ପ୍ରଗତି ସାହୁ
ଆମ ଓଡ଼ିଶାରେ ଦୁର୍ଗାପୂଜା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ଏକ ସାମାଜିକ ମହୋତ୍ସବ ମଧ୍ୟ। କାରଣ ଦୁର୍ଗାପୂଜା ସମୟରେ ପରିବାରର ସବୁ ସଦସ୍ୟ ଏକାଠି ହୁଅନ୍ତି। ଯେଉଁମାନେ ବାହାରେ ଚାକିରିବାକିରି କିମ୍ବା ବେପାରବଣିଜ କରୁଥାଆନ୍ତି, ସେମାନେ ଘରକୁ ଆସନ୍ତି। ପୁଣି ସଂପର୍କୀୟମାନେ ବି ବନ୍ଧୁଘର ବୁଲି ଆସନ୍ତି। ଗାଁରୁ ସହର ଯାଏ, ଘରଦ୍ବାର ଲୋକବାକରେ ପୂରିଉଠେ। ଆଉ ଏହି ପରିବେଶରେ ଗାଁ ବା ସାହିଯାକର ଲୋକଙ୍କୁ ଗୋଟିଏ ଛାତ ତଳେ ଏକାଠି କରେ- ଜନ୍ତାଳ। ଗ୍ରାମଦେବତା ବା ଦେବତୀଙ୍କ ପୀଠରେ ଆୟୋଜିତ ହେଉଥିବା ସାମୂହିକ ଭୋଜନକୁ କୁହାଯାଏ ଜନ୍ତାଳ। ଏହି େଭାଜିର ଆଉ ଏକ ବିଶେଷତ୍ବ ହେଲା, ପ୍ରତି ଘରୁ ଏଥିପାଇଁ ଭେଦା ଆଦାୟ ହୋଇଥାଏ। ସମସ୍ତଙ୍କ ଯୋଗଦାନରେ ଓ ଶ୍ରମଦାନରେ ଗାଁ ମନ୍ଦିର ପ୍ରାଙ୍ଗଣରେ ସାଧାରଣତଃ ଜନ୍ତାଳ ରନ୍ଧା ହୋଇଥାଏ। ଠାକୁରଙ୍କ ପାଖରେ ଅର୍ପଣ ହେବା ପରେ ପିଲାଠୁ ବୁଢ଼ାଯାଏ ସମସ୍ତେ ଗୋଟାଏ ପଙ୍ଗତରେ ବସି ମଜାମଉଜ କରି ଏହାକୁ ଖାଇଥାଆନ୍ତି। ତେବେ ଜନ୍ତାଳରେ ରନ୍ଧାଯାଏ କ’ଣ? କେଉଁ ଗାଁ’ରେ ଅରୁଆ, ଡାଲମା, ଖଟା ଓ ଖିରି ତ ଆଉ କେଉଁଠି ଖେଚୁଡ଼ି ସଙ୍ଗକୁ ମାଛ ବେସର। ପୁଣି କେଉଁଠାରେ ମାଂସ, ପୁରି, ଖିରି ଆଦି ରନ୍ଧାଯାଏ। ତେବେ ଜନ୍ତାଳ ଯେ କେବଳ ଆଶ୍ବିନ ମାସରେ ହୁଏ ତାହା ନୁହେଁ; ଚୈତ୍ର ମାସରେ ମଧ୍ୟ କେତେ ଗ୍ରାମରେ ଜନ୍ତାଳ ହେବାର ପରମ୍ପରା ରହିଛି।
ବଳକା ପରିବାରେ ହୁଏ କଙ୍କୁଆଣି ଭୋଜି
ସଂସ୍କୃତି ଗବେଷକ ତଥା ପ୍ରାବନ୍ଧିକ ବୈଷ୍ଣବଚରଣ ମହାନ୍ତି କହନ୍ତି, ‘‘ଜନ୍ତାଳର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଖୁବ୍ ପ୍ରେରଣାଦାୟୀ। ଏହା ଗଁା ଲୋକଙ୍କ ମଧ୍ୟରେ ଏକତ୍ୱବୋଧ, ସମାଜବୋଧ ଓ ଗୋଷ୍ଠୀଗତ ଜୀବନଯାପନ ଆବଶ୍ୟକତା ସମ୍ପର୍କରେ ସକାରାତ୍ମକ ଚେତନା ଉନ୍ମେଷ କରିଥାଏ। ଦଶହରା ସମୟରେ ଏହା ଧୁମ୍ଧାମ୍ରେ ପାଳନ କରାଯାଏ। ଗାଁରେ ପ୍ରତ୍ୟେକ ଘରେ ଯିଏ ଯାହା ପାରନ୍ତି ରୋଷେଇ ପାଇଁ ଦିଅନ୍ତି। ସେ ସବୁକୁ ଏକାଠି କରି ଘାଣ୍ଟ ପ୍ରସ୍ତୁତ କରାଯାଏ। ମାଛ ଓ ମାଂସ ମଧ୍ୟ ରନ୍ଧା ହୋଇଥାଏ। ସମସ୍ତେ ମିଶି ରାତିରେ ଏହାକୁ ଖାଇଥାନ୍ତି। ଜନ୍ତାଳ ଦିନ ବଳିପଡ଼ିଥିବା ପରିବାପତ୍ରକୁ ତା’ପରଦିନ ପୁଣି ରନ୍ଧାଯାଏ। ଏହାକୁ କଙ୍କୁଆଣି କୁହାଯାଏ।’’ ପଙ୍କ୍ତି ଭୋଜନ ସହ ବିଭିନ୍ନ ଲୋକଗୀତ, ଲୋକନୃତ୍ୟ, ଖେଳ ଓ ଭଜନ କୀର୍ତ୍ତନ ଆେୟାଜନ ଗାଁ’ରେ ଏକ ଅଦ୍ଭୁତ ସାଂସ୍କୃତିକ ବାତାବରଣ ସୃଷ୍ଟି କରିଥାଏ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏ ନେଇ ନିମାପଡ଼ାସ୍ଥିତ ବିଷ୍ଣୁପୁରର ନରେନ୍ଦ୍ର ପ୍ରସାଦ କହିଛନ୍ତି, ‘‘ଏଠାରେ ବହୁବର୍ଷ ହେବ ଜନ୍ତାଳ ପାଳନ କରାଯାଉଛି। କ୍ଷେତ୍ରପାଳି ମା’ଙ୍କ ପୀଠରେ ଆମ ଗାଁର ଜନ୍ତାଳ ଭୋଜି ହୋଇଥାଏ। ୩୨ଘର ବ୍ରାହ୍ମଣ ମିଶି କୋଠ ପଇସା ଏକତ୍ର କରି ଜନ୍ତାଳ ଆେୟାଜନ କରିଥାଉ। ପ୍ରାୟ ୨୦୦ରୁ ୩୦୦ ଲୋକ ମିଶି ମହାଆଡ଼ମ୍ବରରେ ଭୋଜିଭାତକରି ଖାଇଥାଉ। ଏହା ସହିତ ମୋଟିଆଁ ଗ୍ରାମର ନାରାୟଣୀ ଦୁର୍ଗା, ପିତାପଡ଼ାର ଅଙ୍ଗେଶ୍ୱର ମନ୍ଦିର ପରିସରରେ ଥିବା ଦୁର୍ଗା ମନ୍ଦିର, ଓଟରର ଜାଗେଶ୍ୱରୀ ମନ୍ଦିର ଓ ବନଦୁର୍ଗା ମନ୍ଦିର, ଦୁର୍ଗେଶ୍ୱର ଗଡ଼ର ଦୁର୍ଗା ମନ୍ଦିର, ସୋରଭାର ଜାଗୁଳାଈ ମନ୍ଦିର, ତୁଳସୀପୁରର କନକ ଦୁର୍ଗା ମନ୍ଦିର ଓ ପ୍ରାଚୀ ଉପତ୍ୟକାରେ ଥିବା ସମସ୍ତ ଗ୍ରାମର ଗ୍ରାମଦେବତୀ ପୀଠରେ ମହାଷ୍ଟମୀ ପୂଜା ଓ ଜନ୍ତାଳ ଭୋଜି ଅାୟୋଜିତ ହୋଇଥାଏ।’’
ଜନ୍ତାଳ ପୂର୍ବରୁ ଗାଁରେ ଗୋଟାଏ ବୈଠକ ବସେ। କେତେ ଟଙ୍କା ଖର୍ଚ୍ଚ ହେବ, କ’ଣ କ’ଣ ରନ୍ଧା ହେବ ସେ ବିଷୟରେ ଆଲୋଚନା ହୁଏ। ଯେହେତୁ ଏହା ଏକ ସାମୂହିକ ଅନୁଷ୍ଠାନ ତେଣୁ ପ୍ରତି ଘରୁ ଚାଉଳ, ପନିପରିବା, କାଠ ଓ କିଛି ଅର୍ଥ ସଂଗୃହୀତ ହୁଏ। ଜନ୍ତାଳରେ ଦ୍ରବ୍ୟ ଓ ଅର୍ଥ ଦାନ ସହ ଶ୍ରମଦାନ ବି ଗୁରୁତ୍ବ ରଖେ। ପ୍ରତି ପରିବାରରୁ ଅନ୍ୟୂନ ଜଣେ ସଦସ୍ୟ ମନ୍ଦିର ପରିସର ସଫା କରିବାକୁ ଯାଆନ୍ତି। ଗ୍ରାମୀଣ ଭାଷାରେ ଏହାକୁ ‘ବେଠି’ ବୋଲି କୁହାଯାଏ। ଯଦି ଅସୁବିଧା ହେତୁ କୌଣସି ପରିବାରରୁ କେହି ବେଠିକୁ ଆସିପାରେ ନାହିଁ, ତେବେ ସେମାନେ ଅନ୍ୟ କାହାକୁ ପଠାନ୍ତି କିମ୍ବା ସେ ବାବଦକୁ ନିର୍ଦ୍ଧାରିତ ଖର୍ଚ୍ଚ ପୈଠ କରନ୍ତି। ଯେହେତୁ ଜନ୍ତାଳ ଦିନ ଗଁାଯାକର ଲୋକେ ଭୋଜିସ୍ଥଳରେ ଏକାଠି ହୁଅନ୍ତି, ତେଣୁ ସବୁ କାମଧନ୍ଦା ବନ୍ଦ ରହେ। କେବଳ ଆୟୋଜନ ଓ ଆମୋଦପ୍ରମୋଦରେ ଦିନଟିକୁ ଅତିବାହିତ କରାଯାଏ। ଉଭୟ ପୁରୁଷ ଓ ମହିଳା ଜନ୍ତାଳ ଆୟୋଜନରେ କାମ କରନ୍ତି। ଗଁାରୁ ନେଇ ସହର ପର୍ଯ୍ୟନ୍ତ ଅନେକ ସାମାଜିକ ଉତ୍ସବ ପାଳନ କରାଯାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିରଖିବା। ଜନ୍ତାଳ ଏଭଳି ଏକ ସାମୂହିକ ଅନୁଷ୍ଠାନ, ଯାହା ବାସିନ୍ଦାଙ୍କ ଭିତରେ ସଂପ୍ରୀତି ଓ ସଂହତି ସ୍ଥାପନା କରିଥାଏ।