ତିରୁବନନ୍ତପୁରମ: ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି କରୋନା। ଗତ ୨ବର୍ଷ ହେଲାଣି କରୋନା ମହାମାରୀ ଲୋକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି। ଅନେକ ଚାକିରି ହରାଇବା ସହ କିଛି ଲୋକେ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନେଇଛନ୍ତି। ଏବେ କେରଳରେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳିଛି। କରୋନା ପାଇଁ ବ୍ୟବସାୟ ମାନ୍ଦା ହେବା ପରେ କେଜିକୁ ୪୫ଟଙ୍କାରେ ବସ୍ ବିକ୍ରି କରିଛନ୍ତି ବସ୍ ମାଲିକ।
ସୂଚନା ମୁତାବକ, କୋଭିଡ-୧୯ ମହାମାରୀର ଦୁଇ ବର୍ଷ ପରେ କଣ୍ଟ୍ରାକ୍ଟ କ୍ୟାରେଜ୍ ଅପରେଟର୍ସ ଆସୋସିଏସନ (ସିସିଓଏ) ଅବସ୍ଥା ଏବେ ଶୋଚନୀୟ ହେବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଯାତାୟତ ଉପରେ କଟକଣା ଲାଗିବାରୁ ଏବେ ବସ ମାଲିକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଦୁଇ ବର୍ଷ ଧରି କ୍ଷତିରେ ଚାଲୁଥିବାରୁ କୋଚିରେ ଜଣେ ବସ୍ ମାଲିକ ତାଙ୍କ ବସକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। କୋଚିର ବସ ମାଲିକ ନିଜର ୨୦ଟି ବସ ମଧ୍ୟରୁ ୧୦ଟି ବିଳାସପୂର୍ଣ୍ଣ ବସ୍ ବିକ୍ରି କରିଛନ୍ତି। ହଜାର କିଛି ଲକ୍ଷ ଟଙ୍କାରେ ନୁହେଁ ବରଂ କେଜିକୁ ୪୫ଟଙ୍କାରେ ସେ ବସ୍ ବିକ୍ରି କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରତିଟି ବସକୁ ୫୦ଲକ୍ଷରୁ ଅଧିକ ଟଙ୍କା ଦେଇ କିଣିଥିବା ରାସନ ଜୋସେଫ୍ ଦୁଇ ବର୍ଷ ମଧ୍ୟରେ ୧୦ଟି ବସ୍ ବିକ୍ରି କରିସାରିଲେଣି।
ରାୟସନ ଜୋସେଫ କହିଛନ୍ତି, ଜିନିଷ ପ୍ରକୃତରେ କଷ୍ଟସାଧ୍ୟ ହୋଇପଡିଛି। ମୁଁ ଏବଂ ମୋ ପରିବାର ମହାମାରୀ ପରିସ୍ଥିତିର ସାମ୍ନା କରିପାରୁ ନାହୁଁ। ମୋର ସମସ୍ତ ବସ୍ ଉପରେ ୪୪ ହଜାର ଟଙ୍କା ଟ୍ୟାକ୍ସ ଏବଂ ପ୍ରାୟ ୮୮ହଜାର ଟଙ୍କାର ବୀମା ରହିଛି, ଯାହାକୁ ମୋତେ ଦେବାକୁ ପଡିବ। ସେଥିପାଇଁ ମୋତେ ବାଧ୍ୟ ବସ ବିକ୍ରି କରିବାକୁ ପଡ଼ୁଛି।