ରାୟପୁର: ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ବ ଅନିବାର୍ଯ୍ୟ ହୋଇ ପଡ଼ିଥିବା ବେଳେ ଲୋକମାନଙ୍କର ଖାଦ୍ୟ ଅଭ୍ୟାସ ବିଶେଷ ଭାବେ ପ୍ରଭାବିତ ହୋଇଛି। ନିକଟରେ ଛତିଶଗଡ଼ରେ ଦେଖିବାକୁ ମିଳିଛି ଏକ ସ୍ବୟଂଚାଳିତ ଗୁପ୍ଚୁପ୍ ମେସିନ୍, ଯାହାକି କରୋନା ସମୟରେ ବିଶେଷ ଉପକାରୀ ସାବ୍ୟସ୍ତ ହୋଇଛି। କାରଣ ବିକାଳିଙ୍କ ହାତର ସ୍ପର୍ଶ ବିନା ଗ୍ରାହକ ଆରାମରେ ଗୁପଚୁପ ଖାଇ ପାରିବେ।
ଆଇଏଏସ୍ ଅଧିକାରୀ ଅବନିଶ ଶରଣଙ୍କ ଦ୍ବାରା ଟ୍ବିଟର୍ରେ ଏହି ସ୍ବୟଂଚାଳିତ ଗୁପ୍ଚୁପ୍ ମେସିନର ଏକ ଭିଡିଓ ସେୟାର୍ କରାଯାଇଛି। ଭିଡିଓ କ୍ଲିପ୍ରେ ଦେଖିବାକୁ ମିଳିଛି ଯେ ବ୍ୟବସାୟୀ କାହା ସଂସ୍ପର୍ଶରେ ନ ଆସି ଗୁପ୍ଚୁପ୍ ଦେଉଛନ୍ତି। ତାଙ୍କ ଚୁପ୍ଚୁପ୍ ଷ୍ଟଲ୍ରେ ଲେଖାଯାଇଛି, ‘ଟଚ୍ ମି ନଟ୍’। ବର୍ତ୍ତମାନ ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ବ୍ୟବସାୟୀ ଜଣକ ଗୁପଚୁପ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଇ ଦେଉଛନ୍ତି। ଗ୍ରାହକ ନିଜେ ସେମାନଙ୍କ ହିସାବରେ ମେସିନ୍ରୁ ବିଭିନ୍ନ ପ୍ରକାରର ସ୍ବାଦଯୁକ୍ତ ପାଣି ନେଉଥିବାର ଦେଖିବାକୁ ମିଳିଛି। ଏଠାରେ ବିକାଳି ପାଣିରେ ହାତ ବୁଡ଼ାଇବା ଦରକାର ପଡ଼ୁନାହିଁ।
तेलीबांधा रायपुर का ऑटोमैटिक पानीपुरी वाला.
ग़ज़ब का जुगाड़.👍👌 pic.twitter.com/rbEIwFe24l— Awanish Sharan (@AwanishSharan) September 15, 2020
ସ୍ୱାଦଯୁକ୍ତ ଜଳ ବିତରଣ ପାଇଁ ଯନ୍ତ୍ରଟିରେ ସେନସର ବ୍ୟବହାର କରାଯାଇଛି ବୋଲି ଜାଣିବାକୁ ମିଳିଛି। କରୋନା ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱୟଂଚାଳିତ ଯନ୍ତ୍ରଟି ସାମାଜିକ ଦୂରତା ସହିତ ଯୋଗାଯୋଗହୀନ ଶୈଳୀରେ କାର୍ଯ୍ୟ କରୁଛି।
ଉଲ୍ଲେଖଯୋଗ୍ୟ, ସାମାଜିକ ଦୂରତ୍ବ ବଜାୟ ରଖି ଗ୍ରାହକଙ୍କ ସାମଗ୍ରୀ ଯୋଗାଇ ଦେବାରେ ଏହି ଗୁପ୍ଚୁମ୍ ମେସିନ୍ ପ୍ରଥମ ନୁହେଁ। ପୂର୍ବରୁ ଜଣେ ତେଜରାତି ଦୋକାନୀ ବାଉଁଶ ବ୍ୟବହାର କରି ତିଆରି କରିଥିବା ଏକ ସେମିନ୍ ସାହାଯ୍ୟରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା।