ନୂଆଦିଲ୍ଲୀ: ରାମ ମନ୍ଦିରରେ ପ୍ର‌ାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଖୁବ୍ ଜୋର୍‌ରେ ଚାଲିଛି। ମନ୍ଦିରରେ ପ୍ରତିଷ୍ଠା ହେବାକୁ ଥିବା ମୂର୍ତ୍ତି ପ୍ରସଂଗରେ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଭାଇ ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ସେ ନିଜ ଭାଇଙ୍କ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ଜଣେ କଳାକାରଙ୍କ ପାଇଁ ଏହାଠାରୁ ଶୁଭ ଆଉ କିଛି ହୋଇପାରିବ ନାହିଁ ବୋଲି କହିଛନ୍ତି ।

Advertisment

ଗର୍ଭଗୃହରେ ରାମଲଲାଙ୍କ ଯେଉଁ ପ୍ରତିମୂର୍ତ୍ତି ରଖାଯିବ ତାକୁ ସେ ଦେଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । ରାମଲଲାଙ୍କ ଏହି ମୂର୍ତ୍ତି ବହୁତ ସୁନ୍ଦର ହୋଇଛି ବୋଲି ଶିଳ୍ପୀଙ୍କ ଭାଇ ମତବ୍ୟକ୍ତ କରିଛନ୍ତି। ଅରୁଣଙ୍କ ଭାଇ ଆହରୁ ବି କହିଛନ୍ତି ଯେ ତାଙ୍କ ଭାଇ ୬ମାସ ଧରି ଗୋଟିଏ ସ୍ଥାନରେ ରହି ରାମଲଲାଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି।

ଏ ପ୍ରସଂଗରେ ସେ ଏକ ବିଶେଷ କଥା ବି ଲୋକଙ୍କ ସହ ବାଣ୍ଟିଛନ୍ତି। ତାଙ୍କ କହିବା ମୁତାବକ, ମୂର୍ତ୍ତି ତିଆରି ପାଇଁ ପଥର ମହୀଶୂରରୁ ଆସିଥିଲା। ଏହା ସେଠାକାର ଲୋକଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଯୋଗୀରାଜଙ୍କ କହିବା ଅନୁସାରେ ରାମଲଲାଙ୍କ ଏହି ମୂର୍ତ୍ତି ଗଢିବାକୁ ୧୮ରୁ ୨୦ଜଣିଆ ଏକ ଟିମ୍ ଅରୁଣ ଯୋଗୀରାଜଙ୍କୁ ସାହାଯ୍ୟ କରିଥିଲେ। ରାମଲଲାଙ୍କ ପ୍ରତିମୂର୍ତ୍ତି ତିଆରି ଦାୟିତ୍ୱ ତାଙ୍କୁ ମିଳିବା ଅତ୍ୟନ୍ତ ଗର୍ବର ବିଷୟ। ବର୍ତ୍ତମାନ ମୂର୍ତ୍ତି ନିର୍ମାଣ ସରିଛି ଓ ଚୟନ ବି ସରଛି। ଏଥିନେଇ ସେ ବହୁତ ଖୁସି ଅଛନ୍ତି।

ଯୋଗୀରାଜଙ୍କ ବଡ ଭାଇ କହିଛନ୍ତି ଯେ ‘‘ସେ କରୁଥିବା ଏହି କାମ ବହୁତ ଅଲଗା । ତାଙ୍କ ବାପା ଓ ଜେଜେବାପା ଯେଉଁଭଳି ଭାବେ କାମ ଶିଖାଇଛନ୍ତି ସେ ଠିକ୍ ସେହିଭଳି ଭାବେ କାମ କରିଆସିଛନ୍ତି । ମୂର୍ତ୍ତି ତିଆରି ପାଇଁ ପ୍ରଥମରୁ ମନରେ ସ୍ପଷ୍ଟତା ରହିବାର ଆବଶ୍ୟକତା ରହିଛି । ଆମେ ପଥର ସହିତ କଣ କରିପାରିବା, ମୂର୍ତ୍ତି ତିଆରି ପାଇଁ କେଉଁ ପଥରର ଆବଶ୍ୟକତା ପଡିବ ଓ ଏଥିପାଇଁ କେଉଁ ପ୍ରକାରର ପଥର ବାଛିବାକୁ ହେବ ତାହା ମନରେ ସ୍ପଷ୍ଟ ହେବା ଦରକାର। ମୂର୍ତ୍ତି ତିଆରି କରିବାକୁ ହେଲେ ଚିତ୍ରାଙ୍କନର ବହୁତ ଭଲ ଅଭ୍ୟାସ ରହିବା ଅବଶ୍ୟକ। ଆଉ ସେଥିପାଇଁ ମନରେ ଭଗବାନଙ୍କ ମୂର୍ତ୍ତିକୁ କଳ୍ପନା କରିବାକୁ ହେବ। ଭାବପ୍ରବଣ ଚିତ୍ର ମନକୁ ଆସିବା ପରେ ହିଁ ମୂର୍ତ୍ତି ପ୍ରସ୍ତୁତ ହେବ। ସେ ଭିନ୍ନ ମୂର୍ତ୍ତି ତିଆରି କରି ଦୁନିଆକୁ ଦେଖାଇବାକୁ ଚାହୁଁଥିଲେ।  ଯାହାର ଶ୍ରଦ୍ଧା ଅଛି ସେ ହିଁ ଏଭଳି ମୂର୍ତ୍ତି ତିଆରି କରିପାରିବ।’’

ସେହିପରି ଯୋଗୀରାଜ ଅରୁଣଙ୍କ ପ୍ରଫେସର ବନ୍ଧୁ ଡାକ୍ତର ନବୀନ କୁମାର ମଧ୍ୟ ବନ୍ଧୁଙ୍କ ଏହି ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି ‘‘ଅରୁଣଙ୍କ ପରିବାର ୧୦୦ବର୍ଷରୁ ଅଧିକ ସମୟ ଧରି ମୂର୍ତ୍ତି ନିର୍ମାଣ କରୁଛନ୍ତି । ପାଖାପାଖି ୪ ରୁ ୫ ପିଢି ଏହି କାମକୁ କରିଆସିଛନ୍ତି। ଏ ପର୍ଯ୍ୟନ୍ତ ସେ ଅନେକ ମୂର୍ତ୍ତି ଗଢିଛନ୍ତି। କିନ୍ତୁ ଏହି ମୂର୍ତ୍ତି ତାଙ୍କ ପାଇଁ ଚୀର ସ୍ମରଣୀୟ ହୋଇ ରହିବ।’’

ଅରୁଣ ଯୋଗୀରାଜଙ୍କ ଜଣେ ପଡୋଶୀ କହିଛନ୍ତି କି ‘‘ସେ ଏପଯ୍ୟନ୍ତ ଅନେକ ସୁନ୍ଦର ମୂର୍ତ୍ତି ଗଢିଛନ୍ତି` ତାଙ୍କ ଜେଜେବାପାଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତିଗୁଡ଼ିକ ମହୀଶୂର ରାଜପ୍ରସାଦରେ ରହିଛି। ଅରୁଣ ଯୋଗୀରାଜ ଦିଲ୍ଲୀ ଇଣ୍ଡିଆ ଗେଟରେ ଥିବା ସୁବାସ୍ ଚନ୍ଦ୍ର ବୋଷଙ୍କ ମୂର୍ତ୍ତିକୁ ବି ନିର୍ମାଣ କରିଛନ୍ତି। କେଦାରନାଥରେ ଆଦିଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ମଧ୍ୟ ଯୋଗୀରାଜ ତିଆରି କରିଛନ୍ତି।’’