ବିଶ୍ବର ବିଭିନ୍ନ ଦେଶରେ ଏମିତି କେତେକ ପ୍ରାକୃତିକ ପୁଷ୍କରିଣୀ ଓ କୃତ୍ରିମ ସନ୍ତରଣାଗାର ରହିଛି, ଯାହାର ସୌନ୍ଦର୍ଯ୍ୟ ସନ୍ତରଣପ୍ରିୟ ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରେ। କିନ୍ତୁ ସନ୍ତରଣର ଆନନ୍ଦ ସହ ଏଠାରେ ପାଦେ ପାଦେ ବିପଦ ଥାଏ। ସାମାନ୍ୟ ଅସାବଧାନତା ପ୍ରାଣନାଶକ ହୋଇପାରେ।
ୱାଇ ୪୦: ଦି ଡିପ୍ ଜଏ
ଇଟାଲିରେ ଥିବା ୧୩୦ ଫୁଟ୍ ଗଭୀର ‘ୱାଇ ୪୦: ଦି ଡିପ୍ ଜଏ’ ହେଉଛି ବିଶ୍ବର ଗଭୀରତମ ସନ୍ତରଣାଗାର। ୧୪ ତାଲା ଅଟ୍ଟାଳିକା ଉଚ୍ଚର ଗଭୀର ଏହି ପୁଷ୍କରିଣୀରେ ଥିବା ଜଳର ପରିମାଣ ହେଉଛି ୧୫୨ ଘନଫୁଟ୍। ଏ ପୁଷ୍କରିଣୀର ଅଥଳ ଜଳରେ ରହିଛି ଗୁହା, ହୁଡ଼ା ଓ ଜଳକ୍ରୀଡ଼ା ଦେଖିବା ନିମନ୍ତେ ଦର୍ଶକମାନଙ୍କ ପାଇଁ ଗୋଟାଏ ସୁଡ଼ଙ୍ଗ। ଏଥିରେ ବୁଡ଼ିବା ବିପଜ୍ଜନକ ହୋଇଥିବାରୁ ବୁଡ଼ାଳି-ସନ୍ତରଣକାରୀଙ୍କୁ ରାଜିନାମା ପତ୍ରରେ ସ୍ବାକ୍ଷର କରିବାକୁ ପଡ଼େ।
ସାନ୍ ଆଲ୍ଫୋନ୍ସୋ ଡେଲ୍ ମାର୍
ଚିଲିରେ ଥିବା ସାନ୍ ଆଲ୍ଫୋନ୍ସୋ ଡେଲ୍ ମାର୍ ବିଶ୍ବର ବୃହତ୍ତମ ପୁଷ୍କରିଣୀ ଭାବେ ପରିଗଣିତ। ୨୦ ଏକର ପରିବ୍ୟାପ୍ତ ଓ ୧୧୫ ଫୁଟ୍ ଗଭୀରତାବିଶିଷ୍ଟ ଏହି ପ୍ରକାଣ୍ଡ ପୁଷ୍କରିଣୀରେ ଥିବା ଜଳର ପରିମାଣ ହେଉଛି ୬୬ ନିୟୁତ ଗ୍ୟାଲନ୍। ଏଥିରେ ଜଳକ୍ରୀଡ଼ା ଲାଗି ନିରନ୍ତର ସମୁଦ୍ରରୁ ଜଳ ବିଶୋଧନ କରି ଅଣାଯାଏ। ଏଥିପାଇଁ ବର୍ଷକୁ ଖର୍ଚ୍ଚ ହୁଏ ପ୍ରାୟ ୩ ନିୟୁତ ଡଲାର୍। ମାତ୍ର, କାହାରିକୁ ଏଥିରେ ସନ୍ତରଣ କରିବାକୁ ଅନୁମତି ମିଳେନାହିଁ। ଏ ସନ୍ତରଣ ପୁଷ୍କରିଣୀ ଖୋଲିବାର କିଛି ସମୟ ମଧ୍ୟରେ ଜଣେ ବାଳକ ବୁଡ଼ି ମରିଯିବାରୁ ଏପରି ନିଷେଧାଜ୍ଞା ଜାରି ହୋଇଛି ବୋଲି ଜନଶ୍ରୁତି ରହିଛି।
ଦି ବ୍ଲଡ୍ ରେଡ୍ ପୁଲ୍
ଥାଇଲାଣ୍ଡ୍ର ଲାଇବ୍ରେରି ରିସର୍ଟ ସନ୍ତରଣାଗାର ସନ୍ତରଣକାରୀକୁ ବିଭ୍ରାନ୍ତ କରିପକାଏ। କୋହ୍ ସାମୁଇଜ୍ ସାୱେଙ୍ଗ୍ ବିଚ୍ରେ ଅବସ୍ଥିତ ଏହି ରିସର୍ଟ ପୁଲ୍ର ଜଳ ରକ୍ତ ସଦୃଶ ଲାଲ୍ ଦେଖାଯାଏ। ଲାଲ୍ ରଙ୍ଗର ଟାଇଲ୍ ଲଗାଯାଇ ଥିବାରୁ ଏଥିରେ ପାଣି ମଧ୍ୟ ଲାଲ୍ ଦିଶେ। ଏଥିରେ ସନ୍ତରଣ କରିବା ବେଳେ ସନ୍ତରଣକାରୀ ପୁଷ୍କରିଣୀର ଶଯ୍ୟା ଦେଖିପାରୁ ନ ଥିବାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ଆଶଙ୍କା ଥାଏ।
ମୃତ୍ୟୁ ପୁଷ୍କରିଣୀ
ଆକର୍ଷଣୀୟ ସନ୍ତରଣାଗାର ଲାଗି ହାୱାଇର ସୁଖ୍ୟାତି ରହିଛି। କିନ୍ତୁ, ସେଠାକାର ମୃତ୍ୟୁ ପୁଷ୍କରିଣୀ ହେଉଛି ସବୁଠୁ ବିପଜ୍ଜନକ। କାୱାଇ ଦ୍ବୀପରେ ଅବସ୍ଥିତ ଏହି ଉପସାଗର-ପୁଷ୍କରିଣୀ ଆଗ୍ନେୟଗିରିରୁ ଉଦ୍ଗୀରିତ ଶିଳାଖୋଲରେ ସୃଷ୍ଟ। ଏଥିରେ ପାଣି ଏତେ ସ୍ବଚ୍ଛ ଯେ, ସନ୍ତରଣକାରୀଙ୍କୁ ଏହାର ଶଯ୍ୟା ଦେଖାଯାଏ। କିନ୍ତୁ, ଏହି ଉପସାଗରର ଶିଳା ପ୍ରାଚୀରରେ ହଠାତ୍ ଉତ୍ତାଳ ସମୁଦ୍ରର ଭୀଷଣ ଲହଡ଼ି ପିଟି ହେଲେ ଏହା ବିପଜ୍ଜନକ ହୋଇଯାଏ। ଢେଉରେ ବୁଡ଼ିଯାଇ ଅଥବା ଶିଳାରେ ପ୍ରଚଣ୍ଡ ଧକ୍କା ଖାଇ ବହୁ ସନ୍ତରଣକାରୀ ପ୍ରାଣ ହରାନ୍ତି। ବହୁ ସନ୍ତରଣକାରୀଙ୍କ ମୃତ୍ୟୁ ସତ୍ତ୍ବେ ନୈସର୍ଗିକ ପରିବେଷ୍ଟନୀ ଲାଗି ଏହାର ଲୋକପ୍ରିୟତା ଅକ୍ଷୁଣ୍ଣ ଅଛି।
/sambad/media/post_attachments/wp-content/uploads/2024/08/sfhsffhfh-1.jpg)
ସୁଗଭୀର ନେମୋ ୩୩
ବେଲ୍ଜିଅମ୍ର ସୁଗଭୀର ପୁଷ୍କରିଣୀ ନେମୋ ୩୩ରେ ଥିବା ଜଳର ପରିମାଣ ହେଉଛି ୬୬୦,୦୦୦ ଗ୍ୟାଲନ୍। ୧୧୩ ଫୁଟ୍ ଗଭୀର ଏହି ପୁଷ୍କରିଣୀରେ ପହଁରି ବୁଡ଼ାଳିମାନେ ଗୁହା ଆଦି ଦେଖିପାରିବେ। କିନ୍ତୁ, ବିପଦସଙ୍କୁଳ ହୋଇଥିବାରୁ ଏଥିରେ ସନ୍ତରଣ ସକାେଶ କିଛି କଟକଣା ଜାରି କରାଯାଇଛି। ଯେମିତି, ୧୨ ବର୍ଷରୁ କମ୍ ବୟସ୍କଙ୍କୁ ବୁଡ଼ିବାକୁ ଅନୁମତି ନାହିଁ, ବୁଡ଼ାଳିମାନେ ପାଇଁ ସବୁବେେଳ ଜଣେ ପ୍ରଶିକ୍ଷକଙ୍କୁ ସାଥିରେ ନେଇ ବୁଡ଼ିବେ ଇତ୍ୟାଦି ଇତ୍ୟାଦି।
ମରିନା ବେ ସ୍ୟାଣ୍ଡ୍ସ୍
ସିଙ୍ଗାପୁରସ୍ଥିତ ମରିନା ବେ ସ୍ୟାଣ୍ଡ୍ସ୍ ହେଟେଲ୍ରେ ଅନେକ ବିସ୍ମୟ ଉଦ୍ରେକକାରୀ ସନ୍ତରଣାଗାର ରହିଛି। ତନ୍ମଧ୍ୟରୁ ୧,୧୧୫ ଫୁଟ୍ ଉଚ୍ଚରେ ଅବସ୍ଥିତ ଇନ୍ଫିନିଟି ପୁଲ୍ ବିଶ୍ବର ଉଚ୍ଚତମ ସନ୍ତରଣାଗାର। ଏଥିରେ ଥାଇ ସନ୍ତରଣକାରୀମାନେ ସିଙ୍ଗାପୁର ସହରର ଦୃଶ୍ୟ ଦେଖିପାରିବେ। କିନ୍ତୁ, ଉଚ୍ଚତା ହେତୁ ଏ ପୁଷ୍କରିଣୀ ସନ୍ତରଣକାରୀଙ୍କୁ ଭୟଭୀତ କରିପକାଏ। ଏହାଛଡ଼ା ପହଁରୁଥିବା ବେଳେ ହଠାତ୍ ଝଡ଼ବତାସ ହେଲେ ବିନା ସହାୟତାରେ ସେଥିରୁ ବାହାରିବା ଏକ ପ୍ରକାର ଅସମ୍ଭବ।
ଦାନବ ପୁଷ୍କରିଣୀ
ପ୍ରକୃତି ଦ୍ବାରା ସୃଷ୍ଟ ଦୁନିଆର ସବୁଠୁ ବିପଜ୍ଜନକ ପୁଷ୍କରିଣୀରୁ ଗୋଟିଏ ହେଉଛି ଜାମ୍ବିଆସ୍ଥିତ ଭିକ୍ଟୋରିଆ ପ୍ରପାତ ଧାରରେ ଅବସ୍ଥିତ ଦାନବ ପୁଷ୍କରିଣୀ। ୩୫୫ ଫୁଟ୍ ଉଚ୍ଚ ଜଳପ୍ରପାତରେ ଥିଲେ ବି ଏହି ପୁଷ୍କରିଣୀ ଚଉହଦି ଥିବା ଶିଳା ବନ୍ଧ ଯୋଗୁଁ ସନ୍ତରଣକାରୀମାନେ ଜଳସ୍ରୋତରେ ଭାସି ପ୍ରପାତକୁ ଖସିପଡ଼ନ୍ତି ନାହିଁ। କିନ୍ତୁ, ଏଥିରେ ପହଁରିଲେ ବିପଦ ଆଶଙ୍କାକୁ ଏଡ଼ାଯାଇ ନ ପାରେ। କେଉଁ ମୁହୂର୍ତ୍ତରେ ଅନ୍ତଃଜଳସ୍ରୋତ ଯେ ସନ୍ତରଣକାରୀଙ୍କୁ ଟାଣି ନେଇ ଶିଳାବନ୍ଧ ଟପି ପ୍ରପାତକୁ ଭିଡ଼ିନେବ, ତାହା କହିହେବ ନାହିଁ। ଏମିତି ଅନେକ ସନ୍ତରଣକାରୀଙ୍କର ମୃତ୍ୟୁ ଘଟିଥିଲେ ବି ଲୋକେ ସେଠାକୁ ସନ୍ତରଣ କରିବାକୁ ଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/s-26.jpg)