ଖେଳ ଖତମ୍! ଓସିଏ କର୍ମକର୍ତ୍ତା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଦିନକ ପୂର୍ବରୁ ଆଶୀର୍ବାଦ ଗିରଫ

କଟକ : ଗଲା ୮ ବର୍ଷ ଧରି ଚାଲିଥିବା ଛକାପଞ୍ଝା, ଆଶାଆଶଙ୍କାର ଆଜି ପରିସମାପ୍ତି ଘଟିଛି। ଜଣେ କ୍ରୀଡ଼ାବିତ୍, ସଫଳ କ୍ରୀଡା ସଂଗଠକ ତଥା ରାଜନେତା ଭାବେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଆଜି ଭୋର ସମୟରେ ତାଙ୍କ ବିଡାନାସୀ ବାସଭବନରୁ ଗିରଫ କରିଛି। ୪୦ ବର୍ଷରୁ ଅଧିକ ସମୟ ଧରି ସାଧାରଣ ସାମାଜିକ କ୍ଷେତ୍ରରେ ସଂପୃକ୍ତ ରହି ଆସିଥିବା ଆଶୀର୍ବାଦ ଜେଲ୍ ଯିବା ଘଟଣା ତାଙ୍କର ଅନେକ ସମର୍ଥକଙ୍କୁ ହତାଶ କରିଥିବା ବେଳେ ତାଙ୍କ ବିରୋଧୀମାନଙ୍କୁ ଉତ୍ସାହିତ କରିଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) କର୍ମକର୍ତ୍ତା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଠିକ ଦିନକ ପୂର୍ବରୁ ଆଶୀର୍ବାଦ ଗିରଫ ହେବା ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ତାଙ୍କ ପୁଅ ସଂଜୟ ବେହେରା ଓ ସମର୍ଥକମାନେ ଅଭିଯୋଗ କରୁଛନ୍ତି। କିନ୍ତୁ ରାଜ୍ୟର କ୍ରୀଡା ରାଜନୀତିରେ ଦୀର୍ଘ ଦିନ ଧରି ଶୀର୍ଷରେ ରହି ଆସିଥିବା ଆଶୀର୍ବାଦଙ୍କୁ ଝଟକା ପରେ ଝଟକା ଗଲା ପ୍ରାୟ ୮ ବର୍ଷ ହେବା ଲାଗି ଆସିଥିବା ବେଳେ ଆଜିର ଝଟକା କିନ୍ତୁ ତାଙ୍କୁ ଏକପ୍ରକାର ଧରାଶାୟୀ କରିଛି। କ୍ରୀଡା ରାଜନୀତିରେ ସତର୍କ ଗୋଟି ଚାଳନା କରି ପ୍ରତିପକ୍ଷଙ୍କୁ ବାଜିମାତ୍ ଦେଇ ଆସିଥିବା ଆଶୀର୍ବାଦଙ୍କ ଖେଳ ଏଥର ଶେଷ ହୋଇଗଲା କି… ଏ ଚର୍ଚ୍ଚା ଜୋର୍ ଧରିଛି।

ପ୍ରସ୍ତୁତି: ଦୀପ୍ତିରଂଜନ ସାମଲ

କାଉନସିଲର୍‌ରୁ ରାଜନୀତି

ଆଶୀର୍ବାଦ ବେହେରା କଟକ ମ୍ୟୁନିସପାଲିଟିର କାଉନସିଲରରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୭୮ରେ ସେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିବା ପରେ ୧୯୮୦ରେ କାଉନସିଲକୁ ଭାଙ୍ଗି ଦିଆଯାଇଥିଲା। ପରେ ସେ ୧୯୮୪ରେ କଟକ ସହର ଆସନରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭା‌େବ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ଜନତା ପାର୍ଟି ପ୍ରାର୍ଥୀ ମୁସ୍ତାଫିଜ ଅହମ୍ମଦଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ୧୯୮୫-୮୬ରେ ହୋଇଥିବା କଟକ ମ୍ୟୁନିସପାଲିଟି ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ କାଉନସିଲ ଗଠନ କରିଥିବା ବେଳେ ଆଶୀର୍ବାଦ ହୋଇଥିଲେ କଟକ ମ୍ୟୁନିସପାଲିଟିର ଅଧ୍ୟକ୍ଷ। ଅଧ୍ୟକ୍ଷ ଭାବେ ସେ ୫ ବର୍ଷ କାର୍ଯ୍ୟ କରିଥିଲେ। କିନ୍ତୁ ତା’ ପରଠାରୁ ସେ ଆଉ ନିର୍ବାଚନ ରାଜନୀତିରେ ସଫଳ ହୋଇପାରି ନଥିଲେ। କଂଗ୍ରେସରୁ ବାହାରି ଯାଇ ସେ ନିଜେ ଓଡ଼ିଶା କଂଗ୍ରେସ‌ ନାମରେ ରାଜନୈତିକ ଦଳ ଗଢିଥିଲେ। କିନ୍ତୁ ତାହା ବି ବେଶୀ ଦିନ ତିଷ୍ଠି ପାରି ନଥିଲା। ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇ କଟକ ସହରରେ ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ।

ଫାଇଲ ଫଟୋ

ଓସିଏ-ଏଟି ଗ୍ରୁପ୍‌ ସ˚ପର୍କ

୨୦୧୧ ଜାନୁଆରି ୧୭ ତାରିଖରେ ଏଟି ଗ୍ରୁପ୍‌ ଓ ଓସିଏ ମଧ୍ୟରେ ସ˚ପର୍କ ଆରମ୍ଭ ହୋଇଥିଲା। ଯଦିଓ ଏହା ଆଗରୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କରାଯାଇ ସବୁକିଛି ସ୍ଥିର ହୋଇଥିଲା, ତଥାପି ଉକ୍ତ ଦିନ ସାମ୍ବାଦିକ ସମ୍ମିଳନୀରେ ଏଟି ଗ୍ରୁପ୍‌ ସହ ଓସିଏ ହାତ ମିଳାଇବା କଥା ଘୋଷଣା ହୋଇଥିଲା। ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଖେଳାଳି ମାଇକେଲ ବେଭାନ୍‌ଙ୍କୁ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ କରାଯିବା ପାଇଁ ଘୋଷଣା କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ୨୦୧୧-୧୨ ବର୍ଷ ପାଇଁ ଏଟି ଗ୍ରୁପ୍‌, ଓଡ଼ିଶା ରଣଜୀ ଦଳ ଓ ମାଇକେଲ ବେଭାନ୍‌ଙ୍କ ଖର୍ଚ୍ଚ ବାବଦକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିଥିବା ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରା ଘୋଷଣା କରିଥିଲେ। ବେଭାନ୍‌ ୨୦୧୧ ଅକ୍ଟୋବରରୁ ୨୦୧୨ ଫେବ୍ରୁଆରି ପର୍ଯ୍ୟନ୍ତ ଓସିଏ ସହିତ ୩୫ହଜାର ଡଲାର (ପାଖାପାଖି ୧୬ ଲକ୍ଷ ଟଙ୍କା)ର ଚୁକ୍ତି କରିଥିଲେ। ଏହାବାଦ୍‌ ହୋଟେଲ୍‌ ରହଣି, ଦୈନନ୍ଦିନର ଖର୍ଚ୍ଚ, ଫ୍ଲାଇଟ୍‌ ଖର୍ଚ୍ଚ ଇତ୍ୟାଦି ଓସିଏ ବହନ କରିବ ବୋଲି କୁହାଯାଇଥିଲା। ସେତେବେଳେ ପ୍ରଶିକ୍ଷକଙ୍କ ପ୍ରଫେସନାଲ୍‌ ଫି, ସହଯୋଗୀ କର୍ମଚାରୀଙ୍କ ପିଛା ବର୍ଷକୁ ପାଖାପାଖି ୧କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ଦିଆଯାଇଥିଲା ଏବ˚ ବେଭାନ୍‌ଙ୍କ ଖର୍ଚ୍ଚ ବହନ କରିବା ପରେ ଖର୍ଚ୍ଚ ୨କୋଟି ପାର‌୍‌ ହୋଇଯିବ ବୋଲି କୁହାଯାଇଥିଲା।

କିନ୍ତୁ ଯେତେବେଳେ ସିବିଆଇ ଅର୍ଥତତ୍ତ୍ବ ଚିଟ୍‌ଫଣ୍ତ ଦୁର୍ନୀତିର ତଦନ୍ତ ଆରମ୍ଭ କରିଥିଲା, ସେତେବେଳେ ଓସିଏକୁ ମଧ୍ୟ ତଦନ୍ତ ପରିସରକୁ ଆଣାଯାଇଥିଲା। ଆଶୀର୍ବାଦଙ୍କ ସହିତ ଓସିଏର ଆଉ ତିନିଜଣ ଅଧିକାରୀଙ୍କୁ ସିବିଆଇ ବାରମ୍ବାର ଜେରା କରିଥିଲା। ତତ୍କାଳୀନ କୋଷାଧ୍ୟକ୍ଷ ସତ୍ୟ ମହାନ୍ତି ୨୦୧୪, ନଭେମ୍ବର ୧୮ ତାରିଖରେ ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମକୁ ଜଣାଇଥିଲେ ଯେ, ଏଟି ଗ୍ରୁପ୍‌ ସହିତ ପ୍ରାୟୋଜକ ବାବଦକୁ ୧କୋଟି ଟଙ୍କାର ଚୁକ୍ତି ହୋଇଥିଲା। ସେଥିମଧ୍ୟରୁ ଓଡ଼ିଶା ରଣଜୀ ଦଳ ଅଷ୍ଟ୍ରେଲିଆକୁ ଯାଇଥିବା ସମୟରେ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା ଏବ˚ ମାଇକେଲ୍‌ ବେଭାନ୍‌ଙ୍କ ପ୍ରଶିକ୍ଷକ ନିଯୁକ୍ତି ପାଇଁ ୫୭ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଓଡ଼ିଶା ଦଳର ଜର୍ସି ଓ ଲୋଗୋ ବ୍ୟବହାର ବାବଦକୁ ୩୦ଲକ୍ଷ ଟଙ୍କା ଓସିଏ ବ୍ୟୟ କରିଥିବା ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। କେବଳ ଏମାନେ ନୁହଁନ୍ତି ଆଶୀର୍ବାଦଙ୍କ ସାନ ପୁଅ ସ˚ଜୟ ବେହେରାଙ୍କୁ ମଧ୍ୟ ଏହି ଲିଙ୍କ୍‌ରେ ସିବିଆଇ ଜେରା କରିଥିଲା।

ସମ୍ବନ୍ଧିତ ଖବର