ଉଦାହରଣ ପାଲଟିଲେ ଅଟୋଚାଳକ : ଜନ୍ମ ଦେଇ ଛାଡ଼ିଗଲା ମା’, ଭରଣ ପୋଷଣର ଦାୟିତ୍ୱ ନେଲେ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିବା ଅଟୋ ଚାଳକ

ବେଙ୍ଗାଲୁରୁ : ବେଳେ ବେଳେ କିଛି ଏମିତି ଘଟଣା ମଣିଷ ଜୀବନରେ ଘଟି ଯାଇଥାଏ, ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇଥାଏ । ଜୀବନରେ କୌଣସି ଜିନିଷ ମଣିଷର ଯୋଜନା ହିସାବରେ ହୋଇ ନଥାଏ, ଯାହା ଭାଗ୍ୟରେ ଥାଏ, ତାହା ହିଁ ଘଟିଥାଏ । ତେବେ ସେଭଳି ଏକ ଘଟଣା ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କ ସହ ଘଟିଛି ।

indiatimes.com

ସୂଚନା ମୁତାବକ, ବେଙ୍ଗାଲୁରୁରେ ଅଟୋ ଚଳାଉଥିବା ବାବୁ ମୁଦ୍ଦରପ୍ପା ରାତିରେ ଅଟୋ ନେଇ ଘରକୁ ଫେରୁଥିବା ବେଳେ ଜଣେ ମହିଳାଙ୍କ ଚିତ୍କାର ଶୁଣିଥିଲେ । ତାଙ୍କ ପାଖକୁ ଯିବା ପରେ ମହିଳାଜଣଙ୍କ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ବାବୁ । ମହିଳାଙ୍କ ପ୍ରସବ ଯନ୍ତ୍ରଣା ଦେଖି ବାବୁ ତାଙ୍କ ଠିକଣା ନ ପଚାରି ତାଙ୍କୁ ତୁରନ୍ତ ପାଖ ଡ଼ାକ୍ତରଖାନାରେ ନେଇ ପହଞ୍ଚିଥିଲେ । କିନ୍ତୁ ମହିଳାଙ୍କ ଅବସ୍ଥା ଦେଖି ଡ଼ାକ୍ତର ତାଙ୍କୁ ସିଭି ରମଣ ହସ୍ପିଟାଲକୁ ପଠାଇଥିଲେ । ସେଠାରେ ମହିଳାଙ୍କ ପ୍ରସବ କରାଯାଇଥିଲା । କିନ୍ତୁ ନବଜାତଟି ୨ମାସ ପୂର୍ବରୁ ଜନ୍ମ ହୋଇଥିବାରୁ ତାହାର ଓଜନ ମାତ୍ର ୮୫୦ଗ୍ରାମ୍‌ ଥିଲା । ଏହାକୁ ଦେଖି ଡ଼ାକ୍ତର ବାବୁଙ୍କୁ ନବଜାତର ଚିକିତ୍ସା କରାଇବା ପାଇଁ ପାଖ ହସ୍ପିଟାଲକୁ ପଠାଇଥିଲେ । ବାବୁ ନବଜାତକୁ ଡାକ୍ତରଖାନାରେ ଭର୍ତ୍ତି କରାଇ ସିଭି ରମଣ ହସ୍ପିଟାଲକୁ ଫେରିବା ପରେ ମହିଳାଜଣଙ୍କ ସେଠାରୁ ଫେରାର ହୋଇ ଯାଇଥିବା ଦେଖିଥିଲେ । ମହିଳାଙ୍କ କୌଣସି ଠିକଣା ନଥିବାରୁ ବାବୁ ଏବେ ନବଜାତକୁ ପାଳିବାର ନିଷ୍ପତ୍ତି ନେଇଛନ୍ତି । ବାବୁ ବିବାହିତ ଥିବା ସହ ତାଙ୍କର ପୂର୍ବରୁ ଦୁଇଟି ସନ୍ତାନ ଥିବା ଜଣା ପଡ଼ିଛି । ତେବେ ବାବୁଙ୍କ ଏଭଲି କାମ ଏବେ ସମସ୍ତଙ୍କୁ ଅନୁପ୍ରାଣିତ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର