ସ୍ମାର୍ଟ ଯୁଗର ସ୍ମାର୍ଟ ମଣିଷ ଜୀବନ ଅତି ବ୍ୟସ୍ତବହୁଳ। କୌଣସି ଜିନିଷ କିଣିବାକୁ ଦୋକାନୀ ହାତକୁ ଚାହିଁ ବସିବାକୁ ତା’ର ବେଳ ନାହିଁ। ଡିଜିଟାଲ୍ ପେମେଣ୍ଟ୍ କରି ଆବଶ୍ୟକ ଜିନିଷ କାଢ଼ ଓ ତୁରନ୍ତ ଚାଲ। ତେଣୁ, ସେ ସମୟ ଆଉ ବେଶୀ ଦିନ ନାହିଁ, ଯେଉଁ ଦିନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଭେଣ୍ଡିଙ୍ଗ୍ ମେସିନ୍ ବିକ୍ରୟସ୍ଥଳରେ ରହି ଗ୍ରାହକମାନଙ୍କ ସହିତ ଭାବ ବିନିମୟ କରିବ।
ସାଧାରଣତଃ ‘ଏଟିଏମ୍’ ( ଅଟୋମେଟେଡ୍ ଟେଲର୍ ମେସିନ୍) କହିଲେ ଆମେ କାର୍ଡ ପୂରାଇଲେ ଟଙ୍କା ବାହାରୁ ଥିବା ଯନ୍ତ୍ରକୁ ବୁଝୁ। ହେଲେ ଆଜିକାଲି ଏହାର ବ୍ୟବହାର ଆଉ ଟଙ୍କା ଉଠାଣରେ ସୀମିତ ହୋଇ ରହିନାହିଁ। ଆହୁରି ଅନେକ ଜିନିଷ ଏଟିଏମ୍ ମେସିନ୍ ପରି ମେସିନ୍ରୁ ବାହାରୁଛି। ଏହାକୁ ଭେଣ୍ଡିଙ୍ଗ୍ ମେସିନ୍ ବା ଅଟୋମେଟେଡ୍ ମେସିନ୍ (ସ୍ବୟଂକ୍ରିୟ ଯନ୍ତ୍ର) କୁହାଯାଉଛି। ଏଭଳି ଏଟିଏମ୍ରୁ ଏବେ ସୂତାଠୁ ମୁକ୍ତା ପର୍ଯ୍ୟନ୍ତ ସବୁ ଜିନିଷ ବାହାରୁଛି। ସମ୍ପ୍ରତି ଭାରତ ସମେତ ବିଶ୍ବର ବହୁ ଦେଶରେ ଅନେକ ପ୍ରକାରର ବ୍ୟବହାର୍ଯ୍ୟ ସାମଗ୍ରୀ ନିମନ୍ତେ ଏ ଧରଣର ମେସିନ୍ ସବୁ ବସାଯାଉଛି। ପ୍ରକାର ଭେଦରେ ଦେଖିଲେ ସାଧାରଣ ଖେଳନା ଭେଣ୍ଡିଙ୍ଗ୍ ମେସିନ୍ଠାରୁ ଆରମ୍ଭ କରି କ୍ୟାସ୍ଲେସ୍ କଫି ମେସିନ୍ ଭଳି ଭେଣ୍ଡିଙ୍ଗ୍ ମେସିନ୍ ଭାରତରେ ଉପଲବ୍ଧ। ଓଡ଼ିଶାରେ ପାଣି ଏଟିଏମ୍ ଓ ଦୁଗ୍ଧ ଏଟିଏମ୍ର ବ୍ୟବହାର ହେଉଛି। ଭୁବନେଶ୍ବର ମହାନଗର ନିଗମ ବିଶୁଦ୍ଧ ପାନୀୟ ଜଳ ଲାଗି ପାଣି ଏଟିଏମ୍ ବସାଇଥିଲା। କିଛିଦିନ ତଳେ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଇବା ଲାଗି ଏଟିଏମ୍ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।
ସ୍ନାକ୍ସ ଏଟିଏମ୍: ଭୋଜନ, ବିଶେଷକରି ଜଳଖିଆଜାତୀୟ ଖାଦ୍ୟ ମିଳୁଥିବା ଭେଣ୍ଡିଙ୍ଗ୍ ମେସିନ୍ର ପ୍ରଚଳନ ୧୮୦୦ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ପ୍ରଥମେ ଏଥିରୁ କେବଳ ଚୁଇଙ୍ଗ୍ ଗମ୍ ମିଳୁଥିଲା। ସମୟକ୍ରମେ ଏବେ ଏଥିରୁ ତେଲଭାଜି, ହଟ୍ଡଗ୍, ବର୍ଗର୍, ପିଜ୍ଜା, ନମ୍କିନ୍, ଚିପ୍ସ୍, କୁକି, ବିସ୍କୁଟ୍, ଚକ୍ଲେଟ୍, ଆଇସ୍କ୍ରିମ୍, ଶୁଖିଲା ଫଳ, ଫଳ, ପନିପରିବା, ଅଣ୍ଡା ଓ ସାଲାଡ୍, ଆଦି ମିଳୁଛି। ସ୍କୁଲ୍, ଡାକ୍ତରଖାନା, ପାର୍କିଙ୍ଗ୍ସ୍ଥାନ, ଫୁଟ୍ପାଥ୍, ଟ୍ରେନ୍ ଷ୍ଟେସନ୍, ମଲ୍, ବିମାନବନ୍ଦର, କ୍ରୀଡ଼ା କେନ୍ଦ୍ର ଆଦି ସ୍ଥାନରେ ଏ ଧରଣର ଭେଣ୍ଡିଙ୍ଗ୍ ମେସିନ୍ର ବିଶେଷ ଚାହିଦା ରହିଛି।
ପାନୀୟ ଏଟିଏମ୍: ଖାଦ୍ୟ ଭେଣ୍ଡିଙ୍ଗ୍ ମେସିନ୍ ଭଳି ଏହା ମଧ୍ୟ ଖୁବ୍ ଲୋକପ୍ରିୟ। ଅଧିକାଂଶ ସ୍ଥାନରେ ଏହାକୁ ଖାଦ୍ୟ ଭେଣ୍ଡିଙ୍ଗ୍ ମେସିନ୍ ନିକଟରେ ରଖାଯାଇଥାଏ। ଆମେରିକାରେ ସର୍ବପ୍ରଥମ ମୃଦୁ ପାନୀୟ କୋକା-କୋଲା ଭେଣ୍ଡିଙ୍ଗ୍ ମେସିନ୍ରେ ମିଳିବା ଆରମ୍ଭ ହୋଇଥିଲା । କିନ୍ତୁ, ଏବେ ପାନୀୟ ଭେଣ୍ଡିଙ୍ଗ୍ ମେସିନ୍ରୁ ବହୁ ପ୍ରକାରର ମୃଦୁ ପାନୀୟ ଓ ମଦ ମିଳୁଛି। ସୁବାସିତ ପାଣି, ମିନେରାଲ୍ ୱାଟର୍, ଭିଟାମିନ୍ ପାଣି, ସାଦା ପାଣି ବି ଏଭଳି ଭେଣ୍ଡିଙ୍ଗ୍ ମେସିନ୍ରେ ଉପଲବ୍ଧ। ପୁଣି ରେଫ୍ରିଜେରେଟର୍ ଲାଗିଥିବା ଏଟିଏମ୍ରୁ ଦୁଗ୍ଧ, ବସାଦହି, ଫଳରସ, ଆଇସ୍କ୍ରିମ୍, ଶୀତଳିକୃତ ମିଷ୍ଟାନ୍ନ ଓ ଶୀତଳ ଖାଦ୍ୟ ମଧ୍ୟ ଉପଲବ୍ଧ ହୁଏ। ଏ ପ୍ରକାରର ଆଉ କେତେକ ଭେଣ୍ଡିଙ୍ଗ୍ ମେସିନ୍ରେ କଫି ଓ ଚା ଭଳି ଉଷ୍ଣ ପାନୀୟ ମଧ୍ୟ ମିଳୁଛି।
ଟୟ ଭେଣ୍ଡିଙ୍ଗ୍ ଏଟିଏମ୍: ଏସବୁ ସାଧାରଣତଃ ଗେମ୍ େଜାନ୍ରେ ଦେଖାଯାଏ ଏବଂ କେତେକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ପାଇଁ ବ୍ୟବହାର କରାଯାଏ। ସେଥିରୁ ଖେଳ ଟିକେଟ୍, ଲଟେରି ଟିକେଟ ଓ ଖେଳନା-କଣ୍ଢେଇ ବି ବାହାରିଥାଏ।
ସାନିଟାରି ପ୍ୟାଡ୍ ଏଟିଏମ୍: ମହିଳାମାନଙ୍କ ବ୍ୟକ୍ତିଗତ ଯତ୍ନ ବର୍ଗରେ ଆସୁଥିବା ଏ ଭେଣ୍ଡିଙ୍ଗ୍ ମେସିନ୍ ସର୍ବସାଧାରଣ ଶୌଚାଳୟ, ସ୍କୁଲ୍, ଅଫିସ୍ ଓ ସର୍ବସାଧାରଣ ସ୍ଥାନରେ ସାନିଟାରି ନାପ୍କିନ୍ ଓ ଟେମ୍ପୋନ୍ ଯୋଗାଇଥାଏ। ଦେଶର ପ୍ରାୟ ସବୁ ରାଜ୍ୟରେ ମହିଳାମାନଙ୍କ ଲାଗି ପ୍ୟାଡ୍ ଏଟିଏମ୍ ଆରମ୍ଭ ହୋଇଛି। ଦିଲ୍ଲୀର ପୁଲିସ ଷ୍ଟେସନ୍ରେ ବି କିଛି ବର୍ଷ ତଳେ ଏହା ଲଗାଯାଇଛି। ୨୦୧୮ରେ ପୂର୍ବତଟ ରେଳ ପୁରୀ, ଭୁବନେଶ୍ବର ଓ ବିଶାଖାପାଟଣାରୁ ଛାଡ଼ୁଥିବା ୩୬ଟି ଟ୍ରେନ୍ରେ ୯୧ଟି ପ୍ୟାଡ୍ ଭେଣ୍ଡିଙ୍ଗ୍ ମେସିନ୍ ଲଗାଯାଇଛି।
ଭେଣ୍ଡିଙ୍ଗ୍ ମେସିନ୍ର ଇତିବୃତ୍ତ
ଭେଣ୍ଡିଙ୍ଗ୍ ମେସିନ୍ ୨୦୦୦ ବର୍ଷ ପୂର୍ବେ ଯେମିତି ଗ୍ରହଣୀୟ ଓ ଲୋକପ୍ରିୟ ଥିଲା, ଆଜି ବି ସେମିତି ରହିଛି। ଉପାସନା ସ୍ଥଳରେ ସୁନିୟନ୍ତ୍ରିତ ଭାବେ ପବିତ୍ର ଜଳ (ହୋଲି ୱାଟର୍) ବିକ୍ରୟ ଲାଗି ମିଶର୍ର ଆଲେକ୍ଜାଣ୍ଡ୍ରିଆ ନଗରୀର ହିରୋ ନାମରେ ଜଣେ ଇଞ୍ଜିନିୟର୍ ତଥା ଗଣିତଜ୍ଞ ପ୍ରଥମ ଶତାବ୍ଦୀରେ ଭେଣ୍ଡିଙ୍ଗ୍ ମେସିନ୍ ନିର୍ମାଣ କରିଥିଲେ। ଏଥିରେ କଏନ୍ଟିଏ ପକାଇଲେ ନିର୍ଦ୍ଦିଷ୍ଟ ପରିମାଣର ପବିତ୍ର ଜଳ ବାହାରୁଥିଲା।
୧୬୧୫ରେ ଇଂଲଣ୍ଡ୍ର ଟାଭର୍ଣ୍ଣସ୍ରେ କଏନ୍ଦ୍ବାରା ଚାଳିତ ଭେଣ୍ଡିଙ୍ଗ୍ ମେସିନ୍ରେ ତମାଖୁ ମିଳୁଥିଲା। ସେହିଭଳି, ୧୮୨୨ରେ ଖବରକାଗଜ ଭେଣ୍ଡିଙ୍ଗ୍ ମେସିନ୍ ୧୮୬୭ରେ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଷ୍ଟାମ୍ପ୍ ଭେଣ୍ଡିଙ୍ଗ୍ ମେସିନ୍ ଉଦ୍ଭାବନ ହେଲା। ସର୍ବପ୍ରଥମ କଏନ୍ ପରିଚାଳିତ ଆଧୁନିକ ଭେଣ୍ଡିଙ୍ଗ୍ ମେସିନ୍ ଇଂଲଣ୍ଡ୍ର ଲଣ୍ଡନ୍ ନଗରୀରେ ପ୍ରଚଳନ କରାଯାଇଥିଲା ପୋଷ୍ଟ୍କାର୍ଡ ବିକ୍ରୟ ନିମନ୍ତେ।
ପୁରୁଣାକାଳିଆ ଭେଣ୍ଡିଙ୍ଗ୍ ମେସିନ୍ ସବୁ ମଣିଷ ଚଳାଉଥିଲା। ଜିନିଷ ପାଇଁ ନଗଦ ଟଙ୍କା (କଏନ୍) ଆବଶ୍ୟକ ହେଉଥିଲା। କିନ୍ତୁ, ଆଜିକାଲିର ଭେଣ୍ଡିଙ୍ଗ୍ ମେସିନ୍ ସବୁ ସ୍ମାର୍ଟ ଭେଣ୍ଡିଙ୍ଗ୍ ମେସିନ୍। ଏହାର ବୈଶିଷ୍ଟ୍ୟ ହେଉଛି- ଟଚ୍ସ୍କ୍ରିନ୍, ଭଏସ୍-ଆକ୍ଟିଭେଟେଡ୍ କମାଣ୍ଡ୍ ଓ କ୍ୟାସ୍ଲେସ୍ ପେମେଣ୍ଟ। ଅଟୋମେଟେଡ୍ ବା ସ୍ବୟଂକ୍ରିୟ ଭେଣ୍ଡିଙ୍ଗ୍ ମେସିନ୍ ‘କ୍ଲାଉଡ୍-ବେସ୍ଡ୍ ଟେକ୍ନୋଲୋଜି’ରେ ପରିଚାଳିତ ହେଉଥିବାରୁ ଜିନିଷପତ୍ର ଲାଗି ନଗଦ ଟଙ୍କା ପରିବର୍ତ୍ତେ ଡିଜିଟାଲ୍ ପେମେଣ୍ଟ୍ କରାଯାଇ ପାରୁଛି।
କଣ୍ଡୋମ୍ ଏଟିଏମ୍:ସୁରକ୍ଷିତ ଯୌନସଂପର୍କ, ଅବାଞ୍ଛିତ ଗର୍ଭଧାରଣ ଓ ଯୌନସଂକ୍ରମିତ ରୋଗରୁ ଦୂରେଇ ରହିବା ଲାଗି କଣ୍ଡୋମ୍ ବ୍ୟବହାର ଏବେ ସାଧାରଣ କଥା। ବିବାହିତ-ଅବିବାହିତ ନିର୍ବିଶେଷରେ ପୁରୁଷ ଓ ମହିଳା ଏହାକୁ ବ୍ୟବହାର କରୁଛନ୍ତି। ବିଦେଶରେ ବହୁ ପୂର୍ବରୁ ସର୍ବସାଧାରଣ ସ୍ଥାନରେ କଣ୍ଡୋମ୍ ଏଟିଏମ୍ ବସାଯାଇଥିବା ବେଳେ ଭାରତରେ ୨୦୦୦ ମସିହା ପରେ ଏହାର ବ୍ୟବହାର ଲୋକପ୍ରିୟ ହୋଇଛି। ୨୦୦୮ ମସିହାରେ ଦିଲ୍ଲୀରେ ଏବଂ ୨୦୦୯ରେ ମୁମ୍ବାଇରେ କଣ୍ଡୋମ୍ ଏଟିଏମ୍ ବସାଯାଇଥିଲା। ପରେ ଅନ୍ୟ ବଡ଼ ସହରରେ ଏହି ବ୍ୟବସ୍ଥା ଉପଲବ୍ଧ ହୋଇଥିଲା। ଏଡ୍ସ୍ ବଢୁଥିବାରୁ ଗତବର୍ଷ ଦିଲ୍ଲୀ ମହାନଗର ନିଗମ ୨୦୦୦ଟି କଣ୍ଡୋମ୍ ଏଟିଏମ୍ ବସାଇଛି।
ସିଗାରେଟ୍ ଏଟିଏମ୍: ଆଜିକାଲି ସର୍ବସାଧାରଣ ସ୍ଥାନରେ ନିଷିଦ୍ଧ କରାଯାଇଥିବାରୁ କସିନୋ ଓ ବାର୍ ଆଦିରେ ଏହି ଭେଣ୍ଡିଙ୍ଗ୍ ମେସିନ୍ ଲାଗୁଛି। ଯେଉଁ ଦେଶରେ ଗଞ୍ଜେଇ ନିଷିଦ୍ଧ ନୁହେଁ ସେଠାରେ ଗଞ୍ଜେଇ ଏଟିଏମ୍ ବି ରହିଛି। ନାବାଳକମାନଙ୍କୁ ସିଗାରେଟ୍ କି, ଗଞ୍ଜେଇ ବିକ୍ରି ନ କରିବାକୁ ଏଥିରେ ସ୍ବୟଂକ୍ରିୟ ପରିଚୟ ଯାଞ୍ଚ ବ୍ୟବସ୍ଥା ମଧ୍ୟ ରହିଛି।
ସ୍କୁଲ୍ ସପ୍ଲାଏ ଏଟିଏମ୍:ଅଫିସ୍ ଅଞ୍ଚଳ, ଗୋଷ୍ଠୀକେନ୍ଦ୍ର ଓ ସ୍କୁଲ୍ ଆଦିରେ ଲାଗୁଥିବା ଏହି ଭେଣ୍ଡିଙ୍ଗ୍ ମେସିନ୍ରେ କଲମ, କାଗଜ, ଷ୍ଟାପ୍ଲର୍, ଅଠା, ପେନ୍ସିଲ୍, ରବର ଆଦି ମିଳେ।
ଔଷଧ ଏଟିଏମ୍:ଏ ଭେଣ୍ଡିଙ୍ଗ୍ ମେସିନ୍ରେ ମୁଣ୍ଡବିନ୍ଧା ଔଷଧ, ଆଣ୍ଟାସିଡ୍ ଓ ସାଧାରଣରେ ଆବଶ୍ୟକ ହେଉଥିବା ଆଉ କେତେକ ଔଷଧ ମିଳେ।
ବିୟୁଟି ଏଟିଏମ୍:ଏଥିରେ ମେକ୍ଅପ୍ ଓ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ମିଳେ। ନଖରେ ନେଲ୍ ପଲିସ୍ ଲଗାଇବା ପାଇଁ ବି ଭେଣ୍ଡିଙ୍ଗ୍ ମେସିନ୍ ବ୍ୟବସ୍ଥା ଅଛି। ପ୍ରସାଧନ ସାମଗ୍ରୀ ଥିବା ଏ ଭେଣ୍ଡିଙ୍ଗ୍ ମେସିନ୍ ସବୁ ବିବାହସ୍ଥଳ ଓ ବିଳାସମୟ ହୋଟେଲ୍ରେ ଉପଲବ୍ଧ।
କଙ୍କଡ଼ା ଏଟିଏମ୍:ଜିଅନ୍ତା କଙ୍କଡ଼ା ବିକ୍ରୟ କରିବା ଲାଗି ଚୀନ୍ର ଜିଆଙ୍ଗ୍ସୁ ପ୍ରଦେଶ ଅନ୍ତର୍ଗତ ନାନ୍ଜିଙ୍ଗ୍ରେ ଭେଣ୍ଡିଙ୍ଗ୍ ମେସିନ୍ ବସିଛି।
ରିଭର୍ସ ଏଟିଏମ୍:ନୂଆ ଜିନିଷ ବାହାର କରି ଦେଉଥିବା ଭଳି ବ୍ୟବହୃତ ଜିନିଷ ନେବା ପାଇଁ ରିଭର୍ସ ଭେଣ୍ଡିଙ୍ଗ୍ ମେସିନ୍ ବା ଓଲଟ ଭେଣ୍ଡିଙ୍ଗ୍ ମେସିନ୍ ବି ଅଛି। ଏସବୁ ସାଧାରଣତଃ ପ୍ଲାଷ୍ଟିକ୍ ଅଥବା ଆଲ୍ମିନିୟମ୍ କେନ୍ ଭଳି ଖାଲି ହୋଇଯାଇଥିବା କଣ୍ଟେନର୍ ଗ୍ରହଣ କରେ। କେବଳ ନେଇଯାଏ ନାହିଁ, ରିସାଇକ୍ଲ୍ ପଦ୍ଧତିକୁ ପ୍ରୋତ୍ସାହିତ କରୁଥିବାରୁ ପ୍ରତିବଦଳରେ କିଛି ଆର୍ଥିକ ପୁରସ୍କାର ବା ଭାଉଚର୍ ମଧ୍ୟ ଦିଏ।
ଏହାଛଡ଼ା, ସାମଗ୍ରୀକୁ ଚାହିଁ ବି ଆଜିକାଲି ବରାଦ ମୁତାବକ ଏଟିଏମ୍ ପ୍ରସ୍ତୁତ କରାଯାଇ ପାରୁଛି। ଅର୍ଥାତ୍ ଜଣେ ଯେଉଁ ଜିନିଷ ବ୍ୟବସାୟ କରୁଥାଉ ନା କାହିଁକି, ତାକୁ ସୁହାଇଲା ଭଳି ଭେଣ୍ଡିଙ୍ଗ୍ ମେସିନ୍ ତିଆରି କରାଯାଇ ପାରୁଛି। ସଦ୍ୟତମ ଭେଣ୍ଡିଙ୍ଗ୍ ମେସିନ୍ ସଫ୍ଟୱେର୍ ଓ ପ୍ରଯୁକ୍ତି ବଳରେ ଟି-ସାର୍ଟ, ପାନ, ଫୁଟ୍ବଲ୍, ଗୁପ୍ଚୁପ୍ ଆଦି ପାଇଁ ବି ଭେଣ୍ଡିଙ୍ଗ୍ ମେସିନ୍ ତିଆରି ହେଉଛି।