ଓଡ଼ିଶା ଟପ୍ପର ହେଲେ ଅଟୋ ଚାଳକଙ୍କ ଝିଅ, ଚାରିଆଡୁ ଶୁଭେଚ୍ଛାର ସୁଅ

ହୀରାକୁଦ: ସଫଳ ହେବାରେ ବାଧା ଉପୁଜାଇ ପାରିନାହିଁ ଦାରିଦ୍ରତା। ଅଲ୍‌ ଇଣ୍ଡିଆ ନନ୍‌ ଟ୍ରାଡିସିନାଲ୍‌(ଇଲେକ୍ଟ୍ରିସିଆନ୍‌) ଆଇଟିଆଇ ଟ୍ରେଡ୍‌ରେ ଓଡ଼ିଶା ଟପ୍ପର ହୋଇ ସୁନାମ ଅର୍ଜନ କରିଛନ୍ତି ସାଗରିକା ବକଲି। ତାଙ୍କ ଘର ସମ୍ବଲପୁର ହୀରାକୁଦ ଚକ୍ରବର୍ତୀପଡା ଅଞ୍ଚଳରେ। ସାଗରିକାଙ୍କ ବାପା ଜଣେ ଅଟୋ ଚାଳକ। ତାଙ୍କ ନାମ ଥୋମାସ ବକଲି। ସାଗରିକାଙ୍କ ମଆ ପ୍ରଭାତୀ ଜଣେ ଗୃହିଣୀ।

ସାଗରିକାଙ୍କର ଏହି ସଫଳତା ପାଇଁ ତାଙ୍କୁ ହୀରାକୁଦର ସରକାରୀ ଆଇଟିଆଇ ପ୍ରଶିକ୍ଷଣ ପକ୍ଷରୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଯାଇଛି। ସାଗରିକା ଭବିଷ୍ୟତ‌ରେ ଜଣେ ଶୀର୍ଷ ସ୍ତରୀୟ ଯନ୍ତ୍ରୀ ହେବାର ଅଭିଳାଷ ରଖିଛନ୍ତି।

ଗତ ବର୍ଷ ଆଇଟିଆଇ ଟପ୍ପର ହୋଇଥିଲେ ବିରେନ୍ଦ୍ର ସେଠ୍‌। ନିଜର ଏଇ ସଫଳତାକୁ ନେଇ ସାଗରିକା କହନ୍ତି କି ପ୍ରତ୍ୟେକ ଝିଅ ଦକ୍ଷ ଏବଂ ସ୍ବାଧୀନ ହେବା ଉଚିତ। ସେ ତାଙ୍କ ସଫଳତାର ଶ୍ରେୟ ନିଜ ବାପାମାଆଙ୍କୁ ଦେଇଛନ୍ତି।

ସାଗରିକାଙ୍କ ବାପା ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ, ପରିବାର ଚଳାଇବା ସହ ପିଲାଙ୍କୁ ପାଠ ପଢାନ୍ତି । ଆଉ ବାପାଙ୍କ ପରିଶ୍ରମର ମୂଲ୍ୟ ବୁଝି ଶିକ୍ଷା କ୍ଷେତ୍ରରେ ନିଜର ଅଧ୍ୟବସାୟ ଜାରି ରଖନ୍ତି ଝିଅ ସାଗରିକା ବକଲି । ଯାହା ତାଙ୍କୁ ଆଜି ସାରା ଅଂଚଳରେ ଚର୍ଚ୍ଚିତ କରିଛି । ହୀରାକୁଦ ସରକାରୀ ଆଇଟିଆଇ କଲେଜରେ ଇଲେକ୍ଟ୍ରିସିଆନ ଟ୍ରେଡରେ ପଢୁଥିଲେ ସାଗରିକା । ଚଳିତ ବର୍ଷ ଆଇଟିଆଇ ପରୀକ୍ଷାରେ ୯୮% ମାର୍କ ରଖିଛନ୍ତି ସେ। ଝିଅର ସଫଳତାରେ ବାପା-ମାଆ ଯେତିକି ଖୁସି, କଲେଜ କର୍ତୃପକ୍ଷ ଓ ସ୍ଥାନୀୟ ଜନତା ମଧ୍ୟ ବେଶ୍‌ ଆନନ୍ଦିତ।

 

 

 

ସମ୍ବନ୍ଧିତ ଖବର