ଭାରତୀୟ ପରିବେଶବିତ୍ ଚାମି ମୁର୍ମୁ ଗତ ୩୦ ବର୍ଷରେ ୩୦ ଲକ୍ଷରୁ ଅଧିକ ଗଛ ଲଗାଇବା ସହିତ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩୦,୦୦୦ ମହିଳାଙ୍କୁ ସଶକ୍ତ କରିଛନ୍ତି। ସେହି ମହିଳାମାନେ ଜଣେ ଜଣେ ଅଗ୍ରଣୀ ପରିବେଶ କର୍ମୀଭାବରେ ଛିଡ଼ା ହୋଇ ଝାଡ଼ଖଣ୍ଡର ୫୦୦ ଗାଁ ଗଣ୍ଡାରେ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ ଓ ସଂରକ୍ଷଣ କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଚାମି ମୁର୍ମୁଙ୍କ ଏଭଳି ବିରଳ କାର୍ଯ୍ୟ ପାଇଁ ତାଙ୍କୁ ୨୦୨୪ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ଆଦିବାସୀବହୁଳ ରାଜ୍ୟରେ ପଦ୍ମଶ୍ରୀ ଚାମି ମୁର୍ମୁଙ୍କୁ ପ୍ରକୃତ ଆଦିବାସୀ ପରିବେଶ ଯୋଦ୍ଧା ଭାବରେ ମାନ୍ୟତା ଓ ସମ୍ମାନ ଦିଆଯାଇ ତାଙ୍କୁ ଲେଡି ଟାର୍ଜନ୍ ନାମରେ ନାମିତ କରାଯାଇଛି। ତାଙ୍କର ଜୀବନଯାତ୍ରାର କାହାଣୀଟି ଅତ୍ୟନ୍ତ ଯନ୍ତ୍ରଣାଭରା ସଂଘର୍ଷପୂର୍ଣ୍ଣ, ଦୁଃସାହସିକ ଓ ଚିତ୍ତାକର୍ଷକ ଅଟେ। ଆଜି ସବୁଆଡ଼େ କେବଳ ଏହି ଚର୍ଚ୍ଚା, ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଝିଅ କିପରି ଏତେବଡ଼ ସଫଳତା ହାସଲ କରି ସମଗ୍ର ଜାତିର ଆଖି ଖୋଲିବାକୁ ସକ୍ଷମ ହୋଇପାରିଲା?
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ଓଡ଼ିଶା ଭଳି ଆଦିବାସୀବହୁଳ ରାଜ୍ୟରେ ପଦ୍ମଶ୍ରୀ ଚାମି ମୁର୍ମୁଙ୍କୁ ପ୍ରକୃତ ଆଦିବାସୀ ପରିବେଶ ଯୋଦ୍ଧା ଭାବେ ମାନ୍ୟତା ଦିଆଯାଇ ତାଙ୍କୁ ‘ଲେଡି ଟାର୍ଜନ୍’ ନାମରେ ନାମିତ କରାଯାଇଛି
୨୦୦୦ ମସିହାରେ ପଦ୍ମଶ୍ରୀ ଚାମି ମୁର୍ମୁ ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷମିତ୍ର ପୁରସ୍କାର ପାଇଥିଲେ। ଚାମି ୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ନାରୀଶକ୍ତି ପୁରସ୍କାର ଗ୍ରହଣ କରିଥିଲେ। ପଦ୍ମଶ୍ରୀ ଚାମି ମୁର୍ମୁ (୫୨) ବାଲ୍ୟ ବୟସରୁ ବାପା ଓ ବଡ଼ଭାଇଙ୍କୁ ହରାଇବା ପରେ ପରିବାରର ଭରଣପୋଷଣ ପାଇଁ ମୂଲ ଲାଗିବାକୁ ବାହାରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଚାମି ମାତ୍ର ୧୬ ବର୍ଷ ବୟସରେ ନିଜ ଗାଁ ଜଙ୍ଗଲ ବିଭାଗ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟରେ ଦିନ ମଜୁରିଆ ଭାବେ ପ୍ରଥମେ କାମ କରୁଥିଲେ। ୧୯୮୯ ମସିହାରେ ନିଜ ପଞ୍ଚାୟତ ଜଙ୍ଗଲ ସୁରକ୍ଷା ଓ ପରିବେଶ ସଚେତନ ସଭାରେ ଯୋଗ ଦେବାକୁ ଚାମି ଯାଇଥିଲେ। ସେଠାରେ ପୁରୁଷମାନେ ମହିଳାଙ୍କୁ ଆକ୍ରମଣ କରି ବିତାଡ଼ିତ କରିଦେଇଥିଲେ। ଏହାପରେ ଚାମି ନିଜ ଗାଁ ବଗରାଇସାଇ (ସଢ଼େଇକଳା-ଖରସୁଆଁ)ର ମହିଳାମାନଙ୍କୁ ଏକାଠି କରି ନିଜ ଘରପାଖ ପଡ଼ିଆରେ ଗଛ ଲଗାଇବା ଆରମ୍ଭ କଲେ। ତାଙ୍କ କାର୍ଯ୍ୟରେ ଖୁସି ହୋଇ ଓ ବିଶ୍ୱାସ ରଖି ସ୍ଥାନୀୟ ଜଙ୍ଗଲ ବିଭାଗ ତାଙ୍କୁ ୧ ଲକ୍ଷ ଚାରା ଉତ୍ପାଦନ ସହିତ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଥିଲା। ଚାମି ଏଥିରେ ସଫଳ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରଠାରୁ ଚାମି ପଛକୁ ଫେରି ଚାହିଁ ନଥିଲେ। ନିଜ ପ୍ରଚେଷ୍ଟାରେ ସେ ସହଯୋଗୀ ମହିଳା ନାମକ ଏକ ଅନୁଷ୍ଠାନ ଗଠନ କରି ସହଭାଗିତା ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ପଦ୍ମଶ୍ରୀ ଚାମି ମୁର୍ମୁ ବର୍ତ୍ତମାନ ନେଚର୍ କେୟାର୍ ଅନୁଷ୍ଠାନ ସହିତ ମିଶି ସୁନ୍ଦରବନ ଓ ଭିତରକନିକା ଲୁଣା ଜଙ୍ଗଲ ଅଞ୍ଚଳରେ ରହିଥିବା ବିଦ୍ୟାଳୟରେ ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ଲୁଣାଜଙ୍ଗଲରେ ବୃକ୍ଷ ସଂରକ୍ଷଣ ଦିଗରେ ଜୋରଦାର ପ୍ରୟାସ ଚଳାଉଛନ୍ତି।
ଗଛ ଲଗାଇବାକୁ କାହିଁକି ଅନୁପ୍ରାଣିତ ହେଲେ ବୋଲି ପ୍ରଶ୍ନରେ ପଦ୍ମଶ୍ରୀ ଚାମି ମୁର୍ମୁ ଅତ୍ୟନ୍ତ ଆବେଗଭରା କଣ୍ଠରେ କହନ୍ତି, “ମୁଁ ୧୬ ବର୍ଷରେ ଜଙ୍ଗଲ ବିଭାଗରେ ମୂଲ ଲାଗିବାକୁ ଯାଇ ଗଛ ଲଗାଇବା ଆରମ୍ଭ କଲି। ଯେତେବେଳେ ମୁଁ ଥକିପଡ଼େ ନିକଟରେ ଥିବା ଗଛ ମୂଳରେ ବସିପଡ଼େ। ଏହା ମୋତେ ଅନେକ ଆନନ୍ଦ ଦିଏ। କାରଣ ମୁଁ ଭାବେ ମୁଁ ଲଗାଉଥିବା ଗଛତଳେ ଦିନେ ଅନ୍ୟଜଣେ ବସି ଥକା ମେଣ୍ଟାଇବ। ଆଦିବାସୀ ଲୋକ ଆମେ, ତେଣୁ ଜଙ୍ଗଲ ପ୍ରତି ଆମର ଅଧିକ ମାୟା ମମତା ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏକଦା ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (୨୦୧୮ ମସିହାରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ) ମୁଁ ରାଜନଗରରେ ଗଛ ଲଗାଇଥିବା କେତେକ ଜଙ୍ଗଲ ଓ ପଡ଼ିଆ ଜମିର କ୍ଷେତ୍ର ପରିଦର୍ଶନ କରିବାକୁ ଆସିଥିଲେ। ସେଦିନ ସେ ଅତ୍ୟନ୍ତ ଖୁସି ହୋଇ ମୋତେ କହିଲେ, ଚାମି ତମେ ପଦ୍ମଶ୍ରୀ ପୁରସ୍କାର ପାଇଁ ଆବେଦନ କର। ମୁଁ କିନ୍ତୁ ସେ ପୁରସ୍କାର ବାବଦରେ କିଛି ବି ଜାଣି ନଥିଲି। ପରେ ତାଙ୍କ କଥା ଭୁଲି ଯାଇଥିଲି।”