ଅଶୋକନଗର : ନାମୀ ଲଣ୍ଡ୍ରିରୁ ବ୍ରା‌ଣ୍ଡେଡ ଜୋତା

ରାଜଧାନୀର କିଛି ପୁରୁଣା ଲୋକଙ୍କ କହିବାନୁଯାୟୀ, ଭୁବନେଶ୍ବରରେ ରାଜଧାନୀ ପ୍ରତିଷ୍ଠା ହେଲା ବେଳକୁ ଏଠାକାର ଅଧିକାଂଶ ଲୋକ ଖାଲି ପାଦ‌େର ଚାଲୁଥିଲେ ନଚେତ୍‌ ସ୍ଲିପର୍ ପିନ୍ଧୁଥିଲେ। କେହି କେହି ତ କଠଉ ପିନ୍ଧୁଥିଲେ। ଯିଏ ଚମଡ଼ାର ଚପଲ କି ଜୋତା ପିିନ୍ଧୁଥିଲେ ସେମାନେ ମୋଚି ପାଖରେ ବରାଦ ଦେଇ ତିଆରି କରୁଥିଲେ। ନହେଲେ କଟକରୁ ଜୋତା କିଣି ପିନ୍ଧୁଥିଲେ।

ରାଜଧାନୀ ପ୍ରତିଷ୍ଠା ପରେ ସହରରେ ଚାକିରିଆ ଓ ବଡ଼ବାବୁମାନଙ୍କ ଭିଡ଼ ବଢ଼ିଲା। ସେମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଅଶୋକ ନଗରରେ ଏକ ଛୋଟ ଦୋକାନରେ ବାଟା ଚପଲ ବିକ୍ରି ଆରମ୍ଭ ହେଲା। ଯେଉଁ ଅଶୋକ ନଗର ଲଣ୍ଡ୍ରି ପାଇଁ ପ୍ରସିନ୍ଧ ଥିଲା, ଯେଉଁଠିକୁ ଲୋକ ମଇଳା ପୋଷାକ ନେଇକି ଯାଉଥିଲେ, ସେଠାରେ ଗୋଟିଏ ପରେ ଗୋଟିଏ ଚପଲ/ଜୋତା ସୋ’ରୁମ୍‌ ଖୋଲିଲା। ଏବେ ଚପଲ ଦେକାନା ମାଳମାଳ। ଏହି ଚପଲ ଦୋକାନ ଭିତରେ କିନ୍ତୁ ଲଣ୍ଡ୍ରି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବ୍ୟାଣ୍ଡବକ୍ସ ଏବଂ ଅଶୋକା ଲଣ୍ଡ୍ରି ସେମାନଙ୍କ ପରିଚୟ ହଜାଇ ଦେଲେଣି। ବାଟା ପରେ କୋହ୍ଲାପୁରୀ, ଗୁଡ୍‌ୱିଲ୍‌, ଆରି‌େଷ୍ଟାକାର୍ଟ, ଆଲ୍‌ଫା ଭଳି କେତୋଟି ହାତ ଗଣତି ଚପଲ ଦୋକାନରୁ ଆରମ୍ଭ ହୋଇଥିବା ଅଶୋକନଗର ଆଜି ବିଶାଳ ଜୋତା ବଜାରରେ ପରିଚିତ।

କାଳକ୍ରମେ ଏହି ସବୁ ଦୋକନର ସ୍ଥାନ ନେଇଗଲା ନୂଆ ବ୍ରାଣ୍ଡର ସୋ’ରୁମ୍‌। କେତେକ ବ୍ୟବସାୟସ୍ଥଳର ନାମ ହିଁ କେବଳ ପରିବର୍ତନ ହେଲା। ଆରିଷ୍ଟୋକାର୍ଟ ସ୍ଥାନରେ ଟ୍ରିନିଟ୍‌, ଆଲ୍‌ଫା ସ୍ଥାନରେ ମ୍ୟାଜିକ୍‌ କିଟ୍‌ସ, କରୋନା ସ୍ଥାନରେ ଖାଦିମ୍ସ, କୋହ୍ଲାପୁରୀ ସ୍ଥାନରେ କୋହ୍ଲାପୁରୀ ମାର୍ଟ ଭଳି ଜୋତା ସୋ ରୁମ୍‌ ସହ ପ୍ରାୟ ୫୦ ରୁ ଅଧିକ ଜୋତା ବ୍ୟବସାୟ କେନ୍ଦ୍ର ଅଶୋକ ନଗରକୁ ନୂଆ ପରିଚୟ ଦେଇଛି। ସବୁ ବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏଠାରେ ଚପଲ ଉପଲବ୍ଧ ହେଉଥିବାରୁ ଚପଲର ଆବଶ୍ୟକତା ପଡ଼ିବା ମାତ୍ରେ ଗାଡ଼ି ଯାଇ ଲାଗେ ଅଶୋକନଗରରେ।

ସମ୍ବନ୍ଧିତ ଖବର