‌ ଅଟିଜିମ୍‌ କ’ଣ ଓ କେତେ ପ୍ରକାରର?
ଏହା ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ରୋଗର ଶିକାର ଶିଶୁମା‌ନେ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବାରେ ଅସହଜ ଅନୁଭବ କରିଥାଆନ୍ତି। କଥା କହିବା ଓ ବୁଝିବାରେ ସେମାନଙ୍କୁ ସମସ୍ୟା ହୋଇଥାଏ। ତେବେ ଝିଅମାନଙ୍କ ଅପେକ୍ଷା ପୁଅମା‌ନେ ବେଶୀ ଏହି ରୋଗର ଶିକାର ହୋଇଥାଆନ୍ତି।

Advertisment

‌ ପିଲାଠାରେ କେଉଁ ଲକ୍ଷଣଗୁଡ଼ିକ ଦେଖିଲେ, ସେ ଅଟିଜିମ୍‌ର ଶିକାର ବୋଲି ଜାଣିପାରିବା?
ଠିକ୍‌ ଭାବେ ଭାବ ବିନିମୟ କରି ନପାରିବା, ଅନ୍ୟ ସହ ଆଖିରେ ଆଖି ମିଶାଇ କଥା ନ ହେବା, ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେବା, ଡାକିଲେ କିମ୍ବା ଠାରିଲେ ଧ୍ୟାନ ନ ଦେବା, ଠିକ୍‌ ଭାବେ ଦୈନନ୍ଦିନ କାର୍ଯ୍ୟ କରି ନପାରିବା ଆଦି ଅଟିଜିମ୍‌ର ଲକ୍ଷଣ।

‌ ଅଟିଜିମ୍‌ରେ ପୀଡ଼ିତ ଶିଶୁ ଜନ୍ମ ହେବା ପଛରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ବାପା-ମା’ ଦାୟୀ କି?
ହଁ, କିଛି କ୍ଷେତ୍ରରେ ଦାୟୀ। ଯଦି ଜିନ୍‌ଗତ ସମସ୍ୟା ଥିବ, ଘରର ପରିବେଶ ଠିକ୍‌ ନ ଥିବ, ମା’ଙ୍କ ବୟସ ଅଧିକ ହୋଇଥିବ ଓ ପିଲାଟି ଶୀଘ୍ର ଜନ୍ମ ହୋଇଥିବ ତେବେ ଶିଶୁଟି ଅଟିଜିମ୍‌ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ଅଧିକ।

 ଅଟିଜିମ୍‌ ଓ ମାନସିକ ବିକୃତି ଭିତରେ ପ୍ରଭେଦ ଅଛି ନା ଉଭୟ ସମାନ?
ଏ ଦୁଇଟି ରୋଗ ଅଲଗା। ଅଟିଜିମ୍‌କୁ ମାନସିକ ବିକୃତି ବୋଲି କୁହାଯାଇପାରିବ ନାହିଁ। ମାନସିକ ବିକୃତିରେ ସାଧାରଣତଃ ସାଧାରଣ ଜ୍ଞାନ ବା ବୁଦ୍ଧିମତ୍ତା ଦୁର୍ବଳ ଥାଏ। କିନ୍ତୁ ଅଟିଜିମ୍‌ର ଶିକାର ଶିଶୁମାନଙ୍କ କ୍ଷେତ୍ରରେ ଏ ପ୍ରକାର ମାନସିକ ଅସନ୍ତୁଳନ ଦେଖା ଦେଇ ନଥାଏ। ସେମାନଙ୍କ ଠାରେ ମାନସିକ ଅସ୍ଥିରତା ଓ କଥା କହିବାରେ ବିଳମ୍ବ ଭଳି ସମସ୍ୟା ଦେଖାଯାଏ। 

 ଅଟିଷ୍ଟିକ୍ ଶିଶୁର ଘରେ କିପରି ଯତ୍ନ ନେବା ଜରୁରି?
ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଘରେ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ଅଭ୍ୟାସ କରାଇପାରିବା। ସେମାନଙ୍କୁ ନିଜ କାମ ନିଜେ କରିବା ପାଇଁ ଶିଖାଇବା, ସ୍ବାସ୍ଥ୍ୟକର ଓ ପୋଷଣଯୁକ୍ତ ଖାଦ୍ୟ ଖୁଆଇବା, ଏକୁଟିଆ ନ ରଖି ପାରିବାରିକ ପରିବେଶ ଯୋଗାଇଦେବା ଜରୁରି। ସେମାନଙ୍କୁ ଟିଭି ଓ ମୋବାଇଲ୍‌ରୁ ଦୂରେଇ ରଖିବା ସହ ଚିତ୍ରାଙ୍କନ, ବଗିଚା କାମ ପରି କାର୍ଯ୍ୟରେ ଯୋଡ଼ି ରଖିବା ଆବଶ୍ୟକ।