ଆମେରିକା ଏକ ସଭ୍ୟ ଦେଶ ହେବ କି?

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଆମେରିକାର ସ୍କୁଲ୍‌ମାନଙ୍କରେ ଅବା ସର୍ବସାଧାରଣ ସ୍ଥାନମାନଙ୍କରେ ଅକାରଣରେ କିଛି ଲୋକ ଆଖିବୁଜା ଗୁଳି ଚଳାଇ ଅନେକ ନିରୀହ, ଅସହାୟ ଲୋକ ତଥା ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କୁ ମାରିବା ଏକ ସାଧାରଣ ଘଟଣା ହୋଇଗଲାଣି। ଯେଉଁମାନେ ଏହି ଗଣହତ୍ୟା କରୁଛନ୍ତି, ସେମାନେ କାହିଁକି ଏପରି କରୁଛନ୍ତି; ତାହା ମଧ୍ୟ ଜଣା ପଡ଼େନାହିଁ ଅନେକ ସମୟରେ। ବିଦେଶୀମାନେ ଆମେରିକାରେ ପ୍ରାଧାନ୍ୟ ବିସ୍ତାର କରୁଥିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଗୁଳି କରାଯାଏ ବୋଲି ଅନେକ କ୍ଷେତ୍ରରେ କୁହାଯାଇଥାଏ। ଶ୍ୱେତାଙ୍ଗମାନଙ୍କ ପ୍ରାଧାନ୍ୟ ଦାବି କରୁଥିବା କେତେକ ବ୍ୟକ୍ତି ଏକଦା କ୍ରୀତଦାସ ହୋଇ ସେ ଦେଶକୁ ଆସିଥିବା କୃଷ୍ଣକାୟ ଲୋକମାନଙ୍କୁ ମଧ୍ୟ ଗୁଳି କରି ମାରୁଛନ୍ତି।

କିନ୍ତୁ ସ୍କୁଲ୍‌ମାନଙ୍କରେ ଛୋଟ ଛୋଟ ପିଲାମାନଙ୍କୁ କାହିଁକି ହତ୍ୟା କରାଯାଉଛି ସେ କଥା ଏ ଯାଏଁ ବୁଝାପଡ଼ୁନି। ଏ କଥା ମଧ୍ୟ ହତ୍ୟାକାରୀମାନେ ବେଳେ ବେଳେ ଧରାପଡ଼ିଲେ ମଧ୍ୟ କିଛି କହୁନାହାନ୍ତି। କେତେକ କହୁଛନ୍ତି ସେମାନଙ୍କର ପାରିବାରିକ, ମାନସିକ ଅଶାନ୍ତି ହେତୁ ସେମାନେ ଏପରି କରୁଛନ୍ତି। କେତେକ କହୁଛନ୍ତି ଯେ, ସେହି ସ୍କୁଲ୍‌ର ଶିକ୍ଷକ ଅବା ପରିଚାଳନା କମିଟି ଇତ୍ୟାଦିଙ୍କ ଉପରେ ସେମାନଙ୍କର ଆକ୍ରୋଶ ଥିବାରୁ ସେମାନେ ଏପରି କରୁଛନ୍ତି। ଅନେକ କ୍ଷେତ୍ରରେ ହତ୍ୟାକାରୀମାନଙ୍କୁ ପୁଲିସ୍‌ ଗୁଳିକରି ମାରିଦେଉଥିବାରୁ ହତ୍ୟାର କାରଣ ମଧ୍ୟ ଜଣାପଡୁନାହିଁ।

କିନ୍ତୁ ସ୍କୁଲ୍‌ ଉପରେ ଆକ୍ରୋଶ ଥିଲେ ମଧ୍ୟ ପିଲାମାନଙ୍କୁ କାହିଁକି ଆଖିବୁଜା ଗୁଳି କରାଯିବ, ଏ ପ୍ରଶ୍ନର ଉତ୍ତର ଆମେରିକା ରାଷ୍ଟ୍ର ଦେବା ଉଚିତ। ଗତ ଦୁଇ ମାସ ମଧ୍ୟରେ ଯେଉଁ ସ୍କୁଲ୍‌ମାନଙ୍କ ଉପରେ ଏପରି ଅତର୍କିତ ବନ୍ଧୁକ ଆକ୍ରମଣ କରାଯାଇ ପିଲାମାନଙ୍କୁ ମାରି ଦିଆଯାଇଛି ସେମାନେ ହେଲେ କନେକଟିକଟ ରାଜ୍ୟର ନ୍ୟୁଟାଉନ୍‌, ଫ୍ଲୋରିଡା ରାଜ୍ୟର ପାର୍କଲ୍ୟାଣ୍ଡ୍‌, ଟେକ୍‌ସାସ୍‌ ରାଜ୍ୟର ଉହାଲ୍‌ଡେ ଏଲିମେଣ୍ଟାରି ସ୍କୁଲ୍‌ ଇତ୍ୟାଦି। ଉହାଲ୍‌ଡେ ସ୍କୁଲ୍‌ରେ ୨୧ ଜଣ ପିଲାଙ୍କୁ ମାରିଦିଆଯାଇଛି ଯାହା ସର୍ବାଧିକ।

ଭାରତ ପରି ଦେଶମାନଙ୍କରେ ଯଦି କୌଣସି ସ୍କୁଲ୍‌ରେ ଗୋଟିଏ ପିଲାକୁ ବନ୍ଧୁକ ଦ୍ୱାରା ହତ୍ୟା କରାଯାଇଥାଆନ୍ତା ତେବେ ଏ ଦେଶରେ ଏପରି ବ୍ୟାପକ ଗଣ୍ଡଗୋଳ ହୋଇଥାଆନ୍ତା ଯେ, ସରକାର କାହାକୁ ବାଡ଼ି ଖଣ୍ଡେ ଧରି ଯିବା ପାଇଁ ଅନୁମତି ଦେଇ ନ ଥାଆନ୍ତେ। କିନ୍ତୁ ଆମେରିକା ପରି ଦେଶମାନଙ୍କରେ ଯେ କୌଣସି ଲୋକ ବନ୍ଧୁକ ପାଉଛି କୁଆଡୁ ନିରୀହ ଶିଶୁମାନଙ୍କୁ ହତ୍ୟା କରିବା ପାଇଁ! ସରକାର ସେଠାରେ ଏପରି ଅନୁମତି ଦେଉଛନ୍ତି କିପରି?

ଗୋଟିଏ ପକ୍ଷରେ ଦେଖିବାକୁ ଗଲେ ଆମେରିକାକୁ ଏକ ଭଦ୍ର ଦେଶ ବୋଲି ପରିଗଣନା କରାଯାଇଥାଏ। ଏଠାକାର କଂଗ୍ରେସ୍‌ ଅର୍ଥାତ୍ ସଂସଦରେ ସମସ୍ତେ ପରସ୍ପରକୁ ‘ଜେଣ୍ଟେଲମେନ୍‌’ବା ‘ଜେଣ୍ଟେଲ ଲେଡି’ ବୋଲି ସମ୍ବୋଧନ କରିଥାଆନ୍ତି। ଏଠାରେ ସାଂସଦ ମାନଙ୍କ ଦ୍ବାରା ଛୋଟିଆ ଛୋଟିଆ ରାଜ୍ୟମାନଙ୍କୁ ‘ମହାନ’ବୋଲି ସମ୍ବୋଧିତ କରାଯାଇଥାଏ। ସବୁଠୁ ଛୋଟ ରାଜ୍ୟ ରୋଡ୍‌ ଆଇଲାଣ୍ଡ୍‌, ସବୁଠୁ ଦରିଦ୍ର ରାଜ୍ୟ ମିଚିଗାନ ଓ ସବୁଠୁ କମ୍ ଶିକ୍ଷିତ ୱେଷ୍ଟ ଭର୍ଜିନିଆ ପରି ରାଜ୍ୟମାନଙ୍କୁ ମଧ୍ୟ ଏପରି ସମ୍ବୋଧନ କରାଯାଇଥାଏ। ସେଠାକାର ଅଦାଲତ, ପୁଲିସ୍‌, ଥାନା ଇତ୍ୟାଦିରେ ଅପରାଧୀମାନଙ୍କୁ ‘ସାର୍‌’ ବୋଲି ସମ୍ବୋଧନ କରାଯାଇଥାଏ ଯାହା ଅନ୍ୟତ୍ର ହୁଏନା। ଅଥଚ ଛୋଟ ପିଲାମାନଙ୍କୁ ହତ୍ୟା କରାଯାଇଥିବା ଟିଭି ବିତର୍କରେ ବନ୍ଧୁକ ବିରୋଧୀ ବ୍ୟକ୍ତିମାନଙ୍କୁ ଅନ୍ୟ କେତେ ଜଣ ଅତି କଦର୍ଯ୍ୟ ଭାଷାରେ ଗାଳି କରିଥାଆନ୍ତି। ଏବେ ଫ୍ଲୋରିଡା ରାଜ୍ୟରେ ଏ ସମ୍ପର୍କରେ ହୋଇଥିବା ଗୋଟିଏ ବିତର୍କରେ ହତ୍ୟା କରିଥିବା ବ୍ୟକ୍ତିର ଦୁର୍ବଳ ମାନସିକତାକୁ ଦୋଷ ଦିଆଯାଇଛି। ସେ ଲୋକ ଯେଉଁ ବନ୍ଧୁକ ଧରିଛି, ତାହାକୁ ନୁହେଁ।

ଆମେରିକାର ସମ୍ବିଧାନର ଦ୍ୱିତୀୟ ସଂଶୋଧନରେ ବ୍ୟବସ୍ଥା ଅଛି ଯେ, ଜନସାଧାରଣ ସେଠାକାର ରାଜ୍ୟ ସରକାରମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ବନ୍ଧୁକ ଧରିପାରିବେ। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ରାଜ୍ୟ ଅତି ଅତ୍ୟାଚାରୀ ଥିଲେ, ଯେଉଁମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ବନ୍ଧୁକ ଧରିବାକୁ ପଡ଼ୁଥିଲା। ଆଜି ସେହି ଅବସ୍ଥାର ପରିବର୍ତ୍ତନ ହୋଇଥିଲେ ମଧ୍ୟ, ରାଜ୍ୟମାନେ ସେମିତି ଅତ୍ୟାଚାରୀ ହୋଇ ନ ଥିଲେ ମଧ୍ୟ ଅନେକ ଲୋକ ଆମେରିକାରେ ଅଛନ୍ତି, ଯେଉଁମାନେ ବନ୍ଧୁକ ଛାଡ଼ିବାକୁ ରାଜି ନୁହନ୍ତି। ସେମାନେ ହେଲେ ମୁଖ୍ୟତଃ ଶ୍ୱେତାଙ୍ଗ ଲୋକ। ସେମାନେ ଆମେରିକାରେ ସେମାନଙ୍କ ପ୍ରଭୁତ୍ୱ ବିସ୍ତାର କରି ରଖିବାକୁ ଚାହାନ୍ତି, ଯାହା କେବଳ ବନ୍ଧୁକ ଦ୍ୱାରା କରାଯାଇପାରିବ।

ପିଲାମାନଙ୍କୁ ଅକାରଣରେ ଏମିତି ମାରି ଦିଆଯାଉଥିବାରୁ ସାରା ଆମେରିକାରେ ଓ ସାରା ବିଶ୍ୱରେ ଅବଶ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। କିନ୍ତୁ ସେଥିପାଇଁ ବନ୍ଧୁକ ଆଇନକୁ ବଦଳାଇ ତାହାକୁ କଡ଼ାକଡ଼ି କରିବା ଓ ସମସ୍ତେ ଯେମିତି ସବୁ ପ୍ରକାର ବନ୍ଧୁକ ଓ ବିଶେଷ କରି ଘାତକ ବନ୍ଧୁକ (ଏସଲ୍‌ଟ ରାଇଫଲ) ପାଇ ନ ପାରନ୍ତି, ସେଥିପାଇଁ ଆମେରିକାର କଂଗ୍ରେସରେ ଆଇନ ଗୃହୀତ ହେବା ପାଇଁ ଚେଷ୍ଟା ଚାଲିଛି। ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେ‌େଣ୍ଟଟିଭ୍‌ସ୍ ଅର୍ଥାତ୍‌ ଯେଉଁ ଗୃହକୁ ଭାରତର ଲୋକସଭା ପରି ଜନସଂଖ୍ୟା ଅନୁପାତରେ ସଦସ୍ୟମାନେ ନିର୍ବାଚିତ ହୋଇ ଆସିଥାଆନ୍ତି ସେମାନେ ଏହି ଧରଣର ଆଇନ ଗୃହୀତ ହେଉ ବୋଲି ଚାହୁଁଥିଲା ବେଳେ ସିନେଟ୍‌ରେ ତାହା ଗୃହୀତ ହୋଇପାରୁନାହିଁ। ଭାରତର ରାଜ୍ୟସଭାକୁ ହୁଏ’ତ ଆମେରିକାର ସିନେଟ୍ ସହ ତୁଳନା କରାଯାଇନପାରେ।

କିନ୍ତୁ ଭାରତର ରାଜ୍ୟସଭାକୁ କେଉଁ ରାଜ୍ୟରୁ କେତେ ସଂଖ୍ୟକ ସଦସ୍ୟ ନିର୍ବାଚିତ ହୋଇ ଯିବେ ତାହା ନିଧାର୍ଯ୍ୟ ଅଛି। ଯେଉଁ ରାଜ୍ୟରେ ଯେତେ ଜନସଂଖ୍ୟା, ସେହି ଅନୁପାତରେ ଭାରତର ରାଜ୍ୟ ବିଧାନସଭାମାନେ ରାଜ୍ୟସଭାକୁ ପ୍ରତିନିଧିମାନଙ୍କୁ ନିର୍ବାଚିତ କରି ପଠାଇଥାଆନ୍ତି। ଭାରତରେ ବିଭିନ୍ନ ରାଜ୍ୟମାନଙ୍କର ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିବା ସଭ୍ୟମାନଙ୍କ ସଂଖ୍ୟା ସମାନ ନୁହେଁ। ଉତ୍ତରପ୍ରଦେଶରୁ ଯେତେ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥାଆନ୍ତି, ଓଡ଼ିଶାରୁ ସେତେ ସଦସ୍ୟ ଯାଇ ନ ଥାଆନ୍ତି। କିନ୍ତୁ ଆମେରିକା କଥା ଅଲଗା। ଯେତେବେଳେ ପ୍ରାୟ ୨ଶହ ବର୍ଷ ତଳେ ଏଠାକାର ରାଜ୍ୟମାନେ ମିଶି ଏକ ରାଷ୍ଟ୍ର ଗଠନ କଲେ ସେତେବେଳେ ରାଜ୍ୟମାନଙ୍କ ଶକ୍ତି ଅଧିକ ଥିଲା। ସେତେବେଳେ ନିଷ୍ପତ୍ତି ହୋଇଥିଲା ଯେ, ଜନସଂଖ୍ୟା ଯାହା ଥାଉନା କାହିଁକି ସବୁ ରାଜ୍ୟ ସମାନ। ତେଣୁ ସିନେଟ୍‌କୁ ପ୍ରତି ରାଜ୍ୟରୁ ୨ଜଣ କରି ସଦସ୍ୟ ଯିବେ। ନ୍ୟୁୟର୍କ ପରି ବଡ଼ ରାଜ୍ୟ ହେଉ ଅବା ରୋଡ୍‌ ଆଇଲାଣ୍ଡ ପରି ଛୋଟ ରାଜ୍ୟ ହେଉ; ସବୁ ରାଜ୍ୟରୁ ଦୁଇ ଜଣ କରି ସଦସ୍ୟ ସିନେଟ୍‌କୁ ଯିବେ। ଏଣୁ ଆମେରିକାର ୫୦ଟି ରାଜ୍ୟମାନଙ୍କରୁ ସିନେଟ୍‌କୁ ୧୦୦ ଜଣ ସଦସ୍ୟ ଯାଇଥାଆନ୍ତି।

ଆମେରିକାରେ ଦୁଇଟି ଦଳ ମଧ୍ୟରୁ ରିପବ୍ଲିକାନ୍‌ ପାର୍ଟି ହେଉଛି ମୁଖ୍ୟତଃ ରକ୍ଷଣଶୀଳ ଓ ଶ୍ୱେତାଙ୍ଗମାନଙ୍କ ଦଳ। ଅନ୍ୟତମ ଦଳ ଡେମୋକ୍ରାଟିକ୍‌ ପାର୍ଟି କଡ଼ାକଡ଼ି ବନ୍ଧୁକ ଆଇନର ବିରୋଧ କରୁଛି। ଯେଉଁ ‘ଗନ୍ କ୍ଲବ୍‌’ ବା ବନ୍ଧୁକ ଗୋଷ୍ଠୀମାନ ଅଛନ୍ତି, ସେମାନେ ଚାହାନ୍ତି ନାହିଁ ଯେ ବନ୍ଧୁକ ଉପରେ କୌଣସି ପ୍ରତିବନ୍ଧ ଲଗାଯାଉ ଓ ବନ୍ଧୁକ ବିକ୍ରି କମିଯାଉ। ଅନେକ ଶ୍ୱେତାଙ୍ଗ ରିପବ୍ଲିକାନ୍‌ ପାର୍ଟିକୁ ସମର୍ଥନ କରୁଛନ୍ତି, ଆଉ ଆମେରିକାର ସିନେଟ୍ ଉପରେ ଗୋରା ଲୋକଙ୍କର ବ୍ୟାପକ ପ୍ରଭାବ ଥିବାରୁ ସେମାନେ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭ୍‌ସରେ ଏ ସମ୍ପର୍କରେ ଗୃହୀତ ପ୍ରସ୍ତାବକୁ ସମର୍ଥନ ଦେଉ ନାହାନ୍ତି। ଦେଖାଯାଉଛି ଯେ, କେନ୍ଦ୍ରୀୟ ଆମେରିକାରେ ଅନେକ ରାଜ୍ୟ ଅଛନ୍ତି, ଯେଉଁମାନଙ୍କ ଆକାର ହେଉଛି ବିଶାଳ। କିନ୍ତୁ ସେଠାକାର ଜନସଂଖ୍ୟା ହେଉଛି ସ୍ୱଳ୍ପ।

ଏହି ରାଜ୍ୟମାନେ ସିନେଟ୍‌କୁ ଦୁଇ ଦୁଇ ଜଣ କରି ସଦସ୍ୟ ପଠାଉଛନ୍ତି, ଯେଉଁମାନେ ମୁଖ୍ୟତଃ ଶ୍ୱେତାଙ୍ଗ, ରକ୍ଷଣଶୀଳ ଓ ବନ୍ଧୁକର ସମର୍ଥକ। ସେମାନେ ମୁଖ୍ୟତଃ କଡ଼ାକଡ଼ି ବନ୍ଧୁକ ଆଇନକୁ ସମର୍ଥନ ଦିଅନ୍ତି ନାହିଁ। ଏଣୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଇଚ୍ଛା ସତ୍ତ୍ୱେ ସେଠାକାର କଂଗ୍ରେସରେ ବନ୍ଧୁକ ନିୟନ୍ତ୍ରକ ଆଇନ ଗୃହୀତ ହୋଇ ପାରୁନାହିଁ। ଏହି ପ୍ରତିନିଧିମାନେ ବନ୍ଧୁକଧାରୀକୁ ଦୋଷ ଦେଉଛନ୍ତି, ବନ୍ଧୁକକୁ ନୁହେଁ। କିନ୍ତୁ ଜଣକୁ ଯଦି ସହଜରେ ବନ୍ଧୁକ ନ ମିଳନ୍ତା, ତେବେ ସେ ତା’ର ଚାଳନା କିପରି କରନ୍ତା? ଭାରତ ପରି ଦେଶମାନଙ୍କରେ ବନ୍ଧୁକ ରଖିବା ସହଜ ହୋଇନଥିବାରୁ ଓ ଏଥିପାଇଁ ଲାଇସେନ୍‌ସ ସହଜରେ ମିଳୁ ନ ଥିବାରୁ ଏ ଦେଶର ରାସ୍ତା ଉପରେ ବନ୍ଧୁକଧାରୀଙ୍କୁ ଦେଖିବାକୁ ମିଳେନାହିଁ।

ଦୁଇ ସପ୍ତାହ ତଳେ ନ୍ୟୁୟର୍କ ରାଜ୍ୟର ବୁଫାଲୋ ଠାରେ ଜଣେ ୧୮ ବର୍ଷର ଯୁବକ ଆଖିବୁଜା ଗୁଳି କରି କିଛି ଲୋକଙ୍କୁ ମାରିଦେବାରୁ ସେଠାକାର ଗଭର୍ଣ୍ଣର କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର ପିଲାମାନେ ଯେପରି ଏକେ-୧୫ ରାଇଫଲ ରଖିପାରିବେ ନାହିଁ, ସେ ବ୍ୟବସ୍ଥା ସେ କରିବେ। ସେଥିପାଇଁ ସେ କଡ଼ା ନିୟମ ଆଣିବାକୁ ଯାଉଛନ୍ତି। ତାଙ୍କ ରାଜ୍ୟରେ ଡେମୋକ୍ରାଟିକ୍‌ ପାର୍ଟିର ସରକାର ଅଛି। କିନ୍ତୁ ପେନ୍‌ସିଲିଭେନିଆ, ମିଚିଗାନ ପରି ରିପବ୍ଲିକାନ୍‌ ପାର୍ଟି ସରକାର ଥିବା ରାଜ୍ୟମାନଙ୍କରେ ଏପରି ଆଇନ ଗୃହୀତ କରିବାକୁ ସେଠାକାର ସରକାରମାନେ ରାଜି ନୁହନ୍ତି।

ଆମେରିକାରେ ଏପରି ବୀଭତ୍ସ ଘଟଣାମାନ କେବଳ ଆମେରିକା ନୁହେଁ, ସାରା ବିଶ୍ୱକୁ ଚକିତ କରୁଛି, କାରଣ ସାରା ବିଶ୍ୱରେ ଆମେରିକା ଗଣତାନ୍ତ୍ରିକ ଦେଶମାନଙ୍କର ନେତୃତ୍ୱ ନେଉଛି। ଗଣତନ୍ତ୍ର, ଉଦାରତା, ଅନ୍ୟ ପ୍ରତି ସମ୍ମାନବୋଧ ଆଦି ଆମେରିକୀୟ ଗୁଣକୁ ଦେଶମାନେ ସମର୍ଥନ କରୁଛନ୍ତି। ସେମାନେ ଚୀନ୍‌ର ବର୍ଦ୍ଧିଷ୍ଣୁ ଏକାଧିପତ୍ୟକୁ ସମର୍ଥନ କରିବାକୁ ଚାହାନ୍ତି ନାହିଁ। ସେଥିପାଇଁ ଚୀନ ଋଣ ଦେଇ ବିଶ୍ୱ ସାମ୍ରାଜ୍ୟ ସୃଷ୍ଟି କରିବାକୁ ଚାହୁଁଥିଲେ ମଧ୍ୟ ଅଧିକାଂଶ ଦେଶ ଚୀନ ସହ ନ ରହି ଆମେରିକା ସହ ରହିବାକୁ ଚାହାନ୍ତି।

କିନ୍ତୁ ଆମେରିକାରେ ଶିଶୁଙ୍କୁ ହତ୍ୟା କରିବା ପରି ଅମାନୁଷିକ ଘଟଣାମାନ ଏପରି ଘଟିଲେ ଓ ତାହାର ପ୍ରତିକାର ନ ହେଲେ ବିଶ୍ୱର ଅନ୍ୟ ଗଣତନ୍ତ୍ରମାନଙ୍କର ଆମେରିକା ପ୍ରତି ଧାରଣା ଖରାପ ହେବ। ଆମେରିକାର ସାଂସଦମାନେ ଏକଥା ବୁଝିବା ଦରକାର, ଏପରି ଭୟାନକ ଘଟଣା ଯେପରି ତାଙ୍କ ଦେଶରେ ନ ଘଟେ, ତାହା ଦେଖିବା ସେମାନଙ୍କର କାମ। ଏପରି ମର୍ମନ୍ତୁଦ ଘଟଣାମାନଙ୍କର ରାଜନୀତୀକରଣ ବା ସମ୍ପ୍ରଦାୟକରଣ ନ ହେବା ଦରକାର। ଶ୍ୱେତାଙ୍ଗମାନଙ୍କ ହାତରେ ନିହତ ହେଉଥିବା ଶିଶୁଙ୍କ ମଧ୍ୟରେ ଅନେକ ଶ୍ୱେତାଙ୍ଗ ପିଲା ଅଛନ୍ତି। ଶ୍ବେତାଙ୍ଗମାନେ କ’ଣ ନିଜ ପିଲାଙ୍କୁ ମାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ହାତକୁ ଯେମିତି ବନ୍ଧୁକ ନ ଯାଏ, ତାହା ଦେଖିବା ରାଷ୍ଟ୍ର ଓ ଶ୍ୱେତାଙ୍ଗମାନଙ୍କର ମଧ୍ୟ କାମ।
ମୋ-୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର