ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ତ, ଏସବୁ ପ୍ରାକ୍‌ ପ୍ରସ୍ତୁତି କରନ୍ତୁ

ଯୁବକ, ଯୁବତୀମାନେ ସେମାନଙ୍କର ଜବ୍‌( ଚାକିରି) ପାଇଁ ଯେତେବେଳେ ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତି, ସେତେବେଳେ ନିଜର କପଡା ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ଥାଆନ୍ତି, ତା’ସାଙ୍ଗକୁ ନିଜର ବାୟୋଡାଟା ଓ ସାର୍ଟିଫିକେଟ୍‌କୁ ମଧ୍ୟ ସାଙ୍ଗରେ ନେଇ ଯିବାକୁ ଭୁଲନ୍ତି ନାହିଁ । ଏତିକିରେ ଜଣେ ଇଣ୍ଟରଭ୍ୟୁ ସଫଳ ହୋଇପାରିବ ନାହିଁ । ଏଥିପାଇଁ ଆହୁରି ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ସେ ସଂପର୍କରେ…

ସଂସ୍ଥା /କଂପାନୀ ସଂପର୍କରେ ରିସର୍ଚ୍ଚ କରନ୍ତୁ: ଯେଉଁ କଂପାନୀ ବା ସଂସ୍ଥାରେ ଚାକିରି ପାଇଁ ଆପଣ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତା’ ବିଷୟରେ ଅଧିକ ରିସର୍ଚ୍ଚ କରନ୍ତୁ । କଂପାନୀର ଉତ୍ପାଦ ବା ସେବା ଏବଂ ଏହାର ମାର୍କେଟରେ କିଭଳି ସୁନାମ ଅଛି, ସେ ସଂପର୍କରେ ଯେତେ ଅଧିକ ତଥ୍ୟ ସଂଗ୍ରହ କରିପାରିବେ, ଆପଣଙ୍କ ପାଇଁ ସେତେ ଭଲ । କଂପାନୀର ଓ୍ଵବ୍‌ସାଇଟ୍‌ରୁ ମଧ୍ୟ ଏ ବିଷୟରେ ଅନେକ କଥା ଜାଣିପାରିବେ ।

ପ୍ରଶ୍ନୋତ୍ତର ପାଇଁ ପ୍ରସ୍ତୁତି: ଇଣ୍ଟରଭ୍ୟୁ ରେ ଏମିତି ଅନେକ କମନ୍‌ ପ୍ରଶ୍ନ ରହିଛି ଯାହା ପଚାରା ଯାଇଥାଏ । ଯେମିତିକି ପ୍ରଥମେ କେଉଁଠି ଚାକିରି କରୁଥିଲେ, କେତେ ବର୍ଷ ଧରି ଚାକିରି କରିଥିଲେ, କାହିଁକି ସେ ଚାକିରି ଛାଡ଼ିଲେ ଅଥବା ନିଜ ବିଷୟରେ କହନ୍ତୁ । ଆପଣଙ୍କୁ ନିଯୁକ୍ତି ମିଳିଲେ ଏ ସଂସ୍ଥା ପାଇଁ ଆପଣ କ’ଣ କରିପାରିବେ? ଏହା ଛଡା କିଛି ଟେକ୍‌ନିକାଲ ପ୍ରଶ୍ନ ମଧ୍ୟ ପଚରା ଯାଇପାରେ, ଯାହାର ସିଧାସଳଖ ସଂପର୍କ ଆପଣଙ୍କର ପାଠପଢା ବା ଶିକ୍ଷାଗତ ଯୋଗ୍ୟ ସହିତ ଥାଇପାରେ । ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଆପଣ ପ୍ରାକ୍‌ ପ୍ରସ୍ତୁତି କରିନିଅନ୍ତୁ । ଏକଥା ସବୁବେଳେ ମନେ ରଖନ୍ତୁ ଯେ ବିନା ପ୍ରସ୍ତୁତିରେ ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ ନାହିଁ ।

photo-informationdiary.com

ଚେକ୍‌ଲିଷ୍ଟ ବନାନ୍ତୁ: ଇଣ୍ଟରଭ୍ୟୁ ସମୟରେ ଆବଶ୍ୟକୀୟ ଡକୁମେଣ୍ଟ, ସାର୍ଟିଫିକେଟ୍‌ ଇତ୍ୟାଦିରେ ଚେକ୍‌ଲିଷ୍ଟ ବନାନ୍ତୁ । ଅନେକ ସମୟରେ ଇଣ୍ଟରଭ୍ୟୁ ବେଳେ ପ୍ରେଜେଣ୍ଟେସନ୍‌ ମଧ୍ୟ ଦେବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ପ୍ରେଜେଣ୍ଟେସନ୍‌ ପାଇଁ ଏସବୁ ଜିନିଷ ଆପଣ ସିଡ଼ି କିମ୍ବା ପେନ୍‌ଡ୍ରାଇଭ୍‌ରେ ରଖି ନିଅନ୍ତୁ ।
ସମୟ ପୂର୍ବରୁ ପହଞ୍ଚିବା: ଇଣ୍ଟରଭ୍ୟୁ ସ୍ଥାନରେ ଯଥେଷ୍ଟ ସମୟ ପୂର୍ବରୁ ପହଞ୍ଚନ୍ତୁ । ସେଠାରେ ଶୀଘ୍ର ପହଞ୍ଚି ଅଧଘଣ୍ଟା ଯାଏଁ ସେଠାକାର ପରିବେଶ ସହିତ ନିଜକୁ ଖାପ ଖୁଆଇ ଦେଲେ ଭଲ । ଏହାଦ୍ୱାରା ଆପଣ ଆଦୌ ଇଣ୍ଟରଭ୍ୟୁ ବେଳେ ନର୍ଭସ୍‌ ହେବେ ନାହିଁ ।
ପଜିଟିଭ୍‌ ରହନ୍ତୁ: ଇଣ୍ଟରଭ୍ୟୁ ଦେବାକୁ ଯିବାବେଳେ ମନରେ କୌଣସି ପ୍ରକାରର ଡାଉଟ୍‌ ରଖନ୍ତୁ ନାହିଁ । ଏଥିପାଇଁ ଆପଣଙ୍କର ପଜିଟିଭ୍‌ ଆପ୍ରୋଚ୍‌ ରହିବା ଦରକାର ।

ସମ୍ବନ୍ଧିତ ଖବର