୀୟ ଭୌଗୋଳିକ ତଥ୍ୟ ସଂଗ୍ରହ, ଅନୁଶୀଳନ, ଅଧ୍ୟୟନ, ସର୍ବେକ୍ଷଣ ଓ ଅଙ୍କନ ଆଦିକୁ କୁହାଯାଏ ‘ଭୌଗୋଳିକ ସୂଚନା ବ୍ୟବସ୍ଥା’ ବା ‘ଜିଓଗ୍ରାଫିକ୍ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍(ଜିଆଇଏସ୍‌)’। ପ୍ରଥମ ଥର ପାଇଁ ୧୯୭୨ ମସିହାରେ, ‘ଲ୍ୟାଣ୍ଡସାଟ୍’ ନାମକ ପୃଥିବୀ ପର୍ଯ୍ୟବେକ୍ଷଣକାରୀ ଉପଗ୍ରହକୁ ମହାକାଶକୁ ପଠାଯାଏ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଓ ଯୁକ୍ତରାଷ୍ଟ୍ର ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ମିଳିତ ଉଦ୍ୟମରେ ପ୍ରେରିତ ଏହି ଉପଗ୍ରହ-ଶୃଙ୍ଖଳର ଉପଗ୍ରହଗୁଡ଼ିକ ୧୯୭୨ ମସିହାରୁ ଏଯାବତ୍ ନିରନ୍ତର ଭାବରେ ଧରାପୃଷ୍ଠର ପର୍ଯ୍ୟବେକ୍ଷଣ କରିଆସୁଛନ୍ତି। ୧୯୮୮ ମସିହାରେ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ‘ଭାରତୀୟ ରିମୋଟ୍ ସେନ୍‌ସିଙ୍ଗ୍ ଉପଗ୍ରହ-୧ଏ’ର ପ୍ରେରଣ ସହ ଆମ ଦେଶ ଭାରତ ଉପଗ୍ରହ ମାଧ୍ୟମରେ ପୃଥିବୀ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କଲା।

ଏହି ପରିବର୍ତ୍ତନଶୀଳ ପୃଥିବୀରେ ଗୁରୁତ୍ୱପୂର୍ଣ୍ଣ ସମ୍ବଳର ଅନୁଧ୍ୟାନ, ଅଧ୍ୟୟନ ତଥା ସୁପରିଚାଳନା କରିବାରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହଗୁଡ଼ିକର ଅତୁଳନୀୟ ଅବଦାନକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ। ଜୈବବିବିଧତା ସଂରକ୍ଷଣ ଓ ପରିଚାଳନାରେ ଏହି ଶ୍ରେଣୀର ଉପଗ୍ରହମାନଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ଆଲୋକପାତ କରାଯାଉ। ବିଭିନ୍ନ ମାନବୀୟ କାରଣରୁ ଦ୍ରୁତ ଗତିରେ ହ୍ରାସ ପାଉଥିବା ଆମାଜନ୍ କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟରେ ଜଙ୍ଗଲକ୍ଷୟର ଧାରା ଓ ପରିମାଣକୁ ‘ଲ୍ୟାଣ୍ଡସାଟ୍’ପ୍ରଦତ୍ତ ତଥ୍ୟ ଦ୍ୱାରା ସଠିକ୍ ଭାବରେ ଆକଳନ କରାଯାଇପାରୁଛି। ଏହି ଆକଳନ ଆଧାରରେ ବ୍ରାଜିଲ୍‌ ସରକାର ଜଙ୍ଗଲ କ୍ଷୟକୁ ରୋକିବା ପାଇଁ ନୀତିନିୟମ କଡ଼ାକଡ଼ି କରିଛନ୍ତି। ଫଳସ୍ୱରୂପ ୧୯୯୦-୨୦୦୦ ମସିହା ମଧ୍ୟରେ ବାର୍ଷିକ ପ୍ରାୟ ୨୦,୦୦୦ ବର୍ଗ କିଲୋମିଟର ହାରରେ ହ୍ରାସ ପାଉଥିବା ଆମାଜନ୍ ଜଙ୍ଗଲକ୍ଷୟର ହାରକୁ ୨୦୧୨ ମସିହା ସୁଦ୍ଧା ୮୦ ପ୍ରତିଶତ କମ୍ କରାଯାଇ ପାରିଥିଲା। ତିନି ଦଶନ୍ଧିରୁ ଅଧିକ ସମୟ ଧରି ପ୍ରକାଶିତ ହେଉଥିବା ‘ଭାରତୀୟ ଅରଣ୍ୟ ସ୍ଥିତି ବିବରଣୀ’ ମଧ୍ୟ ଅନ୍ୟ ଏକ ସଫଳ ଉଦାହରଣ। ଉପଗ୍ରହଭିତ୍ତିକ ତଥ୍ୟ ଆଧାରରେ ପ୍ରସ୍ତୁତ ହେଉଥିବା ଏହି ଦ୍ବିବାର୍ଷିକ ବିବରଣୀ ଭାରତର ଜଙ୍ଗଲ ହ୍ରାସ-ବୃଦ୍ଧି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରେ।

ପୃଥିବୀ ପର୍ଯ୍ୟବେକ୍ଷଣକାରୀ ଉପଗ୍ରହଗୁଡ଼ିକର ଉପଯୋଗିତା ଏତିକିରେ ସୀମିତ ନୁହେଁ। ସଂକଟାପନ୍ନ ତଥା ବିପଦଗ୍ରସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପାଇଁ ଉପଯୁକ୍ତ ବାସସ୍ଥାନର ସନ୍ଧାନ, ଜଙ୍ଗଲ-ନିଆଁର ପର୍ଯ୍ୟାଲୋଚନା, ପରିବର୍ତ୍ତିତ ଭୂ-ବ୍ୟବହାରର ଅଧ୍ୟୟନ ଇତ୍ୟାଦି କାମ ପାଇଁ ଏହି ଉପଗ୍ରହଗୁଡ଼ିକର ତଥ୍ୟ ବହୁଳ ଭାବରେ ବ୍ୟବହୃତ ହେଉଛି। ଦ୍ରୁତ-ପରିବର୍ତ୍ତନଶୀଳ ଧରାପୃଷ୍ଠରେ ଜୈବବିବିଧତାର ନିରନ୍ତର ଅବଲୋକନ, ଅଧ୍ୟୟନ ତଥା ସଂରକ୍ଷଣ କ୍ଷେତ୍ରରେ ଏହି ଉପଗ୍ରହଗୁଡ଼ିକର ଉପାଦେୟତା ଆଗାମୀ ଦିନରେ ବୃଦ୍ଧି ପାଇବ।
- ଶୋଭାଶିଷ୍ କର୍ଣ୍ଣ
ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ, ପୁଡୁଚେରୀ