ବ୍ୟାଙ୍କରେ ଆଉ ମିଳିବନି ମାଗଣା ସେବା : ପ୍ରତ୍ୟେକ ଆର୍ଥିକ କାରବାର ଉପରେ ଏଣିକି ଦେବାକୁ ପଡିବ ଟ୍ୟାକ୍ସ!

ଏଣିକି ଆଉ ବ୍ୟାଙ୍କରେ ମିଳିବନି ମାଗଣା ସେବା। ଗ୍ରାହକଙ୍କୁ ଉଭୟ ବ୍ୟାଙ୍କ ଏବଂ ଏଟିଏମରେ ମିଳୁଥିବା ମାଗଣା ସେବା ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏବେ ବ୍ୟାଙ୍କର ସବୁ କାରବାର ଉପରେ ଦେବାକୁ ପଡ଼ିବ ଅତିରିକ୍ତ ଟଙ୍କା। କାରଣ ବ୍ୟାଙ୍କ ଉପଭୋକ୍ତାଙ୍କ ଉପରେ ଏବେ ପଡିବ ଜିଏସଟି ମାଡ । ଯେଉଁ କାରଣରୁ ଉଭୟ ବ୍ୟାଙ୍କ କିମ୍ବା ବାହାରେ ହେଉଥିବା ସବୁ ପ୍ରକାରର ଆର୍ଥିକ କାରାବର ଉପରେ ଏଣିକି ଟ୍ୟାକ୍ସ ଦେବାକୁ ପଡିବ । ଚେକରେ ପେମେଂଟ କରିବାଠାରୁ ଆରମ୍ଭ କରି ଏଟିଏମରୁ କ୍ୟାସ ବାହାର କରିବା ପର୍ଯ୍ୟନ୍ତ, ସବୁ କାମ ପାଇଁ ଗ୍ରାହକଙ୍କୁ ଏଣିକି ଅତିରିକ୍ତ ଟଙ୍କା ଦେବାକୁ ପଡିବ।

ଏଟିଏମ-ବ୍ୟାଙ୍କରେ ମିଳିବ ନାହିଁ ମାଗଣା ସେବା

ଏହାଦ୍ୱାରା ଗ୍ରାହକଙ୍କୁ ଉଭୟ ବ୍ୟାଙ୍କ ଏବଂ ଏଟିଏମରେ ମିଳୁଥିବା ମାଗଣା ସେବାଗୁଡିକୁ ବି ବନ୍ଦ କରିଦିଆଯିବ । ଏବେ ଗ୍ରାହକ ନିଜ ବ୍ୟାଙ୍କର ଏଟିଏମରୁ ପାଞ୍ଚ ଥର ମାଗଣାରେ ଟ୍ରାନଜାକସନ କରିପାରିବେ । ହେଲେ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଏହି ମାଗଣା ଟ୍ରାନଜାକସନ ତଥା ସୁବିଧାକୁ ବି ବନ୍ଦ କରିଦିଆଯିବ । କାରଣ ବ୍ୟାଙ୍କ ଆପଣଙ୍କୁ ଏହି ସେବାଗୁଡିକ ମାଗଣାରେ ଦେଇଥାଏ, ଯେବେକି ବ୍ୟାଙ୍କକୁ ଏଭଳି ପ୍ରକାରର ସେବାଗୁଡିକ ଉପରେ ପାଖାପାଖି ୪୦ ହଜାର କୋଟି ଟଙ୍କାର ସର୍ଭିସ ଟ୍ୟାକ୍ସ ଦେବାକୁ ପଡିଥାଏ ।

କେତେ ବଢିବ ଫିସ୍

ବ୍ୟାଙ୍କ ଏହା ବ୍ୟତୀତ ଏଟିଏମ ଉପରେ ହେଉଥିବା ନନବ୍ୟାଙ୍କିଂ ଟ୍ରାନଜାକସନର ଫିସକୁ ମଧ୍ୟ ୧୮ ଟଙ୍କାରୁ ବୃଦ୍ଧି କରିବାକୁ ଚାହୁଁଛି । ବ୍ୟାଙ୍କ ଏହି ଫିସକୁ ବଢାଇ ୨୫ ଟଙ୍କା ପର୍ଯ୍ୟନ୍ତ କରିପାରେ । ଏହି ଫିସକୁ ୨୦୧୨ରେ ଧାର୍ଯ୍ୟ କରାଯାଇଥିଲା ଏବଂ ସେତେବେଳୁ ଏଥିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଉଲ୍ଲେଖ ଥାଉ କି, ବର୍ତ୍ତମାନ ସମସ୍ତ ବ୍ୟାଙ୍କ ଏଟିଏମରେ ହେଉଥିବା କ୍ୟାସ୍ ଟ୍ରାନଜାକସନ ପାଇଁ ୧୫ ଟଙ୍କା ଏବଂ ନନ କ୍ୟାସ ଟ୍ରାନଜାକସନ କରିବା ଉପରେ ଖାତାରୁ ୫ ଟଙ୍କା କଟାଯାଇଥାଏ । ଏହି ଚାର୍ଜ ପ୍ରତି ମାସ ମାଗଣାରେ ମିଳୁଥିବା ଟ୍ରାନଜାକସନ ଉପରେ ଲାଗିଥାଏ ।

କେଉଁ କାରଣରୁ ବଢିବ ଚାର୍ଜ

ରିଜର୍ଭ ବ୍ୟାଙ୍କ ଏଟିଏମ ଉପରେ ହେଉଥିବା ଟ୍ରାନଜାକସନ ପାଇଁ କଡା ନିୟମ ପ୍ରସ୍ତୁତ କରିଛି, ଯାହାଦ୍ୱାରା ଏଟିଏମ ଅପରେଟର୍ସ ଟ୍ରାନଜାକସନ ଚାର୍ଜ ବଢାଇବାକୁ ଦାବି କରୁଛନ୍ତି। ଏଟିଏମ ଇଣ୍ଡଷ୍ଟ୍ରୀ ଟ୍ରାନଜାକସନ ଉପରେ ୩ରୁ ୫ ଟଙ୍କା ବଢାଇବାକୁ ଦାବି କରିଛି, ଯାହାଦ୍ୱାରା ସେମାନେ ନିଜ ଖର୍ଚ୍ଚକୁ ପୂରା କରିପାରିବେ ।

୧୮ ପ୍ରତିଶତ ଲାଗିବ ଏହି ସେବା ଗୁଡିକ ଉପରେ ଜିଏସଟି

ଯେଉଁ ସବୁ ମାଗଣା ସେବାଗୁଡିକ ଉପରେ ବ୍ୟାଙ୍କ ୧୮ ପ୍ରତିଶତ ଜିଏସଏଟି ଲଗାଇବାକୁ ପ୍ରସ୍ତାବ ଦେଇଛି, ସେଥିରେ ଚେକ୍ ବୁକ୍, ଏଟିଏମ, ଅତିରିକ୍ତ କ୍ରେଡିଟ କାର୍ଡ ଏବଂ ପେଟ୍ରୋଲ-ଡିଜେଲର କାର୍ଡରୁ ପେମେଂଟ କରିବା ଉପରେ ମିଳୁଥିବା ରିଫଣ୍ଡ ସାମିଲ ରହିଛି । ବର୍ତମାନ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ ଏବଂ ଏଚଡିଏଫସି ବ୍ୟାଙ୍କ ଏହି ଚାର୍ଜକୁ ଲାଗୁ କରିବା ପ୍ରଥମେ ଆରମ୍ଭ କରିବେ ।

ବେସିକ ସଂଚୟ ଖାତା ଉପରେ ବି ଲାଗିବ ଟ୍ୟାକ୍ସ

ସେହିପରି ଯେଉଁ ଲୋକମାନେ ନିଜର ବେସିକ୍ ସଂଚୟ ଖାତା ଖୋଲିଛନ୍ତି, ସେମାନଙ୍କୁ ବି ଏଟିଏମ ବ୍ୟବହାର ଉପରେ ଟ୍ୟାକ୍ସ ଦେବାକୁ ପଡିବ । ଯେଉଁ ଲୋକମାନେ ନିଜର ଖାତାରେ ମିନିମମ ବାଲାନ୍ସ ରଖନ୍ତି ନାହିଁ ସେମାନଙ୍କଠାରୁ ମଧ୍ୟ ଜିଏସଟି ଆଦାୟ କରାଯିବ ।

ସମ୍ବନ୍ଧିତ ଖବର