ନୂଆଦିଲ୍ଲୀ: କୁହାଯାଏ ରାଜନୀତିରେ ଜନତା ହେଉଛନ୍ତି ସବୁକିଛି... ଜନତା ଚାହିଁଲେ ଜଣେ ରାଜା ହେବ ଆଉ ଜନତା ନଚାହିଁଲେ କିଛି ହେବନି । ରାଜନୀତିରେ ଯେତିକି ଜନତାଙ୍କର ଭୂମିକା ଥାଏ ସେତିକି ସମୟର ବି ଥାଏ । ସମୟ ବଡ ବଳବାନ, ସବୁ ସମୟ ସମୟର ଖେଳ । ଯଦି ଆପଣଙ୍କ ସମୟ ଠିକ୍ ଥିବ ତାହାଲେ ଆପଣ ସବୁ ବାଡି ଜିତିବେ ଆଉ ଯଦି ବେଳା ଭଲ ନାହିଁ ତାହାଲେ ଜିତୁଜିତୁ ବି ବାଜି ହାରିଯିବେ । ଉଚ୍ଚ ପଦରୁ ତଳକୁ ଖସିଯିବେ ଆଉ ଏହି ସମୟ ହିଁ କ୍ଷମତାର ବଡ ପରିବର୍ତ୍ତନ ଆଣେ । ଏଇ ଯେମିତି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘଟଣା । ଜଣେ ଦିଲ୍ଲୀର ଆଉ ଜଣେ ଓଡିଶାର । ଯେଉଁମାନେ ବିଗତ କିଛି ଦିନ, କିଛି ମାସ ଭିତରେ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳର ନେତା ଭାବେ ଭୂମିକା ନିଭାଉଛନ୍ତି ।

ନବୀନ ପଟ୍ଟନାୟକ

Advertisment

୨୪ ବର୍ଷ ଧରି ଓଡିଶାରେ ବିଜେଡିର ଶାସନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶାସନର ମଙ୍ଗ ଧରିଥିଲେ । ଆଉ ୨୦୨୪ରେ ଜନତା ୨୪ ବର୍ଷର ସରକାରକୁ ଗୋଟେ ଚୁଟକିରେ ବଦଳାଇଦେଲେ ଏବଂ ଓଡିଶାରେ ନୂଆ ସରକାର ଗଢିଲେ । ବିଜେପି ସରକାର ଆସିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳର ନେତା ବନିଗଲେ ।

NAVEEN-ATHISHI
Photograph: (SAMBAD.IN)

ଆତିଶୀ ମାର୍ଲେନା

ନବୀନଙ୍କ ପରି ଆତିଶୀ ମଧ୍ୟ ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତାର ଭୂମିକା ତୁଲାଇବେ । ଓଡିଶାରେ ବିଜେଡି ୨୪ ବର୍ଷ ଶାସନ କରିଛି ଆଉ ଦିଲ୍ଲୀରେ ଆପ୍ ୧୦ ବର୍ଷ । ଆତିଶୀ ମାତ୍ର ୧୫୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ୨୦୨୫ରେ ବିଜେପି ୨୭ ବର୍ଷ ପରେ ସରକାର ଗଢିବାରେ ସକ୍ଷମ ହୋଇଛି । ବିଜେପିର ମହିଳା ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଶାସନର ମଙ୍ଗ ସମ୍ଭାଳୁଥିବା ବେଳେ ଆମ୍ ଆଦମୀ ପାର୍ଟି(ଆପ୍‌) ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମନୋନୀତ କରିଛି । । ୪୩ ବର୍ଷ ବୟସରେ ଆତିଶୀ ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିଥିଲେ। 

କାହିଁକି ଆତିଶୀ ହେଲେ ବିରୋଧୀ ଦଳ ନେତା

ରାଜଧାନୀ ଦିଲ୍ଲୀରେ ଆପ୍ ନିଜର ବିଜୟ ଧାରା ବଜାୟ ରଖିବାରେ ବିଫଳ ହେଲା । ୨୭ ବର୍ଷ ପରେ କ୍ଷମତାକୁ ଫେରିଥିବା ବିଜେପି ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ଅନ୍ୟ ୬ ଜଣଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ସେପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇଥିବା ବେଳେ ମହିଳା କାର୍ଡ ଖେଳିଛି ଆପ୍ । ଆଉ ବିରୋଧୀ ଦଳ ନେତା ଭାବେ ଆତିଶୀଙ୍କୁ ମନୋନୀତ କରିଛି । 

ତେବେ ଦିଲ୍ଲୀ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଶାସକ ଦଳ ଓ ବିରୋଧୀ ଦଳର ଶୀର୍ଷ ପଦବୀରେ ଦୁଇ ଜଣ ମହିଳା ଅବସ୍ଥାପିତ ‌ହୋଇଛନ୍ତି । ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ପଦ ହାସଲ କରିବାରେ ଆତିଶୀ ହେଉଛନ୍ତି ପ୍ରଥମ ମହିଳା।