ମୁମ୍ବାଇ: ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏହି ସିନେମାରେ ଭଗବାନ ରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତା ରଣବୀର କପୁର। ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ଏହି ସିନେମାର କିଛି ଫଟୋ ଏବେ ସୁଟିଂ ସେଟ୍‌ରୁ ଭାଇରାଲ୍‌ ହୋଇଛି।

Advertisment

ଫଟୋରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକା ନିଭାଇଥିବା ଅରୁଣ ଗୋଭିଲ ବି ନଜର ଆସିଛନ୍ତି। ତେବେ ଦର୍ଶକଙ୍କ ପାଇଁ ଖୁସିର କଥା ହେଉଛି, ଅତୀତରେ ଶ୍ରୀରାମଚନ୍ଦ୍ର ହୋଇ ସଭିଙ୍କ ମନରେ ବସିଥିବା ଏହି ତାରକାଙ୍କୁ ଏବେ ରାଜା ଦଶରଥଙ୍କ ଭୂମିକା ନିଭାଉଥିବାର ଦେଖିବାକୁ ମିଳିବ।

ସେହିପରି ଅଭିନେତ୍ରୀ ଲାରା ଦତ୍ତଙ୍କ ମାଆ କୈକେୟୀଙ୍କ ରୂପରେ ଦେଖିବାକୁ ମିଳିବ। ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ରାମାୟଣ ସେଟ୍‌ରୁ ଏହି ଫଟୋକୁ ସଂଗ୍ରହ କରିଛି ଜୁମ୍‌ ଟିଭି। ସୋସିଆଲ୍‌ ମିଡିଆରେ ଜୁମ୍‌ ଟିଭି ହିଁ ଏହାକୁ ସେୟାର୍‌ କରିଛି। ଏହି ଫଟୋରେ ଅରୁଣ ଗୋଭିଲଙ୍କୁ ଲମ୍ବା କେଶ ଓ ଦାଢ଼ୀ ସହ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ତାଙ୍କ ଲୁକ୍‌ ରାଜା ଦଶରଥଙ୍କ ଚରିତ୍ର ପାଇଁ ଏକଦମ ଖାପ ଖାଇଯାଉଛି।

ଗୋଟାଏ ଫଟୋରେ ଅରୁଣ ଗୋଭିଲଙ୍କ ସହ ଦୁଇ ଜଣ ଛୋଟ ପିଲାଙ୍କୁ ଦେଖିବାକୁ ମିଳୁଛି। ସେ ଦୁଇ ଜଣ ଭଗବାନ ରାମ ଓ ଲକ୍ଷ୍ମଣଙ୍କ ବ‌ାଲ୍ୟ ରୂପ ବୋଲି ଅନୁମାନ କରାଯାଉଛି। ସେହିପରି ଲାରା ଦତ୍ତଙ୍କ ବାଇଗଣୀ ରଂଗର ଏକ ଶାଢ଼ିରେ ଦେଖିବାକୁ ମିଳିଛି।