ବିଜୁଳି, ପାଣି ଏବଂ ଯାତାୟାତର ସୁବିଧା ନଥିବାରୁ ୨୦ବର୍ଷ ମଧ୍ୟରେ ଗାଁରେ ହୋଇଥିଲା ମାତ୍ର ୨ଟି ବିବାହ, ନିଜ ଚେଷ୍ଟା ବଳରେ ଗାଁର ନକ୍ସା ବଦଳାଇଲେ ୨୪ବର୍ଷୀୟ ଡ଼ାକ୍ତର

ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, “ଆପଣ ଦୁନିଆରେ ଯାହା ବି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ସେ ପରିବର୍ତ୍ତନର ବାହକ ନିଜେ ବନନ୍ତୁ” । ଯାହାକୁ ଅନୁସରଣ କରି ଏବେ ଗୋଟେ ଗାଁକୁ ବିକାଶ ପଥରେ ନେବାରେ ସଫଳ ହୋଇଛନ୍ତି ୨୪ବର୍ଷୀୟ ଡ଼ାକ୍ତର ଅଶ୍ୱିନୀ ପରାଶର । ରାଜସ୍ଥାନର ଜୟପୁରରେ ଥିବା ମେଡ଼ିକାଲ କଲେଜରେ ପାଠ ପଢ଼ି ଏବେ ଇଣ୍ଟନ୍‌ସିପ୍‌ କରୁଛନ୍ତି ଅଶ୍ୱିନୀ । ଯେତେବେଳେ ସେ ଡ଼ାକ୍ତରୀ ଛାତ୍ର ଥିଲେ ସେ ସମୟରେ ସେ ସାମାଜିକ କାର୍ଯ୍ୟକ୍ରମ ‘ସାର୍ଥକ ଦିବାଲୀ’ ପାଇଁ ରାଜଘାଟ ଗାଁକୁ ଯାଇଥିଲେ । ସେଠାକୁ ଯିବା ପରେ ସେ ଗାଁର ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦେଶ ଯାଇ କେଉଁଠି ପହଂଚି ଥିବା ବେଳେ ରାଜଘାଟ ଗାଁରେ ଲୋକମାନେ ବିଜୁଳି, ପାଣି ଏବଂ ସଡ଼କ ବିନା ରହୁଥିବା ଦେଖି ଅଶ୍ୱିନୀ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ ।

ଏ ସବୁ କାରଣ ପାଇଁ ଗାଁରେ ବିଗତ ୨୦ବର୍ଷରେ ମାତ୍ର ୨ଟି ବିବାହ ସମ୍ଭବ ହୋଇ ପାରିଥିଲା । କିନ୍ତୁ ଅନ୍ୟମାନଙ୍କ ଭଳି ଏ ଅବସ୍ଥା ଦେଖି ଭୁଲିଯିବା ପରିବର୍ତ୍ତେ, ସେ ପରିବର୍ତ୍ତନ କଥା ଚିନ୍ତା କରିଥିଲେ । ଯାହା ପାଇଁ ସେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଁଟି ରାଜସ୍ଥାନ-ମଧ୍ୟପ୍ରଦେଶ ସୀମାରେ ଥିବା ସହ ରାଷ୍ଟ୍ରୀୟ ଚମ୍ବଲ ଅଭୟାରଣ୍ୟ ଭିତରେ ପଡ଼ୁଥିବାରୁ ବନବିଭାଗ ଏଠାରେ କୌଣସି ପ୍ରକାରର ବିକାଶ କାର୍ଯ୍ୟ ପାଇଁ ଅନୁମତି ଦେଉ ନଥିବା କହି ଅଶ୍ୱିନଙ୍କୁ ଅଧିକାରୀମାନେ ଫେରାଇ ଦେଇଥିଲେ ।

thebetterindia.com

ଏହା ପରେ ପରେ ହାର ନ ମାନି ଅଶ୍ୱିନ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ‘ରାଜଘାଟ ବଚାଓ’ ଅଭିଯାନ ଆରମ୍ଭ କରିଥିଲେ । ଗାଁର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଚିଠି ଲେଖିଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇ ଅଶ୍ୱିନ ହାଇକୋର୍ଟରେ ଗାଁର ଅସୁବିଧା ବିଷୟରେ ଲେଖି ଏକ ପିଟିସନ ଦାୟର କରିଥିଲେ । ଯାହା ପରେ ହାଇକୋର୍ଟ ଗାଁର ସପକ୍ଷରେ ରାୟ ଶୁଣାଇଣିବା ସହ ଗାଁରେ ବିକାଶ କାମ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ । ଏବେ ଗାଁରେ ୩୯ଟି ପାଣି ଫିଲଟର ଲଗାଯାଇଥିବା ବେଳେ ସୋଲାର ପ୍ୟାନେଲ ଲଗାଯାଇ ଗାଁକୁ ବିଜୁଳି ସଂଯୋଗ କରାଯାଇଛି । ଗାଁରେ ଶୌଚାଳୟ କରାଯିବା ସହ ଏବେ ପ୍ରତି ଘରେ ପିଇବା ପାଣି ସହଜରେ ମିଳି ପାରୁଛି ।

ସମ୍ବନ୍ଧିତ ଖବର