ଶ୍ରମ ଆଇନର ସଚେତନତା

ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ

ଅଜୟ କୁମାର ପଟ୍ଟନାୟକ
ମେ ପହିଲା ଆସିଲେ ଅଗଣିତ ଶ୍ରମିକଙ୍କ ମନରେ ଆନନ୍ଦ, ଉଲ୍ଲାସ ଭରିଯାଏ। କେତେକ ଶ୍ରମିକ ସଂଗଠନ ମଇ ଦିବସର ତାତ୍ପର୍ଯ୍ୟ ମନେପକାଇବାକୁ ଯାଇ ବିଭିନ୍ନ ସଭାସମିତି ଏବଂ ଆଲୋଚନାଚକ୍ରର ଆୟୋଜନ କରିଥା’ନ୍ତି। ଶ୍ରମିକ ଦିବସରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ‌ସେମାନଙ୍କର କଲ୍ୟାଣ ପାଇଁ କିକି ଯୋଜନାମାନ ଘୋଷଣା କରୁଛନ୍ତି ତାହାକୁ ଚାତକ ଦୃଷ୍ଟିରେ ଅନାଇ ବସିଥା’ନ୍ତି। ମୋଟ ଉପରେ କହିବାକୁ ଗଲେ, ଏହି ଦିବସ ଶ୍ରମିକମାନଙ୍କ ପାଇଁ ଏକ ବିଶେଷ ମହତ୍ତ୍ବ ବହନ କରିଥାଏ।

ଦୈନିକ ୧୨ ଘଣ୍ଟା ନୁହେଁ, ୮ ଘଣ୍ଟା କାମର ଦାବିରୁ ଆରମ୍ଭ ହୋଇଥିଲା ବିଶ୍ୱର ପ୍ରଥମ ସଂଗଠିତ ଶ୍ରମିକ ଆନ୍ଦୋଳନ। ଆଜିକୁ ଠିକ୍ ୧୩୬ ବର୍ଷ ତଳେ ଅର୍ଥାତ୍ ୧୮୮୬ ମସିହାରେ ଆମେରିକାର ସିକାଗୋ ସହରର ହେ ମାର୍କେଟ୍‌ରେ ହୁଏ ବିଶାଳ ଶ୍ରମିକ ସମାବେଶ। ଏହା କ୍ରମେ ହିଂସାର ରୂପ ନିଏ। ପୁଲିସ୍ ଗୁଳିରେ ପ୍ରାଣ ହରାନ୍ତି ଅନେକ ଶ୍ରମିକ ଓ ଶ୍ରମିକ ନେତା। ବହୁ ପରେ ଶ୍ରମିକମାନଙ୍କର ବିଜୟ ହୁଏ। ଏହି ମଇ ଦିବସର ପ୍ରାସଙ୍ଗିକତାକୁ ଆମେ ଯେତେ ମନେ ପକାଉଛେ; ଆମର ଶ୍ରମିକ ଭାଇଭଉଣୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନ ବିଷୟରେ କିନ୍ତୁ ସେତେଟା ସଚେତନ ନୁହନ୍ତି। ଫଳରେ ଅନେକେ ନିଷ୍ପେଷିତ ଓ ଶୋଷିତ ହେଉଛନ୍ତି। ଶ୍ରମିକ ସମାଜର ମେରୁଦଣ୍ଡକୁ ସୁଦୃଢ଼ କରିବାକୁ ହେଲେ ଶ୍ରମ ଆଇନରେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଆଇନଗତ ଅଧିକାର ଏବଂ କର୍ମକ୍ଷେତ୍ର ପ୍ରତି କର୍ତ୍ତବ୍ୟ ବିଷୟରେ ସଚେତନ ହେବା ନିହାତି ଜରୁରୀ।

ଶ୍ରମ ଆଇନ ହେଉଛି ଶ୍ରମିକମାନଙ୍କର ରକ୍ଷାକବଚ ସଦୃଶ। ଶ୍ରମିକମାନଙ୍କର ଚାକିରି ସର୍ତ୍ତାବଳୀ, ମଜୁରି ପ୍ରଦାନ, ସାମାଜିକ ସୁରକ୍ଷା ଓ ଶ୍ରମ କଲ୍ୟାଣ ନିମେନ୍ତ ବହୁବର୍ଷ ତଳୁ ଏପରିକି ସ୍ୱାଧୀନତା ପୂର୍ବରୁ ଓ ପରେ ଆମ ଦେଶରେ ଅନେକ ଶ୍ରମ ଆଇନ କାର୍ଯ୍ୟ କରୁଥିଲାବେଳେ, ଓଡ଼ିଶାରେ ପ୍ରାୟତଃ ୨୭ ଗୋଟି କେନ୍ଦ୍ରୀୟ ଓ ରାଜ୍ୟଭିତ୍ତିକ ଶ୍ରମ ଆଇନ କାର୍ଯ୍ୟ କରୁଛି। ଶ୍ରମିକମାନଙ୍କର ଦୁର୍ଘଟଣା କିମ୍ବା ମୃତ୍ୟୁ ହେଲେ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩; କର୍ମଚାରୀ ରାଜ୍ୟ ବୀମା ଆଇନ, ୧୯୪୮; ମଜୁରି ପ୍ରଦାନ ଆଇନ, ୧୯୩୬; ସର୍ବନିମ୍ନ ମଜୁରି ଆଇନ, ୧୯୪୮; ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ) ଆଇନ, ୧୯୭୯- ଏହିପରି ବହୁ ଶ୍ରମ ଆଇନ କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ଶ୍ରମିକମାନେ ସେମାନଙ୍କର ଆଇନଗତ ଅଧିକାର ସାବ୍ୟସ୍ତ କରି ଏହା ଅନ୍ତର୍ଗତ ବିଭିନ୍ନ ସୁବିଧା ପାଇପାରିବେ।

ବର୍ତ୍ତମାନ କେତେକ ଲୋକ ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଏବଂ ସେଥିରୁ ପାଉଥିବା ସୁବିଧା-ସୁଯୋଗ ବିଷୟରେ ଜାଣିଲେଣି; କିନ୍ତୁ ଅନେକ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନ ବିଷୟରେ ସେତେଟା ସଚେତନ ନୁହନ୍ତି। ଉଦାହରଣସ୍ୱରୂପ, କର୍ମଜୀବୀ ମହିଳାମାନଙ୍କ ପାଇଁ ପ୍ରସୂତି ହିତ ଆଇନ, ୧୯୬୧ର ବ୍ୟାପକ ସଂଶୋଧନ କରାଯାଇ ପ୍ରସୂତି ପାଇଁ ମହିଳାମାନେ ୨ ଶିଶୁ ଜନ୍ମ ପର୍ଯ୍ୟନ୍ତ ସବୈତନିକ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି, ନିର୍ମାଣ ଶ୍ରମିକଙ୍କ ପାଇଁ ବୋନସ ପ୍ରଦାନ ଆଇନ, ଶିଳ୍ପ ବିବାଦ ଆଇନ, ୧୯୪୭ର ସଂଶୋଧନ ଏବଂ ଅନ୍ୟାନ୍ୟ ଶ୍ରମ ଆଇନରେ ବ୍ୟାପକ ସଂଶୋଧନ ଘଟୁଥିବାବେଳେ ଆମର ଶ୍ରମିକମାନେ ସେମାନଙ୍କର ଆଇନଗତ ଅଧିକାର ଉପରେ ସେତେଟା ସଚେତନ ନୁହନ୍ତି। ଶ୍ରମ ଆଇନଗୁଡ଼ିକର ବ୍ୟାପକ ପ୍ରଚାର-ପ୍ରସାର ହେଲେ ଶ୍ରମିକମାନଙ୍କର ସ୍ୱାର୍ଥ ବଜାୟ ରହିବା ସଙ୍ଗେସଙ୍ଗେ ରାଜ୍ୟ ଓ ଦେଶର ଉନ୍ନତି ହେବ।
ପ୍ରାକ୍ତନ ଯୁଗ୍ମ ଶ୍ରମ କମିଶନର, ମୋ: ୯୪୩୭୦୮୧୪୪୭

ସମ୍ବନ୍ଧିତ ଖବର