ନୂଆଦିଲ୍ଲୀ: ଏସିଆର ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀର ମୃତ୍ୟୁ। ଭୋଗେଶ୍ବର ନାମକ ଏହି ହାତୀର ବୟସ ୬୦ବର୍ଷ ହୋଇଥିବା ବେଳେ ଏବେ ତା’ର ମୃତ୍ୟୁ ଖବର ଅନେକଙ୍କୁ ଦୁଃଖିତ କରିଛି। ଶନିବାର ଦିନ କର୍ଣ୍ଣାଟକର ବାନ୍ଦିପୁର-ନଗରହୋଲ ରିଜର୍ଭ ଜଙ୍ଗଲରେ ଥିବା କବିନି ଜଳଭଣ୍ଡାର ପାଖରେ ଏହି ୬୦ବର୍ଷିୟ ହାତୀର ମୃତଦେହ ମିଳିଛି।

Advertisment

ପ୍ରାକୃତିକ କାରଣରୁ ଭୋଗେଶ୍ବରର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ହାତୀଟି କବିନି ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା। ଏସିଆର ସବୁଠାରୁ ଲମ୍ବା ଦାନ୍ତ ଥିବା ହାତୀ ଭୋଗେଶ୍ବରଙ୍କୁ ମିଷ୍ଟର କବିନି ବୋଲି ମଧ୍ୟ କହୁଥିଲେ ପର୍ଯ୍ୟଟକ। ୩-୪ ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ବନ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଭୋଗେଶ୍ୱରର ଗୋଟିଏ ଦାନ୍ତ ୨.୫୪ ମିଟର ହୋଇଥିବା ବେଳେ ଅନ୍ୟଟି ୨.୩୪ ମିଟର ଥିଲା।

ଭୋଗେଶ୍ୱରର ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଲୋକେ ନିଜ ଅନ୍ଦାଜରେ ମିଷ୍ଟର କବିନିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶୋଭା କରନ୍ଦଲାଜେ ମୃତ୍ୟୁ ଖବର ପାଇବା ପରେ ଭୋଗେଶ୍ୱରଙ୍କୁ ସ୍ମରଣ କରି ଟୁଇଟ୍ କରିଛନ୍ତି।

କୁହାଯାଏ ଯେ ହାତୀର ହାରାହାରି ଆୟୁଷ ୬୫ବର୍ଷ ପର୍ଯ୍ୟନ୍ତ ହୋଇଥାଏ। ଜଙ୍ଗଲରେ ବାସ କରୁଥିବା ହାତୀମାନେ ୬୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ବେଳେ ପାଳନ କରାଯାଉଥିବା ହାତୀ ପ୍ରାୟ ୮୦ ବର୍ଷ ବଞ୍ଚିଥାନ୍ତି।