୧୯୪୨ ଅଗଷ୍ଟ ୮ରେ ଭାରତୀୟ ଜାତୀୟ କଂଗ୍ରେସ ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ କମିଟି ତାହାର ବମ୍ବେ ଅଧିବେଶନରେ ଏହି ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ସଂକଳ୍ପ ପାରିତ କରିଥିଲା। ଆନ୍ଦୋଳନ ଆରମ୍ଭ ପୂର୍ବରୁ ଗାନ୍ଧୀଙ୍କ ସମେତ କଂଗ୍ରେସର ସମସ୍ତ ପ୍ରମୁଖ ନେତାଙ୍କୁ ଗିରଫ କରି ନିଆଯାଇଥିଲା। ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ୍ ମଇଦାନ (ଆଜିର ଅଗଷ୍ଟ କ୍ରାନ୍ତି ମଇଦାନ)ରେ ଅରୁଣା ଆସଫ ଅଲି ଜାତୀୟ ପତାକା ଉତ୍ତୋଳନ କରି ଏହି ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ଏହା ଅଗଷ୍ଟ କ୍ରାନ୍ତି ନାମରେ ସୁପରିଚିତ। ଏହା ଥିଲା ସ୍ବାଧୀନତା ପାଇଁ ଏକ ବିଶାଳ, ନିର୍ଣ୍ଣାୟକ ତଥା ଅହିଂସ ଗଣସଂଘର୍ଷର ଅୟମାରମ୍ଭ। ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ ମନ୍ତ୍ରରେ ଉଦ୍ବୁଦ୍ଧ ଏହି ଆନ୍ଦୋଳନ ନେତୃତ୍ବ ଅଭାବ, ଦୁର୍ବଳ ସମନ୍ବୟ, ଅସ୍ପଷ୍ଟ ଯୋଜନା ଓ ବ୍ରିଟିସ କର୍ତ୍ତୃପକ୍ଷଙ୍କ ଦମନ ଯୋଗୁଁ ବେଶୀ ଦିନ ତିଷ୍ଠିନଥିଲା। କିନ୍ତୁ ଏହା ଦେଶବାସୀଙ୍କୁ ଇଂରେଜ ଶାସନ ବିରୋଧରେ ଏକଜୁଟ କରିବାରେ ସଫଳ ହୋଇଥିଲା।
ଦେଶବ୍ୟାପୀ ହରତାଳ ଓ ଶୋଭାଯାତ୍ରାମାନ ଅନୁଷ୍ଠିତ ହୋଇଥିଲା। ବ୍ରିଟିସ ସରକାର ଲାଠିମାଡ଼, ଗୁଳିଚାଳନା ଓ ଗିରଫଦାରି ଦ୍ବାରା ଆତଙ୍କ ସୃଷ୍ଟି କରିଥିଲେ। ଅନେକ ସ୍ଥାନରେ ପୁଲିସ ସହ ଆନ୍ଦୋଳନକାରୀଙ୍କର ସଂଘର୍ଷ ଘଟିଥିଲା। ୧୯୪୨ ଶେଷ ସୁଦ୍ଧା ପ୍ରାୟ ୬୦ ହଜାର ଭାରତୀୟ କାରାବରଣ କରିଥିଲେ ଏବଂ ଶହ ଶହ ସଂଖ୍ୟାରେ ଦେଶବାସୀ ମୃତ୍ୟୁମୁଖରେ ପଡ଼ିଥିଲେ। ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲି, ଏସ୍ଏମ୍ ଯୋଶୀ, ରାମ ମନୋହର ଲୋହିଆଙ୍କ ଭଳି ନେତାଙ୍କ ନେତୃତ୍ବରେ ବୈପ୍ଳବିକ କାର୍ଯ୍ୟକଳାପ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ପର୍ଯ୍ୟନ୍ତ ଚାଲିଥିଲା। ବ୍ରିଟିସ ସରକାରଙ୍କ ଆତଙ୍କ ସାଙ୍ଗକୁ ବେଙ୍ଗଲରେ ଦେଖାଦେଇଥିବା ଭୟଙ୍କର ଖାଦ୍ୟ ସଂକଟରେ ପ୍ରାୟ ୩୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗାନ୍ଧୀଜୀ ୧୯୪୪ରେ ଜେଲରୁ ମୁକୁଳିବା ପରେ ୨୧ ଦିନ ଧରି ଅନଶନରେ ବସିରହିଥିଲେ। ସୌଭାଗ୍ୟବଶତଃ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେଲା ବେଳକୁ ବ୍ରିଟେନ୍ର ସ୍ଥିତି ଶୋଚନୀୟ ହୋଇଯାଇଥିଲା। ଇଂରେଜମାନେ ଶେଷରେ ଭାରତର ଶାସନ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ।