ସାମ୍ବାଦିକମାନଙ୍କ ସୁରକ୍ଷା ତଥା ନିରାପତ୍ତା ପାଇଁ ସାଇକେଲ୍‌ରେ ୧୦୦୦ କିଲୋମିଟରର ଯାତ୍ରା

ଗୌହ୍ବାଟୀ: ସାମ୍ବାଦିକମାନଙ୍କ ସୁରକ୍ଷା ତଥା ନିରାପତ୍ତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସାମର ଜଣେ ସାମ୍ବାଦିକ ଏକ ସାଇକେଲ୍‌ ଧରି ରାସ୍ତାକୁ ବାହାରି ଏବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ସାମ୍ବାଦିକ ଜଣକ ଆସାମର ବିଶ୍ୱନାଥ ଜିଲ୍ଲାର। ତାଙ୍କ ନାମ ସ୍ନେହକର ଚକ୍ରବର୍ତ୍ତୀ। ସେ ସାଇକେଲ୍ ‌ଚଲାଇ ୧୦୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ଲକ୍ଷ୍ୟ ରଖିଛନ୍ତି।

ସ୍ନେହକର ତାଙ୍କର ସାଇକେଲ୍‌ ଯାତ୍ରା ବିଶ୍ବନାଥ ଚାରିଆଲିରୁ ଆରମ୍ଭ କରିଛନ୍ତି। ସେ ଧୋଲା ସାଦିଆ, ଟିନୁସୁକିଆ, ଡିବ୍ରୁଗଡ, ଶିବସାଗର ଏବଂ ଜୋରହାଟ ଜିଲ୍ଲାକୁ ସାଇକେଲ୍‌ର ଯାତ୍ରା କରିବାକୁ ଚିନ୍ତା କରିଛନ୍ତି। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆସାମର ତିନସୁକିଆ ଜିଲ୍ଲାର  ଟିଭି ସାମ୍ବାଦିକ ପାରାଗ ଭୂୟାଁଙ୍କର ମୃତ୍ୟୁ ଘଟିବା ପରେ ସ୍ନେହକର ଏପରି ଚିନ୍ତା କରିଛନ୍ତି। ନିକଟରେ ଅନେକ ସାମ୍ବାଦିକ ଭିନ୍ନ ଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସ୍ନେହକର ସାମ୍ବାଦିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଇବାକୁ ସାଇକେଲିଂକୁ ସର୍ବୋକୃଷ୍ଟ ଭାବିଛନ୍ତି।

ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘ପୂର୍ବରୁ ମୁଁ ସଚେତନତା ବାର୍ତ୍ତା ଦେବାକୁ ଗୌହ୍ବାଟୀରୁ ବିଶ୍ୱନାଥ ଚାରିଆଲି ପର୍ଯ୍ୟନ୍ତ ୩୦୦ କିଲୋମିଟର ବାଟ ସାଇକେଲରେ ଯାତ୍ରା କରି ସଚେତନତା ବାର୍ତ୍ତା ବାଣ୍ଟିଥିଲି। ଏଥର ମୁଁ ସାମାଜିକ ସୁରକ୍ଷା ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ବିଶ୍ୱନାଥରୁ ସାଦିଆ ପର୍ଯ୍ୟନ୍ତ ୧୦୦୦ କିଲୋମିଟର ଯାତ୍ରା କରିବାର ନିଷ୍ପତ୍ତି ନେଇଛି। ମୁଁ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲି ଏବଂ ବର୍ତ୍ତମାନ ମୁଁ ଫ୍ରିଲାନ୍ସିଂ କରୁଛି। ମୁଁ ସବୁବେଳେ ସାମ୍ବାଦିକମାନଙ୍କ ସହ ଛିଡା ହେବି।’

ସମ୍ବନ୍ଧିତ ଖବର