ଜ୍ୟୋତିଷ ଶାସ୍ତ୍ର ବିଜ୍ଞାନ କି ନୁହେଁ, ତା’ ଉପରେ ଚାଲିଥିବା ବିତର୍କ ଭିତରେ ଅଧାରୁ ଚାଲିଯାଇଥିଲେ ରଥେ ଆପଣେ। କହିଥିଲେ ଦେଖାହେଲେ ମାଗୁଣି ପଣ୍ଡିତଙ୍କୁ ଆଉ କିଛି ପ୍ରଶ୍ନ ପଚାରିବେ। ଯୋଗକୁ ମହାଳୟା ବାସି ସେଇ ଚା ଖଟିରେ ଉଭୟଙ୍କର ଭେଟ୍‌ଘାଟ୍ ହୋଇଗଲା। ସେମାନେ କିଛି କଥା ହେବା ପୂର୍ବରୁ ଉପସ୍ଥିତ ଥିବା ରଥଙ୍କ ସମର୍ଥକ ଓ ହେତୁବାଦୀ ମୁକୁନ୍ଦବାବୁ କହିଉଠିଲେ- ହଇଓ ରଥବାବୁ! ଆପଣଙ୍କର କିଛି ପ୍ରଶ୍ନ ଥିଲା ପରା! ହେଇଟି ମାଗୁଣି ପଣ୍ଡିତେ ଆସିଲେଣି- ପଚାରୁ ନାହାନ୍ତି।

Advertisment

ରଥେ ଆପଣେ ମାଗୁଣି ପଣ୍ଡିତେଙ୍କୁ ଅଭିବାଦନ ଜଣାଇ କହିଲେ- ଓଳିଗି ଭାଇନା। ମୁକୁନ୍ଦବାବୁ ଠିକ୍ ମନେପକାଇଛନ୍ତି। ମୋର କହିବା କଥା ହେଲା- ଜ୍ୟୋତିର୍ବିଜ୍ଞାନ ବା ଆଷ୍ଟ୍ରୋନୋମିକୁ ଆମେ ବିଜ୍ଞାନ ବୋଲି ମାନିବାରେ କିଛି ବାଧା ନାହିଁ। କିନ୍ତୁ ଫଳିତ ଜ୍ୟୋତିଷକୁ ଆମେ ବିଜ୍ଞାନ ବୋଲି ମାନିବୁ କାହିଁକି? ଏହା କ’ଣ ସବୁବେଳେ ସତ ହେଉଛି?
 
ଉତ୍ତରରେ ପଣ୍ଡିତେ କହିଲେ, ଗଣିତ ଓ ଫଳିତ ହେଉଛି ଜ୍ୟୋତିଷଶାସ୍ତ୍ରର ଦୁଇଟି ବିଭାଗ। ଗଣିତ ନ ଥିଲେ ଫଳିତ ସମ୍ଭବ ନୁହେଁ। ପୁଣି ଫଳିତ ନ ଥିଲେ ଗଣିତର ଆବଶ୍ୟକତା କ’ଣ? ଆପଣଙ୍କର ନିଉଟନ, କେପଲାର କେବଳ ଜ୍ୟୋତିର୍ବିଜ୍ଞାନୀ ଥିଲେ। କିନ୍ତୁ ଆମର ଆର୍ଯ୍ୟଭଟ୍ଟ, ଭାସ୍କରାଚାର୍ଯ୍ୟ, ବରାହମିହିର ଓ ପଠାଣି ସାମନ୍ତ ପ୍ରଭୃତି ଜ୍ୟୋତିର୍ବିଜ୍ଞାନୀ ହେବା ସହ ଫଳିତ ଜ୍ୟୋତିଷରେ ମଧ୍ୟ ନିପୁଣ ଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଦେହତ୍ୟାଗ କରି ମୋକ୍ଷପ୍ରାପ୍ତି କାମନା କରୁଥିବା ପଠାଣି ସାମନ୍ତ ତାଙ୍କ ନିଜର ମୃତ୍ୟୁ ତାରିଖ ଫଳିତ ଜ୍ୟୋତିଷ ଅନୁସାରେ ଗଣନା କରି ତା’ପୂର୍ବରୁ ପୁରୀ ଆସି ଠିକ୍ ସେହିଦିନ ହିଁ ମୃତ୍ୟୁବରଣ କରିଥିଲେ। ତାଙ୍କ ସିଦ୍ଧାନ୍ତ ଦର୍ପଣ ଅନୁସାରେ ଯେଉଁ ପାଞ୍ଜି ଗଣନା କରାଯାଉଛି, ସେଥିରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣର ନିର୍ଭୁଲ ତାରିଖ ଓ ସମୟ ଉଲ୍ଲେଖ ରହୁଛି। ବରାହମିହିର ଯେମିତି ପଞ୍ଚସିଦ୍ଧାନ୍ତିକାରେ ଗଣିତ ଜ୍ୟୋତିଷର ବର୍ଣ୍ଣନା କରିଛନ୍ତି, ସେମିତି ତାଙ୍କର ବୃହଜ୍ଜାତକରେ ଫଳିତ ଜ୍ୟୋତିଷର ବର୍ଣ୍ଣନା ରହିଛି। ତାଙ୍କର ବୃହତ୍ ସଂହିତା ଅନୁସାରେ ଆଗୁଆ ପାଣିପାଗର ଗଣନା କରାଯାଇପାରୁଛି। 

ରଥେ ଆପଣେ- ଆପଣଙ୍କର ଭବିଷ୍ୟତ ଫଳାଦେଶରେ ଏତେ ଭୁଲ୍ ହେଉଛି କାହିଁକି? ଯଦି ଭୁଲ୍ ହେଉଛି, ଆମେ ଏହାକୁ ବିଜ୍ଞାନ ବୋଲି ମାନିବୁ କାହିଁକି?

ପଣ୍ଡିତେ- ଦେଖ, ଗଣିତ ଓ ଫଳିତ କେବଳ ଜ୍ୟୋତିଷରେ ନାହିଁ। ତୁମ ବିଜ୍ଞାନରେ ବି ଏଇ ଦୁଇଟା କଥା ଅଛି। ଭାରତ ସରକାରଙ୍କର ଯେଉଁ ପାଣିପାଗ ବିଭାଗ ଅଛି- ତାହା ଏଇ ଦୁଇଟା ଉପରେ କାମ କରୁଛି। ଏହା ପ୍ରଥମେ ବିଭିନ୍ନ ଯନ୍ତ୍ର ସାହାଯ୍ୟରେ ବାୟୁର ଦିଗ, ବେଗ, ଚାପ, ତାପ, ଆର୍ଦ୍ରତା ଆଦି ମାପିଥାଏ। ସାମୁଦ୍ରିକ ଉତ୍ତାପ ଓ ସ୍ରୋତ ଆଦିର ବେଗ ବି ମାପିଥାଏ। ଚାପ, ତାପ, ଆର୍ଦ୍ରତା ଆଦି କେତେ ରହିଲେ ପାଣିପାଗ କିପରି ହୁଏ, ତା’ ଉପରେ ଶହଶହ ବର୍ଷର ରେକର୍ଡ ରଖିଥାଏ। ତାକୁ ବିଶ୍ଳେଷଣ କରି ବର୍ତ୍ତମାନ ସ୍ଥିତିରେ ଲଘୁଚାପ ହେବ, ଘଡ଼ଘଡ଼ି ସହ ବର୍ଷା ହେବ, ଅଳ୍ପ ବର୍ଷା ହେବ କି ବେଶି ବର୍ଷା ହେବ କି ପାଗ ଶୁଖିଲା ରହିବ ତା’ ଉପରେ ଭବିଷ୍ୟବାଣୀ କରିଥାଏ। ବାୟୁର ଚାପ, ତାପ ଆଦି ମାପିବା ହେଲା ଗଣିତ ଓ ପାଣିପାଗ ସମ୍ବନ୍ଧୀୟ ଭବିଷ୍ୟବାଣୀ ହେଲା ଫଳିତ। ଡାକ୍ତରୀ ପାଠରେ ବି ସେମିତି ଗଣିତ ଓ ଫଳିତ ଦୁଇଟା କଥା ଅଛି। ଡାକ୍ତରମାନେ ରୋଗୀର ରକ୍ତଚାପ, ରକ୍ତଶର୍କରା, ନାଡ଼ିର ଗତି ଆଦି ମାପିଥାନ୍ତି। ତାକୁ ଦେଖି ରୋଗ ନିରୁପଣ କରି ଔଷଧ ଦେଇଥାନ୍ତି। ଗୁରୁତର ରୋଗୀ କ୍ଷେତ୍ରରେ ରୋଗୀ କେତେଦିନରେ ଭଲ ହେବ, ପୂରା ଭଲ ହେବ କି ଆଂଶିକ ଭଲ ହେବ ବା ମୃତ୍ୟୁବରଣ କରିବ ତା’ର ଭବିଷ୍ୟବାଣୀ ବି କରିଥାନ୍ତି। 

ରଥେ ଆପଣେ- ମୁଁ ଭବିଷ୍ୟବାଣୀ ସତ ହେଉନି କାହିଁକି ବୋଲି ପଚାରୁଛି।

ପଣ୍ଡିତେ- ସତ ହେଉ ନ ଥିଲେ ହଜାର ହଜାର ବର୍ଷ ଧରି ଏ ବିଦ୍ୟା ବଞ୍ଚି ନ ଥାନ୍ତା ଓ ଶତକଡ଼ା ପ୍ରାୟ ୯୦ ଭାଗ ଲୋକ ଏହା ଉପରେ ବିଶ୍ବାସ କରୁ ନ ଥାନ୍ତେ। ଆପଣଙ୍କ ପରି ଅବିଶ୍ବାସୀ ଲୋକ କେତେଜଣ ଅଛନ୍ତି? ଏମାନଙ୍କ ସଂଖ୍ୟା ୧୦ ପ୍ରତିଶତରୁ ବି କମ୍ ହେବ। ତା’ଛଡ଼ା ଜ୍ୟୋତିଷଶାସ୍ତ୍ର ଶତକଡ଼ା ଶହେ ଭାଗ ସତ ହୁଏ ନାହିଁ, ଏ କଥା ଜ୍ୟୋତିଷଶାସ୍ତ୍ରର ପ୍ରବର୍ତ୍ତକ ପରାଶର ଋଷି କହିଛନ୍ତି। ସେ କହିଛନ୍ତି-

ଫଳାନି ଗ୍ରହଚାରେଣ ସୂଚୟନ୍ତି ମନୀଷିଣଃ।
କୋ ବକ୍ତା ତାରତମ୍ୟସ୍ୟ ତମେକଂ ବେଧସଂ ବିନା।।

ଅର୍ଥାତ୍ ଜ୍ୟୋତିଷୀମାନେ ଗ୍ରହନକ୍ଷତ୍ରର ଗତିବିଧି ଦେଖି ଭବିଷ୍ୟତ ବିଷୟରେ କିଛି ସୂଚନା ଦେଇପାରନ୍ତି। ତା’ ନହେଲେ ନିର୍ଦ୍ଦିଷ୍ଟ ଭାବରେ କେବେ କ’ଣ ଘଟିବ ତାହା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଛଡ଼ା ଆଉ କିଏ କହିପାରିବ?

ଜ୍ୟୋତିଷିକ ଭବିଷ୍ୟବାଣୀ ଅଧିକାଂଶ କ୍ଷେତ୍ରରେ ସତ ହୁଏ, ସବୁ କ୍ଷେତ୍ରରେ ହୁଏ ନାହିଁ। ତୁମ ବିଜ୍ଞାନର ଯେଉଁ ଫଳିତ ବିଭାଗଟା ରହିଛି, ତାହା କ’ଣ ସବୁବେଳେ ସତ ହୁଏ?  ଡାକ୍ତରମାନେ ପାଥୋଲୋଜିକାଲ ରିପୋର୍ଟ ଦେଖି ଯେଉଁ ରୋଗ ନିରୁପଣ କରନ୍ତି, ତାହା କ’ଣ ସବୁବେଳେ ସତ ହୁଏ ନା ତାଙ୍କ ଔଷଧରେ ସବୁବେଳେ ରୋଗ ଭଲ ହୁଏ? ରୋଗ ଭଲ ନ ହେଲେ ହୋମିଓପାଥିକ୍ ଡାକ୍ତର ବାରମ୍ବାର ଔଷଧ ଓ ମାତ୍ରା ବଦଳାଇଥାନ୍ତି। ତୁମ ପାଣିପାଗ ବିଜ୍ଞାନ ଆଜିକାଲି ବେଶ୍ ଉନ୍ନତି କଲାଣି। ତଥାପି ଭୁଲ୍ ହେଉଛି। କିନ୍ତୁ କିଛି ବର୍ଷ ତଳେ ଆମେ ଦେଖିଛୁ, ପାଣିପାଗ ବିଭାଗ ଆଜି ବର୍ଷା ହେବ କହିଲେ ଖରା ହେଉଥିଲା। ବାତ୍ୟା ଓଡ଼ିଶାକୁ ଆସିବ କହିଲେ ତାହା ପଶ୍ଚିମବଙ୍ଗ ଦେଇ ପଳାଉଥିଲା। ଭଲ ବର୍ଷା ହେବ ଓ ଫସଲ ଭଲ ହେବ କହିଲେ ମରୁଡ଼ି ପଡ଼ୁଥିଲା। ତା’ଛଡ଼ା ତୁମ ପାଣିପାଗ ବିଭାଗ ବର୍ଷା ଆଦି ବିଷୟରେ ଦିନେ ଦୁଇଦିନ ବା ପ୍ରାୟ ଏକ ସପ୍ତାହ ପୂର୍ବରୁ ଭବିଷ୍ୟବାଣୀ କରୁଛି। ସମୟ ପାଖେଇ ଆସିଲେ ପୁଣି ତାହା ବଦଳିଯାଉଛି। କିନ୍ତୁ ପାଞ୍ଜିମାନଙ୍କରେ ବର୍ଷକ ଆଗରୁ ଯେଉଁ ଭବିଷ୍ୟବାଣୀ କରାଯାଉଛି, ତାହା ପ୍ରାୟ ୭୦ ପ୍ରତିଶତ ସତ ହେଉଛି। ଜ୍ୟୋତିଷରେ ଗ୍ରହମାନଙ୍କର ଗତିବିଧି ଗଣନା କରିବା ଯଦି ଗଣିତ, ତାକୁ ଭିତ୍ତି କରି ଦେଶ, ରାଜ୍ୟ ବା ବ୍ୟକ୍ତିର କ’ଣ ଘଟିବ ତାହା ବିଚାର କରିବା ହେଉଛି ଫଳିତ। ଯଦି ଫଳିତ ଆମେ ଜାଣିବୁ ନାହିଁ, ତେବେ କେଉଁ ଗ୍ରହ କେଉଁଠି କେତେ ଡିଗ୍ରିରେ ଓ କେଉଁ ନକ୍ଷତ୍ରରେ ଅଛି, ସେସବୁର ଗଣନା କରିବାର କ’ଣ ଉପଯୋଗିତା ଅଛି? ତେଣୁ ଫଳିତରେ ହିଁ ଗଣିତର ସାର୍ଥକତା। ବିଜ୍ଞାନରେ ଉଭୟ ଗଣିତ ଓ ଫଳିତ ସ୍ବୀକୃତ।

ପଣ୍ଡିତଙ୍କ ବଳିଷ୍ଠ ଯୁକ୍ତି ଆଗରେ ରଥେ ଆପଣେ ନିରବ ରହିଲେ। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨