ଅସନି ଓ ଶ‌ହେ ପର୍ସେଣ୍ଟ ପୂର୍ବାନୁମାନ

ସୃଜନ ସମ୍ଭାର - ସୃଜନ ପ୍ରକାଶ ଦାସ

ଅସନି ସତରେ ‘ଆସାନ’ (ସହଜ) ନ ଥିଲା। ଗତ କିଛି ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅସନି ପ୍ରଥମ ଦିନରୁ ହିଁ ଥିଲା ପ୍ରହେଳିକାମୟ। କେବେ ଅବପାତରୁ ଗଭୀର ଅବପାତରେ ପରିଣତ ହେବ, ତା’ର ସମ୍ଭାବ୍ୟ ଗତିପଥ କ’ଣ, ସ୍ଥଳ ଭାଗ ଛୁଇଁବ କି ନାହିଁ, ଯଦି ଛୁଇଁବ, ତେବେ କେଉଁଠି ‘ଲ୍ୟାଣ୍ଡ୍‌ଫଲ୍‌’ କରିବ- ସେ ବିଷୟରେ ସାଧାରଣ ଜନତାଙ୍କ କଥା ଛାଡ଼ନ୍ତୁ, ବଡ଼ ବଡ଼ ପାଣିପାଗ ବିଶେଷଜ୍ଞମାନଙ୍କ ସହିତ ଲୁଚକାଳି ଖେଳିଲା। ପ୍ର‌େତ୍ୟକ ଦିନ ଘଣ୍ଟାକୁ ଘଣ୍ଟା ଟିଭି ପରଦାରେ ନୂଆ ନୂଆ ତଥ୍ୟ ଆସିବାକୁ ଲାଗିଲା। କାହା ପୂର୍ବାନୁମାନ ଠିକ- ସେ ବିଷୟରେ ସବୁଠି ଚାଲିଲା ଚର୍ଚ୍ଚା। ବଜାରରେ ଅତ୍ୟାବଶ୍ୟକୀୟ ପଦାର୍ଥର ଦର ବଢ଼ିଗଲା। ସାଧାରଣ ମଣିଷ ନିଜ ନିଜ ଘରେ ଆବଶ୍ୟକତା ଠାରୁ ଅଧିକ ଜିନିଷ ଠୁଳ କରିବାକୁ ଲାଗିଲେ। ଅବସ୍ଥା ଏମିତି ହେଲା ଯେ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣମାଧ୍ୟମରେ ଅଧିକ କ୍ରୟ ନ କରିବା ପାଇଁ ଅପିଲ କରିବାକୁ ପଡ଼ିଲା। ସୋସିଆଲ ମିଡିଆରେ କିଛି ମୂଢ଼ ବ୍ୟକ୍ତି ନିଜ ଅଜ୍ଞତାର ପରିଚୟ ଦେଇ ପାଣିପାଗ ବିଶେଷଜ୍ଞମାନଙ୍କ ବିଷୟରେ ଅରୁଚିକର ମନ୍ତବ୍ୟମାନ ଦେଇ ଦେଲେ। କ୍ରିକେଟ୍‌ ବ୍ୟାଟ୍‌ , ବଲ୍‌ ଧରି ଶିଖି ନା ଥିବା ବ୍ୟକ୍ତି ଟିଭି ପରଦାରେ ବିରାଟ କୋହଲିଙ୍କର ଖେଳ ଦେଖି ତାଙ୍କର ଖରାପ ଫର୍ମ ବିଷୟରେ ଟିପ୍ପଣୀ ଦେବା ଭଳି କଥା।

ପୂର୍ବରୁ ସେପ୍ଟେମ୍ବର-ଅକ୍‌ଟୋବର ମାସରେ ହେଉଥିବା ବାତ୍ୟା ଝଡ଼ ସହିତ ଆମେ ବଢ଼ିଛୁ। ତେଣୁ ଏବେକାର ଉଦୁଉଦିଆ ମେ ମାସରେ ନୂଆ କରି ଦେଖା ଦେଉଥିବା ବାତ୍ୟାକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି। ଓଡ଼ିଶାକୁ ଭଲ ପାଉଥିବା ଲୋକେ ପ୍ରାର୍ଥନା କଲେ ଯେ ଅସନି ଓଡ଼ିଶା ଛାଡ଼ି ରସଗୋଲା ତାଙ୍କର ବୋଲି ଦାବି କରୁଥିବା ପଡ଼ୋଶୀ ପଶ୍ଚିମବଙ୍ଗ ଚାଲିଯାଉ। ପୁଣି ଭାରତବର୍ଷକୁ ଭଲ ପାଉଥିବା ଆଉ କିଏ କାୟମନୋବାକ୍ୟରେ ଚାହିଁଲା ଯେ ଅସନି ସିଧାସଳଖ ମୋଡ଼ ବଦଳାଇ ଚାଲିଯାଉ ବଙ୍ଗଳା ଦେଶ। ସବୁ କଳ୍ପନାଜଳ୍ପନା, ହିସାବ, କିତାବକୁ ଭୁଲ୍‌ ପ୍ରମାଣିତ କରି ଅସନି ତା’ ବାଟରେ ଗଲା। ଆନ୍ଧ୍ରପ୍ରଦେଶର ମଛଲୀପଟ୍ଟନମ୍‌ ପାଖରେ ସ୍ଥଳ ଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇଯାଇଥିଲା ଅସନି। ତେଣୁ ବର୍ଷାର ପ୍ରକୋପ ଅଧିକ ଥିଲେ ମଧ୍ୟ, ବାତ୍ୟାର ଘନଘଟାରୁ ମୁକ୍ତି ପାଇଗଲେ ସମସ୍ତେ। ଅସନିକୁ ବୁଝିବା, ତା’ ବିଷୟରେ ପୂର୍ବାନୁମାନ କରିବା ସତରେ ସହଜ ନ ଥିଲା। ଚଞ୍ଚଳମତି ଶିଶୁଟିଏ ଭଳି ସେ ଥିଲା ସବୁ ଅନ୍ଦାଜ ବାହାରେ।

ଅସନି ତା’ ସ୍ୱଭାବସୁଲଭ ଚିତ୍ତରେ ଆସିଲା, ଖେଳ ଦେଖାଇ ଚାଲିଗଲା। ଆମେ ତାକୁ ବୁଝିବାକୁ ଅସମର୍ଥ ଥିଲେ। ଅସନି ଥିଲା ପ୍ରକୃତିର ବରଦାନ। ବିଜ୍ଞାନ ପ୍ରକୃତିକୁ ବୁଝିବା ପାଇଁ, ନିୟନ୍ତ୍ରଣ କରିବା ପାଇଁ ଓ ତା’ର ଠିକ ପୂର୍ବାନୁମାନ କରିବା ପାଇଁ କାହିଁ କେତେ ହଜାର ବର୍ଷ ପୂର୍ବରୁ ପ୍ରଚେଷ୍ଟା ଜାରି ରଖିଛି। ବର୍ଷା, ବିଜୁଳି, ପବନ, ଭୂମିକମ୍ପକୁ ପ୍ରଥମ ଥର ପାଇଁ ଦେଖି ଭୟଭୀତ ହୋଇଥିବା ମଣିଷ ଆଜି ବିଭିନ୍ନ ବୈଜ୍ଞାନିକ ଉପକରଣର ଉପଯୋଗ ଯୋଗୁଁ ଯଥେଷ୍ଟ ଆଗରୁ ପୂର୍ବାନୁମାନ କରି ପାରୁଛି।

ମାତ୍ର, ପ୍ରକୃତିକୁ ୧୦୦ ଭାଗ ବୁଝିବା କ’ଣ ସତରେ ସମ୍ଭବ? ବୋଧହୁଏ, ନା। ଯେଉଁଦିନ ଆମେ ପ୍ରକୃତିକୁ ଶହେ ଭାଗ ବୁଝିଯିବା, ଆମେ ତ ଆଉ ମଣିଷ ହୋଇ ରହିବା ନାହିଁ। ଆମେ ସମ୍ଭବତଃ ସର୍ବଦ୍ରଷ୍ଟା ହୋଇଯିବା। କୁକୁଡ଼ା ଚିଆଁ କାହିଁକି ୨୧ ଦିନ ପରେ ଅଣ୍ଡା ଖୋଳପା ଭାଙ୍ଗି ବାହାରକୁ ଆସେ? ବା ମଣିଷ ଛୁଆ ୯ ମାସ ୯ ଦିନ ପରେ କେମିତି ଜନ୍ମ ନିଏ? ଜଳ କାହିଁକି ନିମ୍ନଗାମୀ ପୁଣି ଅଗ୍ନି ଶିଖା ଊର୍ଦ୍ଧ୍ବକୁ ଉଠେ? ଏହାର ଉତ୍ତର ‘ପ୍ରକୃତି’। ‘ଜେନୋମ୍‌ ସିକ୍ବେନ୍‌ସିଂ’ କରି ବୈଜ୍ଞାନିକମାନେ ଆମର ରୋଗ, ରୁଚି, ମାନସିକ ଭାବାବେଗ ସମ୍ବନ୍ଧରେ ଭବିଷ୍ୟବାଣୀ କରିବାକୁ ପ୍ରସ୍ତୁତ ସତ, ହେଲେ, ଜନ୍ମ-ମୃତ୍ୟୁ ରହସ୍ୟ ଏବେ ବି ତା’ର ଜ୍ଞାନର ପରିସୀମା ବହିର୍ଭୂତ।
ଅସନି ଆସିବା ପୂର୍ବରୁ ବିଗତ ବର୍ଷମାନଙ୍କରେ- ବୁଲ୍‌ବୁଲ୍‌, ହୁଡ୍‌ହୁଡ୍‌, ଫାଇଲିନ, ଫନି, ଆଇଲା, ତିତଲୀ ନାମକ ବାତ୍ୟା ମାନ ଆସିଛନ୍ତି। ତାଣ୍ଡବ ରଚିବା ପୂର୍ବରୁ, ଆମ ଦେଶର ଓ ଆମ ରାଜ୍ୟର ପାଣିପାଗ ବିଶେଷଜ୍ଞମାନେ ପ୍ରାୟ ୧୦୦ ଭାଗ ଠିକ ପୂର୍ବାନୁମାନ କରିଛନ୍ତି।

ଯାହା ଫଳରେ ଧନଜୀବନ କ୍ଷୟକ୍ଷତି ଯଥେଷ୍ଟ କମ୍‌ ହୋଇଛି। ଯେଉଁମାନେ ୧୯୭୧ ମସିହା ଓ ୧୯୯୯ ମସିହାର ମହାବାତ୍ୟା ଦେଖିଛନ୍ତି, ସେମାନେ ହୃଦୟଙ୍ଗମ କରି ପାରୁଥିବେ ‌େଯ ସେ ସମୟରେ ପୂର୍ବାନୁମାନ ତୁଳନାରେ ଏବର ପୂର୍ବାନୁମାନ କେତେ ଉନ୍ନତ ଓ ଭରସାଯୋଗ୍ୟ। କେତେ ଦିନ ପୂର୍ବରୁ ଆମେ ସତର୍କବାଣୀ ଶୁଣି, ନିଜର ମାନସିକ ପ୍ରସ୍ତୁତି କରିପାରୁଛୁ। ବଡ଼ ବଡ଼ ବାତ୍ୟାରେ ବି ଜୀବନ ହାନିକୁ ଶୂନ୍ୟରେ ରଖି ପାରୁଛୁ। ଏହା କ’ଣ ଏକ ଛୋଟ ସଫଳତା? ସେଥିପାଇଁ ପାଣିପାଗ ବିଜ୍ଞାନୀମାନେ ଧନ୍ୟବାଦ ଓ ପ୍ରଶଂସାର ପାତ୍ର। ପ୍ରକୃତିକୁ ଶହେ ପ୍ରତିଶତ ବୁଝିବା ମଣିଷ ପକ୍ଷରେ ଅସମ୍ଭବ। ତେଣୁ କୌଣସି ପ୍ରାକୃତିକ ବିଭୀଷିକା ନେଇ ସର୍ବଦା ଶହେ ପର୍ସେଣ୍ଟ୍‌ ପୂର୍ବାନୁମାନ କରିବା ଅସମ୍ଭବ ବୋଲି ସାମାଜିକ ଗଣମାଧ୍ୟମର ସମାଲୋଚକମାନେ ମନେ ରଖିବେ କି?
ମୋ- ୯୪୩୮୧ ୪୯୭୬୧

ସମ୍ବନ୍ଧିତ ଖବର