ମଙ୍ଗଳ ଗ୍ରହ ଅଭିମୁଖେ ଯାତ୍ରା କରିବା ଲାଗି ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା) ଦ୍ବାରା ମନୋନୀତ ହୋଇଥିବା ଆମେରିକାର ୪ ଜଣ ମହାକାଶଚାରୀ ଏକ ଅଭିନବ ତାଲିମ ପୂରା କରିଛନ୍ତି। ସେମାନେ ୧୨ ମାସ କାଳ କୃତ୍ରିମ ମଙ୍ଗଳ ପରିବେଶରେ ରହିବା ପରେ ଗତ ଶନିବାର ବାହାର ଦୁନିଆକୁ ଫେରିଛନ୍ତି। ଆମେରିକାର ହଷ୍ଟନ୍‌ ସ୍ଥିତ ଜନ୍‌ସନ୍ ମହାକାଶ କେନ୍ଦ୍ରରେ ନିର୍ମିତ ୧୭ ହଜାର ବର୍ଗଫୁଟ୍‌ର ଏକ ମଙ୍ଗଳ ସମତୁଲ ପରିବେଶରେ ଏହି ମହାକାଶଚାରୀମାନେ ନାନା ପରୀକ୍ଷାନିରୀକ୍ଷା ଚଳାଇବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିଲା। ଗତବର୍ଷ ଜୁନ୍ ୨୫ ତାରିଖରେ କୃତ୍ରିମ ମଙ୍ଗଳ ରାଇଜରେ ପ୍ରବେଶ କରିଥିବା ସେହି ମହାକାଶଚାରୀମାନେ ହେଲେ କେଲି ହାଷ୍ଟନ୍, ଆଙ୍କା ସେଲାରିଉ, ରସ୍ ବ୍ରକ୍‌ୱେଲ୍‌ ଓ ନାଥାନ୍ ଜୋନ୍‌ସ।

Advertisment

‘ନାସା’ର ଅଭିନବ ତାଲିମ

‘କ୍ରିଉ ହେଲ୍‌ଥ ଆଣ୍ଡ୍ ପରଫର୍ମାନ୍‌ସ୍ ଏକ୍ସପ୍ଲୋରେସନ୍’ ନାମକ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ତରୀକ୍ଷରେ ମହାକାଶଚାରୀମାନଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳ ରହଣିର ପ୍ରଭାବ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା। ଏହାଦ୍ବାରା ଦୀର୍ଘଦିନର ଅଭିଯାନରେ ଯାଉଥିବା ମହାକାଶଚାରୀମାନେ ସାମନା କରୁଥିବା ଶାରୀରିକ ଓ ମାନସିକ ଆହ୍ବାନଗୁଡ଼ିକର ମୁକାବିଲା କରାଯାଇପାରିବ ବୋଲି ‘ନାସା’ ଆଶା ରଖିଛି। ସେମାନେ ‘ମାର୍ସଵାକ୍‌ସ’ ବା ମଙ୍ଗଳରେ ଚାଲିବା ଅଭ୍ୟାସ କରିବା ସହିତ କୃତ୍ରିମ ମଙ୍ଗଳ ପରିବେଶରେ ପ୍ରତୀକାତ୍ମକ ଭାବେ ପନିପରିବା ଚାଷ କରିଥିଲେ। ପରିବାର ଲୋକଙ୍କ ସହ ଦୈନିକ ମାତ୍ର ୨୨ ମିନିଟ୍ ଯୋଗାଯୋଗ ସମେତ ସୀମିତ ସମ୍ବଳରେ କିପରି ସୁଦୂର ମଙ୍ଗଳ ପରିବେଶରେ ଚଳି ହେବ, ତାହା ସେମାନେ ଅଙ୍ଗେ ନିଭାଇଥିଲେ। ‘ନାସା’ ଆଗକୁ ଆହୁରି ଦୁଇଟି ଅନୁରୂପ ପରୀକ୍ଷଣ କରିବାକୁ ଯୋଜନା ରଖିଛି।