ପୁରୁଣା ଟିଭି ସେଟ୍ ବ୍ୟବହାର କରି ବୁଲା କୁକୁରଙ୍କ ପାଇଁ ଘର ତିଆରି କରି ହିରୋ ସାଜିଲେ ଏହି ଯୁବକ

ଗୌହ୍ବାଟୀ: ଦୁନିଆ ଏମିତି ହେଲାଣି ଯେ ଏଠି ମଣିଷଟିଏ ପାଇଁ ଅନ୍ୟ ଜଣେ ମଣିଷ ବି ଚିନ୍ତା କରୁନି। ହେଲେ ବୁଲା କୁକୁରଙ୍କ ପାଇଁ ନିଜର ବଡ଼ପଣ ଦେଖାଇ ଚର୍ଚ୍ଚା ପାଲଟିଛନ୍ତି ଆସାମର ଅଭିଜିତ୍ ଡୋୱାର। ସେ ପୁରୁଣା ଟିଭି ସେଟ୍ ବ୍ୟବହାର କରି ବୁଲା କୁକୁରମାନଙ୍କ ପାଇଁ ଅନେକ ଘର ତିଆରି କରିବା ପରେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି ତାଙ୍କର ଅଭିନବ ଉଦ୍ୟମ। ଏହି ଡିସେମ୍ବରରେ ଅଭିଜିତ୍ ଏ ନେଇ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରିବା ପରେ ତାଙ୍କର କୁକରମାନଙ୍କ ପ୍ରତି ସ୍ନେହ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ସେ ଭିଡିଓଟି ସେୟାର୍‌ କରି ପୋଷ୍ଟ୍‌ରେ ଲେଖିଛନ୍ତି, ‘ବର୍ଷା ଋତୁରେ ଏବଂ ପ୍ରବଳ ଶୀତରେ ବୁଲା କୁକୁରମାନେ ବହୁ କଷ୍ଟ ଭୋଗିଥାନ୍ତି। ଏପରିକି ଚଳନ୍ତା ଗାଡ଼ି ତଳେ ଅନେକ ସମୟରେ ସେମାନଙ୍କ ଜୀବନ ବି ଚାଲି ଯାଇଥାଏ। ସେମାନଙ୍କ ଶୋଇବା ପାଇଁ ସେପରି କୌଣସି ନିର୍ଦ୍ଦିଷ୍ଟ ଜାଗା ନଥାଏ। ମୋ ମୁଣ୍ଡରେ ପଶିଲା ଯେ ବ୍ୟବହାର ହେଉ ନଥିବା ପୁରୁଣା ଟିଭି ସେଟ୍ ଉପଯୋଗ କରି ଏହି ନିଃସହାୟ ଜୀବମାନଙ୍କ ପାଇଁ ଛୋଟ ଛୋଟ ଘର ତିଆରି କରାଯାଇପାରେ। ମୁଁ ଘର ଘର ବୁଲି ଅଦରକାରୀ ଟିଭି କ୍ୟାବିନେଟ୍ ସଂଗ୍ରହ କରିବାରେ ଲାଗିଲି। ଏହି ଖୋଳ ସବୁରେ ମୁଁ ଛୋଟ ଛୋଟ ଘର କରି ରାସ୍ତା କଡ଼ରେ ରଖିଲି।’

 

 

View this post on Instagram

 

A post shared by Abhijit Dowarah (@dowarah_abhijit)

ସେ ଅନ୍ୟମାନଙ୍କୁ ବି ଏହି ମହତ୍‌ କାର୍ଯ୍ୟରେ ନିଜର ସଂପୃକ୍ତି ରଖିବାକୁ ନିବେଦନ କରିଛନ୍ତି। ନିଜ ଅଞ୍ଚଳରେ ଟିଭି କ୍ୟାବିନେଟ ହେଉ କିମ୍ବା କାଠ ଖୋଳ ହେଉ କୁକୁରମାନଙ୍କ ରହଣୀ ଉପଯୋଗୀ ଘର କରି ରାସ୍ତା କଡ଼ରେ ରଖନ୍ତୁ ଓ ସେଥିରେ ନିଜ ନାମ ଲେଖିଦିଅନ୍ତୁ। କୁକୁରମାନଙ୍କ ସହ ଫଟୋ ଉଠାଇ ପୋଷ୍ଟ୍‌ କରିବାକୁ ଭୁଲନ୍ତୁ ନାହିଁ ବୋଲି ଅଭିଜିତ୍‌ ତାଙ୍କ ପୋଷ୍ଟ୍‌ରେ କହିଛନ୍ତି। ତାଙ୍କର ଏହି ନିଆରା କାର୍ଯ୍ୟ ପାଇଁ ସେ ଏବେ ସୋସିଆଲ୍‌ ମିଡିଆରେ ଭୂରି ଭୂରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର