ଜଣେ ଚା’ବାଲାର କାହାଣୀ: ଏବେ ଡାକ୍ତର ହୋଇ ଚିକିତ୍ସା କରିବେ ଚା’ ବିକାଳି, ପ୍ରଥମ ଥରରେ ପାସ୍ କଲେ ନିଟ୍

ଗୌହାଟୀ: ସ୍ବପ୍ନ ଦିନେ ନା ଦିନେ ନିଶ୍ଚୟ ପୂରଣ ହୁଏ। ସ୍ବପ୍ନ ଦେଖିବା ସହ ଏହାକୁ ପୂରଣ କରିବା ପାଇଁ ଯଦି ଜଣେ ସେତିକି ପରିଶ୍ରମ କରେ, ତେବେ ତାକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କେହି ରୋକିପାରନ୍ତି ନାହିଁ। ଏହାକୁ ପ୍ରମାଣ କରିଛନ୍ତି ଆସାମର ଚା’ ବିକାଳି ଦିବ୍ୟାଙ୍ଗ ରାହୁଲ ଦାସ। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ କେବେ ବି ଡାକ୍ତର ହେବାର ସ୍ବପ୍ନ ଦେଖିବା ଛାଡ଼ିନଥିଲେ। ଚା’ ବିକି ଘର ଚଳାଇବା ସହ ପାଠ ପଢ଼ିଥିଲେ। ଏହା ପାଇଁ ସେ ଆଜି ପ୍ରଥମ ଚେଷ୍ଟାରେ ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଡାକ୍ତର ହେବାକୁ ଯାଉଛନ୍ତି। ୨୪ବର୍ଷୀୟ ରାହୁଲଙ୍କୁ ଏବେ ଦିଲ୍ଲୀର ଏମ୍ସରେ ପଢ଼ିବା ପାଇଁ ସିଟ୍ ମିଳିସାରିଛି।

ରାହୁଲଙ୍କ କହିବା ମୁତାବକ, ୧୧ବର୍ଷ ତଳେ ତାଙ୍କ ବାପା ପରିବାରକୁ ଛାଡ଼ି କୁଆଡେ ଚାଲି ଯାଇଥିଲେ। ଏହା ପରେ ପରେ ତାଙ୍କ ମା’ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ପାଳିଥିଲେ। ପାଠ ପଢ଼ିବା ପାଇଁ ଟଙ୍କା ନଥିବାରୁ ଦ୍ବାଦଶ ପରେ ରାହୁଲ ପାଠ ପଢ଼ିବା ଛାଡ଼ି ଦେଇଥିଲେ। କିନ୍ତୁ ସେ ଡାକ୍ତର ହେବାର ସ୍ବପ୍ନ ଦେଖିବା ଛାଡ଼ିନଥିଲେ। ଘର ଚଳାଇବା ପାଇଁ ସେ ମା’ଙ୍କ ସହ ମିଶି ଚା’ ବିକିବା ସହ ବଳକା ସମୟ ପାଠ ପଢ଼ାରେ ଲଗାଉଥିଲେ। ୨୦୧୫ରେ ସେ ଦ୍ବାଦଶ ପରୀକ୍ଷା ଦେଇ ପାଠ ଛାଡ଼ିଥିବା ବେଳେ ଏହାର ୨ବର୍ଷ ପରେ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ) ପାଠ ପଢ଼ିବା ଆରମ୍ଭ କରିଥିଲେ। ୩ବର୍ଷ ଏହି ପାଠ ପଢ଼ି ୨୦୨୦‌ରେ ସେ ଗୌହାଟୀରେ ଏକ ବଡ଼ କମ୍ପାନିରେ କ୍ବାଲିଟି ଇଞ୍ଜିନିୟର ଭାବରେ କାମ କରିବା ଆରମ୍ଭ କରିଥିଲେ। ହେଲେ ସେ କାମ କରି ଶାନ୍ତି ମିଳୁନଥିବାରୁ ସେ ଚାକିରି ଛାଡ଼ି ନିଟ୍ ପାଇଁ ପଢ଼ିବା ଆରମ୍ଭ କରିଥିଲେ। କଠିନ ପରିଶ୍ରମ କରିବା ପରେ ଏବେ ଏବେ ନିଟ୍ ପରୀକ୍ଷା ପାସ୍ କରି ଡାକ୍ତର ହେବାକୁ ଯାଉଛନ୍ତି ରାହୁଲ।

ସମ୍ବନ୍ଧିତ ଖବର