କାହିଁକି ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବଦ୍ରିକା ଯିବାକୁ ଆଦେଶ ଦେଇଥିଲେ? କ’ଣ ଅଛି ଏ ବଦ୍ରିକାରେ ?

‘ସ୍କନ୍ଦପୁରାଣ’ରେ ବର୍ଣ୍ଣିତ ହୋଇଛି, “ନ ବିଷ୍ଣୁ ସଦୃଶୋ ଦେବୋ, ନ ବିଶାଳା ସମା ପୁରୀ / ନ ଭିକ୍ଷୁ ସଦୃଶଂ ପାତ୍ର ମୃଷିତୀର୍ଥ ସମ ନହି।” ଅର୍ଥାତ୍‌, ବିଷ୍ଣୁଙ୍କ ସଦୃଶ କୌଣସି ଦେବତା ନାହାନ୍ତି, ବିଶାଳା ପୁରୀ ସଦୃଶ କୌଣସି ସ୍ଥାନ ନାହିଁ, ସନ୍ନ୍ୟାସୀ ସଦୃଶ କୌଣସି ସେବାଯୋଗ୍ୟ ପାତ୍ର ନାହାନ୍ତି କି ଋଷିତୀର୍ଥ ସଦୃଶ କୌଣସି ତୀର୍ଥ ନାହିଁ।” ଯଦୁବଂଶ ଧ୍ୱଂସ ହେବାର ଅବ୍ୟବହିତ ପୂର୍ବରୁ ପୁଣ୍ୟାତ୍ମା ଉଦ୍ଧବଙ୍କୁ ଶ୍ରୀକୃଷ୍ଣ ନିର୍ଦ୍ଦେଶ ଦେଲେ, ଯେ ତୁମେ ବର୍ତ୍ତମାନ ଦ୍ୱାରକା ପରିତ୍ୟାଗ କରି ବଦ୍ରିକା ଆଶ୍ରମ ଯାଇ ସେଠାରେ ତପସ୍ୟା କର। ଏହା ଶୁଣି ଉଦ୍ଧବ ଅତ୍ୟନ୍ତ କାତର ହୋଇ ଶ୍ରୀକୃଷ୍ଣଙ୍କୁ କହିଲେ, “ଆଶ୍ରମ ନାମେ ବଦରିକା। / ସେ କି ତୋ ଚରଣୁ ଅଧିକା।”

ସତରେ, କ’ଣ ଅଛି ଏ ବଦରିକାରେ, ଯେଉଁଥିପାଇଁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବଦ୍ରିକା ଯିବାକୁ ଆଦେଶ ଦେଇଥିଲେ? ପୁରାଣର ବର୍ଣ୍ଣନା ଅନୁସାରେ, ଶ୍ରୀବୈକୁଣ୍ଠ, କୈବଲ୍ୟ ବୈକୁଣ୍ଠ, କାରଣାର୍ଣ୍ଣବ ବୈକୁଣ୍ଠ, ଶେଷଶାୟୀ ବୈକୁଣ୍ଠ, ଶ୍ୱେତଦ୍ୱୀପ ବୈକୁଣ୍ଠ, ପରମବ୍ୟୋମ ବୈକୁଣ୍ଠ, ଗର୍ଭୋଦକ ବୈକୁଣ୍ଠ ଓ କୈଳାସ ବୈକୁଣ୍ଠ- ଏହି ଅଷ୍ଟ ବୈକୁଣ୍ଠ ବିଷ୍ଣୁଙ୍କର ନିବାସ ସ୍ଥଳ। କିନ୍ତୁ ବଦ୍ରିକା ଏ ସମସ୍ତ ବୈକୁଣ୍ଠର ସମାହାର। ଏହା ଶ୍ରୀବିଷ୍ଣୁଙ୍କର ନିତ୍ୟ ନିବାସ।

ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର ବର୍ଣ୍ଣନା ମିଳେ। ଏକଦା ବିଷ୍ଣୁଙ୍କ ଉପରେ ଅଭିମାନ କରି ମହାଲକ୍ଷ୍ମୀ ବୈକୁଣ୍ଠ ପରିତ୍ୟାଗ କରି ନିଜ ପିତ୍ରାଳୟକୁ ଚାଲିଗଲେ। ଏଥିରେ ଦୁଃଖିତ ହୋଇ ଶ୍ରୀବିଷ୍ଣୁ ମଧ୍ୟ ଅଳକାନନ୍ଦା ତଟଦେଶରେ ଦୁଇ ପର୍ବତ ମଧ୍ୟରେ ଥିବା ହରପାର୍ବତୀଙ୍କର ବିହାର କାନନ ବିଶାଳାପୁରୀକୁ ଆସି ତପସ୍ୟା କରିବାକୁ ଲାଗିଲେ। କେତେ ଦିନ ପରେ ମା’ ଲକ୍ଷ୍ମୀଙ୍କର ଅଭିମାନ ତୁଟି ଯିବାରୁ ସେ ଫେରିଆସି ବୈକୁଣ୍ଠରେ ବିଷ୍ଣୁଙ୍କୁ ନପାଇ ଚତୁର୍ଦ୍ଦିଗ ଖୋଜି ବୁଲିଲେ। ଶେଷରେ ବିଷ୍ଣୁଙ୍କୁ ଖୋଜି ପାଇଲେ। ତପସ୍ୟାରତ ବିଷ୍ଣୁଙ୍କ ଶରୀର ସୂର୍ଯ୍ୟଙ୍କ ତାପ ଓ ତୁଷାରପାତରେ ସନ୍ତପ୍ତ ହେବା ଦେଖି ଦେବୀ ଲକ୍ଷ୍ମୀ ଏକ ବଦରୀ ବୃକ୍ଷରେ ପରିଣତ ହୋଇ ତାଙ୍କୁ ଛାୟା ପ୍ରଦାନ କରିବାକୁ ଲାଗିଲେ। ବିଷ୍ଣୁ ତପସ୍ୟାରୁ ଉଠି ଲକ୍ଷ୍ମୀଙ୍କର ତାଙ୍କ ପ୍ରତି ଥିବା ସେହି ଶ୍ରଦ୍ଧା ଓ ଭକ୍ତି ଦେଖି, ନିଜକୁ ବଦ୍ରୀନାଥ ଭାବରେ ନାମିତ କଲେ। ତାଙ୍କର ତପସ୍ୟା କ୍ଷେତ୍ର ହେଲା ବଦ୍ରିକା ଆଶ୍ରମ। ଶିବଙ୍କ ସହିତ ମୁନିଋଷିମାନେ ସେଠାକୁ ଆସି ତପସ୍ୟା କରିବାକୁ ଲାଗିଲେ।

ଏହାର ଅନ୍ୟ ନାମ ଋଷିତୀର୍ଥ। ସତ୍ୟଯୁଗରେ ଧର୍ମପୁତ୍ର ନରନାରାୟଣ ଏହି କ୍ଷେତ୍ରକୁ ଆସି ତପସ୍ୟା କରିଥିଲେ। ପର ଜନ୍ମରେ ସେମାନେ କୃଷ୍ଣ ଓ ଅର୍ଜୁନ ହୋଇ ଜନ୍ମ ନେଲେ। ଶ୍ରୀବିଷ୍ଣୁଙ୍କର ନିତ୍ୟ ନିବାସ ହେତୁ ଏହା ବୈକୁଣ୍ଠ ସମାନ। ଏଠାରେ ତପସ୍ୟା କରି ତପ୍ତକୁଣ୍ଡରେ ସ୍ନାନ କଲେ ପ୍ରାଣୀର ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ତେଣୁ ସର୍ବଦା କୃଷ୍ଣଙ୍କର ସାନ୍ନିଧ୍ୟ କାମନା କରୁଥିବା ଉଦ୍ଧବଙ୍କୁ ଚିର ସାନ୍ନିଧ୍ୟ ପ୍ରଦାନ ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ତାଙ୍କୁ ବଦରିକା ଯାଇ ତପସ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର