ଶ୍ରୀଜଗନ୍ନାଥଙ୍କ ପୁରୁଷଭକ୍ତଙ୍କ ତୁଳନାରେ ନାରୀଭକ୍ତଙ୍କ ଚର୍ଚ୍ଚା ଅପେକ୍ଷାକୃତ କମ୍। ସଂଖ୍ୟା ଯଦିଓ କମ୍, କିନ୍ତୁ ସେବା ଓ ସମର୍ପଣଭାବରେ ସେମାନେ ଅତୁଳନୀୟା। ଭୌମ ରାଜପରିବାରର ଅନେକ ରାଣୀ- ଦଣ୍ଡୀ ମହାଦେବୀ, ତ୍ରିଭୁବନ ମହାଦେବୀ, ଗୌରୀ ମହାଦେବୀ, ବକୁଳ ମହାଦେବୀ ତଥାଗତରୂପୀ ଜଗନ୍ନାଥଙ୍କ ପରମ ଭକ୍ତ ଥିବା ଜଣାଯାଏ। ସେପରି ଗଙ୍ଗବଂଶର ଅନ୍ୟତମ ରାଜବଧୂ ଚନ୍ଦ୍ରିକାଦେବୀ ଭୁବନେଶ୍ବରରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ମନ୍ଦିର ନିର୍ମାଣ କରିଥିଲେ। ଗଙ୍ଗବଂଶ ଓ ସୂର୍ଯ୍ୟବଂଶର ଅନେକ ରାଣୀ ଭଗବାନଙ୍କ ଉଦ୍ଦେଶ୍ୟରେ କେତେକ ସ୍ବତନ୍ତ୍ର ସେବାପୂଜା ପ୍ରଚଳନ କରାଇଥିବାର ପ୍ରମାଣ ରହିଛି। ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଭକ୍ତ/ସନ୍ଥ ଜୀବନୀକାର ରାମ ଦାସ ତାଙ୍କ ‘ଦାର୍ଢ଼୍ୟତା ଭକ୍ତି’ ଗ୍ରନ୍ଥରେ ମାତ୍ର ଦୁଇଜଣ ନାରୀଭକ୍ତଙ୍କ ସଂପର୍କରେ ବର୍ଣ୍ଣନା କରିଛନ୍ତି, ସେ ମଧ୍ୟରୁ ଜଣେ ହେଲେ ଜଗନ୍ନାଥଙ୍କ ଭକ୍ତ ବିଷ୍ଣୁପ୍ରିୟା। ଏହି କ୍ରମରେ ‘ରଥଯାତ୍ରା’ ଅବସରରେ ଶ୍ରୀଜଗନ୍ନାଥଙ୍କର କତିପୟ ନାରୀଭକ୍ତଙ୍କ ସଂକ୍ଷିପ୍ତ ପରିଚିତି।
ସଂଯୋଜନା: ପ୍ରଜ୍ଞା ନିବେଦିତା ଚିତ୍ର: ତନୁୁଜ ମଲ୍ଲିକ
ଭକ୍ତି ଓ ଜ୍ଞାନର ସାଧିକା ମାଧବୀ ଦାସୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାରୀଭକ୍ତ ଭାବେ ପରମ ବୈଷ୍ଣବୀ ମାଧବୀ ଦାସୀ ଆଦ୍ୟ ସ୍ମରଣୀୟା। ପୁଣି ଶ୍ରୀମନ୍ଦିର ସେବା ପରମ୍ପରାରେ ମାଧବୀ ଦାସୀଙ୍କ ଭୂମିକା ସ୍ବତନ୍ତ୍ର। ଯେତେବେଳେ ବୈଷ୍ଣବ ସାଧୁଙ୍କ ଗହଣରେ ମହିଳାଙ୍କ ଆତଯାତ ନଥିଲା, ସେତେବେଳେ ମାଧବୀ ଦାସୀ ସ୍ବଚ୍ଛନ୍ଦରେ ତାଙ୍କ ଜ୍ଞାନର ପରାକାଷ୍ଠା ଦେଖାଉଥିଲେ। ପୁରୀ ଜିଲ୍ଲା ବ୍ରହ୍ମଗିରି ଶାସନର ବେଣୁପୁରରେ ଜନ୍ମଗ୍ରହଣ କରିଥିବା ମାଧବୀ ଭକ୍ତି ଆନ୍ଦୋଳନରେ ଉଦ୍ବୁଦ୍ଧ ହୋଇ ଅନେକ ଧର୍ମଗ୍ରନ୍ଥ ପାଠ କରିଥିଲେ। ତାଙ୍କର ଆଗ୍ରହ ଓ ପାଣ୍ଡିତ୍ୟ ଦେଖି ଶ୍ରୀଚୈତନ୍ୟଙ୍କ ଅନୁଗାମୀ ରାଜମହେନ୍ଦ୍ରୀର ପୂର୍ବତନ ରାଜା ରାୟ ରାମାନନ୍ଦ ତାଙ୍କ ମନରେ ଉତ୍ସାହ ଭରିଥିଲେ। ଶ୍ରୀଚୈତନ୍ୟଙ୍କ ପ୍ରତି ମାଧବୀଙ୍କର ପ୍ରଗାଢ଼ ଭକ୍ତି ଓ ନିଷ୍ଠା ଥିଲା।
ଇତିହାସ କହେ, ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟରେ ନିପୁଣତା ହାସଲ କରିଥିବାରୁ ଗଜପତି ପ୍ରତାପରୁଦ୍ର ଦେବ ମାଧବୀ ଦାସୀଙ୍କୁ ଦେଉଳ କରଣ ଭାବେ ନିଯୁକ୍ତ କରିଥିଲେ ଏବଂ ତାଙ୍କୁ ଲେଖନାଧିକାରିଣୀର ଆଖ୍ୟା ଦେଇଥିଲେ। ଏବେଯାଏ ସେ ହିଁ ଏକମାତ୍ର ମହିଳା ସେବକ, ଯିଏ ଜଗନ୍ନାଥ ମନ୍ଦିରରେ ସେବାକାର୍ଯ୍ୟରେ ନିୟୋଜିତ ହୋଇପାରିଛନ୍ତି। ତାଙ୍କର ଭକ୍ତିତତ୍ତ୍ବ ଜ୍ଞାନ ଆଗରେ ଅନେକ ସାଧୁସନ୍ଥ ହାର୍ ମାନିଛନ୍ତି। ମାଧବୀଙ୍କର ଅନେକ ରଚନା ମଧ୍ୟରୁ ବ୍ରଜବୋଲି ଭାଷାରେ ଦୁଇଟି ଏବଂ ଓଡ଼ିଆରେ ଗୋଟିଏ ସଂଗୀତ ଆବିଷ୍କୃତ ହୋଇଛି। ଓଡ଼ିଆ ରଚନାଟି ଏକ ଜଗନ୍ନାଥ ଜଣାଣ। ସବୁଠୁ ଉଲ୍ଲେଖନୀୟ କଥା ହେଲା ବିଦୂଷୀ ମାଧବୀ ତାଙ୍କ ଜଣାଣରେ ଯେଉଁ ଭକ୍ତମାନଙ୍କର ଦୃଷ୍ଟାନ୍ତ ଦେଇଛନ୍ତି ସମସ୍ତେ ହେଉଛନ୍ତି ନାରୀ। ଚକାନୟନ ଶ୍ରୀହରିଙ୍କୁ ଆପଣାର ଦୁଃଖ ଜଣାଇବାକୁ ଯାଇ ସେ ଅହଲ୍ୟା, ଦ୍ରୌପଦୀ, ମୃଗୁଣୀ, ଶବରୀ, କରମା ଓ ପିଙ୍ଗଳାଙ୍କ ଦୃଷ୍ଟାନ୍ତ ବାଢ଼ିଛନ୍ତି।
-ପ୍ରଦୀପ୍ତ କୁମାର ପଣ୍ଡା
ବୀରତ୍ବ ଓ ଭକ୍ତିର ଅପୂର୍ବ ସମନ୍ବୟ ରାଣୀ ସୂର୍ଯ୍ୟମଣି
ଶ୍ରୀମନ୍ଦିର ଇତିହାସରେ ଊନବିଂଶ ଶତାବ୍ଦୀକୁ ସ୍ବର୍ଣ୍ଣିମ ଅଧ୍ୟାୟ।ଏହି ସମୟରେ ଜଣେ ପ୍ରଚଣ୍ଡ ବିପ୍ଳବିନୀ ରାଣୀ ଓଡ଼ିଶାର ରାଜନୈତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଧର୍ମୀୟ କ୍ଷେତ୍ରକୁ ଉଦ୍ଭାସିତ କରିଥିଲେ। ସେ ହେଉଛନ୍ତି ରାଣୀ ସୂର୍ଯ୍ୟମଣି ପାଟମହାଦେଈ। ୧୮୩୦ ମସିହାରେ ପୁରୀ ଗଜପତି ବୀରକିଶୋର ଦେବଙ୍କୁ ବିବାହ କରି ସେ ବଧୂ ଭାବେ ଶ୍ରୀକ୍ଷେତ୍ରକୁ ଆସିଥିଲେ। ସେ ଶ୍ରୀକ୍ଷେତ୍ରକୁ ଆସିବା ପରେ ନାନା ଶୁଭକାର୍ଯ୍ୟ ହୋଇଥିଲା। ସେ ଯୁଦ୍ଧବିଦ୍ୟାରେ ନିପୁଣା ହେବା ସହ ଅତ୍ୟନ୍ତ ବିଚକ୍ଷଣ ଥିଲେ। ବିପଦ ସମୟରେ ଅସୀମ ସାହସ ଓ ଦୂରଦୃଷ୍ଟି ବଳରେ ଆଇନ ଯୁଦ୍ଧ ଲଢ଼ି ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିଆସିଥିଲେ। ରାଣୀ ସୂର୍ଯ୍ୟମଣିଙ୍କର ଅକ୍ଳାନ୍ତ ସେବା ସତ୍ତ୍ବେ ରୋଗାକ୍ରାନ୍ତ ବୀରକିଶୋର ଦେବଙ୍କ ମୃତ୍ୟୁ ଘଟିଲା। ମୃତ୍ୟୁର କିଛି ସମୟ ଆଗରୁ ରାଣୀ ସୂର୍ଯ୍ୟମଣିଙ୍କ ପରାମର୍ଶକ୍ରମେ ସେ ବଡ଼ଖେମୁଣ୍ଡିର ଦ୍ବିତୀୟ ରାଜପୁତ୍ର ନାବାଳକ ଦିବ୍ୟସିଂହ ଦେବଙ୍କୁ ଯୁବରାଜ କରାଇ ଏକ ଇଚ୍ଛାପତ୍ର ସମ୍ପାଦନ କରି ତାଙ୍କୁ ଯୁବରାଜଙ୍କ ତତ୍ତ୍ବାବଧାରକ ରୂପେ ଶ୍ରୀମନ୍ଦିର ତଥା ଜମିଦାରିର ପରିଚାଳନା ଭାର ଅର୍ପଣ କରିଥିଲେ। ନଅଙ୍କ ଦୁର୍ଭିକ୍ଷ ସମୟରେ ଆର୍ଥିକ ଅନଟନ ସତ୍ତ୍ବେ ସେ ଶ୍ରୀମନ୍ଦିରର ସୁପରିଚାଳନା କରିବା ସହିତ ରାଜପରିବାରକୁ ଅର୍ଦ୍ଧଭୁକ୍ତ ରଖି ସବୁଦିନ ବହୁପରିମାଣ ମହାପ୍ରସାଦ ରାନ୍ଧି ବୁଭୁକ୍ଷୁମାନଙ୍କୁ ବାଣ୍ଟି ଦେଉଥିଲେ। ଶ୍ରୀମନ୍ଦିରର ସୁରକ୍ଷା ଲାଗି ସେ ଚୂନ ପଲସ୍ତରା ମଧ୍ୟ କରାଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିରକୁ ବ୍ରିଟିସ୍ ଶାସକଙ୍କ ହସ୍ତକ୍ଷେପରୁ ଦୂରେଇ ରଖିବା ଲାଗି ସୂର୍ଯ୍ୟମଣି ପାଟମହାଦେଈ ଉତ୍କଳ ଗୌରବ ମଧୁସୂଦନଙ୍କ ସହାୟତା ନେଇ ଆଇନ୍ ଯୁଦ୍ଧରେ ବିଜୟୀ ହୋଇଥିଲେ। ବହୁ କଷ୍ଟ ସ୍ବୀକାର କରି ରାଣୀ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ସୁରକ୍ଷିତ କରି ରଖିଥିଲେ।
ଉତ୍ସ- ଆମ ମଧୁସୂଦନ, ସୁରସିଂହ ପଟ୍ଟନାୟକ
ଯିଏ ବିଷ୍ଣୁଙ୍କ ପ୍ରିୟା, ସିଏ କାଳିଆର ପ୍ରିୟ
ରାଜସ୍ଥାନ ଜୟପୁର ମହାରାଜା ଜୟ ସିଂହଙ୍କ କନ୍ୟା ଥିଲେ ବିଷ୍ଣୁପ୍ରିୟା। ପିଲାଟି ବେଳୁ ସେ ଥିଲେ କୃଷ୍ଣଭକ୍ତ। ବାପା କିନ୍ତୁ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ଶ୍ରୀଜଗନ୍ନାଥଙ୍କ ବିଷୟରେ ଜାଣିବା ପରେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦେଇଥିଲେ ରାଜକୁମାରୀ। ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଶ୍ରୀଜଗନ୍ନାଥ ଚିନ୍ତନରେ ବିତୁଥିଲା। ଥରେ ତାଙ୍କ ରାଜପ୍ରାସାଦରେ ପୁରୀ ଶ୍ରୀମନ୍ଦିରର ଜଣେ ସେବକ ମହାପ୍ରସାଦ ନେଇ ପହଞ୍ଚିଲେ। ମହାପ୍ରସାଦ ସେବନ କରି ମହାରାଜା, ମହାରାଣୀ ଓ ରାଜଜେମା ଅପୂର୍ବ ଆନନ୍ଦ ଲାଭକଲେ। ପ୍ରୀତ ହୋଇ ରାଜା ଉକ୍ତ ସେବକଙ୍କୁ ଯଥୋଚିତ ସମ୍ମାନ ସହିତ ଅନେକ ଉପହାର ଦେଲେ। ରାଜକୁମାରୀ ବିଷ୍ଣୁପ୍ରିୟା ତାଙ୍କ ହାତରେ ଜଉମୁଦା ଚିଠିଟିଏ ଧରାଇ ଜଗନ୍ନାଥଙ୍କୁ ଅର୍ପିଦେବାକୁ ଅନୁରୋଧ କଲେ। ଉକ୍ତ ଚିଠିର ଲଫାପାରେ ଲେଖାଥିଲା- ‘ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଶ୍ରୀକ୍ଷେତ୍ର, ପୁରୀ।’ ସେବକଙ୍କୁ ପାରିଶ୍ରମିକ ବାବଦରେ ୧୦ଟି ସ୍ବର୍ଣ୍ଣମୁଦ୍ରା ଦେଲେ ରାଜକୁମାରୀ। ସେବକ ଚିଠିଟି ଧରି ବିଦାୟ ନେଲେ। କିଛି ମୂଲ୍ୟବାନ୍ ଅଳଙ୍କାର ଥିବ ଭାବି ବାଟରେ ସେ ଲଫାପାକୁ ଚିରିଦେଲେ। ସେଥିରେ ଥିଲା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ହାତଲେଖା ଚିଠି। ରାଜକୁମାରୀ ସଂସ୍କୃତରେ ଲେଖିଥିଲେ- ‘‘ହେ ପୁରୁଷୋତ୍ତମ ରତ୍ନାକର! ସାଗର ଆପଣଙ୍କର ଘର ଏବଂ ସାରା ବ୍ରହ୍ମାଣ୍ଡର ଅନ୍ନଦାତ୍ରୀ ଜଗଜ୍ଜନନୀ ଶ୍ରୀମହାଲକ୍ଷ୍ମୀ ଆପଣଙ୍କ ଘରଣୀ। ଆପଣଙ୍କର କି ଅଭାବ ଅଛି ଯେ ଏ ଦୀନହୀନ ଆପଣଙ୍କୁ କ’ଣ ବା ଦାନ କରିବ! ଆପଣ ଦ୍ବାପର ଯୁଗରେ ଗୋପାଳ ଓ ଗୋପାଙ୍ଗନାଙ୍କ ମନ ଚୋରି କରିଥିଲେ। ତେଣୁ ଏ ଦୀନହୀନ ଆପଣଙ୍କ ନିକଟରେ ତା’ ମନପ୍ରାଣ ଅର୍ପଣ କରୁଛି। ମହାପ୍ରଭୁ ଆପଣ ତାକୁ ସାଦରେ ଗ୍ରହଣ କରନ୍ତୁ।’’ ସେବକ ତାତ୍ସଲ୍ୟ ହସ ହସି ଚିଠିଟିକୁ ଫିଙ୍ଗିଦେଇ ଶ୍ରୀକ୍ଷେତ୍ରକୁ ଫେରିଆସିଲେ। ସେଦିନ ରାତିରେ ତାଙ୍କୁ ଜଗନ୍ନାଥ ସ୍ବପ୍ନରେ କହିଲେ- ‘‘ତୋ’ର ପ୍ରାପ୍ୟ ତ ତୁ ନେଲୁ। ମାତ୍ର ମୋ ଧନ ମୋତେ ଦେଲୁନାହିଁ କାହିଁକି? ବିଷ୍ଣୁପ୍ରିୟା ମୋର ପରମଭକ୍ତ। ସେ ଶ୍ରଦ୍ଧା ଓ ଭକ୍ତିରେ ଦେଇଥିବା ଚିଠିଟି ମୋତେ ଦେଲୁନାହିଁ କାହିଁକି? ତାହା ସାମାନ୍ୟ କାଗଜ ନୁହେଁ। ମୋ ଲାଗି ତାହା ହୀରା, ମୋତି, ମାଣିକ୍ୟଠୁ ବି ଅଧିକ। ତୁ କାଲି ସକାଳେ ଆସି ଦେଖିବୁ କେମିତି ସେଇ ଚିଠିକୁ ମୁଁ ହୃଦମାଳି କରି ପିନ୍ଧିଛି।’’
ସେବକଙ୍କ ନିଦ ଭାଙ୍ଗିଗଲା। ସକାଳୁ ମନ୍ଦିର ଯାଇ ଦେଖନ୍ତେ- ସତରେ ଦୟଣାମାଳ ମଝିରେ ଚିଠିଟି ରହିଛି। ଦୋଷ ସ୍ବୀକାର କରି ସେ ମହାପ୍ରଭୁଙ୍କୁ କ୍ଷମା ମାଗିଲେ। ରାଜକୁମାରୀ ବିଷ୍ଣୁପ୍ରିୟା ଲେଖିଥିବା ସେ ଚିଠିଟି ଆଜି ବି ଅଛି।
ଉତ୍ସ- ଦାର୍ଢ଼୍ୟତା ଭକ୍ତି
ଅଭିମାନୀ ନୀଳିର ମାନ ରଖିଲେ ଜଗନ୍ନାଥ
ସାଧାରଣ ମଣିଷଟିଏର ଅନାବିଳ ଭଲପାଇବା ପାଇଁ ମହାପ୍ରଭୁ କାଙ୍ଗାଳ। ଏଥିଲାଗି ସେ ସବୁକିଛି କରିପାରନ୍ତି। ନୀଳି କୁମ୍ଭାରୁଣୀ ଏହାର ନିଚ୍ଛକ ଉଦାହରଣ। ଗଙ୍ଗବଂଶର ରାଜା କବିକାନ୍ତ ଦେବଙ୍କ ରାଜତ୍ବ କାଳରେ ପୁରୀର କୁମ୍ଭାରପଡ଼ାର ଲୋକନାଥଙ୍କ ପଦା ଉତ୍ତର ପଟେ କେତେକ କୁମ୍ଭାର ବାସ କରୁଥିଲେ। େସଠାରେ ନୀଳି ନାମ୍ନୀ ଜଣେ କୁମ୍ଭାରୁଣୀ ବସବାସ କରୁଥିଲା। ଦିନେ ତା’ ଘରକୁ କୁଣିଆ ଆସିଲେ ଏବଂ ତା’ ସାଙ୍ଗରେ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କଲେ। ଏଥିଉତ୍ତାରୁ ନୀଳି ସେମାନଙ୍କୁ କହିଲା, ‘‘ଜଗନ୍ନାଥଙ୍କୁ ମୁଁ ଜାଣେନାହିଁ। ମୋର କୁଡୁଆ ବୋଝ ହିଁ ଜଗନ୍ନାଥ।’’ ସେହିଦିନ ରାତିରେ ମହାପ୍ରଭୁ ଜଗନ୍ନାଥ ରାଜାଙ୍କୁ ସ୍ବପ୍ନାଦେଶ ଦେଇ କହିଲେ- ‘‘ନୀଳି କୁମ୍ଭାରୁଣୀ ତ ଆମ୍ଭଙ୍କୁ ଦରଶନ ନ କଲା ଏହାକୁ ଆମ୍ଭେ ଦେଖିବୁ। ଆଜ ରାତ୍ର ଯଉଁଠାରୁ ଘର ପୋଡ଼ିଯିବ, ଗୁଣ୍ଡିଚାଘର ପଶ୍ଚିମ ଅଠରନଳା ପୂର୍ବରୁ ଏହାକୁ ଥାନ ଦେଇ ରଖିବୁ। ଆମ୍ଭେ ରଥ ଉପରେ ବିଜେ କରିଥିବୁ। ସେ କୁଡୁଆ ବୋଝ ଆଣି ଆମ୍ଭଙ୍କୁ ଦେଖିବ।’’
ନୀଳି କୁମ୍ଭାରୁଣୀ ହୁଏତ ଶ୍ରୀଜଗନ୍ନାଥ ମନ୍ଦିରର କୁମ୍ଭାର ବିଶୋଇ ସେବା ସମ୍ପ୍ରଦାୟର ମହିଳା ଥିଲା। ମନ୍ଦିରକୁ ହାଣ୍ଡିକୁଡୁଆ ଯୋଗାଇ ନିଜର ଗୁଜୁରାଣ ମେଣ୍ଟାଉଥିଲା। ନୀଳିର ପରିବାର ସଂପର୍କରେ କେଉଁଠାରେ ଉଲ୍ଲେଖ ନାହିଁ। ହୁଏତ େସ ବିଧବା କିମ୍ବା ସ୍ବାମୀ ପରିତ୍ୟକ୍ତା ଥିଲା। ତା’ର ନିଜର ସ୍ଥାୟୀ ବାସସ୍ଥାନ ନଥିଲା ବା ଅକାଳ ବୈଧବ୍ୟ ଯୋଗୁ ସେ ମହାପ୍ରଭୁଙ୍କ ପ୍ରତି ଅଭିମାନ କରି ଶ୍ରୀମନ୍ଦିର ଯାଇ ଦର୍ଶନ କରୁ ନଥିଲା। ହେଲେ ମହାପ୍ରଭୁ ଏପରି ଅଭିମାନୀ ଭକ୍ତର ମାନ ରଖି ତାକୁ ଦର୍ଶନ ଦେଇଛନ୍ତି। ନୀଳି ଯେପରି ରଥାରୁଢ଼ ଅବସ୍ଥାରେ ତାଙ୍କ ଦର୍ଶନ କରିବ, ସେ ବ୍ୟବସ୍ଥା ସ୍ବୟଂ ଶ୍ରୀଜଗନ୍ନାଥ କରିଦେଇଥିଲେ।
କରମାବାଈର ଖେଚୁଡ଼ି ପ୍ରିୟ କାଳିଆ ସାଆନ୍ତ
ସପ୍ତଦଶ ଶତାବ୍ଦୀରେ ମହାରାଷ୍ଟ୍ରର ପଣ୍ଡରପୁରରୁ ଏକ ଯାତ୍ରୀଦଳରେ ଗୁରୁ ଇନ୍ଦ୍ରସ୍ବାମୀଙ୍କ ସହିତ ଶ୍ରୀକ୍ଷେତ୍ର ଆସିଥିବା କରମାବାଈ ଆଉ ଘରକୁ ଫେରି ନଥିଲେ। ଜଗନ୍ନାଥଙ୍କୁ ସମର୍ପିତ କରମା ବଡ଼ଦାଣ୍ଡ ପାଖରେ ଛୋଟ କୁଡ଼ିଆରେ ରହି ଭଜନକୀର୍ତ୍ତନରେ ଦିନ କାଟିଲେ। ଜଗନ୍ନାଥଙ୍କୁ ନିଜ ପୁଅ ଭାବି ସବୁଦିନ ସକାଳୁ ଉଠି ଅଗାଧୁଆ ନୂଆ ମାଟିହାଣ୍ଡିରେ ତାଙ୍କ ପାଇଁ ଖେଚୁଡ଼ି ରାନ୍ଧୁଥିଲେ। ଆଉ ବାଳଗୋପାଳରୂପୀ ମହାପ୍ରଭୁ ଖେଚୁଡ଼ି ଖାଇବା ପାଇଁ ନିତି ସକାଳୁ ସକାଳୁ ପହଞ୍ଚି ଯାଉଥିଲେ କରମାବାଈର କୁଡ଼ିଆରେ। ଗରମ ଥିବା ହେତୁ ଦାନ୍ତକାଠିରେ ଗୋଳାଇ ଖାଇବାକୁୁ ଦେଉଥିଲେ କରମା। ଇଏ ଥିଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ଭାବ-ବନ୍ଧନ।
କିଛିବର୍ଷ ପରେ କରମାବାଈଙ୍କ ଦେହାନ୍ତ ହେଲା। ରତ୍ନବେଦିରେ ମହାପ୍ରଭୁଙ୍କ ଚକ୍ଷୁ ଲୋତକପୂର୍ଣ୍ଣ! ମଣିମାଙ୍କ ଆଖିରେ ଲୁହଧାର ଦେଖି ଗଜପତି ଓ ପଣ୍ଡାପଢ଼ିହାରୀ ଚିନ୍ତିତ ହୋଇ କାରଣ ଜିଜ୍ଞାସା କଲେ। ସେଥି ଉତ୍ତାରୁ ମହାପ୍ରଭୁ ସ୍ବପ୍ନ ହୋଇ କହିଲେ, ‘‘ମୋ ମାଆ ଆଜି ମୋତେ ଛାଡ଼ି ଚାଲିଗଲା। ମୋତେ ଆଉ ଖେଚୁଡ଼ି ଖୁଆଇବ କିଏ? କିଏ ପୁଅ ବୋଲି କହି କୋଳରେ ଧରି ଗେଲ କରିବ?’’ ଏହାପରେ ଗଜପତି ବିନୀତ ହୋଇ କହିଲେ- ‘‘ପ୍ରଭୁ! କରମାବାଈଙ୍କ ଭଳି ସ୍ନେହ ତ ଆମର ନାହିଁ, କିନ୍ତୁ ଆଜିଠୁ ତାଙ୍କ ନାମରେ ପ୍ରତିଦିନ ଖେଚୁଡ଼ି ଅର୍ପଣ କରାଯିବ।’’ କିଂବଦନ୍ତି କହେ, ଅଦ୍ୟାବଧି ଷାଠିଏ ପଉଟି ଭୋଗ ଲାଗି ପୂର୍ବରୁ ଜଗନ୍ନାଥଙ୍କୁ ଖେଚୁଡ଼ି ଅର୍ପଣ କରି କୁହାଯାଏ- ‘କରମାବାଈ ଖେଚୁଡ଼ି ମଣୋହି କରନ୍ତୁ ପ୍ରଭୁ।’ ସେ ଖେଚୁଡ଼ି ବଢ଼ାହେଉଥିବା ହାଣ୍ଡି ‘କରମାବାଈ ହାଣ୍ଡି’ ବା ‘ବାଈହାଣ୍ଡି’ ଭାବେ ପ୍ରସିଦ୍ଧ। ସେ ଖେଚୁଡ଼ି ‘କରମାବାଈ ଖେଚୁଡ଼ି’ ବା ‘ମହାଦେଈ ଖେଚୁଡ଼ି’ ଭାବେ ଖ୍ୟାତ ଏବଂ ଖେଚୁଡ଼ି ରନ୍ଧାଯାଉଥିବା ଚୂଲି ହେଉଛି ‘ମହାଦେଈ ଚୂଲି’।
ଉତ୍ସ- ଶ୍ରୀଭକ୍ତ ଚରିତାମୃତ, ପ୍ରଥମ ଖଣ୍ଡ
ଜଗନ୍ନାଥଙ୍କ ପାଇଁ ରେଜିଆ ବାଇ
ରେଜିଆ ଖାଁ ମୁସଲମାନ୍ ହେଲେ ବି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ଥିଲା ଅଟଳ। ଶ୍ରୀକ୍ଷେତ୍ର ଉପରେ ଅତର୍କିତ ଆକ୍ରମଣ କରି ଗଜପତି ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ନେବା ସହିତ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ କବଳିତ କରିବାକୁ ପ୍ରାଣପଣେ ଚେଷ୍ଟା କରିଛି ମୋଗଲ ନାଏବ୍ ନଜିମ୍ ତକି ଖାଁ। ସେବକମାନେ କିନ୍ତୁ ଜଗନ୍ନାଥଙ୍କୁ ଗୁପ୍ତରେ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଜଗନ୍ନାଥଙ୍କୁ ନପାଇ ଭଉଣୀ ରେଜିଆ ଦ୍ବାରା ପ୍ରେମଜାଲ ବିଛାଇ ରାଜା ଓ ସମଗ୍ର ପୁରୀକୁ ହାସଲ କରିବାକୁ ଯୋଜନା କଲା ତକି ଖାଁ। ଅର୍ଥାତ୍ ପ୍ରେମ ଆଳରେ କୂଟନୀତି କରି ସନ୍ଧି କରିବାକୁ ଚାହିଁଲା ସେ। ଅସଲରେ ରେଜିଆ ଥିଲେ ଭାଇ ତକି ଖାଁର ସଂପୂର୍ଣ୍ଣ ବିପରୀତ। ମା’ଙ୍କ ପ୍ରଭାବ ପଡ଼ିଥିଲା ତାଙ୍କ ଉପରେ। ମାଆ କାଞ୍ଚନ ଥିଲେ ମୁର୍ସିଦାବାଦୀ ହିନ୍ଦୁ ଓ ଜଗନ୍ନାଥ ଭକ୍ତ। ରାଜା ବନ୍ଦୀଶାଳାରେ ଥିବା ବେଳେ େରଜିଆ ତାଙ୍କୁ ଭେଟି ପ୍ରୀତି ନିବେଦନ କରନ୍ତି ଏବଂ ଜଗନ୍ନାଥଙ୍କ ପ୍ରତି ଭଲପାଇବାର ପରିପ୍ରକାଶ କରନ୍ତି। ରାଜାଙ୍କ ଦାସୀ ହୋଇ ରହିବାକୁ ଅନୁରୋଧ କରନ୍ତି। ଶେଷରେ ଶ୍ରୀମନ୍ଦିରକୁ ବଞ୍ଚାଇବା ଲାଗି ଏବଂ ମହାପ୍ରଭୁଙ୍କୁ ମନ୍ଦିରକୁ ଫେରାଇ ଆଣିବା ଲାଗି ଅନ୍ୟ ଉପାୟ ନପାଇ ସନ୍ଧିରେ ସମ୍ମତ ହୁଅନ୍ତି ରାମଚନ୍ଦ୍ର ଦେବ। ରେଜିଆଙ୍କୁ ରାଜା ବେଗମ୍ ଭାବେ ସ୍ବୀକାର କରନ୍ତି ଏବଂ ତାଙ୍କର ଧର୍ମ ପରିବର୍ତ୍ତନ ହୁଏ। ଶେଷରେ ବେଗମ୍ ରେଜିଆଙ୍କ ସହାୟତାରେ ରାଜା ତକି ଖାଁର ସେନାକୁ ପରାସ୍ତ କରି ଶ୍ରୀକ୍ଷେତ୍ରକୁ ମୁକ୍ତ କରନ୍ତି ଓ ଶ୍ରୀଜଗନ୍ନାଥଙ୍କୁ ମନ୍ଦିରକୁ ଫେରାଇ ଆଣନ୍ତି।
ଧର୍ମ ପରିବର୍ତ୍ତନ କରି ରାମଚନ୍ଦ୍ର ଦେବ ହାଫିଜ୍ ଖାଁ ହେଲେ ବୋଲି ଘୋଷଣା କରାଯିବାରୁ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ହେଲା। କିନ୍ତୁ ରାଜା କେବେ ବି ଏହି ନାଁ ରେ ପରିଚିତ ହେବାକୁ ଚାହିଁଲେ ନାହିଁ କି ରେଜିଆଙ୍କୁ ମୁସଲମାନ୍ ଭାବେ ଗ୍ରହଣ କଲେନାହିଁ। ରାଜାଙ୍କ ଯୁକ୍ତି ଥିଲା, ଜଣେ ହିନ୍ଦୁ ଯଦି ଯବନକୁ ବିବାହ ପରେ ମୁସଲମାନ୍ ପାଲଟୁଛି, ତେବେ ରେଜିଆ ମୁସଲମାନ ରହିବେ କେମିତି? ଏଣୁ ରାଜଗୁରୁ ଓ ପଣ୍ଡିତମାନଙ୍କ ସହ ଆଲୋଚନା କରି ରେଜିଆଙ୍କ ନାଁ ମହାରାଣୀ ସୂର୍ଯ୍ୟମଣି ଦେବୀ ରଖିଲେ ରାମଚନ୍ଦ୍ର ଦେବ।
ଉତ୍ସ- ଜଗନ୍ନାଥ ରାଷ୍ଟ୍ରନୀତିର ନାଭିବ୍ରହ୍ମ, ହରିହର ପଣ୍ଡା