ବେଙ୍ଗାଲୁରୁ: କଳାକାରଙ୍କ ଭାବନାର କୌଣସି ସୀମା ନଥାଏ। କଳାକାରଙ୍କ ଏହି ଭାବନା ହେତୁ ସେମାନଙ୍କୁ ସାଧାରଣ ଜନତାଠାରୁ ସ୍ୱତନ୍ତ୍ର କରି ରଖିଥାଏ। ବେଙ୍ଗାଲୁରୁର କଳାକାର ବାଦଲ ଏନ୍ ସ୍ୱାମୀ ପ୍ରଥମରୁ ନିଜର କଳାର ଯାଦୁରେ ପ୍ରଶାସନଙ୍କ ଧ୍ୟାନ ଜନସମସ୍ୟା ଆଡକୁ ଆକର୍ଷିତ କରିଥାଆନ୍ତି। ଚଳିତ ଥର ସେ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
ବାଦଲ ମୈସୁରର ଏକ ଥିଏଟର ଆର୍ଟିଷ୍ଟ ପୁରନ ଚନ୍ଦ୍ରଙ୍କୁ ବେଙ୍ଗାଲୁରୁର ଯଶବନ୍ତପୁର ଅଞ୍ଚଳରେ ଆବଡାଖାବଡା ରାସ୍ତାରେ ମହାକାଶ ଯାତ୍ରୀ ବନାଇ ଏମିତି ଚଲାଇଥିଲେ କି ଲୋକମାନେ ବାସ୍ତବରେ ମହାକାଶ ଯାତ୍ରୀ ସଡ଼କରେ ଚାଲୁଥିବା ଭାବି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। ଏହି କାମ ବାଦଲ ଶନିବାର ରାତି ଅନ୍ଧାରରେ କରିଥିବା ଜଣାପଡ଼ିଛି।
ବାଦଲ ଏମିତି ପୋଷାକ ପୁରନ ଚନ୍ଦ୍ରଙ୍କୁ ପିନ୍ଧାଇବା ପୂର୍ବରୁ ଆର୍ଟ ଓ୍ଵାର୍କ କରିଥିଲେ। ଥିଏଟର ଆର୍ଟିଷ୍ଟ ବି ନିଜ ଚାଲିକୁ ଏମିତି କରିଥିଲେ ଯେମିତି କି ସେ ବାସ୍ତବରେ ଚନ୍ଦ୍ରର ଆବଡାଖାବଡା ରାସ୍ତାରେ ଚାଲୁଛନ୍ତି। ଏହି ପୂରା ଘଟଣା ପଛରେ ବେଙ୍ଗାଲୁରୁ ସହର ସଡ଼କର ଅବସ୍ଥା ଦେଖାଇବାର ଲକ୍ଷ୍ୟ ରଖିଥିଲେ ବାଦଲ ।