ପ୍ରଶ୍ନ ଗୋଟିଏ, ଉତ୍ତର ତା’ ବାଟ‌େର, ଯଦି ସରକାର ଉତ୍ତର ଦେବେନି, ପ୍ରଶ୍ନକାଳ ରହିବ କାହିଁକି : ନରସିଂହ

ଭୁବନେଶ୍ବର : କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ପଚାରିଲେ, ଓଡ଼ିଶାରେ ବିଜୁଳି ଉତ୍ପାଦନ କେତେ ?

ଶକ୍ତି ମନ୍ତ୍ରୀଙ୍କ ତରଫରୁ ଉତ୍ତର ଦେଉଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଉତ୍ତର ଥିଲା, ଓଡ଼ିଶାକୁ ବିଭିନ୍ନ ଉତ୍ସରୁ ୨୭,୬୩୩ ମିଲିୟନ୍ ୟୁନିଟ୍‌ ବିଜୁଳି ମିଳୁଛି।

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉଦ୍ଦେଶ୍ୟରେ ଶାସକ ଦଳ ସଭ୍ୟ ଅରବିନ୍ଦ ଢାଲିଙ୍କ ଅତିରିକ୍ତ ପ୍ରଶ୍ନ ଥିଲା, ପଛୁଆ ବର୍ଗ ଅର୍ଥ ସମବାୟ ନିଗମରୁ ଋଣ ପାଇବା ପାଇଁ ମାପଦଣ୍ଡ କ’ଣ ?

ମନ୍ତ୍ରୀ ଉତ୍ତର ଦେଲେ, ୧୯୯୪ ମସିହାରେ ନିଗମ ଗଠନ ହୋଇଥିଲା। ସାମାଜିକ, ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହା ଗଠନ ହୋଇଥିଲା।

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉଦ୍ଦେଶ୍ୟରେ ଶାସକ ଦଳ ସଭ୍ୟ ବିକ୍ରମ ପଣ୍ଡା ଦୁଇ ଥର ପଚାରିଲେ, କେ ସି ହାଇସ୍କୁଲ୍‌ ଖେଳ ପଡ଼ିଆରେ ଇନ୍‌ଡୋର୍ ଷ୍ଟାଡିୟମ୍ ପା‌ଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ଦେଇଥିଲେ। ତାହାର କାମ ହେବ କି ନାହିଁ ?

ମନ୍ତ୍ରୀ ଅନ୍ୟ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ବି ଏହି ପ୍ରଶ୍ନକୁ ଦୁଇ ଥର ଏଡ଼ାଇଗଲେ। ଶ୍ରୀ ପଣ୍ଡା ବି ତାଙ୍କ ଅସନ୍ତୋଷ ଜଣାଇଲେ।

ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀମାନଙ୍କର ଏମିତି ବେପରୱା ଉତ୍ତରକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ସଭ୍ୟମାନେ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାରଙ୍କ ପାଖରେ ତଥ୍ୟ ନ ଥିବାରୁ ସେମାନେ ଅସନ୍ତୋଷ ଝାଡ଼ିଛନ୍ତି। ଶାଣିତ ଭାଷାରେ କଂଗ୍ରେସ ବିଧା‌ୟକ ଦଳ ନେତା ନରସିଂହ ମିଶ୍ର ସମାଲୋଚନା କରି କହିଲେ, ମନ୍ତ୍ରୀଙ୍କୁ ପଚାରିଲେ ଉତ୍ତର ଆସୁନି, ତା’ମାନେ ବୁଝିବାକୁ ହେବ ଯେ ସରକାରଙ୍କ ପାଖରେ ତଥ୍ୟ ନାହିଁ। ଅଫିସର୍‌ ଦେଇଥିବା ତଥ୍ୟକୁ ମନ୍ତ୍ରୀ ପଢ଼ି ଦେଉଛନ୍ତି। କିନ୍ତୁ ପ୍ରଶ୍ନର ସିଧାସଳଖ ଉତ୍ତର ସେଥିରେ ରହୁ ନାହିଁ। ବାଚସ୍ପତି ଏଥିରେ ହସ୍ତକ୍ଷେପ କରନ୍ତୁ। ଗୃହକୁ ଠିକ୍ ଉତ୍ତର ଦେବା ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଯଦି ସରକାର ଉତ୍ତର ଦେବେନି, ତେବେ ପ୍ରଶ୍ନକାଳ ରହିବ କାହିଁକି ?

ଗିରିଗିରିଆ ଜାତିକୁ ଅନୁସୂଚିତ ଜାତି ତାଲିକାଭୁକ୍ତ କରିବା ନେଇ ଏକ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ପ୍ରଶ୍ନକର୍ତ୍ତା ସୁଧୀର ସାମଲ ପାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ମନ୍ତ୍ରୀ ପ୍ରଶ୍ନକୁ ଚାହିଁ ଉତ୍ତର ନ ଦେଇ କେବଳ କେନ୍ଦ୍ର-ରାଜ୍ୟ ମଧ୍ୟରେ ହୋଇଥିବା ପତ୍ରାଳାପର ନମ୍ବର ଦେଇ କାମ ସାରିଦେଇଛନ୍ତି ବୋଲି ଆରୋପ ଲଗାଇଥିଲେ।

କେବଳ ଆଜି ନୁହେଁ, ଗତକାଲି ମଧ୍ୟ କିଛି ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦିଆଯାଇ ନ ଥିବାରୁ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର