ଓପନ୍‌ଆଇ କମ୍ପାନି ‘ଆଟ୍‌ଲାସ୍’ ନାମକ ୱେବ୍ ବ୍ରାଉଜର୍‌ ଉନ୍ମୋଚିତ କରିଛି। ସମ୍ପ୍ରତି ବିଶ୍ବର ସବୁଠୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଭାବେ ପରିଗଣିତ ଓପନ୍‌ଏଆଇ ଆଶା କରୁଛି ଯେ ‘ଆଟ୍‌ଲାସ୍’ ଅନ୍‌ଲାଇନ୍ ସନ୍ଧାନ ଓ ବିଜ୍ଞାପନ ରାଜସ୍ୱର ଏକ ନୂତନ ଧାରାରେ ପରିଣତ ହେବ। ଚାଟ୍‌ଜିଟିପିର ୮୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ମଧ୍ୟରୁ ଅଧିକାଂଶ ମାଗଣାରେ ଏହାକୁ ବ୍ୟବହାର କରୁଥିବାରୁ ସେ ଉତ୍ସରୁ ଲାଭ ସୀମିତ। ସୁତରାଂ କମ୍ପାନି ସେହି ବିଶାଳ ଉପଭୋକ୍ତା ଭିତ୍ତିଭୂମିକୁ ଲାଭରେ ରୂପାନ୍ତର କରିବାର ଉପାୟ ଖୋଜୁଛି।

Advertisment

ସମ୍ପ୍ରତି ମ୍ୟାକ୍‌ଓଏସ୍‌ ପାଇଁ ‘ଆଟ୍‌ଲାସ୍‌’ ଲଞ୍ଚ୍‌ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହା ଵିଣ୍ଡୋଜ୍‌, ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ଡିଭାଇସ୍‌ରେ ଉପଲବ୍ଧ ହେବ। କମ୍ପାନିର ସିଇଓ ସାମ୍ ଅଲ୍‌ଟମ୍ୟାନ୍ କହିଛନ୍ତି ଯେ ଖୁବ୍ ଶୀଘ୍ର ପାରମ୍ପରିକ ୟୁଆର୍‌ଏଲ୍‌ ବାର୍‌କୁ ଏକ ଚାଟ୍‌ବଟ୍ ଇଣ୍ଟରଫେସ୍ ସ୍ଥାନାନ୍ତରିତ କରିବ। ଏଣେ ପ୍ରାୟ ୩୦୦ କୋଟି ଲୋକ ବ୍ୟବହାର କରୁଥିବା କ୍ରୋମ୍‌ ବ୍ରାଉଜର୍‌ ସହ ଗୁଗଲ୍‌ ତା’ର କୃତ୍ରିମ ବୁଦ୍ଧିମତ୍ତା ପ୍ରଣାଳୀ ‘ଜେମିନି’କୁ ଯୋଡ଼ିବା ଆରମ୍ଭ କରିସାରିଛି। ଉଲ୍ଲେଖଯୋଗ୍ୟ, ୨୦୦୮ରେ ଯେତେବେଳେ ‘କ୍ରୋମ୍‌’ ଆରମ୍ଭ ହୋଇଥିଲା, ଖୁବ୍ କମ୍ ଲୋକ ଭାବିଥିଲେ ଯେ ଏହା ମାଇକ୍ରୋସଫ୍‌ଟର ‘ଇଣ୍ଟରନେଟ୍‌ ଏକ୍ସପ୍ଳୋରର’କୁ ଚ୍ୟାଲେଞ୍ଜ କରିପାରିବ। ତଥାପି, କ୍ରୋମ୍‌ ଖୁବ୍ ଶୀଘ୍ର ବଜାରକୁ ଓଲଟାଇ ଦେଇଥିଲା।