ବେତ ଏକ ତାଳଜାତୀୟ ଉଦ୍ଭିଦ। ବିଶ୍ୱରେ ପ୍ରାୟ ୬୦୦ ପ୍ରଜାତିର ବେତ ଦେଖାଯାଏ। କିନ୍ତୁ ଅଧିକାଂଶ ପ୍ରଜାତିର ବେତ ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆ ମହାଦେଶର କ୍ରାନ୍ତୀୟ ଅଞ୍ଚଳର ବୋଲି ଗବେଷଣାରୁ ଜଣାପଡ଼ିଛି। ମୂଳତଃ ଏହା ବଣୁଆ ଉଦ୍ଭିଦ ହୋଇଥିଲେ ବି ଆଜିକାଲି ଏହାକୁ ବ୍ୟାବସାୟିକ ଭାବେ ଚାଷ କରାଯାଉଛି। ବିଶେଷତଃ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆର କ୍ରାନ୍ତୀୟ ଅଞ୍ଚଳରେ ବିପୁଳ ପରିମାଣର ବେତ ଉତ୍ପାଦନ ହୁଏ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାର ଭେଦ ଅନୁସାରେ ବେତ ଲତାଳିଆ, ବୁଦାଳିଆ ଏବଂ ଗୋଟିକିଆ ଗଛ ଭାବେ ବଢ଼ିଥାଏ। କେତେକ ଲତାଳିଆ ବେତ ୧୦୦ ମିଟରଯାଏଁ ମାଡ଼ିଥାଏ। ଅନ୍ୟ କେତେକ ପ୍ରଜାତିର ବେତ ଖୁବ୍ ବାଙ୍ଗରା। ଏମାନଙ୍କ କାଣ୍ଡ ଭୂଇଁ ତଳେ ବଢ଼ିଥାଏ।
ବେତ ବାସୁଙ୍ଗାରେ କଣ୍ଟା ଥିବାରୁ ଏହା ଶତ୍ରୁ କବଳରୁ ନିଜକୁ ରକ୍ଷା କରିଥାଏ। କଣ୍ଟା ସହାୟତାରେ ଏହା ଅନ୍ୟାନ୍ୟ ଗଛ ଉପରେ ଲତା ମାଡ଼ିଥାଏ। ସବୁଠୁ ଅଧିକ ବେତ ଦେଖାଯାଏ ଇଣ୍ଡୋନେସିଆ ଜଙ୍ଗଲରେ। ଏହାଛଡ଼ା ଫିଲିପିନ୍ସ୍, ଶ୍ରୀଲଙ୍କା, ମାଲେସିଆ, ଲାଓସ୍, କାମ୍ବୋଡ଼ିଆ, ଭିଏତ୍ନାମ ଏବଂ ବାଂଲାଦେଶରେ ମଧ୍ୟ ବିପୁଳ ପରିମାଣର ବେତ ଦେଖାଯାଏ। ସମଗ୍ର ବିଶ୍ୱକୁ ଏହି ସବୁ ଅଞ୍ଚଳରୁ ବେତ ଯୋଗାଣ ହୋଇଥାଏ।
ବହୁବିଧ ବ୍ୟବହାର ଯୋଗୁଁ ସମଗ୍ର ବିଶ୍ୱରେ ବେତର ଚାହିଦା ରହିଛି। ଏହା ହାଲୁକା, ନମନୀୟ ଏବଂ ଦୀର୍ଘସ୍ଥାୟୀ ହୋଇଥିବାରୁ ଅନେକ କାମରେ ଲାଗିପାରେ। ବେତଗଛ ଶୀଘ୍ର ବଢ଼େ। ପରିବହନ ପାଇଁ ମଧ୍ୟ ଏହା ସୁବିଧାଜନକ।
ବେତରେ ବିଭିନ୍ନ ପ୍ରକାର ଆସବାବ୍ପତ୍ର ତିଆରି ହୁଏ। ହସ୍ତଶିଳ୍ପରେ ମଧ୍ୟ ବେତ ବ୍ୟବହାର ହୁଏ। ମୁଖ୍ୟତଃ ଏଥିପାଇଁ ବେତର ଖୁବ୍ ଚାହିଦା ରହିଛି। ଏହାଛଡ଼ା ଗ୍ରାମୀଣ ଅଞ୍ଚଳରେ ବେତ ଗୃହନିର୍ମାଣ ସାମଗ୍ରୀ ଭାବେ ବ୍ୟବହୃତ ହୁଏ। ବେତ ପାତିଆରେ ମସିଣା ଆଦି ବୁଣାଯାଏ।
କେତେକ ପ୍ରଜାତି ବେତର କଅଁଳ କନ୍ଦା ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ। କେହି କେହି ବେତଫଳକୁ କୋଳି କହି ଖାଆନ୍ତି। ଏହା ଅତ୍ୟନ୍ତ କଷା।
ଦୁଇ ଦଶନ୍ଧି ହେବ ସମଗ୍ର ବିଶ୍ୱରେ ବେତର ଚାହିଦା ବଢ଼ିଥିବାରୁ ଏହାର ଯୋଗାଣରେ ସଙ୍କଟ ଦେଖାଦେଇଛି। (ଏସ୍ପି)